Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉଦ୍ଧବ ଠାକରେଙ୍କ ଦଳରେ ପୁଣି ବିଦ୍ରୋହ ? ଶିବସେନା(UBT) ବୈଠକରେ ସାମିଲ ହେଲେନି ୫ ସାଂସଦ

Politics

Shiv Sena UBT Rebellion / ଉଦ୍ଧବ ଠାକରେଙ୍କ ଦଳରେ ପୁଣି ବିଦ୍ରୋହ ? ଶିବସେନା(UBT) ବୈଠକରେ ସାମିଲ ହେଲେନି ୫ ସାଂସଦ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·3 min read
ଉଦ୍ଧବ ଠାକରେଙ୍କ ଦଳରେ ପୁଣି ବିଦ୍ରୋହ ? ଶିବସେନା(UBT) ବୈଠକରେ ସାମିଲ ହେଲେନି ୫ ସାଂସଦ
Shiv Sena UBT Rebellion

Key Points

ମହାରାଷ୍ଟ୍ରରେ ବଡ଼ ରାଜନୈତିକ ଖେଳ !
ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା
ଗୁରୁତ୍ବପୂର୍ଣ୍ଣ ବୈଠକରେ ୫ ସାଂସଦ ଅନୁପସ୍ଥିତ
ପଶ୍ଚିମବଙ୍ଗ ପରେ ଏବେ ମହାରାଷ୍ଟ୍ରରେ ଉଷ୍ମ ହେଉଛି ରାଜନୀତି । ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ଖେଳ ଦେଖିବାକୁ ମିଳୁଛି । TMC ରେ ବଡ଼ ବିଦ୍ରୋହ ପରେ ଏବେ ଉଦ୍ଧବ ଠାକରେଙ୍କ ଶିବସେନା (UBT) ମଧ୍ୟରେ ବିଭାଜନ ହେବାର ଆଶଙ୍କା ଦେଖିବାକୁ ମିଳୁଛି ।

ଲୋକସଭାରେ ଶିବସେନା (UBT)ର ମୋଟ ୯ ଜଣ ସାଂସଦ ଅଛନ୍ତି । ରବିବାର ଏହି ସାଂସଦଙ୍କୁ ନେଇ ଉଦ୍ଧବ ଠାକରେ ତାଙ୍କ ବାସଭବନ ମାତୋଶ୍ରୀରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ । କିନ୍ତୁ ୯ ସାଂସଦଙ୍କ ମଧ୍ୟରୁ ୪ ଜଣ ରବିବାର ହୋଇଥିବା ବୈଠକରେ ସାମିଲ ହୋଇଥିଲେ । ବାକି ୫ ଜଣ ଏହି ବୈଠକକୁ ଆସିନଥିଲେ । ଏହାକୁ ଉଦ୍ଧବ ଠାକରେଙ୍କ ପାଇଁ ଏକ ବଡ଼ ଝଟକା ବୋଲି କହୁଯାଉଛି ।

ସେପଟେ ଶିବସେନା (UBT) ମଧ୍ୟରେ ବିଭାଜନ ହେବାର ଆଶଙ୍କା ମଧ୍ୟରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଉଦ୍ଧବ ଠାକରେ । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି କେହି ଦଳ ଛାଡ଼ିବାକୁ ଚାହୁଁଛନ୍ତି ତେବେ ସେମାନେ ଖୁସିରେ ଏହା କରିପାରିବେ ।

ଅଧିକ ପଢ଼ନ୍ତୁ: ରାହୁଲଙ୍କୁ ଘେରିଲା DMK, ରାହୁଲଙ୍କ କାର୍ଯ୍ୟକଳାପ ବିରୋଧୀ ଦଳ ମଧ୍ୟରେ ସୃଷ୍ଟି କରୁଛି ବିଭାଜନ


ମହାରାଷ୍ଟ୍ରରେ ଅପରେସନ ଟାଇଗରର ଆଶଙ୍କ ମଧ୍ୟରେ ଉଦ୍ଧବ ଠାକରେ ତାଙ୍କ ସାଂସଦମାନଙ୍କୁ ଏକ ଚେତାବନୀ ଦେଇ କହିଛନ୍ତି, "ମୋର ସମୟ ଆଜି ନୁହେଁ, କାଲି ନିଶ୍ଚିତ ଭାବରେ ଆସିବ । ସେ ପର୍ଯ୍ୟନ୍ତ ଆମକୁ ସହ୍ୟ କରିବାକୁ ପଡିବ ଏବଂ ସଂଘର୍ଷ କରିବାକୁ ପଡିବ ।"

ଉଦ୍ଧବ ଠାକରେ କହିଥିଲେ ଯେ ଯେଉଁମାନେ ବାଲାସାହେବ ଠାକରେଙ୍କ ଶିବସେନା ଛାଡିଛନ୍ତି ସେମାନେ ଦିନେ ପଶ୍ଚାତାପ କରିବେ, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯିବ । ଚାରି ବର୍ଷ ପୂର୍ବେ ଦଳରେ ଏକ ବଡ଼ ବିଭାଜନ ହୋଇଥିଲା । ୪୦ ଜଣ ବିଧାୟକ ଦଳରୁ ଅଲଗା ହୋଇଯାଇଥିଲେ । ମୁଁ ସେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲି ।

ଉଦ୍ଧବ ଠାକରେ କହିଥିଲେ ଯେ, ସେ ଚାରି ବର୍ଷ ପୂର୍ବେ ଶିବସେନା ଭିତରେ ବିଦ୍ରୋହ ଅନୁଭବ କରିଥିଲେ, କିନ୍ତୁ ସେ କାହାକୁ କିଛି କହି ନଥିଲେ, ସେମାନଙ୍କୁ ଚାପ ଦେଇ ନଥିଲେ, କିମ୍ବା ସେମାନଙ୍କର ଘୋଟାଲାର ତଦନ୍ତ ପାଇଁ କୌଣସି ଫାଇଲ୍ ଖୋଲି ନଥିଲେ । ଯଦି କେହି ପୂର୍ବରୁ ଛାଡିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ବଳପୂର୍ବକ ଅଟକାଇବାର ଅର୍ଥ କ’ଣ ?

