Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସଫା ହୋଇଗଲେ ବାମପନ୍ଥୀ; ହେଲେ ଅଛନ୍ତି କେବଳ ଜଣେ ମାତ୍ର କମ୍ୟୁନିଷ୍ଟ ମନ୍ତ୍ରୀ

Politics

Kerala Assembly Election 2026 / ସଫା ହୋଇଗଲେ ବାମପନ୍ଥୀ; ହେଲେ ଅଛନ୍ତି କେବଳ ଜଣେ ମାତ୍ର କମ୍ୟୁନିଷ୍ଟ ମନ୍ତ୍ରୀ

Subhramjit Ray
Browse all articles by Subhramjit Ray
·1 hour ago·2 min read
ସଫା ହୋଇଗଲେ ବାମପନ୍ଥୀ; ହେଲେ ଅଛନ୍ତି କେବଳ ଜଣେ ମାତ୍ର କମ୍ୟୁନିଷ୍ଟ ମନ୍ତ୍ରୀ
CMP Leader CP John

Key Points

ବର୍ତ୍ତମାନ ଦେଶର କୌଣସି ରାଜ୍ୟରେ ବାମପନ୍ଥୀ ସରକାର ନାହିଁ। ବିଗତ ୫ ଦଶନ୍ଧି ମଧ୍ୟରେ ଏହା ପ୍ରଥମ ଥର ପାଇଁ ହୋଇଛି। ହେଲେ ତଥାପି କେରଳରେ କ୍ଷମତାସୀନ ୟୁଡ଼ିଏଫ୍ ସରକାରରେ ଜଣେ କମ୍ୟୁନିଷ୍ଟ ମନ୍ତ୍ରୀ ଅଛନ୍ତି ଯିଏ ବାମପନ୍ଥୀ ବିଚାରଧାରାରେ ବିଶ୍ୱାସ କରନ୍ତି।
Only one communist minister in state cabinet: ନିକଟରେ ପ୍ରକାଶ ପାଇଛି ୨୦୨୬ ବିଧାନସଭା ନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ ବିଜେପି, କଂଗ୍ରେସ ଏବଂ ଅଭିନେତାରୁ ରାଜନେତା ହୋଇଥିବା ବିଜୟ କୁମାରଙ୍କ ଟିଭିକେ ପାଇଥିବା ବିଜୟକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା। ଏହି ନିର୍ବାଚନ ଫଳାଫଳ ଆସିବା ପରେ ଆଉ ଏକ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲିଟିଥିଲା। ଏନେଇ କୁହାଯାଉଛି ଯେ ବିଗତ ୫ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଦେଶର କୌଣସି ରାଜ୍ୟରେ ବାମପନ୍ଥୀ ସରକାର କ୍ଷମତାରେ ନାହିଁ। ହେଲେ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। କେରଳରେ କଂଗ୍ରେସ ନେତୃତ୍ୱାଧିନ ୟୁଡିଏଫ୍ ସରକାରଙ୍କ ମନ୍ତ୍ରୀମଣ୍ଡଳରେ କମ୍ୟୁନିଷ୍ଟ ମାର୍କ୍ସବାଦୀ ପାର୍ଟି (ସିଏମପି) ଦଳର ଜଣେ ସଦସ୍ୟ ଅଛନ୍ତି। ଯାହାର ଅର୍ଥ ହେଉଛି ଯେ ବର୍ତ୍ତମାନ ଯଦିଓ ଦେଶର କୌଣସି କମ୍ୟୁନିଷ୍ଟ ସରକାର ଶାସନ କରୁନାହିଁ, ହେଲେ କମ୍ୟୁନିଷ୍ଟ ଚିନ୍ତାଧାରାରେ ବିଶ୍ୱାସ ରଖିଥିବା ଜଣେ ମନ୍ତ୍ରୀ ସରକାରରେ ସାମିଲ ଅଛନ୍ତି। ହେଲେ କେରଳରେ କ୍ଷମତାସୀନ ୟୁଡ଼ିଏଫ ସରକାରରେ ସାମିଲ ହୋଇଥିବା କମ୍ୟୁନିଷ୍ଟ ମନ୍ତ୍ରୀ ଜଣଙ୍କ କିଏ? କ'ଣ ରହିଛି ତାଙ୍କର ଇତିହାସ?

