Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ପୁରୁଣା ରୋଗରେ କେମିତି ମଲମ ଲଗାଇବେ ଲାଲଜୀ ?

Politics

Odisha Politics / ପୁରୁଣା ରୋଗରେ କେମିତି ମଲମ ଲଗାଇବେ ଲାଲଜୀ ?

Sushanta Sahoo
Browse all articles by Sushanta Sahoo
·1 day ago·2 min read
ପୁରୁଣା ରୋଗରେ କେମିତି ମଲମ ଲଗାଇବେ ଲାଲଜୀ ?
Can Lalji Desai Revive Odisha Congress

Key Points

ହଠାତ୍ ବଦଳିଲେ କଂଗ୍ରେସର ଓଡ଼ିଶା ପ୍ରଭାରୀ
ଏବେ ବଦଳିବ କି ଦଳର ଭାଗ୍ୟ ?
ଦଳରେ ଏବେ ବି ତୀବ୍ର ଗୋଷ୍ଠୀ କନ୍ଦଳ
ଭୁବନେଶ୍ଵର: ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ । ହେଲେ ବଦଳୁ ନାହିଁ ରାଜ୍ୟ କଂଗ୍ରେସର ଭାଗ୍ୟ । ଲଲ୍ଲୁ ଗଲେ, ଲାଲଜୀ ଆସିଲେ । ଓଡ଼ିଶାରେ କଂଗ୍ରେସର ସଂଗଠନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏଆଇସିସି ଅଜୟ କୁମାର ଲଲ୍ଲୁଙ୍କ ସ୍ଥାନରେ ଲାଲଜୀ ଦେଶାଇଙ୍କୁ ପ୍ରଭାରୀ ଦାୟିତ୍ଵ ଦେଇଛି ।

ଓଡ଼ିଶା କଂଗ୍ରେସରେ ପୁଣି ହଟଚମଟ । ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ଓ ବାରମ୍ବାର ନିର୍ବାଚନୀ ପରାଜୟର ସ୍ୱାଦ ଚାଖୁଥିବା ଓଡ଼ିଶା କଂଗ୍ରେସକୁ ମିଳିଛନ୍ତି ନୂଆ ମଙ୍ଗୁଆଳ । AICC ସେବା ଦଳର ମୁଖ୍ୟ ଥିବା ଲାଲଜୀ ଦେଶାଇଙ୍କୁ ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ଭାବେ ବଡ଼ ଦାୟିତ୍ୱ ମିଳିଛି ।

ଏଥିସହ ପଢ଼ନ୍ତୁ: ପଛରେ ରହିବେ ପାଣ୍ଡିଆନ, ଆଗକୁ ଆସିଲେ ସୁଜାତା 

ସାଂଗଠନିକ ବିସ୍ତାର ସହ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବାରେ ଲାଲଜୀ ବେଶ୍ ମାହିର୍ ଓ ଅଭିଜ୍ଞ । ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ, ବୁଡ଼ି ଯାଉଥିବା ଦଳର ନାଆକୁ ପାର୍ କରିବା ଲାଲଜୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । କାରଣ, କଂଗ୍ରେସର ପୁରୁଣା ରୋଗ 'ଗୋଷ୍ଠୀ କନ୍ଦଳ' ଏବେ ବି ଦଳକୁ ଭିତରୁ ଭିତରୁ ଅଣ୍ଟିଛୁରୀ ଭଳି କାଟୁଛି ।

ଦଳ ମଜଭୁତ ହେବା ବଦଳରେ ଦିନକୁ ଦିନ ରସାତଳକୁ ଯାଉଛି । ଏସବୁ ଭିତରେ ପିସିସି ସଭାପତିଙ୍କ ଏକ ବଡ଼ ବୟାନ ରାଜନୀତିକୁ ଆହୁରି ସରଗରମ କରିଛି । ପରୋକ୍ଷରେ ସେ କହିଛନ୍ତି- "ମୋତେ ଚେୟାରରୁ ହଟାଇବା ପାଇଁ ଦଳ ଭିତରେ ହିଁ ବଡ଼ ଷଡ଼ଯନ୍ତ୍ର ଚାଲିଛି ।"

୨୦୨୪ ସାଧାରଣ ନିର୍ବାଚନ ପରେ ଉତ୍ତରପ୍ରଦେଶର ପୂର୍ବତନ ପିସିସି ସଭାପତି ଅଜୟ କୁମାର ଲଲ୍ଲୁଙ୍କୁ ଓଡ଼ିଶା ପ୍ରଭାରୀ କରା ଯାଇଥିଲା । ହେଲେ ପିସିସି ସଭାପତିଙ୍କ ସହ ତାଙ୍କର ମତଭେଦ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାରୁ ଲଲ୍ଲୁଙ୍କୁ ଓଡ଼ିଶା ଦାୟିତ୍ୱରୁ ମୁକ୍ତ କରାଯାଇଥିବା କୁହାଯାଉଛି ।

ଏଥିସହ ପଢ଼ନ୍ତୁ: ବିଜେଡିରେ ମିଶିଲେ ସୁଜାତା, ଶଙ୍ଖ ଭବନକୁ ଆସିଲେନି ବରିଷ୍ଠ ନେତା 

ସେପଟେ ନୂଆ ପ୍ରଭାରୀ ଘୋଷଣା ପରେ ଦଳୀୟ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ବରିଷ୍ଠ ନେତାମାନେ ତାଙ୍କୁ ସ୍ୱାଗତ କରିବା ସହ ଲାଲଜୀଙ୍କ ନେତୃତ୍ୱରେ ଦଳ ପୁଣି ଥରେ ସଂଗଠିତ ହେବ ବୋଲି ଆଶା ପ୍ରକାଶ କରିଛନ୍ତି । ଆସନ୍ତା ଜୁଲାଇ ୨ ତାରିଖରେ କଂଗ୍ରେସ ଭବନରେ ବସିବାକୁ ଯାଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାରାଥନ୍ ବୈଠକ ।

ସମସ୍ତ ଜିଲ୍ଲା ସଭାପତିଙ୍କୁ ନେଇ ହେବାକୁ ଥିବା ଏହି ବୈଠକରେ ନୂଆ ପ୍ରଭାରୀ ଲାଲଜୀ ଦେଶାଇ ନିଜେ ଉପସ୍ଥିତ ରହିବେ । ଦଳୀୟ ସଂଗଠନକୁ କେମିତି ସୁଦୃଢ଼ କରାଯିବ ଓ ଅନ୍ତଃକନ୍ଦଳର କେମିତି ସମାଧାନ ହେବ, ସେ ନେଇ ନେତାଙ୍କ ସହ ଚାଲିବ ସିଧାସଳଖ ଆଲୋଚନା । ତେବେ ଦେଖିବାକୁ ବାକି ରହିଲା, ଲାଲଜୀଙ୍କ ଏହି 'ସଞ୍ଜୀବନୀ' ଓଡ଼ିଶା କଂଗ୍ରେସରେ କେତେ ପ୍ରାଣ ଭରି ପାରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored