Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଯୋଗେନ୍ଦ୍ର ଯାଦବଙ୍କଠୁ ରାଘବ ଚଢା; କାହିଁକି AAPଠୁ ଦୂରଉଛନ୍ତି କେଜ୍ରିୱାଲଙ୍କ 'ବିଶ୍ଵସ୍ତ'

Politics

AAP Party Conflict / ଯୋଗେନ୍ଦ୍ର ଯାଦବଙ୍କଠୁ ରାଘବ ଚଢା; କାହିଁକି AAPଠୁ ଦୂରଉଛନ୍ତି କେଜ୍ରିୱାଲଙ୍କ 'ବିଶ୍ଵସ୍ତ'

Debashree Debasmita Sahoo
Browse all articles by Debashree Debasmita Sahoo
·5 days ago·3 min read
ଯୋଗେନ୍ଦ୍ର ଯାଦବଙ୍କଠୁ ରାଘବ ଚଢା; କାହିଁକି AAPଠୁ ଦୂରଉଛନ୍ତି କେଜ୍ରିୱାଲଙ୍କ 'ବିଶ୍ଵସ୍ତ'
AAP Party Conflict

Key Points

ଭୁଶୁଡ଼ିବାରେ ଲାଗିଛି କି କେଜ୍ରିୱାଲଙ୍କ ଦଳ ଆପ୍ ?
ଏକାବେଳେ ଦଳକୁ ବାଏ ବାଏ କହିଲେ ୩ ସାଂସଦ
ପୂର୍ବରୁ ବି ଦଳ ଛାଡ଼ିଛନ୍ତି କେଜ୍ରିୱାଲଙ୍କ ଏକାଧିକ ବିଶ୍ଵସ୍ତ
କିଛି ଦିନ ପୂର୍ବରୁ ରାଘବ କହିଥିଲେ 'ଘାୟଲ ହୁଁ, ଇସଲିଏ ଘାତକ ହୁଁ' । ଏପରି କହିବାର କିଛି ଦିନ ମଧ୍ୟରେ ରାଘବ ଆଜି ହଠାତ୍ ପ୍ରେସ କନଫରେନ୍ସ ଡାକିଲେ । ରାଘବଙ୍କ ସହ ସାମ୍ବାଦିକ ସମ୍ମିଳନୀକୁ ଆସିଥିଲେ ଆମ୍ ଆଦମି ପାର୍ଟିର ଅନ୍ୟ ଦୁଇ ସାଂସଦ ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ । ତିନି ଜଣ ମିଶି ଦଳ ଛାଡ଼ିବା ନେଇ ଘୋଷଣା କରିଥିଲେ । ଖାଲି ସେତିକି ନୁହେଁ, ଏମାନଙ୍କ ସହିତ ଦଳର ପ୍ରାୟ ଦୁଇ ତୃତୀୟାଂଶ ସାଂସଦ ବିଜେପିରେ ସାମିଲ ହେବା ନେଇ ମଧ୍ୟ କହିଲେ । ଦିନେ କେଜ୍ରିୱାଲଙ୍କ ଅତି ବିଶ୍ଵସ୍ତ ଥିବା ନେତା ଏବେ ଦଳ ଛାଡ଼ୁଛନ୍ତି ।

ଆଜି ଦଳ ଛାଡ଼ିବା ସମୟରେ ରାଘବ ଚଢା ଆଣିଥିଲେ ବଡ଼ ଅଭିଯୋଗ । ଦଳ ଏବେ ନିଜର ମୂଳ ବିଚାରଧାରାରୁ ଦୂରେଇ ଦିଗହରା ହୋଇଥିବା ସେ କହିଥିଲେ । ଏହା ପ୍ରଥମ ଥର ନୁହେଁ ଯେ ଆପର ବିଶ୍ଵସ୍ତ କୁହାଯାଉଥିବା ନେତା ଦଳ ଛାଡ଼ିଛନ୍ତି, ଏହା ପୂର୍ବରୁ କେଜ୍ରିୱାଲଙ୍କ ଘନିଷ୍ଠ ଆପକୁ ଅଲବିଦା କହିସାରିଛନ୍ତି । ଆପ୍ ଏବେ ଏପରି ସ୍ଥିତିରେ ପହଞ୍ଚିଛି, ଯେଉଁଠି 'ବିଶ୍ଵସନୀୟତା' ବିଚାରଧାରାଠୁ ଅଧିକ ଗୁରୁତ୍ଵପୂର୍ଣ୍ଣ ହୋଇଛି । ଦଳ ଏବେ ବ୍ୟକ୍ତିଗତ ସୁବିଧା ଦେଖୁଥିବାବେଳେ ଆପଣା ଲୋକଙ୍କ ବିଦ୍ରୋହ ମଧ୍ୟରେ ଫସିଯାଇଛି । ଏବେ ରାଘବ ଚଢା ସେହି ତାଲିକାରେ ସାମିଲ ହୋଇଯାଇଛନ୍ତି, ଯେଉଁଠି ପୂର୍ବରୁ ଯୋଗେନ୍ଦ୍ର ଯାଦବଙ୍କଠୁ ନେଇ ସ୍ଵାତି ମାଲିୱାଲ ଅଛନ୍ତି ।

