Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Rajya Sabha Election / ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ; କେଉଁଠୁ ଜିତିଲେ, କିଏ ?

Sushanta Sahoo
Browse all articles by Sushanta Sahoo
·4 months ago·2 min read
୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ; କେଉଁଠୁ ଜିତିଲେ, କିଏ ?
State-wise winners list

Key Points

ରାଜ୍ୟସଭାର ମୋଟ ୩୭ ଆସନରୁ କେବଳ ବିହାର, ଓଡ଼ିଶା ଓ ହରିୟାଣାର ୧୧ ଆସନରେ ମତଦାନ ହୋଇଥିଲା । ଅନ୍ୟମାନେ ଏହା ପୂର୍ବରୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି ।
ନୂଆଦିଲ୍ଲୀ: ଦେଶର ୧୦ ରାଜ୍ୟରେ ୩୭ ରାଜ୍ୟସଭା ଆସନ ଲାଗି ସୋମବାର ନିର୍ବାଚନ ହୋଇଛି । ସେଥିରୁ ୧୧ଟି ଆସନ ଲାଗି ମତଦାନ ହେବା ସହ ଆସିଛି ଫଳାଫଳ । ଏହା ପୂର୍ବରୁ ୨୬ ଜଣ ନିର୍ଦ୍ଵନ୍ଦ୍ଵରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

ବିଜେପି ନେତୃତ୍ଵାଧିନ NDAକୁ ବିହାରରେ ବଡ଼ ସଫଳତା ମିଳିଛି । ସେହିଭଳି ଓଡ଼ିଶାରେ ପ୍ରଥମଥର ସରକାର ଗଢ଼ିଥିବା ବିଜେପି ସଂଖ୍ୟାବଳ ବଢ଼ାଇବାରେ ସଫଳତା ହାସଲ କରିଛି । ହରିୟାଣାରେ କଂଗ୍ରେସ ଖାତାକୁ ଯାଇଛି ଗୋଟିଏ ଆସନ ।

ରାଜ୍ୟସଭାର ମୋଟ ୩୭ ଆସନରୁ କେବଳ ବିହାର, ଓଡ଼ିଶା ଓ ହରିୟାଣାର ୧୧ ଆସନରେ ମତଦାନ ହୋଇଥିଲା । ଅନ୍ୟମାନେ ଏହା ପୂର୍ବରୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି । ସୋମବାର ରାତିରେ ଆସିଥିବା ଫଳାଫଳ ଅନୁସାରେ, NDA ଜଣେ ସ୍ଵାଧିନ ପ୍ରାର୍ଥୀଙ୍କୁ ମିଶାଇ ୮ଟି ଆସନ ଜିତିଥିବା ବେଳେ ବିଜେଡି ଖାତାକୁ ଯାଇଛି ଗୋଟିଏ ସିଟ୍ ।

ଏଥିସହ ପଢ଼ନ୍ତୁ: ଜିତିଲେ ଦିଲ୍ଲୀପ ରାୟ, ୩ ଆସନରେ ବାଜିମାତ୍ କଲା ବିଜେପି

କିଏ, କେଉଁଠୁ ଜିତିଲେ ?

ବିହାର: ବିଜେପି ଅଧ୍ୟକ୍ଷ ନୀତିନ ନବୀନ, ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ସହ କେନ୍ଦ୍ର ମନ୍ତ୍ରୀ ରାମନାଥ ଠାକୁର, ଶିବେଶ କୁମାର ଓ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ରାମନାଥ ଠାକୁର ଲଗାତାର ତୃତୀୟଥ ପାଇଁ ଯାଇଛନ୍ତି ରାଜ୍ୟସଭା ।

ହରିୟାଣା: ହରିୟାଣାର ୨ଟି ଆସନ ମଧ୍ୟରୁ ଗୋଟିଏ ବିଜେପି ହାତେଇଥିବା ବେଳେ ଅନ୍ୟ ଅକ୍ତିଆର୍ କରିଛି କଂଗ୍ରେସ । ବିଜେପିର ସଞ୍ଜୟ ଭାଟିଆ ଓ କଂଗ୍ରେସର କରମବୀର ସିହଂ ବୌଦ୍ଧ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।

