Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜ୍ୟସଭାର ସେହି ୧୧ ଆସନ ଯେଉଁଠି ହେବ ସାମ୍ନାସାମ୍ନି ଲଢେଇ

Politics

Rajya Sabha Poll / ରାଜ୍ୟସଭାର ସେହି ୧୧ ଆସନ ଯେଉଁଠି ହେବ ସାମ୍ନାସାମ୍ନି ଲଢେଇ

Subhramjit ray
Browse all articles by Subhramjit ray
·2 months ago·5 min read
ରାଜ୍ୟସଭାର ସେହି ୧୧ ଆସନ ଯେଉଁଠି ହେବ ସାମ୍ନାସାମ୍ନି ଲଢେଇ
Rajya Sabha Election 2026

Key Points

ଚଳିତ ବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନରେ ଦେଶର ୩ ରାଜ୍ୟର ୧୧ ଆସନରେ ଦେଖିବାକୁ ମିଳିବ ରୋମାଞ୍ଚକର ମୁକାବିଲା।   
Rajya Sabha Election 2026: ଚଳିତ ବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନର ଚିତ୍ର ଏକ ସ୍ପଷ୍ଟ ହୋଇସାରିଛି। ମୋଟ ୩୭ ସିଟ୍ ମଧ୍ୟରୁ ୨୬ ଆସନରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇ ସାରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ହେଲେ ବାକି ୧୧ ଆସନରେ ସାମ୍ନାସାମ୍ନି ଲଢେଇ ହେବାକୁ ଯାଉଛି। ଓଡ଼ିଶା, ବିହାର, ହରିୟାଣା ଆଦି ୩ ରାଜ୍ୟରେ ଶାସକ ଏନଡ଼ିଏ ଏବଂ ବିରୋଧି ଦଳଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ହେବ। ମାତ୍ର ଓଡ଼ିଶା, ବିହାର, ହରିୟାଣା ଆଦି ୩ ରାଜ୍ୟର ନିର୍ଦ୍ଧାରିତ ଆସନରେ ଅଧିକ ପ୍ରାର୍ଥା ନିର୍ବାଚନ ଲଢୁଥିବାରୁ ସେଠାରେ ମତଦାନ ଭଳି ପରିସ୍ଥିତି ଉପୁଜିଛି। ଏଐହି ସମସ୍ତ ଭୋଟିଂ ହୋଇସାରିବା ପରେ କିଏ ନିର୍ବାଚିତ ହେଲେ ତାହା ଜଣାପଡ଼ିବ। ଏଥିପାଇଁ ଆସନ୍ତା ୧୬ ତାରିଖ ସୋମବାର ମତଦାନ ଅନୁଷ୍ଠିତ ହେବ।

ଓଡ଼ିଶାରେ କିଏ ମାରିବେ ବାଜି?
ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପି ୨ ଜଣ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଛି। ସେମାନେ ହେଉଛନ୍ତି ଓଡ଼ିଶା ରାଜ୍ୟ ଶାଖା ସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାର। ଅନ୍ୟପକ୍ଷରେ ସ୍ୱାଧିନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଦଳ ସମର୍ଥନ ଜଣାଇ ସାରିଛି। ଅନ୍ୟପକ୍ଷରେ ବିଜେଡି ସନ୍ତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ବିଜେଡ଼ି ପ୍ରାର୍ଥୀ ଡକ୍ଟର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ ଦେଇଛି। ବିଜେପି ପକ୍ଷରୁ ମନମୋହନ ସାମଲ ଓ ସୁଜିତ କୁମାର ଏବଂ ବିଜେଡି଼ ପକ୍ଷରୁ ସନ୍ତୃପ୍ତ ମିଶ୍ର ରାଜ୍ୟସଭାକୁ ଯିବା ଥୟ। ହେଲେ ଚତୁର୍ଥ ଆସନ ପାଇଁ ବିଜେପି ସମର୍ଥିତ ସ୍ୱାଧିନ ପ୍ରାର୍ଥୀ ଦିଲୀପ ରାୟ ଏବଂ କଂଗ୍ରେସ-ବାମ ଦଳ ସମର୍ଥିତ ବିଜେଡ଼ି ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ।

