Rift In BJD / ପ୍ରାର୍ଥୀକୁ ନେଇ BJDରେ ଛକାପଞ୍ଝା; ଦଳ ଛାଡ଼ିଲେ ନୂଆପଡ଼ା ଜିଲ୍ଲା ଉପସଭାପତି

Key Points
ବିଜେଡିରେ ପ୍ରାର୍ଥୀତ୍ଵକୁ ନେଇ ସଂଶୟ ଲାଗି ରହିଥିବା ବେଳେ ଝଟ୍କା ଦେଇଛନ୍ତି ବରିଷ୍ଠ ନେତା । ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ଢୋଲକିଆଙ୍କୁ ସମର୍ଥନ କରି ବିଜେଡି ଛାଡ଼ିଛନ୍ତି ଚନ୍ଦ୍ରକାନ୍ତ ଠାକୁର ଓ କାଳିଆ ପ୍ରଧାନ ।
ନୂଆପଡ଼ା: ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ ? ଦଳରେ ପ୍ରାର୍ଥୀତ୍ଵକୁ ନେଇ ସଂଶୟ ଲାଗି ରହିଥିବା ବେଳେ ଝଟ୍କା ଦେଇଛନ୍ତି ବରିଷ୍ଠ ନେତା । ବିଜେପିରେ ମିଶିଥିବା ଜୟ ଢୋଲକିଆଙ୍କୁ ସମର୍ଥନ କରି ନୂଆପଡ଼ା ବିଜେଡିର ଜିଲ୍ଲା ଉପସଭାପତି ଚନ୍ଦ୍ରକାନ୍ତ ଠାକୁର ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନୂଆପଡ଼ା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କାଳିଆ ପ୍ରଧାନ ମଧ୍ୟ ଦଳ ଛାଡ଼ିଛନ୍ତି ।
ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ଢୋଲକିଆଙ୍କୁ ସମର୍ଥନ କରି ବିଜେଡି ଛାଡ଼ିଛନ୍ତି ଚନ୍ଦ୍ରକାନ୍ତ ଠାକୁର ଓ କାଳିଆ ପ୍ରଧାନ । ଉଭୟ ଦଳର ପଦ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନୂଆପଡ଼ାରେ ଲୋକେ କହୁଛନ୍ତି, "ରାଜେନ୍ଦ୍ର ଢୋଲକିଆ ଆମ ନେତା ଥିଲେ, ଆମ ସୁଖଦୁଃଖରେ ସାଥୀ ହେଉଥିଲେ । ତେଣୁ ରାଜେନ୍ଦ୍ରଙ୍କ ପୁଅ ଜୟ ଢୋଲକିଆଙ୍କ ସହ ଆମେ ଅଛୁ ।"
ଏଥିସହ ପଢ଼ନ୍ତୁ: ୧୬ରେ ନୂଆପଡ଼ାରେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ, ବିଶାଳ ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
ନୂଆପଡ଼ା ଜିଲ୍ଲା ବିଜେଡି ଉପସଭାପତି ଚନ୍ଦ୍ରକାନ୍ତ ଠାକୁର ଦଳ ଛାଡ଼ିଥିବା ବେଳେ ପ୍ରାର୍ଥୀକୁ ନେଇ ଦ୍ଵନ୍ଦ୍ଵ ତୁଟୁନି । ପ୍ରାର୍ଥୀ କିଏ ହେବ ତାକୁ ନେଇ ଦଳ ଓ ନେତାଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଦୁଇ ଫାଳ ହୋଇଛି ନୂଆପଡ଼ାକୁ ନବୀନ ପଠାଇଥିବା ଟିମ୍ ।
📱 Get Argus News App
✨ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ନେଇ ଦୁଇଟି ନାଁ ଚର୍ଚ୍ଚାରେ ଅଛି । ଆଉ ଏହି ଦୁଇ ନାଁକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟେରେ ଟଣା ଓଟରା ଜାରି ରହିଛି । ଗୋଟିଏ ଗୋଷ୍ଠୀ ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କୁ ପ୍ରାର୍ଥୀ କରିବାକୁ ଜିଦ୍ ଧରିଛି । ଅନ୍ୟପଟେ ଆଉ ଏକ ଗୋଷ୍ଠୀ ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝୀଙ୍କୁ ପ୍ରାର୍ଥୀ କରିବା ଲାଗି ଅଡ଼ି ବସିଛି ।
ଦଳର ନେତାଙ୍କ ଭିତରେ ପ୍ରାର୍ଥିତ୍ଵକୁ ନେଇ ଛକାପଞ୍ଝା ଭିତରେ ନବୀନ ବି ସନ୍ଦିହାନ କ'ଣ କରିବେ । ସେପଟେ ବିଜେପି ଆସନ୍ତା ୧୬ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର । ସୁଜିତ କହିଛନ୍ତି, "ଜୟ ଢୋଲକିଆଙ୍କ ନାମ ଚୂଡ଼ାନ୍ତ ହୋଇ ସାରିଛି, ଖାଲି ଯାହା ଘୋଷଣା ବାକି ଅଛି ।"
ଆହୁରି ପଢ଼ନ୍ତୁ: ମହିଳାଙ୍କୁ ମିଳିବ ରୋଜଗାର, ବିନା ସୁଧରେ କାର କିଣିବା ଲାଗି ମିଳିବ ଋଣ
ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି, "୧୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଯିବେ । ସେହିଦିନ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନରେ ସାମିଲ୍ ହେବା ସହ ବିଶାଳ ସମାବେଶରେ ଯୋଗଦେବେ । ନୂଆପଡ଼ାରେ ଏକ ବଡ଼ ମିଶ୍ରଣ ପର୍ବ ହେବ । ଯେଉଁଠି ବିଜେଡି, କଂଗ୍ରେସରୁ ୨ ହଜାରରୁ ଅଧିକ କର୍ମୀ ଆସି ବିଜେପିରେ ମିଶିବେ ।"
ନୂଆପଡ଼ାରେ ବିଜେପି ପ୍ରାର୍ଥୀ ୫୦ ହଜାରରୁ ଅଧିକ ଭୋଟ୍ ବ୍ୟବଧ୍ୟାନରେ ବିଜୟୀ ହେବେ ବୋଲି କହିଛନ୍ତି ସୁଜିତ କୁମାର । ସେ କହିଛନ୍ତି, "ରାଜେନ୍ଦ୍ର ଢୋଲକିଆ ବହୁତ କାର୍ଯ୍ୟ କରିଛନ୍ତି, ଚାରିଥର ବିଧାୟକ ଥିଲେ । ତାଙ୍କ ପୁଅ ଜୟ ଢୋଲକିଆ, ରାଜୁ ଭାଇଙ୍କ କାର୍ଯ୍ୟକୁ ଆଗେଇ ନେବେ । ନୂଆପଡ଼ାବାସୀ ରାଜେନ୍ଦ୍ର ଭାଇଙ୍କୁ ସମର୍ଥନ କରୁଥିଲେ, ଭଲ ପାଉଥିଲେ । ଏବେ ତାଙ୍କ ଉତ୍ତରାଧିକାରୀଙ୍କୁ ମଧ୍ୟ ସେହି ସମର୍ଥନ ଓ ଭଲ ପାଇବା ମିଳିବ ।"
ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ଉପନିର୍ବାଚନ । ନଭେମ୍ବର ୧୪ରେ ଭୋଟ୍ ଗଣତି ହେବ । ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୦ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ । ସେହିପରି ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ଅକ୍ଟୋବର ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି ।
Related Topics
Explore more stories