ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ପଡ଼ୁଛି ଭୋଟ୍

ଅର୍ଗସ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ଗଣତନ୍ତ୍ରର ମହାପର୍ବ । ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ପଡ଼ୁଛି ଭୋଟ୍ । ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ହେଉଛି ଭୋଟିଂ । ତାମିଲନାଡ଼ୁର ସମସ୍ତ ୩୯ ସିଟ୍, ରାଜସ୍ଥାନର ୧୨, ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ-ମହାରାଷ୍ଟ୍ର-ଉତ୍ତରାଖଣ୍ଡର ୫ଟି ଲେଖାଏଁ ସିଟରେ ଭୋଟିଂ ହେବ । ସେହିପରି ପୁଡ଼ୁଚେରୀ, ଲାକ୍ଷାଦୀପ, ଜମ୍ମୁକାଶ୍ମୀର, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ଗୋଟିଏ ଲେଖାଏଁ ସିଟରେ ବି ମତଦାନ କରିବେ ଜନତା ।
ଏହାବାଦ ଛତିଶଗଡ଼ର ମାଓପ୍ରବଣ ବସ୍ତରରେ ବି ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡ଼ିବ। ୧୦୨ଟି ଆସନରେ ମୋଟ୍ ୧୬୨୫ ଜଣ ପ୍ରାର୍ଥୀ ରହିଥିବା ବେଳେ ପୁରୁଷ ୧୪୯୧ ଓ ୧୩୪ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ସେହିପରି କାଭାଁ ସ୍ଥାନକୁ ଛାଡ଼ିଦେଲେ ଅଧିକାଂଶ ଜାଗାରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧୬.୬୩ କୋଟି ଭୋଟର୍ ରହିଛନ୍ତି ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ୮.୪ କୋଟି ପୁରୁଷ ଓ ୮.୨୩ କୋଟି ମହିଳା । ପାଖାପାଖି ୩୫ ଲକ୍ଷ ୬୭ ହଜାର ନୂଆ ଭୋଟର୍ ପ୍ରଥମ ପର୍ଯ୍ୟାୟରେ ମତଦାନ କରିବେ ।
ଅଧିକ ପଢନ୍ତୁ ରାଜନୀତି ଖବର
📱 Get Argus News App
✨ସେପଟେ ନିର୍ବାଚନକୁ ସୁରକ୍ଷିତ ଭାବେ ଓ ସୁଚାରୁରୂପେ ସମ୍ପାଦିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ ମଧ୍ୟ କରାଯାଇଛି । ଲକ୍ଷେ ୮୭ ହଜାର ପୋଲିଂ ବୁଥରେ ନିର୍ବାଚନ ପରିଚାଳନା ପାଇଁ ୧୮ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ୫୦ ପ୍ରତିଶତ ବୁଥରେ ୱେବକାଷ୍ଟିଂର ବ୍ୟବସ୍ଥା ହୋଇଥିବା ବେଳେ ୫ ହଜାର ବୁଥରେ କେବଳ ମହିଳାମାନଙ୍କୁ ମୁତୟନ କରାଯାଇଛି । ସେହିପରି ଏକ ହଜାର ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗମାନେ ନିର୍ବାଚନ ପରିଚାଳନା କରିବେ ।