Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମମତାଙ୍କଠୁ ଦୂରଉଛନ୍ତି ନିଜର ଲୋକ; TMC ମିଟିଂରେ କେବଳ ୨୦ ବିଧାୟକ, ବାକି ୬୦ ଆସିଲେନି

Politics

TMC Downfall / ମମତାଙ୍କଠୁ ଦୂରଉଛନ୍ତି ନିଜର ଲୋକ; TMC ମିଟିଂରେ କେବଳ ୨୦ ବିଧାୟକ, ବାକି ୬୦ ଆସିଲେନି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ମମତାଙ୍କଠୁ ଦୂରଉଛନ୍ତି ନିଜର ଲୋକ; TMC ମିଟିଂରେ କେବଳ ୨୦ ବିଧାୟକ, ବାକି ୬୦ ଆସିଲେନି
TMC Meeting

Key Points

ଟିଏମସି ସୁପ୍ରିମୋ ମମତାଙ୍କ ବଢୁଛି ଅଡୁଆ
ଦିଦିଙ୍କଠୁ ଦୂରଉଛନ୍ତି ନିଜର ଲୋକ
ଡାକିଥିଲେ ମିଟିଂ, ଆସିଲେନି ୬୦ ବିଧାୟକ
ପଶ୍ଚିମବଙ୍ଗରେ ଶାସନ ଗାଦିରୁ ହଟିବା ପରେ ଅଡୁଆରେ ଦିଦି । ଦିନକୁ ଦିନ ବଢୁଛି ମୁସ୍କିଲ । ଗୋଟିଏ ପଟେ ପୁତୁରା ଉପରେ ଆକ୍ରମଣ ଓ ଅନ୍ୟପଟେ ବିପଦ ବେଳେ ହାତ ଛାଡୁଛନ୍ତି ଆପଣାର ଲୋକ । ପୁତୁରା ଅଭିଷେକ ବାନାର୍ଜୀ ଓ ଦଳୀୟ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣକୁ ନେଇ ରବିବାର ଅପରାହ୍ନ ୪ଟାରେ ଦିଦି ଡାକିଥିଲେ ଗୁରୁତ୍ଵପୂର୍ଣ୍ଣ ବୈଠକ । କିନ୍ତୁ ବୈଠକରେ ଦେଖାଦେଲେନି ୬୦ ବିଧାୟକ । କେବଳ ୨୦ ବିଧାୟକ ଆସିଲେ । ସେହି ୬୦ ବିଧାୟକ ସତରେ ବ୍ୟସ୍ତ ନା କେବଳ ବାହାନା । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

କୁହାଯାଉଛି ଧୀରେ ଧୀରେ ଦୁର୍ବଳ ହେଉଛି ଦିଦିଙ୍କ ଦଳ । ବୈଠକରେ ଅନୁପସ୍ଥିତ ଥିବା ୬୦ ବିଧାୟକ ଶାସକ ଦଳର ଯୋଗାଯୋଗରେ ଥିବା ଚର୍ଚ୍ଚା । ବର୍ତ୍ତମାନ ଟିଏମସି କିମ୍ବା ବିଜେପିର କୌଣସି ବି ନେତା ଏହା ଉପରେ ବୟାନ ଦେଇନାହାନ୍ତି । ଅନ୍ୟପଟେ ବେଲେଘାଟା ବିଧାୟକ କୃଣାଳ ଘୋଷ ମମତାଙ୍କ କାଲିଘାଟ ସ୍ଥିତ ଘର ନିକଟକୁ ଆସି ଦଳର ଏକତା ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛନ୍ତି । ସେ କହିଛନ୍ତି ଯେ ଅଧିକାଂଶ ବିଧାୟକ ନିଜ ନିଜ ଅଞ୍ଚଳରେ କାମରେ ବ୍ୟସ୍ତ, ସେଥିପାଇଁ ବୈଠକରୁ ରଦ୍ଦ କରାଯାଇଛି।

