ଶିଳ୍ପପତିଙ୍କୁ ଆଦିବାସୀଙ୍କ ଜମି ଟେକି ଦେବାକୁ କିଏ କରିଥିଲା ଚକ୍ରାନ୍ତ ?

ଅର୍ଗସ ବ୍ୟୁରୋ : ସୋମବାର କ୍ୟାବିନେଟ ବୈଠକରେ ଆଦିବାସୀ ଜମି ହସ୍ତାନ୍ତର ଆଇନକୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ଚାରିଆଡୁ ପ୍ରବଳ ବିରୋଧର ସମ୍ମୁଖୀନ ହେବା ପରେ ନିଜେ ପକାଇଥିବା ଛେପକୁ ନିଜେ ଢୋକିଲେ ରାଜ୍ୟ ସରକାର । ଏଥିସହ ପୁଞ୍ଜିପତିଙ୍କୁ ନିରୀହ ଆଦିବାସୀଙ୍କ ଜମି ହସ୍ତାନ୍ତର ଷଡଯନ୍ତ୍ରର ହୋଇଛି ପର୍ଦ୍ଦାଫାସ । ଏବେ ନଜର ପକାନ୍ତୁ, କଣ ଥିଲା ସେହି ଷଡ଼ଯନ୍ତ୍ର ? ଆଦିବାସୀଙ୍କ ଜମି ଅଣଆଦିବାସୀ ଯେପରି କିଣିପାରିବେ ସେ ନେଇ ରାଜ୍ୟ ସରକାର ଗତବର୍ଷ ନଭେମ୍ବରରେ ଓଡ଼ିଶା ଅନୁସୂଚିତ ଅଞ୍ଚଳରେ ସ୍ଥାବର ସମ୍ପତ୍ତିର ହସ୍ତାନ୍ତର ଆଇନ, ୧୯୫୬ର ସଂଶୋଧନ କରିଥିଲେ । ଏହା ଆଦିବାସୀ ବିରୋଧୀ ଏବଂ ଶିଳ୍ପପତିଙ୍କୁ ଆଦିବାସୀଙ୍କ ଜମି ଟେକି ଦେବା ଲାଗି ସରକାରୀ ଷଡଯନ୍ତ୍ର ବୋଲି ଅଭିଯୋଗ ଆଣି ସରକାରଙ୍କୁ ଘେରିଥିଲେ ବିରୋଧୀ ।
ନିଷ୍ପତି ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ବିଧାନସଭାରେ କରିଥିଲେ ଜୋରଦାର ପ୍ରତିବାଦ । ଏପରିକି ଗୃହ ବାହାରେ ମଧ୍ୟ ଆଦିବାସୀ ସମାଜ ସମେତ ବିଭିନ୍ନ ସଂଗଠନ ଏହାକୁ ବିରୋଧ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଆଦିବାସୀ ଉପଦେଷ୍ଟା ପରିଷଦ ବା ଟିଏସିର ଅନୁମୋଦନ ଆଧାରରେ କ୍ୟାବିନେଟ ଏହି ନିଷ୍ପତି ନେଇଥିଲା । କିନ୍ତୁ ଟିଏସିରେ କୌଣସି ଆଲୋଚନା ହୋଇନି ଏବଂ ସରକାର ମିଛ କହୁଛନ୍ତି ବୋଲି ଅଭିଯୋଗ କରିଥିଲେ ବିରୋଧୀ । ମିଛ ଧାରପଡ଼ିବା ପରେ ନିଷ୍ପତି ସ୍ଥଗିତ ରଖାଗଲା ବୋଲି ଟୁଇଟ କରି ସୂଚନା ଦେଇଥିଲେ ରାଜସ୍ଵ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଏବେ ଏହି ତ୍ରୁଟିପୂର୍ଣ୍ଣ ନିଷ୍ପତିକୁ ପ୍ରତ୍ୟାହାର କରିନେଇଛି କ୍ୟାବିନେଟ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଏହି ମାମଲାରେ ବ୍ୟାକଫୁଟରେ ଥିବା ରାଜ୍ୟ ସରକାର ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଆଦିବାସୀଙ୍କ ବିକାଶର ଦ୍ଵାହି ଦେଇ ଆଉ ୫ଟି ପ୍ରସ୍ତାବକୁ ମଧ୍ୟ ସୋମବାର କ୍ୟାବିନେଟରେ ପାରିତ କରିଛନ୍ତି । ଲଘୁ ବନଜାତ ଦ୍ରବ୍ୟ ବିକିବାକୁ ‘ଲାଭ’ ଯୋଜନା, ରାୟଗଡ଼ାରେ ୨୫କୋଟି ବ୍ୟୟରେ ହଳଦୀ ପ୍ଲାଣ୍ଟ ପ୍ରତିଷ୍ଠା, ଆଦିବାସୀ ଭାଷାର ସଂରକ୍ଷଣ ଓ ପ୍ରଚାର ପାଇଁ କମିସନ ଗଠନ, ୪ଟି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଏବଂ ୧୬୯ଟି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ୍ ପାଇଁ ପ୍ରସ୍ତାବ କ୍ୟାବିନେଟରେ ପାରିତ ହୋଇଛି । ତେବେ ଆଦିବାସୀଙ୍କ ଭୋଟ ହାତେଇବାକୁ ଏହା ସରକାରଙ୍କ ଚାଲ ବୋଲି ଅଭିଯୋଗ ହୋଇଛି । ୨୪ ନିର୍ବାଚନକୁ ମାତ୍ର ଆଉ କିଛି ଦିନ ବାକି ଥିବା ବେଳେ କାହିଁକି ହଠାତ୍ ସରକାରଙ୍କ ଆଦିବାସୀ ପ୍ରେମ । ବିଜେଡିକୁ ଘାରିନି ତ ଜନଜାତି ଭୋଟ୍ ବ୍ୟାଙ୍କ ଚାଲିଯିବାର ଭୟ ।