ଓଡ଼ିଶାରେ ରାଜ୍ୟସଭା ନିର୍ବାଚନରେ ନିର୍ବାଚିତ ହେବାକୁ ହେଲେ କୌଣସି ପ୍ରାର୍ଥୀଙ୍କୁ ୩୦ ବିଧାୟକଙ୍କ ପ୍ରଥମ ପସନ୍ଦର ଭୋଟ ଆବଶ୍ୟକ। ରାଜ୍ୟ ବିଧାନସଭାରେ ବିଜେପିର ୭୯, ବିଜେଡ଼ିର ୪୮, କଂଗ୍ରେସର ୧୪, ବାମଦଳର ଜଣେ ବିଧାୟକ ଅଛନ୍ତି। ୩ ଜଣ ସ୍ୱାଧିନ ବିଧାୟକଙ୍କ ସମର୍ଥନ ବିଜେପିକୁ ରହିଛି। ଅନ୍ୟପକ୍ଷରେ ଦଳରୁ ୨ ଜଣ ବିଧାୟକଙ୍କୁ ନିଲମ୍ବିତ କରିସାରିଛି ବିଜେଡ଼ି।

ଏଥିସହ ପଢ଼ନ୍ତୁ: ସରିଲା ନାମାଙ୍କନ ପତ୍ର ପ୍ରତ୍ୟାହାର ସମୟ, ମୈଦାନରେ ୫ ପ୍ରାର୍ଥୀ, ଚତୁର୍ଥ ସିଟ୍ ଉପରେ ସମସ୍ତଙ୍କ ନଜର

ବିଜେପି ପାଖରେ ଏବେ ମୋଟ ୮୨ ବିଧାୟକ ଅଛନ୍ତି। ଦଳର ୨ ଏବଂ ସ୍ୱାଧିନ ପ୍ରାର୍ଥୀଙ୍କୁ ଜିତାଇବାକୁ ହେଲ ଦଳ ପାଖରେ ଆବଶ୍ୟକୀୟ ସଂଖ୍ୟା ଠାରୁ ୮ ଜଣ କମ୍ ବିଧାୟକ ଅଛନ୍ତି। ବିରୋଧି ବିଜେଡି଼ର ୪୮ ବିଧାୟକ ଅଛନ୍ତି। ଗୋଟିଏ ରାଜ୍ୟସଭା ଆସନ ଜିତିବା ପରେ ଦଳ ପାଖରେ ଆହୁରି ୧୮ ବିଧାୟକଙ୍କ ବଳକା ଭୋଟ ରହିଛି। ଅନ୍ୟପକ୍ଷରେ କଂଗ୍ରେସର ୧୪ ଏବଂ ବାମଦଳର ଜଣେ ବିଧାୟକ ବିଜେଡ଼ି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଛନ୍ତି। ଏହାକୁ ମିଶାଇ ଦେଲେ ମୋଟ ବିଧାୟକଙ୍କ ସଂଖ୍ୟା ହେଉଛି ୩୩। ଯାହା ନିର୍ବାଚନ ଜିତିବା ପାଇଁ ଆବଶ୍ୟକୀୟ ସଂଖ୍ୟା ୩୦ ଠାରୁ ୩ ଅଧିକ। ଯଦି ଦଳୀୟ ପ୍ରାର୍ଥୀ ଡକ୍ଟର ହୋତାଙ୍କୁ ଏହି ୩୩ ବିଧାୟକଙ୍କ ସମର୍ଥନ ମିଳିବ ତାହେଲେ ବିଜେଡି଼ ଚତୁର୍ଥ ଆସନ ହାତେଇବ। ହେଲେ ଅନ୍ୟପକ୍ଷରେ ବିଜେପି ସ୍ୱାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଜିତାଇବ ପାଇଁ ପ୍ରାଣମୂର୍ଛା ଉଦ୍ୟମ ଜାରି ରଖିଛି। ହେଲେ ନିଲମ୍ବିତ ବିଜେଡ଼ି ବିଧାୟକ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କ ଭୋଟ କିଏ ପାଇବ ତାହା ଉପରେ ରହିଛି ନଜର।