ସିପି ଜନ୍ କିଏ? କେଉଁଠାରୁ ହୋଇଥିଲେ ନିର୍ବାଚିତ?
୨୦୨୬ କେରଳ ବିଧାନସଭା ନିର୍ବାଚନରେ ​କମ୍ୟୁନିଷ୍ଟ ମାର୍କ୍ସବାଦୀ ଦଳର ସିପି ଜନ୍ ତିରୁବନନ୍ତପୁରମ ବିଧାନସଭା ଆସନରୁ ବାଜିମାତ କରିଛନ୍ତି। ସେ ସିପିଏମ୍ ନେତୃତ୍ୱାଧିନ ଏଲଡ଼ିଏଫ୍ ମେଣ୍ଟ ଦ୍ୱାରା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ସୁଧିର କରମଣାଙ୍କୁ ପ୍ରାୟ ୧୦,୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଜନ୍ ତାଙ୍କ କମ୍ୟୁନିଷ୍ଟ ମାର୍କ୍ସବାଦୀ ପାର୍ଟି (ସିଏମପି) ଦଳର ଏକମାତ୍ର ବିଧାୟକ। ଏଥରର ବିଧାନସଭା ନିର୍ବାଚନରେ ୟୁଡିଏଫ୍, ସିଏମପି ପାଇଁ କେବଳ ଗୋଟିଏ ଆସନ ଦେଇଥିଲା। ମୁଖ୍ୟମନ୍ତ୍ରୀ ସତୀଶନ୍ ଙ୍କ ୟୁଡ଼ିଏଫ୍ ସରକାରରେ ସିପି ଜନ୍ ଙ୍କୁ ଗୁରୁତ୍ୱପୂର୍ଣ୍ଣ ପରିବହନ ବିଭାଗ ମିଳିଛି।

ଏହା ସହ ପଢନ୍ତୁ: ଚଢାଉ ବେଳେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ; ରାସ୍ତା ରୋକିଲେ ସମର୍ଥକ

ଦେଶର ପ୍ରଥମ କମ୍ୟୁନିଷ୍ଟ ପାର୍ଟି ସରକାର ଏମଏସ୍ ନାମ୍ବୁଦ୍ରିପଦଙ୍କ ନେତୃତ୍ୱରେ ୧୯୫୭ ମସିହାରେ କେରଳରେ ଗଠିତ ହୋଇଥିଲା। ଏହା ଦେଶର ପ୍ରଥମ ନିର୍ବାଚିତ କମ୍ୟୁନିଷ୍ଟ ସରକାର ଥିଲା। ଏହା ପରେ ବିଭିନ୍ନ ବାମପନ୍ଥୀ ଦଳ ଏକାଠି ହୋଇ ୧୯୭୭ ମସିହାରେ ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ ସରକାର ଗଠନ କରିଥିଲେ। ହେଲେ ୨୦୧୧ ନିର୍ବାଚନରେ ପଶ୍ଚିମବଙ୍ଗରେ ଏବଂ ୨୦୧୮ ନିର୍ବାଚନରେ ତ୍ରିପୁରାରେ ବାମପନ୍ଥୀ ସରକାର ଗାଦିଚ୍ୟୁତ ହୋଇଥିଲା। ଏହା ପରେ କେରଳ ଏକମାତ୍ର ରାଜ୍ୟ ଥିଲା ଯେଉଁଠାରେ ବାମପନ୍ଥୀ ତାଙ୍କ ଗଡ଼ ବଜାୟ ରଖିବାରେ ସଫଳ ହୋଇଥିଲେ। ହେଲେ ୨୦୨୬ ନିର୍ବାଚନରେ ବାମ ମେଣ୍ଟ କେରଳରେ ଚିତପଟାଙ୍ଗ ମାରିଛି।

କିଏ ଗଠନ କରିଥିଲେ କମ୍ୟୁନିଷ୍ଟ ମାର୍କ୍ସବାଦୀ ପାର୍ଟି?
କମ୍ୟୁନିଷ୍ଟ ମାର୍କ୍ସବାଦୀ ପାର୍ଟି (ସିଏମପି) ୧୯୮୬ ମସିହାରେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଏମ୍) ରୁ ବହିଷ୍କୃତ ହେବା ପରେ ଏମ.ଭି ରାଘବନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଜନ୍ ହେଉଛନ୍ତି ଦ୍ୱିତୀୟ ସିଏମପି (CMP) ନେତା ଯିଏ ନିର୍ବାଚନ ଜିତିଛନ୍ତି। ତାଙ୍କ ପୂର୍ବରୁ ରାଘବନ ୨୦୦୧ ନିର୍ବାଚନରେ ସେତବେଳର ତ୍ରିଭେନ୍ଦ୍ରମ ପଶ୍ଚିମ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ଏପରିକି ସେ କଂଗ୍ରେସ ନେତୃତ୍ୱାଧିନ ୟୁଡ଼ିଏଫ୍ ସରକାରରେ ମଧ୍ୟ ମନ୍ତ୍ରୀ ହୋଇଥିଲେ। ହେଲେ ଗତ ୨୦୧୪ ରେ ତାଙ୍କର ଦେହାନ୍ତ ହୋଇଥିଲା। ସିଏମପି ନେତା ଜନ୍ ପୂର୍ବରୁ ୟୁଡି଼ଏଫ (UDF) ମେଣ୍ଟରେ ଥିବା ସମୟରେ କୁନ୍ନମକୁଲମ ଆସନରୁ ୨୦୧୧ ଏବଂ ୨୦୧୬ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ପରାଜୟ ବରଣ କରିଥିଲେ। ଏପରିକି ସେ ୨୦୧୧ ନିର୍ବାଚନରେ ମାତ୍ର ୫୦୦ ଭୋଟ୍ ବ୍ୟବଧାନରେ ପରାଜୟ ବରଣ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No Left Govt in India: The Lone State with a Single Communist Minister | Argus News