  • ୨୦୧୫ରୁ ୨୦୧୮; ଯେବେ ସାମ୍ନାକୁ ଆସିଲା ଦଳୀୟ ମତଭେଦ
ଏହି ସମୟରେ ଦଳର ପ୍ରତିଷ୍ଠାତା ସଦସ୍ୟ ଏବଂ ବରିଷ୍ଠ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଆଦର୍ଶଗତ ମତଭେଦ ଦେଖାଦେଲା । ଯୋଗେନ୍ଦ୍ର ଯାଦବ ଏବଂ ପ୍ରଶାନ୍ତ ଭୂଷଣଙ୍କ ଭଳି ନେତାଙ୍କୁ ଆଭ୍ୟନ୍ତରୀଣ ଗଣତନ୍ତ୍ରର ଅଭାବ ଅଭିଯୋଗରେ ୨୦୧୫ରେ ଦଳରୁ ବହିଷ୍କାର କରାଯାଇଥିଲା । ତାଙ୍କୁ ସମର୍ଥନ କରିଥିବା ପ୍ରଫେସର ଆନନ୍ଦ କୁମାର ଏବଂ ଅଜିତ ଝାଙ୍କୁ ମଧ୍ୟ ବହିଷ୍କାର କରାଯାଇଥିଲା । ସାଂଗଠନିକ ମତଭେଦ ଯୋଗୁଁ ମୟଙ୍କ ଗାନ୍ଧୀ ଏବଂ ଅଞ୍ଜଳି ଦମାନିଆ ମଧ୍ୟ ସେହି ବର୍ଷ ଇସ୍ତଫା ଦେଇଥିଲେ । ୨୦୧୭ରେ କପିଲ ମିଶ୍ରାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଥିଲା, ଯେତେବେଳେ ଆଶୁତୋଷ ୨୦୧୮ରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ । ରାଜ୍ୟସଭା ଟିକେଟ୍ ବିବାଦ ପରେ କୁମାର ବିଶ୍ୱାସ ଧୀରେ ଧୀରେ ଦଳରୁ ଦୂରେଇ ଯାଇଥିଲେ ।

  • ଏମାନେ ବି ଛାଡ଼ିଥିଲେ ଦଳ
ଏହାପରେ ୨୦୧୯ରୁ ୨୦୨୫ ମଧ୍ୟରେ ଆମ ଆଦମୀ ପାର୍ଟିର ବିଧାୟକ ଏବଂ ଆଞ୍ଚଳିକ ନେତା ବି ଦଳ ଛାଡ଼ିବାକୁ ଲାଗିଲେ । ଅଳକା ଲାମ୍ବା ୨୦୧୯ରେ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିଲେ, ଯେତେବେଳେ ଏଚ୍.ଏସ୍. ଫୁଲକା ଅବସର ଘୋଷଣା କରି ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ । ଏହାପରେ ରାଜ କୁମାର ଆନନ୍ଦ ଦଳର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇ ୨୦୨୪ରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ୨୦୨୫ ଦିଲ୍ଲୀ ନିର୍ବାଚନ ପୂର୍ବରୁ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ଏବଂ ନରେଶ ଯାଦବ, ଭାବନା ଗୌର, ରାଜେଶ ଋଷି ଏବଂ ମଦନ ଲାଲଙ୍କ ସମେତ ଅନେକ ବିଧାୟକ ଇସ୍ତଫା ଦେଇଥିଲେ ।