ବିହାରରେ ଲଢିବେ ଉପେନ୍ଦ୍ର କୁଶୱାହା-ଅମରେନ୍ଦ୍ର ସିଂହ
ବିହାରର ୫ ରାଜ୍ୟସଭା ଆସନ ଲାଗି ୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶାସକ ଏନଡ଼ିଏ ମେଣ୍ଟରୁ ବିଜେପି ପକ୍ଷରୁ ଦଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଶିବେଶ କୁମାର ପ୍ରାର୍ଥୀ ହୋଇଛନ୍ତି। ସେହିପରି ରାଜ୍ୟରେ ଶାସକ ମେଣ୍ଟର ନେତୃତ୍ୱ ନେଉଥିବା ଜେଡ଼ିୟ ପକ୍ଷରୁ ଦଳର ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ କେନ୍ଦ୍ରମନ୍ତ୍ରୀ ରାମନାଥ ଠାକୁର ପ୍ରାର୍ଥୀ ହୋଇଛନ୍ତି। ଏନଡିଏ ମେଣ୍ଟର ପଞ୍ଚମ ପ୍ରାର୍ଥୀ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା। ଅନ୍ୟପକ୍ଷରେ ରାଜ୍ୟର ମୁଖ୍ୟ ବିରୋଧି ଦଳ ଆରଜେଡି଼ ଅମରେନ୍ଦ୍ର ଧାରୀ ସିଂହଙ୍କୁ ଦଳୀୟ ପ୍ରାର୍ଥୀ କରିଛି।

ଗତ ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଶାସକ ଏନଡ଼ିଏ ମେଣ୍ଟର ଅଂଶୀଦାର ରହିଥିବା ବିଜେପିକୁ ୮୯, ଜେଡିୟୁକୁ ୮୫, ଏଲଜେପି (ରାମ ବିଳାସ)କୁ ୧୯,
ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା (ହାମ)କୁ ୫, ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆରଏଲଏମ) କୁ ୪ ଆସନ ମିଳିଥିଲା। ଯଦି ବିଧାୟକଙ୍କ ସଂଖ୍ୟାକୁ ମିଶାଇ ଦିଆଯାଏ ତାହେଲେ ଏନଡ଼ିଏ ମେଣ୍ଟ ପାଖରେ ମୋଟ୍ ୨୦୨ ସଦସ୍ୟଙ୍କ ସମର୍ଥନ ରହିଛି।

ସେହିପରି ବିରୋଧି ମେଣ୍ଟ ମହାଗଠବନ୍ଧନରେ ସାମିଲ ଥିବା ଆରଜେଡ଼ିକୁ ୨୫, କଂଗ୍ରେସକୁ ୬, ସିପିଆଇ (ଏମଏଲ)କୁ ୨, ସିପିଆଇକୁ ୧, ଇଣ୍ଡିଆନ ଇନକ୍ଲୁସିଭ୍ ପାର୍ଟି କୁ ୧ ଆସନ ମିଳିଥିଲା। ଯଦି ବିଧାୟକଙ୍କ ସଂଖ୍ୟାକୁ ମିଶାଇ ଦିଆଯାଏ ତାହେଲେ ମହାଗଠବନ୍ଧନ ପାଖରେ ୩୫ ବିଧାୟକଙ୍କ ସମର୍ଥନ ରହିଛି। ଅନ୍ୟପକ୍ଷରେ ମାୟାବତାଙ୍କ ବିଏସପିକୁ ୧ ଏବଂ ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ ୫ ଆସନ ପାଇଥିଲା।