  • ରବିବାର ୪ଟାରେ ବୈଠକ ଡାକିଥିଲେ ଦିଦି
ମମତା ବାନାର୍ଜୀ ରବିବାର ଅପରାହ୍ନ ୪ଟାରେ ନିଜ କାଲିଘାଟ ସ୍ଥିତ ବାସଭବନରେ ଦଳୀୟ ବିଧାୟକଙ୍କ ଏଖ ବୈଠକ ଡାକିଥିଲେ । ଏହି ବୈଠକରେ ବିଧାୟକ କୃଣାଳ ଘୋଷ, ଶୋଭନ୍ଦେବ ଚାଟାର୍ଜୀ, ମଦନ ମିତ୍ରା, ନୟନା ବାନାର୍ଜୀ, ଅଶୋକ କୁମାର ଦେବ ଓ ବିମାନ ବାନାର୍ଜୀ ଜଣକ ପରେ ଜଣେ ପହଞ୍ଚିଥିଲେ, କିନ୍ତୁ ଏହି ସଂଖ୍ୟା ୨୦ରେ ଅଟକିଯାଇଥିଲା । ତୃଣମୂଳ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୮୦ ଥିବାବେଳେ ବାକି ୬୦ ଜଣକ ଦେଖାନଥିଲା । ଏହାପରେ ପ୍ରଶ୍ନ ଉଠିଥିଲା କୁଆଡ଼େ ଗଲେ ଏତେ ସଂଖ୍ୟାରେ ବିଧାୟକ ? ଏହାପରେ କୃଣାଳ ଘୋଷ ଆଗକୁ ଆସି ଦଳ ପକ୍ଷରୁ ସଫେଇ ଦେଇଥିଲେ ।

  • 'ନିଜ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରୁଛନ୍ତି ଟିଏମସି ନେତା'
ଶନିବାର ଅଭିଷେକ ଓ ଆଜି କଲ୍ୟାଣ ବାନାର୍ଜୀ ଜନ ଆକ୍ରୋଶର ଶିକାର ହୋଇଥିଲେ । ଏନେଇ କୃଣାଳ ଘୋଷ କହିଛନ୍ତି, "କାଲି ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଆଜି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ ହେଲା । ଏହାର ବିରୋଧ ନିଜ ନିଜ ଅଞ୍ଚଳରେ ଟିଏମସି ନେତାମାନେ କରୁଛନ୍ତି । ପୋଲିସ ଅନେକଙ୍କୁ ହେପାଜତକୁ ନେଇଛି । ବିଧାୟକମାନେ ସେହି କର୍ମକର୍ତ୍ତାଙ୍କୁ ମୁକ୍ତ କରିବା ଲାଗି ଉଦ୍ୟମ କରୁଛନ୍ତି । ଏଥିଲାଗି ସେମାନେ ଆଜି ବୈଠକ ରଦ୍ଦ କରିବାକୁ ଫୋନ ଯୋଗେ ଅନୁରୋଧ କରିଥିଲେ । ସେଥିପାଇଁ ଶେଷରେ ବୈଠକକୁ ବାତିଲ କରାଗଲା ।"

ପଢନ୍ତୁ ଏହି ଖବର: ଥମୁନି ଜନତାଙ୍କ ରାଗ; ପୁଣି ମାଡ଼ ଖାଇଲେ ମମତାଙ୍କ ନେତା

ସୂଚନା ଥାଉ କି ଶନିବାର ଅପରାହ୍ନରେ ମମତାଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ସୋନାରପୁରର କମରାବାଦ ଅଞ୍ଚଳରେ ନିର୍ବାଚନୀ ହିଂସାର ଶିକାର ହୋଇଥିବା ପୀଡ଼ିତଙ୍କ ଘରକୁ ଯାଇଥିଲେ, ହେଲେ ସେଠାରେ ସେ ନିଜେ ଜନ ଆକ୍ରୋଶର ଶିକାର ହୋଇଥିଲେ । ଟିଏମସି ୧୫ ବର୍ଷ ସରକାରରେ ରହିଥିଲେ ସୁଦ୍ଧା ଉକ୍ତ ଅଞ୍ଚଳରେ ରାସ୍ତା ଖଣ୍ଡିଏ କାହିଁକି ହୋଇପାରିନି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ହେରଫେର ଅଭିଯୋଗ ଆଣି ସ୍ଥାନୀୟ ଲୋକେ ଅଭିଷେକଙ୍କ ଉପରକୁ ଢେଲା ପଥର ଓ ଅଣ୍ଡାମାଡ଼ କରିଥିଲେ । ଶେଷରେ ସୁରକ୍ଷାକର୍ମୀଙ୍କ ଘେରରେ ଅଭିଷେକ ହେଲମେଟ୍ ପିନ୍ଧି ଭିଡ଼ ଭିତରୁ ବାହାରିଥିଲେ । ସେପଟେ ଆଜି ହୁଗୁଳିରେ କଲ୍ୟାଣ ବାନାର୍ଜୀ ମଧ୍ୟ ଜନ ଆକ୍ରୋଶର ଶିକାର ହୋଇଛନ୍ତି । ତାଙ୍କୁ 'ଚୋର ଚୋର' ନାରା ଦେଇ ସ୍ଥାନୀୟ ଲୋକେ ଆକ୍ରମଣ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mamata Banerjee's Party Meeting Sees Low Turnout as Over 60 MLAs Remain Abs | Argus News