  • ଏବେ ରାଘବ ଚଢାଙ୍କ ପାଳି
ଆଉ ଏବେ ୨୦୨୬ରେ କେଜ୍ରିୱାଲଙ୍କ ଅନ୍ୟତମ ବିଶ୍ଵସ୍ତ ରାଘବ ଚଢା ବି ଦଳ ଛାଡ଼ିଛନ୍ତି । ଏହି ସଦ୍ୟତମ ଘଟଣାକ୍ରମକୁ ଦଳର ଇତିହାସରେ ସବୁଠାରୁ ବଡ଼ ଦଳତ୍ୟାଗ ବୋଲି କୁହାଯାଉଛି । ରାଘବ ଚଢାଙ୍କ ନେତୃତ୍ୱରେ, ଆମ ଆଦମୀ ପାର୍ଟିର ୭ ଜଣ ରାଜ୍ୟସଭା ସାଂସଦ ବି ଦଳ ଛାଡି ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଏମାନଙ୍କ ମଧ୍ୟରେ ସନ୍ଦୀପ ପାଠକ, ସ୍ୱାତି ମାଲିୱାଲ, ହରଭଜନ ସିଂହ, ଅଶୋକ ମିତ୍ତଲ, ରାଜେନ୍ଦ୍ର ଗୁପ୍ତା ଏବଂ ବିକ୍ରମଜିତ ସାହାଣୀ ସାମିଲ ।

  • କାହିଁକି ଆପ୍ ଛାଡୁଛନ୍ତି କେଜ୍ରିୱାଲଙ୍କ ବିଶ୍ଵସ୍ତ ?
ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଆପ୍ ଜାତୀୟ ରାଜନୀତିରେ ଏକ ଦୁର୍ନୀତି ବିରୋଧୀ ଆନ୍ଦୋଳନ ସହିତ ନିଜର ଛାପ ସୃଷ୍ଟି କରିଥିଲା, କିନ୍ତୁ ଇସ୍ତଫା ଏବଂ ବହିଷ୍କାରର ଏକ ସିରିଜ୍ ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର, ନେତୃତ୍ୱ ଶୈଳୀ ଏବଂ ସାଂଗଠନିକ ଗଠନ ଉପରେ ପ୍ରଶ୍ନ ଉଠାଇଛି । ଏବେ ଲାଗୁଛି ଯେପରି ଆପ୍ ଦଳ ଭୁଶୁଡ଼ିବାକୁ ଯାଉଛି । କାରଣ ଏକାଥରେ ୭ଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ିବା ଦଳକୁ ବଡ଼ ଝଟକା ଦେଇଛି । ଆଜି ରାଘବଙ୍କ ସହିତ ଅନ୍ୟ ୨ଜଣ ଆପ୍ ସାଂସଦ ପଦ୍ମ ଧରିଥିବାବେଳେ ଆଗକୁ ବାକି ୪ ଜଣ ବିଜେପିରେ ସାମିଲ ହୋଇପାରନ୍ତି ।

ପଢନ୍ତୁ ଏହି ଖବର: କିଏ ସେ ୭ ସାଂସଦ ? ଆପ୍ ଛାଡ଼ି ବିଜେପିରେ ମିଶିବେ; ନାଁ କହିଦେଲେ ରାଘବ

ରାଜନୀତି ବିଶେଷଜ୍ଞଙ୍କ ଅନୁସାରେ, ଆମ ଆଦମୀ ପାର୍ଟିର ଫର୍ମୁଲା ଅତ୍ୟନ୍ତ କଠୋର । ଏଠାରେ ଦକ୍ଷତାକୁ ନିମନ୍ତ୍ରଣ କରାଯାଏ ସତ, କିନ୍ତୁ ବିଶ୍ୱସନୀୟତା ଏକ ପ୍ରମୁଖ ଆବଶ୍ୟକତା । ଯେଉଁ ମୁହୂର୍ତ୍ତରେ ଜଣେ ମହତ୍ତ୍ୱାକାଂକ୍ଷା ନେତା ମୁଣ୍ଡ ଟେକିବା ଆରମ୍ଭ କରେ, ସେତେବେଳେ ତାକୁ ଦବାଇ ଦିଆଯାଏ । ଯାହାର ଶିକାର ହୋଇଛନ୍ତି ରାଘବ ଚଢା ଏବଂ ତାଙ୍କୁ ସମର୍ଥନ କରିଥିବା ସମସ୍ତ ନେତା । ଯେପର୍ଯ୍ୟନ୍ତ ଦଳୀୟ ଗଠନ "ସୈନିକ" ଖୋଜିବା ଜାରି ରଖିବ, ସେପର୍ଯ୍ୟନ୍ତ ଦକ୍ଷ ଏବଂ ମହତ୍ୱାକାଂକ୍ଷୀ ବ୍ୟକ୍ତିମାନେ ଜଣକ ପରେ ଜଣେ ଦଳରୁ ଦୂରେଇବେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why Raghav Chadha Quit Aam Aadmi Party: Reasons Behind AAP Leaders’ Exit | Argus News