ଓଡ଼ିଶା: ଓଡ଼ିଶାର ୪ଟି ଆସନ ଲାଗି ମତଦାନ ହୋଇଥିଲା । କ୍ରସ୍ ଭୋଟିଂ ଭିତରେ ଆସିଛି ରାଜ୍ୟସଭା ଫଳାଫଳ । ବିଜୟୀ ହୋଇଛନ୍ତି ମନମୋହନ ସାମଲ, ସୁଜିତ୍ କୁମାର, ଦିଲ୍ଲୀପ ରାୟ ଓ ସନ୍ତୃପ୍ତ ମିଶ୍ର । ବିଜେଡିର କମନ୍ କ୍ୟାଣ୍ଡିଡେଟ୍ ସହ ବିଜେପି ସମର୍ଥିତ ସ୍ଵାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ଯେଉଁଥିରେ ଦିଲ୍ଲୀପ ରାୟ ବାଜି ମାରି ନେଇଛନ୍ତି ।

ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ସନାତନ ମହାକୁଡ଼ଙ୍କ ସହ ଅରବିନ୍ଦ ମହାପାତ୍ର କ୍ରସ୍ ଭୋଟିଂ କରିଛନ୍ତି । ସେହିଭଳି ଦଳରେ ଥାଇ ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ଵାଳଙ୍କ ସହ ଆଉ ୪ ଜଣ କ୍ରସ୍ ଭୋଟିଂ କରି ନବୀନଙ୍କ ନିଷ୍ପତ୍ତିକୁ ଚକ୍‌ମା ଦେଇଛନ୍ତି । କଂଗ୍ରେସର ୩ ବିଧାୟକ ମଧ୍ୟ କ୍ରସ୍ ଭୋଟିଂ କରିଛନ୍ତି ।

ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

୯ ମାର୍ଚ୍ଚରେ ମହାରାଷ୍ଟ୍ରରୁ ଶରଦ ପାୱାର, ରାମଦାଶ ଅଠାୱଲେ, ବିଜେପିର ବିନୋଦ ତାୱଡ଼େ, ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାର, ଡ. ଜ୍ୟୋତି ବାଘମାରେ, ବିଜେପିର ମାୟା ଇବନାତେ ଓ ରାମରାଓ ୱାଡକୁଟେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ ।

ଏଥିସହ ପଢ଼ନ୍ତୁ: ଦତ୍ତେଶ୍ଵରଙ୍କୁ ହରାଇ ଜିତିଲେ ଦିଲ୍ଲୀପ; କେତେ ଭୋଟ୍ ପାଇଲେ ମନମୋହନ, ସୁଜିତ୍ ?

ସେହିଭଳି ତାମିଲନାଡ଼ୁର ୬ ଆସନରୁ ୨ଟିରେ ଶାସକ ଡିଏମ୍‌କେ ତିଋଚି ଶିବା ଓ ଜେ. କନ୍ସଟେନଟାଇନ୍ ରବୀନ୍ଦ୍ରନ, କଂଗ୍ରେସର କେ. ମାଣିକମ୍ମ ଓ ଡଏମଡିକେର ଏଲ.କେ. ଶୁଧିଶ ଓ ଏଆଇଡିଏମକେର ଡ. ଏମ୍. ଥମ୍ବି ଦୂରଈ ଓ ପିଏମକେର ଡ. ଅମ୍ବୁମଣି ରାମଦାସ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ ।

ଛତିଶଗଡ଼ର ୨ଟି ଆସନରୁ ଗୋଟିଏରେ ବିଜେପିର ଲକ୍ଷ୍ମୀ ବର୍ମା ଓ ଅନ୍ୟଟିରେ କଂଗ୍ରେସର ଫୁଲୋ ଦେବୀ ନେତାମ ନିର୍ବାଚିତ ହୋଇଛନ୍ତି । ହିମାଚଳ ପ୍ରଦେଶର ଗୋଟିଏ ଆସନରେ କଂଗ୍ରେସର ଅନୁରାଗ ଶର୍ମା ଜିତିଛନ୍ତି ।

ପଶ୍ଚିମବଙ୍ଗର ୫ ଆସନରୁ ଟିଏମସିର ବାବୁଲ ସୁପ୍ରିୟୋ, ରାଜୀବ କୁମାର, ମେନକା ଗୁରୁସ୍ଵାମୀ, କୋଏଲ ମଲ୍ଲିକ ନିର୍ବାଚିତ ହୋଇଛନ୍ତି । ବିଜେପିର ରାହୁଲ ସିହ୍ନା ମଧ୍ୟ ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ଵରେ ଯାଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajya Sabha Election Results: Who Won from 10 States? Full List | Argus News | Argus News