|
logo
Live

Argus News - ପାଟନା ଛାଡ଼ି ଦିଲ୍ଲୀ ଯିବେ ନୀତିଶ; କିଏ ହେବେ ପରବର୍ତ୍ତୀ CM?

Politics

Bihar Power Politics Change / ପାଟନା ଛାଡ଼ି ଦିଲ୍ଲୀ ଯିବେ ନୀତିଶ; କିଏ ହେବେ ପରବର୍ତ୍ତୀ CM?

Subhramjit Ray
Browse all articles by Subhramjit Ray
·1 hour ago·3 min read
ପାଟନା ଛାଡ଼ି ଦିଲ୍ଲୀ ଯିବେ ନୀତିଶ; କିଏ ହେବେ ପରବର୍ତ୍ତୀ CM?
Bihar Power Politics Change

Key Points

ନୀତିଶ କୁମାର ଦିଲ୍ଲୀ ଯିବା ପରେ ପରବର୍ତ୍ତୀ ବିହାର ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।
who will be the next bihar cm: ପୁଣି ଥରେ ଏକ ବଡ଼ ପରିବର୍ତ୍ତନର ଦ୍ୱାରଦେଶରେ ପହଞ୍ଚିଛି ବିହାର ରାଜନୀତି। ରାଜ୍ୟରେ କ୍ଷମତା ପରିବର୍ତ୍ତନ ପ୍ରାୟ ଏକ ପ୍ରକାର ସୁନିଶ୍ଚିତ ବୋଲି ସ୍ପଷ୍ଟ ହୋଇଗଲାଣି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିହାରରେ ଏଥର ବିଜେପି ନିଜସ୍ୱ ଦମ୍ ବଳରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରିବାକୁ ଯାଉଛି। କାରଣ ବର୍ତ୍ତମାନର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜଧାନୀ ପାଟନା ଛାଡି଼ ଏବେ ଦିଲ୍ଲୀ ମୁହାଁ ହୋଇଛନ୍ତି। ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରି ସାରିବା ପରେ ସେ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ଯାହାକୁ ନେଇ ଶାସକ ଏନଡି଼ଏ ମେଣ୍ଟରେ ଛକାପଞ୍ଝା ଆରମ୍ଭ ହୋଇଗଲାଣି।

ବିଗତ କିଛି ଦିନ ଧରି ରାଜଧାନୀ ପାଟନାରେ ସିରିଜ୍ ବୈଠକ ଆୟୋଜିତ ହୋଇଚାଲିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ଅନୁଷ୍ଠିତ ବୈଠକ ରାଜ୍ୟର ରାଜନୈତିକ ମାହୋଲକୁ ଆହୁରି ସରଗରମ କରିଦେଇଛି। ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନାଙ୍କ ମଧ୍ୟରେ ହୋଇଥିବା ବୈଠକ ଚର୍ଚ୍ଚାରେ ରହିଛି। କାରଣ ଏହା କେବଳ କୌଣସି ସୌଜନ୍ୟମୂଳକ ସାକ୍ଷାତକାର ନୁହେଁ। ବରଂ ଭବିଷ୍ୟତର ରାଜନୈତିକ ସମୀକରଣର ଗତିବିଧି ନିର୍ଣ୍ଣୟ କରିବା ପ୍ରୟାସର ଏକ ଅଂଶ ବିଶେଷ।

ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଜଣେ ବିଜେପି ନେତା

ନିକଟ ଭବିଷ୍ୟତରେ ବିହାର ରାଜନୀତିରେ ସବୁଠାରୁ ବଡ଼ ରାଜନୈତିକ ପରିବର୍ତ୍ତନ ହେବାକୁ ଯାଉଛି। କାରଣ ଏଥର ମୁଖ୍ୟମନ୍ତ୍ରୀ ବାଛିବାର ଏକମାତ୍ର ଅଧିକାର ବିଜେପି ପାଖରେ ରହିଛି। ଅନ୍ୟପକ୍ଷରେ ମେଣ୍ଟ ସହଯୋଗୀ ଜେଡିୟୁ ସ୍ପଷ୍ଟ କରିଛି ଯେ ମୁଖ୍ୟମନ୍ତ୍ରୀ ନିଯୁକ୍ତ ନିଷ୍ପତ୍ତିରେ ଦଳ ହସ୍ତକ୍ଷେପ କରିବ ନାହିଁ। ବରିଷ୍ଠ ଜେଡିୟୁ ନେତା ବିଜୟ ଚୌଧୁରୀ ଦେଇଥିବା ଏହାକୁ ସୁନିଶ୍ଚିତ କରୁଛି। ସେ ସ୍ପଷ୍ଟ ଭାବରେ କହି ସାରିଛନ୍ତି ଯେ ସରକାର ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। ହେଲେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନିଷ୍ପତ୍ତି ବିଜେପି ନେତୃବୃନ୍ଦ ସ୍ଥିର କରିବେ। ଏହି ବିବୃତ୍ତି ସୂଚାଇ ଦିଏ ଯେ ଜେଡିୟୁ ଆଉ ପୂର୍ବରୁ ଯେଉଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିଲା ତାହା ଏବେ ନାହିଁ। ଗୋଟିଏ ସମୟ ଥିଲା ଯେତେବେଳେ ଜେଡିୟୁ ବିହାରରେ ଏନଡ଼ିଏ ମେଣ୍ଟର ନେତୃତ୍ୱ ନେଉଥିଲା। ହେଲେ ଏବେ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି।

ଏହା ସହ ପଢନ୍ତୁ: ନୀତିଶ କୁମାରଙ୍କ ପରେ କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ?

ମୁଖ୍ୟମନ୍ତ୍ରୀ ଦୌଡ଼:କିଏ ଅଛନ୍ତି ଆଗରେ ଏବଂ କିଏ ଅଛନ୍ତି ପଛରେ?

ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି ଦଳୀୟ ମହଲରେ ଅନେକ ନେତାଙ୍କ ନାମକୁ ନେଇ ଆଲୋଚନା ହେଉଛି। ହେଲେ ସେମାନଙ୍କ ମଧ୍ୟରୁ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ସର୍ବାଗ୍ରେ ଅଛନ୍ତି। ତାଙ୍କର ଉଭୟ ସଙ୍ଗଠନ ଏବଂ ସରକାରରେ ଆଖିଦୃଶିଆ ପ୍ରଭାବ ରହିଥିବାର ବିବେଚନା କରାଯାଏ। ହେଲେ ତଥାପି ଦଳର କେନ୍ଦ୍ରୀୟ ନେତୃତ୍ୱ ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପରେ ଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବିଜେପି ବିଧାୟକ ଦଳ ନେତା ଚୟନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ବିହାର ବିଜେପି ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି। ଯାହା ଦର୍ଶାଉଛି ଯେ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ତରବରରେ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ଚାହୁଁନାହାଁନ୍ତି। ଏଥିପାଇଁ ଦଳର ହାଇକମାଣ୍ଡ ସମସ୍ତ ଦିଗକୁ ବିଚାର କରି ନିଷ୍ପତ୍ତି ନେବ।

