Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ପାଣ୍ଡିଆନ BJDରେ ରହିବା କଥା ଉଠିଲେ, ମୁଁ ପ୍ରଥମେ ଦଳ ଛାଡ଼ିବି': ବଦ୍ରି ପାତ୍ର

Politics

BJD Internal Conflict / 'ପାଣ୍ଡିଆନ BJDରେ ରହିବା କଥା ଉଠିଲେ, ମୁଁ ପ୍ରଥମେ ଦଳ ଛାଡ଼ିବି': ବଦ୍ରି ପାତ୍ର

Sushanta Sahoo
Browse all articles by Sushanta Sahoo
·1 day ago·2 min read
'ପାଣ୍ଡିଆନ BJDରେ ରହିବା କଥା ଉଠିଲେ, ମୁଁ ପ୍ରଥମେ ଦଳ ଛାଡ଼ିବି': ବଦ୍ରି ପାତ୍ର
Pandian Row in BJD

Key Points

ବଦ୍ରି ନାରାୟଣ ପାତ୍ର କହିଛନ୍ତି, "ପାଣ୍ଡିଆନଙ୍କ ନେତୃତ୍ଵରେ ଆମେ ଦଳକୁ ଆସି ନଥିଲୁ । ତାଙ୍କ ପାଇଁ ଦଳର ବହୁତ କ୍ଷତି ହୋଇଛି । ପାଣ୍ଡିଆନ କିଏ ? ସେ କାହିଁକି ଦଳ କଥା ବୁଝିବେ ?"
ଭୁବନେଶ୍ଵର: ବଦ୍ରି ବାଣ, ବିଜେଡିରେ ବିସ୍ଫୋରଣ । ପାଣ୍ଡିଆନ କିଏ ? ସେ କାହିଁକି ଦଳ କଥା ବୁଝିବେ ? ଆମକୁ କିଏ ବାଧ୍ୟ କରିବ ? ଆମେ ମୂଳରୁ ତାଙ୍କୁ ଅଗ୍ରାହ୍ୟ କରିଛୁ । ବିଜେଡିକୁ ପାଣ୍ଡିଆନ୍ ଫେରିବା ଓ ନେତୃତ୍ଵ ନେବା ଚର୍ଚ୍ଚାକୁ ନେଇ ଏଭଳି ଚିହିଁକି ଉଠିଛନ୍ତି ଘସିପୁରା ବିଧାୟକ ତଥା ବରିଷ୍ଠ ବିଜେଡି ନେତା ବଦ୍ରି ନାରାୟଣ ପାତ୍ର ।

ବଦ୍ରି ନାରାୟଣ ପାତ୍ର କହିଛନ୍ତି, "ପାଣ୍ଡିଆନଙ୍କ ନେତୃତ୍ଵରେ ଆମେ ଦଳକୁ ଆସି ନଥିଲୁ । ତାଙ୍କ ପାଇଁ ଦଳର ବହୁତ କ୍ଷତି ହୋଇଛି । ମୋ ସଂଗଠନ କଥା ମୁଁ କହି ପାରିବି । କେଉଁଠି ସଂଗଠନ କେମିତି ଚାଲିଛି, ସେ କଥା ଦଳର ସଭାପତି ବୁଝିବେ । କିଏ ନେତୃତ୍ଵ ନେବ, ତାହା ସଭାପତି ଦେଖିବେ । ପାଣ୍ଡିଆନ ଦଳର ଦାୟିତ୍ଵ ନେବା କଥା ହିଁ ଉଠୁ ନାହିଁ ।"

ଏଥିସହ ପଢ଼ନ୍ତୁ: ଖାଲି ହେଉଛି ବିଜେଡି, ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଦଳ ଛାଡ଼ୁଛନ୍ତି ନେତା ଓ କର୍ମୀ

ସେ ଆହୁରି କହିଛନ୍ତି, " ପାଣ୍ଡିଆନ ଦଳର ଦାୟିତ୍ଵ ନେଲେ, ଆମେ ତାଙ୍କ ଅଧିନରେ ରହିବୁ... ସେ କଥା ଭାବିବା ଠିକ୍ ନୁହେଁ । ଏ କଥା ଉଠିଲେ ମୁଁ ପ୍ରଥମେ ଦଳରୁ ବାହାରିବି । ନବୀନଙ୍କ ନେତୃତ୍ଵରେ ଆମେ ଅଛୁ । ଦଳରେ ପାଣ୍ଡିଆନଙ୍କ ଉପସ୍ଥିତି ମୁଁ ଅନୁଭବ କରୁନି । ଯଦି ପ୍ରଭାବ ରହୁଥିବ, ସେହି ଅନୁସାରେ ନିଶ୍ଚିତ ଭାବେ ଦଳ ଭୋଗିବ । ସେ କଥା ସମସ୍ତେ ହୃଦୟଙ୍ଗମ କରିବା ଦରକାର ।"