ବିହାରରେ ଜଣେ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ନିର୍ବାଚିତ ହେବା ପାଇଁ ୪୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଧାୟକ ସଂଖ୍ୟା ଆଧାରରେ ଉଭୟ ଏନଡ଼ିଏ ମେଣ୍ଟରୁ ବିଜେପି-ଜେଡିୟୁ ପ୍ରାର୍ଥୀ ହେବା ସୁନିଶ୍ଚିତ। ଏହା ପରେ ବିଜେପି ପାଖରେ ୭ ଏବଂ ଜେଡିୟୁ ପାଖରେ ୩ ଜଣ ବଳକା ବିଧାୟକଙ୍କ ସମର୍ଥନ ରହିଛି। ଅନ୍ୟପଟେ ଏଲଜେପି (ରାମ ବିଳାସ), ହାମ ଏବଂ ଆରଏଲଏମ ବିଧାୟକଙ୍କ ସଂଖ୍ୟାକୁ ମିଶାଇ ଦେଲେ ଏନଡ଼ିଏ ମେଣ୍ଟ ପାଖରେ ଆହୁରି ୩୮ ବିଧାୟକଙ୍କ ସମର୍ଥନ ରହିଛି। ଶାସକ ମେଣ୍ଚର ପଞ୍ଚମ ପ୍ରାର୍ଥୀ ଉପେନ୍ଦ୍ର କୁଶୱାହାଙ୍କ ଜିତିବା ପାଇଁ ଆହୁରି ୩ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

ଅନ୍ୟପକ୍ଷରେ ବିରୋଧି ମହାଗଠବନ୍ଧନ ପାଖରେ ମୋଟ ୩୫ ବିଧାୟକଙ୍କ ସମର୍ଥନ ରହିଛି। ଆରଜେଡି଼ ପ୍ରାର୍ଥୀ ଅମରେନ୍ଦ୍ର ଧାରୀ ସିଂହଙ୍କୁ ଜିତାଇବାକୁ ହେଲେ ଆହୁରି ୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏଥିପାଇଁ ଆରଜେଡ଼ି ଏହାର ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ବିଏସପିର ଜଣେ ଏବଂ ଏଆଇଏମଆଇଏମର ୫ ଜଣ ବିଧାୟକଙ୍କ ସମର୍ଥନ ମାଗିସାରିଛି। ଏବେ ଦେଖିବାକୁ ବାକି ରହିଲା ପଞ୍ଚମ ଆସନରେ କିଏ ବାଜିମାତ କରୁଛନ୍ତି।

ଏଥିସହ ପଢ଼ନ୍ତୁ: ରାଜ୍ୟସଭା ସମୀକରଣର ମନ୍ତ୍ର ବତାଇଲେ ଶାହ, ରାଜ୍ୟ କାର୍ଯ୍ୟାଳୟରେ ପ୍ରସ୍ତୁତ ହେଲା ରଣନୀତି

ହରିୟାଣାରେ କିଏ ମାରିବ ବାଜି?
ହରିୟାଣର ୨ ରାଜ୍ୟସଭା ଆସନରେ ୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ବିଜେପିରୁ ସଞ୍ଜୟ ଭାଟିଆ ଏବଂ କଂଗ୍ରେସରୁ କରମବୀର ସିଂହ ବୌଦ୍ଧ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପଟେ ସ୍ୱାଧିନ ପ୍ରାର୍ଥୀ ସତୀଶ ନାନ୍ଦଲଙ୍କୁ ସମର୍ଥନ ଜଣାଇଛି। ରାଜ୍ୟର ୨ ରାଜ୍ୟସଭା ଆସନ ମଧରୁ ଗୋଟିକରେ ବିଜେପି ପ୍ରାର୍ଥୀ ସଞ୍ଜୟ ଭାଟିଆ ନିର୍ବାଚିତ ହେବା ସୁନିଶ୍ଚିତ। ହେଲେ ଦ୍ୱିତୀୟ ଆସନରେ କଂଗ୍ରେସ ବନାମ ସ୍ୱାଧିନ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେବ।

