|
logo
Live

Argus News - ଭୋଟିଂର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ, ନୂଆପଡ଼ା ଛାଡ଼ିବେ ଜିଲ୍ଲା ବାହାର ନେତା ଓ କର୍ମୀ; ନ ମାନିଲେ କାର୍ଯ୍ୟାନୁଷ୍ଠାନ

Politics

Nuapada By Election / ଭୋଟିଂର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ, ନୂଆପଡ଼ା ଛାଡ଼ିବେ ଜିଲ୍ଲା ବାହାର ନେତା ଓ କର୍ମୀ; ନ ମାନିଲେ କାର୍ଯ୍ୟାନୁଷ୍ଠାନ

Sushanta Sahoo
Browse all articles by Sushanta Sahoo
·5 months ago·4 min read
ଭୋଟିଂର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ, ନୂଆପଡ଼ା ଛାଡ଼ିବେ ଜିଲ୍ଲା ବାହାର ନେତା ଓ କର୍ମୀ; ନ ମାନିଲେ କାର୍ଯ୍ୟାନୁଷ୍ଠାନ

Key Points

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଲନ ପ୍ରେସମିଟ୍ କରିଛନ୍ତି । କହିଛନ୍ତି, "୯ ତାରିଖ ସନ୍ଧ୍ୟା ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍ ।"
ଭୁବନେଶ୍ଵର: ନୂଆପଡ଼ାରେ ଜମୁଛି ପ୍ରଚାର । ପ୍ରାର୍ଥୀଙ୍କ ପାଇଁ ବୁଲି ବୁଲି ଭୋଟ୍ ମାଗୁଛନ୍ତି ନେତା । ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଲନ ପ୍ରେସମିଟ୍ କରିଛନ୍ତି । କହିଛନ୍ତି, "୯ ତାରିଖ ସନ୍ଧ୍ୟା ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍ ।" ସେହି ୪୮ ଘଣ୍ଟା ସମସ୍ତ ନିୟମ ମାନିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ମତଦାନ ଆରମ୍ଭର ୪୮ ଘଣ୍ଟା ପୂର୍ବ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନକୁ କୁହାଯାଇଛି ।

ନୀରବ ଅବଧି (ସାଇଲେନ୍ସ ପିରିୟଡ୍‌)

ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି, କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ । ନୀରବ ଅବଧି ପୂର୍ବରୁ, ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟ ସରିବ ।

ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ପ୍ରସ୍ଥାନ

ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷ ଏବଂ କାର୍ଯ୍ୟକର୍ତ୍ତା, ଯେଉଁମାନଙ୍କୁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ବାହାରୁ ଅଣାଯାଇଥାଏ, ପ୍ରଚାର ଅବଧି ଶେଷ ହେବା ପରେ ସେମାନ ସେହି ନିର୍ବାଚନ ମଣ୍ଡଳୀରେ ଆଉ ରହି ପାରିବେ ନାହିଁ ।

ଏଥିସହ ପଢ଼ନ୍ତୁ: ସୁପ୍ରିମକୋର୍ଟ ଗଲେ ଶାମିଙ୍କ ପତ୍ନୀ, ୪ ଲକ୍ଷ ନୁହେଁ...ଭରଣପୋଷଣ ପାଇଁ ଦାବି କଲେ ୧୦ ଲକ୍ଷ

ନୂଆପଡ଼ା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ

କ) କଲ୍ୟାଣ ମଣ୍ଡପ/କମ୍ୟୁନିଟି ହଲ୍ ଇତ୍ୟାଦିରେ କୌଣସି ବାହାର ଅଞ୍ଚଳର ଲୋକ ରହୁଛନ୍ତି କି ନାହିଁ ତାହା ଯାଞ୍ଚ କରିବେ ।
ଖ) ଲଜ୍ ଓ ଅତିଥି ଗୃହ ଗୁଡ଼ିକର ଅତିଥି ତାଲିକା ଯାଞ୍ଚ କରିବେ ।
ଗ) ସୀମାନ୍ତରେ ଚେକ୍ ପୋଷ୍ଟ ସ୍ଥାପନ କରି ନିର୍ବାଚନ ମଣ୍ଡଳୀ ବାହାରର ଯାନବାହାନ ପ୍ରବେଶ ଉପରେ ତୀକ୍ଷ୍ଣ ନଜର ରଖିବେ ।
ଘ) ନିର୍ବାଚନ ମଣ୍ଡଳୀରେ କେବଳ ସ୍ଥାନୀୟ ଭୋଟରମାନେ ରହୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ପରିଚୟ ପତ୍ର ଯାଞ୍ଚ କରିବେ ।

ଅସୁସ୍ଥତା କ୍ଷେତ୍ରରେ

ଯଦି କୌଣସି ରାଜନୈତିକ ବ୍ୟକ୍ତିତ୍ଵ ଚିକିତ୍ସା ନିମନ୍ତେ ନିର୍ବାଚନ ମଣ୍ଡଳୀ ଛାଡ଼ିବାକୁ ଅକ୍ଷମତା ପ୍ରକାଶ କରନ୍ତି, ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହିତ ପରାମର୍ଶ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ପ୍ରସ୍ତୁତ ଏକ ମେଡିକାଲ ବୋର୍ଡ ଦ୍ଵାରା ଯାଞ୍ଚ କରାଯିବ । ନିର୍ବାଚନ ଆୟୋଗଙ୍କ ଅନୁମୋଦନ କ୍ରମେ ସମ୍ପୃକ୍ତ ବ୍ୟକ୍ତି ଭିଡିଓ ନିରୀକ୍ଷଣ ମଧ୍ୟରେ ରହିବା ସହିତ ସମସ୍ତ ରାଜନୈତିକ କାର୍ଯ୍ୟ କଳାପରୁ ବିରତ ରହିବେ ।

ସାଧାରଣ ସଭା ଓ ପ୍ରଚାର ଉପରେ ପ୍ରତିବନ୍ଧକ

ଜନପ୍ରତିନିଧିତ୍ୱ ଆଇନ୍, ୧୯୫୧ର ଧାରା ୧୨୬ ଅନୁଯାୟୀ, ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ କୌଣସି ସାଧାରଣ ସଭା କିମ୍ବା ଶୋଭାଯାତ୍ରା ଆୟୋଜନ ହେବ ନାହିଁ । ସେଥିରେ ଯୋଗ ଦେବା କିମ୍ବା ସମ୍ବୋଧନ କରିବା ବର୍ଜନୀୟ । ସିନେମା, ଟେଲିଭିଜନ କିମ୍ବା କୌଣସି ସମାନ ଧରଣର ମାଧ୍ୟମରେ ନିର୍ବାଚନୀ ବିଷୟବସ୍ତୁ ପ୍ରଦର୍ଶନ କରାଯିବ ନାହିଁ । ଭୋଟରମାନଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ସଂଗୀତ, ସାଂସ୍କୃତିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହେବ ନାହିଁ । ଏହି ସବୁ ନିୟମର ଉଲ୍ଲଂଘନ କ୍ଷେତ୍ରରେ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ଜରିମାନା କିମ୍ବା ଉଭୟ ହୋଇପାରେ ।

ମିଡିଆ କଭରେଜ୍ ଉପରେ କଟକଣା

କ) ଟେଲିଭିଜନ ଏବଂ ଡିଜିଟାଲ୍ ପ୍ଲାଟଫର୍ମ: ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ଦିଷ୍ଟ କୌଣସି ନିର୍ବାଚନ ସମ୍ବନ୍ଧୀୟ ବିଷୟବସ୍ତୁ କିମ୍ବା ଦୃଶ୍ୟର ପ୍ରସାରଣ କିମ୍ବା ପ୍ରଦର୍ଶନ କରାଯାଇପାରିବ ନାହିଁ । କିନ୍ତୁ, ଭୋଟ୍ ହେବାକୁ ଥିବା ଅଞ୍ଚଳରେ ଭୋଟରମାନଙ୍କୁ ପ୍ରଭାବିତ କରୁନଥିବା ସାଧାରଣ ରାଜନୈତିକ ଖବରର ପ୍ରସାରଣ କରାଯାଇ ପାରିବ ।
ଖ) ରେଡିଓ ପ୍ରସାରଣ: ଧାରା ୧୨୬ ଅନୁଯାୟୀ ରେଡିଓକୁ "ସମାନ ଉପକରଣ" ଭାବରେ ବିବେଚନା କରାଯାଏ; ତେଣୁ, ନୀରବ ଅବଧି ମଧ୍ୟରେ କୌଣସି ନିର୍ବାଚନ ବିଷୟବସ୍ତୁ ଏହା ମାଧ୍ୟମରେ ପ୍ରସାରିତ କରାଯିବ ନାହିଁ ।

ଏଥିସହ ପଢ଼ନ୍ତୁ: ଇଣ୍ଡୋନେସିଆକୁ ପ୍ରାଚୀନ କଳିଙ୍ଗ ସହ କେମିତି ଯୋଡ଼ିଥିଲା ଜଗନ୍ନାଥ ସଂସ୍କୃତି ? କିଭଳି ଥିଲା ନୌବାଣିଜ୍ୟର ଭୂମିକା ?