ବିଜେଡିରେ ପାଣ୍ଡିଆନଙ୍କ କିଛି କର୍ତ୍ତୃତ୍ଵ ନାହିଁ । ତାଙ୍କ କର୍ତ୍ତୃତ୍ଵ ଦେଖାଇ ଦଳକୁ ବଞ୍ଚାଇବାକୁ ଚେଷ୍ଟା କରାଗଲେ ତାହା ଫଳପ୍ରଦ ହେବନି । ବହୁତ ଲୋକ ବିରୋଧ କରିବେ, କିଏ କ୍ଵଚିତ ସମର୍ଥନ କରିବେ ମୁଁ ଜାଣିନି । ନିର୍ବାଚନ ଫଳ ଖରାପ ହେବା ପରେ କିଏ ତାଙ୍କ ନାଁ ଜପୁଛି । ଯାହାର କିଛି ନାହିଁ, ଆଶ୍ରା ଖୋଜୁଥିବେ, ସେମାନେ ପାଣ୍ଡିଆନ ନାଁ ନେଉଥିବେ ବୋଲି କଟାକ୍ଷ କରିଛନ୍ତି ବଦ୍ରି ପାତ୍ର ।

ଏଥିସହ ପଢ଼ନ୍ତୁ: ଭଦ୍ରକରେ ବିଜେଡିକୁ ବଡ଼ ଝଟ୍‌କା; ଦଳ ଛାଡ଼ିଲେ ପୂର୍ବତନ ସାଂସଦ, ବିଧାୟକ

ସେ କହିଛନ୍ତି, "ଆମ ମତ ସ୍ପଷ୍ଟ, ସବୁ ନିଷ୍ପତ୍ତି ଦଳର ପରାମର୍ଶ କ୍ରମେ ହେଉ । ପାଣ୍ଡିଆନଙ୍କୁ ନେଇ ପରାମର୍ଶ ଦେବା ସ୍ଵପ୍ନ ଭଳି । ଦଳ ରହିବ, ବ୍ୟକ୍ତି ଯାଇ ପାରନ୍ତି । କଂଗ୍ରେସ ୨୫ ବର୍ଷ ହେଲା ଶାସନରେ ନାହିଁ, ବିରୋଧୀରେ ଅଛି । ଜଣେ ଗଲେ ୫ ଜଣ ଆସିବେ । ଦଳର ଅସ୍ତିତ୍ଵ ସଂକଟ ନାହିଁ । ବିଜୁ ବାବୁଙ୍କ ଆଦର୍ଶକୁ ନେଇ ଦଳରେ ଅଛୁ । ବିଜୁ ବାବୁଙ୍କ ଆଦର୍ଶରେ ବିଜେଡି ଗଠନ ହୋଇଥିଲା ।"

ନିର୍ବାଚନ ବେଳେ ବିଜେଡି ପୋଷ୍ଟରରୁ ବିଜୁ ବାବୁଙ୍କ ଫଟୋ ହଟାଯିବା ଉପରେ ମତ ରଖିଛନ୍ତି ବଦ୍ରି ପାତ୍ର । କହିଛନ୍ତି, "ସେତେବେଳେ ଯିଏ ଫଟୋ ହଟାଇ ଥିଲେ ସେ ତାର ପରିଣାମ ପାଇଛନ୍ତି । ଏ ନିଷ୍ପତ୍ତି ପଛରେ ଯେଉଁମାନେ ଥିଲେ, ସମସ୍ତେ ଫଳ ଭୋଗିଛନ୍ତି । ଦଳ କ୍ଷମତାକୁ ଆସିଲା ନାହିଁ, ଯେଉଁମାନେ ଆକାଶରେ ଉଡ଼ୁଥିଲେ ଏବେ ସେମାନଙ୍କ କିଛି ପରିଚୟ ନାହିଁ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD Rift Deepens: Badri Patra Opposes Pandian’s Leadership | Argus News | Argus News