ବାଚସ୍ପତି ପଦକୁ ନେଇ ଚାଲିଛି ଛକାପଞ୍ଝା
ସରକାର ପରିବର୍ତ୍ତନ ଆଗରୁ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି ବିହାର ବିଧାନସଭାର ବାଚସ୍ପତି ପଦ। ପୂର୍ବରୁ ଏନଡ଼ିଏ ମେଣ୍ଟର ଏକ ସ୍ଥିର ଫର୍ମୁଲା ରହିଥିଲା। ତାହା ହେଉଛି ମୁଖ୍ୟମନ୍ତ୍ରୀ ଜେଡିୟୁରୁ ​​ଏବଂ ବାଚସ୍ପତି ବିଜେପିରୁ ହେବେ। ହେଲେ ବର୍ତ୍ତମାନ ବିଜେପି ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ଯାଉଛି। ହେଲେ ଦଳ ବାଚସ୍ପତି ପଦବୀ ଛାଡିବାକୁ ଆଗ୍ରହୀ ନାହିଁ। ବର୍ତ୍ତମାନ ବାଚସ୍ପତି ପଦବୀ ବିଜେପି ପାଖରେ ରହିଛି ଏବଂ ଦଳ ଏହାକୁ ବଜାୟ ରଖିବାକୁ ଚାହୁଁଛି। ଅନ୍ୟପକ୍ଷରେ ଜେଡିୟୁ ଯୁକ୍ତି ରଖିଛି ଯେ ପୁରୁଣା ଫର୍ମୁଲା ଅନୁଯାୟୀ ବାଚସ୍ପତି ତାଙ୍କ ପାଖରେ ରହିବା ଆବଶ୍ୟକ। ଏହି ପ୍ରସଙ୍ଗକୁ ଦୁଇ ଦଳ ମଧ୍ୟରେ ଛକାପଞ୍ଝା ରହିଛି।

ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନକୁ ନେଇ ଚାଲିଛି ଟଣାଓଟରା
କେବଳ ବାଚସ୍ପତି ପଦବୀକୁ ନେଇ ନୁହେଁ, ବରଂ ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନକୁ ନେଇ ଉଭୟ ଦଳ ମଧ୍ୟରେ ଟଣାଓଟରା ଚାଲିଛି। ଜେଡିୟୁ ଗୃହ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଉପରେ ନଜର ପକାଇଛି। ଏହି ସମୟରେ ବିଜେପି ମଧ୍ୟ ନିଜର ପ୍ରଭାବ ହ୍ରାସ କରିବାକୁ ଚାହୁଁନାହିଁ। ଏହି କାରଣରୁ ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ ସମ୍ପର୍କରେ ଅନେକ ପର୍ଯ୍ୟାୟ ଆଲୋଚନା ହୋଇସାରିଛି। ହେଲେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ସହମତି ହୋଇପାରି ନାହିଁ।

ଏନଡ଼ିଏ ମେଣ୍ଟରେ ବଦଳୁଛି ଶକ୍ତି ସନ୍ତୁଳନ

ଏହି ପୁରା ଘଟଣାକ୍ରମରେ ହେଉଥିବା ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ଶକ୍ତି ସନ୍ତୁଳନ (Power Balance)। ପୂର୍ବରୁ ଜେଡିୟୁ ଏନଡ଼ିଏ ମେଣ୍ଟର ଡ୍ରାଇଭି ସିଟ୍ ରେ ବସିଥିଲା। ହେଲେ ବର୍ତ୍ତମାନ ବିଜେପି ସେହି ଆସନ ଦଖଲ କରିବାକୁ ଯାଉଛି। କେନ୍ଦ୍ର ଭଳି ରାଜ୍ୟରେ ମଧ୍ୟ ବିଜେପି ଏନଡ଼ିଏ ମେଣ୍ଟର ନେତୃତ୍ୱ ନେବ। ଜେଡିୟୁ ବର୍ତ୍ତମାନ ଆପୋଷ ବୁଝମାଣ କରିବାରେ ଲାଗିଯାଇଛି। କାରଣ ଦଳ ଏବେ ଏହା ସୁନିଶ୍ଚିତ କରିବାରେ ଲାଗିଯାଇଛି ଯେ ଏନଡ଼ିଏ ସରକାରରୁ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଭାବରେ ଯେପରି ହ୍ରାସ ନପାଇଯାଉ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bihar Power Politics Change: ପାଟନା ଛାଡ଼ି ଦିଲ୍ଲୀ ଯିବେ ନୀତିଶ; କିଏ ହେବେ ପରବର୍ତ୍ତୀ CM? | Argus News