ହରିୟାଣାରେ ଜଣେ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ନିର୍ବାଚିତ ହେବା ପାଇଁ ୩୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବର୍ତ୍ତମାନ ରାଜ୍ୟ ବିଧାନସଭାରେ ଶାସକ ବିଜେପିର ୪୮, ବିରୋଧି କଂଗ୍ରେସର ୩୭, ଭାରତୀୟ ଜାତୀୟ ଲୋକ ଦଳର ୨ ଏବଂ ୩ ସ୍ୱାଧିନ ବିଧାୟକ ଅଛନ୍ତି। ସଞ୍ଜୟ ଭାଟିଆ ନିର୍ବାଚିତ ହୋଇସାରିବା ପରେ ବିଜେପି ପାଖରେ ଆହୁରି ୧୭ ବିଧାୟକଙ୍କ ବଳକା ସମର୍ଥନ ରହିଛି। ସେହିପରି କଂଗ୍ରେସ ପ୍ରାର୍ଥୀ କରମବୀର ସିଂହ ବୌଦ୍ଧ ନିର୍ବାଚିତ ହୋଇସାରିବା ପରେ ଦାଳ ପାଖରେ ଆହୁରି ୬ ବଳକା ବିଧାୟକ ରହୁଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ସଂଖ୍ୟା ବଳ ଥାଇ କଂଗ୍ରେସ ପ୍ରାର୍ଥୀ ବାଜିମାତ କରିପାରୁଛନ୍ତି ନାଁ ଲୋକ ଦଳ ଏବଂ ସ୍ୱାଧିନ ବିଧାୟକଙ୍କ ସମର୍ଥନ ନେଇ ସ୍ୱାଧିନ ପ୍ରାର୍ଥୀ ସତୀଶ ନାନ୍ଦଲା ଦ୍ୱିତୀୟ ଆସନକୁ ଦଖଲ କରି ନେଉଛନ୍ତି। ଯଦି ସତୀଶ ନାନ୍ଦଲାଙ୍କୁ ବିଜେପିର ବଳକା ୧୭, ୨ ଲୋକ ଦଳ ଏବଂ ସ୍ୱାଧିନ ବିଧାକୟଙ୍କ ସମର୍ଥନ ମିଳେ ତାହେଲେ ଏହି ସଂଖ୍ୟା ୨୨ ହୋଇଯାଉଛି। ଅନ୍ୟପଟେ କଂଗ୍ରେସର ୬ ବଳକା ଭୋଟ୍କୁ ଯଦି ମିଶାଇ ଦିଆଯାଏ ତାହେଲେ ଏହି ସଂଖ୍ୟା ୨୮ ହୋଇଯିବ। ଯାହା ରାଜ୍ୟସଭାକୁ ନିର୍ବାଚିତ ହେବା ପାଇଁ ୩୧ ଜଣ ବିଧାୟକଙ୍କ ସଂଖ୍ୟା ଠାରୁ ମାତ୍ର ୩ କମ୍। ସେଥିପାଇଁ ହରିୟାଣାରେ ଦ୍ୱିତୀୟ ଆସନରେ ରୋମାଞ୍ଚକର ମୁକାବିଲା ହୋଇପାରେ।

ପଢନ୍ତୁ ଏହି ଖବର: RS Poll 2026: ୧୦ ରାଜ୍ୟର ୩୭ ସିଟ୍; କିଏ କେଉଁଠୁ ମାରିବ ବାଜି?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajya Sabha Elections: Direct Fight Expected in 11 Seats | Argus News