ମୁଦ୍ରିତ ଗଣମାଧ୍ୟମରେ ରାଜନୈତିକ ବିଜ୍ଞାପନ

ଜନପ୍ରତିନିଧିତ୍ୱ ଆଇନ, ୧୯୫୧ର ଧାରା ୧୨୭(କ) ଅନୁଯାୟୀ: ପ୍ରତ୍ୟେକ ନିର୍ବାଚନ ପାମ୍ପଲେଟ କିମ୍ବା ପୋଷ୍ଟରରେ ମୁଦ୍ରକ ଏବଂ ପ୍ରକାଶକଙ୍କ ନାମ ଏବଂ ଠିକଣା ସ୍ପଷ୍ଟ ଭାବରେ ପ୍ରଦର୍ଶିତ ହେବା ଆବଶ୍ୟକ । ମୁଦ୍ରକମାନେ ମୁଦ୍ରିତ ସାମଗ୍ରୀ ଏବଂ ପ୍ରକାଶକଙ୍କ ଘୋଷଣାର ନକଲ ମୁଖ୍ୟ ନିର୍ବାଚନ ଅଧିକାରୀ କିମ୍ବା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପଠାଇବେ । ଏହା ବ୍ୟତୀତ, ଜିଲ୍ଲା କିମ୍ବା ରାଜ୍ୟସ୍ତରରେ ମିଡିଆ ପ୍ରମାଣୀକରଣ ଏବଂ ମନିଟରିଂ କମିଟି (MCMC) ଦ୍ୱାରା ପୂର୍ବ ପ୍ରମାଣିତ ନହୋଇ, ମତଦାନ ଦିନ କିମ୍ବା ଏହାର ଗୋଟିଏ ଦିନ ପୂର୍ବରୁ କୌଣସି ରାଜନୈତିକ ବିଜ୍ଞାପନ ଖବରକାଗଜରେ ପ୍ରକାଶିତ ହୋଇପାରିବ ନାହିଁ ।

ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ବ୍ୟବହାର

ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକଙ୍କ ସମେତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ୪୮ ଘଣ୍ଟାର ନୀରବ ଅବଧି ମଧ୍ୟରେ ଫେସବୁକ୍, ଏକ୍ସ (ଟ୍ଵିଟର), ଇନଷ୍ଟାଗ୍ରାମ, ହ୍ଵାଟସଆପ୍ କିମ୍ବା ୟୁ-ଟ୍ୟୁବ୍ ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ କୌଣସି ରାଜନୈତିକ ବିଷୟବସ୍ତୁର ପ୍ରସାରଣ କରିବାରୁ କଡ଼ାକଡ଼ି ଭାବରେ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି ।

ଡିଜିଟାଲ ମାଧ୍ୟମରେ ଭୋଟ ଦେବା ପାଇଁ ନିବେଦନ କରିବା, ରାଜନୈତିକ ପ୍ରଚାର ପାଇଁ ଉଦ୍ଦିଷ୍ଟ ବିଷୟବସ୍ତୁ ପ୍ରସାରିତ କରିବା ଏବଂ ଭୋଟରଙ୍କ ମତାମତକୁ ପ୍ରଭାବିତ କରିବାର ଯେ କୌଣସି ପ୍ରୟାସକୁ ଜନପ୍ରତିନିଧିତ୍ୱ ଆଇନ, ୧୯୫୧ ଧାରା ୧୨୬ର ଉଲ୍ଲଂଘନ ଭାବରେ ବିବେଚନା କରାଯିବ ।

ଏକ ମୁକ୍ତ,ଅବାଧ ଓ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ନାଗରିକମାନଙ୍କୁ ଦାୟିତ୍ୱପୂର୍ଣ୍ଣ ଭାବରେ ସମସ୍ତ କାର୍ଯ୍ୟ କରିବା ସହିତ ନିର୍ବାଚନରେ ପ୍ରଭାବ ପକାଉଥିବା ପୋଷ୍ଟଗୁଡ଼ିକୁ ବ୍ୟକ୍ତିଗତ ଗ୍ରୁପରେ ପୋଷ୍ଟ କିମ୍ବା ଫରୱାର୍ଡ ନ କରିବା ପାଇଁ ନିବେଦନ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ସମସ୍ତଙ୍କୁ ଜନପ୍ରତିନିଧିତ୍ୱ ଆଇନ, ୧୯୫୧ ଧାରା ୧୨୬ ଅନୁଯାୟୀ ଡିଜିଟାଲ ବ୍ୟବହାରର ସଂଯମତା ବଜାୟ ରଖିବାକୁ ଏବଂ ମତଦାନ ପୂର୍ବରୁ ଭୋଟରଙ୍କ ପାଇଁ ଏକ ଶୃଙ୍ଖଳିତ ଏବଂ ସମାଵେଶୀ ପରିବେଶ ସୃଷ୍ଟି କରିବାକୁ ନିବେଦନ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nuapada By Election : ଭୋଟିଂର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ, ନୂଆପଡ଼ା ଛାଡ଼ିବେ ଜିଲ୍ଲା ବାହାର ନେତା ଓ କର୍ମୀ; ନ ମାନିଲେ କାର୍ଯ୍ୟାନୁଷ୍ଠାନ | Argus News