ଅପରେସନ୍ ଟାଇଗର ବିଷୟରେ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଉଦ୍ଧବ ଠାକରେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଥିଲେ, ଯଦି କେହି ଛାଡ଼ିବାକୁ ଚାହାଁନ୍ତି, ତେବେ ସେମାନେ ଯାଇପାରିବେ । ମୁଁ କେବଳ ସେମାନଙ୍କର ଉଜ୍ଜ୍ୱଳ ରାଜନୈତିକ ଭବିଷ୍ୟତ କାମନା କରିବି ।

ମାତୋଶ୍ରୀରେ ଉଦ୍ଧବ ଠାକରେଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଯୋଗ ଦେଇ ନଥିବା ପାଞ୍ଚ ଜଣ ଶିବସେନା (UBT) ସାଂସଦ ହେଲେ ସଞ୍ଜୟ ଯାଦବ, ସଞ୍ଜୟ ଦେଶମୁଖ, ଓମରାଜେ ନିମ୍ବାଲକର, ଭାଉସାହେବ ୱାକଚୌରେ ଏବଂ ନାଗେଶ ପାଟିଲ ଆସ୍ତିକାର । ଏହି ପାଞ୍ଚ ଜଣ ସାଂସଦଙ୍କ ପାଇଁ ଶିବସେନା (UBT) ମଧ୍ୟରେ ପୁଣି ଥରେ ବିଭାଜନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଯଦିଓ ଶିବସେନା (UBT) ଶିବିର ତୁରନ୍ତ ଦାବି କରିଥିଲା ​​ଯେ ଏହି ସାଂସଦମାନେ ଭର୍ଚୁଆଲ୍ ମୋଡରେ ବୈଠକରେ ସାମିଲ ହୋଇଥିଲେ । କିନ୍ତୁ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଉଦ୍ଧବ ଠାକରେ କେବଳ ନାଗେଶ ପାଟିଲ ଆସ୍ତିକାରଙ୍କ ସହ ସିଧାସଳଖ କଥା ହୋଇଥିଲେ ।

ତେବେ ଏହାରି ମଧ୍ୟରେ ବୈଠକରେ ଯୋଗ ଦେଇ ନଥିବା ଶିବସେନା (UBT) ସାଂସଦ ସଞ୍ଜୟ ଦେଶମୁଖ ଦିଲ୍ଲୀର ଏକନାଥ ସିନ୍ଦେ ଶିବିରର ମନ୍ତ୍ରୀ ପ୍ରତାପ ରାଓ ଯାଦବଙ୍କୁ ଭେଟିଥିଲେ । ଯାହା ପରେ ମହାରାଷ୍ଟ୍ର ରାଜନୀତିରେ ଅନେକ ଚର୍ଚ୍ଚା ଆଲୋଚନା ସୃଷ୍ଟି ହୋଇଥିଲା ।

ଏକନାଥ ସିନ୍ଦେ ଶିବିର ନେତା ଏବଂ କେନ୍ଦ୍ର ମନ୍ତ୍ରୀ ପ୍ରତାପ ରାଓ ଯାଦବ ଜାତୀୟ ଗଣମାଧ୍ୟମ ସହିତ ଆଲୋଚନା କରି କହିଛନ୍ତି ଯେ ସମସ୍ତ ଶିବସେନା (UBT) ସାଂସଦ ତାଙ୍କର ବନ୍ଧୁ, ଆମେ ପୂର୍ବରୁ ଏକାଠି କାମ କରିଛୁ । ଆମେ ନିୟମିତ ଭାବରେ ଭେଟୁ ଏବଂ ଆଲୋଚନା କରୁ । ଗୋଟିଏ କଥା ସ୍ପଷ୍ଟ ଯେ ଅନେକ ଶିବସେନା (UBT) ସାଂସଦ ଦଳୀୟ ନେତୃତ୍ୱ (ଉଦ୍ଧବ ଠାକରେ)ଙ୍କ ଉପରେ ପ୍ରକୃତରେ ଅସନ୍ତୁଷ୍ଟ ରହିଛନ୍ତି ।

ପ୍ରତାପ ଯାଦବ କହିଛନ୍ତି ଯେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା ହେଉଛି ପ୍ରକୃତ ଶିବସେନା । ଯାହା ବାଲାସାହେବ ଠାକରେଙ୍କ ନୀତିରେ କାମ କରୁଛି । ସମସ୍ତ ଶିବସେନା (UBT) ସାଂସଦଙ୍କୁ ଆମ ଦଳରେ ସ୍ୱାଗତ। କିଛି UBT ସାଂସଦ ଏକନାଥ ସିନ୍ଦେଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ସେ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored