Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପଶ୍ଚିମବଙ୍ଗରେ ବିଜେପି ଲହର; ଚିତପଟାଙ୍ଗ ଦିଦି; ଜାଣନ୍ତୁ ମମତାଙ୍କ ହାରିବାର ପ୍ରମୁଖ କାରଣ

Politics

Why TMC lost / ପଶ୍ଚିମବଙ୍ଗରେ ବିଜେପି ଲହର; ଚିତପଟାଙ୍ଗ ଦିଦି; ଜାଣନ୍ତୁ ମମତାଙ୍କ ହାରିବାର ପ୍ରମୁଖ କାରଣ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·4 min read
ପଶ୍ଚିମବଙ୍ଗରେ ବିଜେପି ଲହର; ଚିତପଟାଙ୍ଗ ଦିଦି; ଜାଣନ୍ତୁ ମମତାଙ୍କ ହାରିବାର ପ୍ରମୁଖ କାରଣ
TMC Defeat Reason

Key Points

ପଶ୍ଚିମବଙ୍ଗରେ ଉଡ଼ିଲା ବିଜେପିର ବିଜୟ ପତାକା
ଭାଙ୍ଗିଲା ଦିଦିଙ୍କ ୧୫ ବର୍ଷର ସରକାର
କେଉଁ ସବୁ କାରଣ ପାଇଁ ହାରିଲେ ଦିଦି ?
ପଶ୍ଚିମବଙ୍ଗ ରାଜନୀତିରେ ମମତା ବାନାର୍ଜୀ ଏପରି ଏକ ନାମ, ଯାହାକି ଗତ ଏକ ଦଶନ୍ଧି ଧରି ଅପରାଜେୟ ଥିଲା । କିନ୍ତୁ ସମୟ ବଦଳିଛି । ପଶ୍ଚିମବଙ୍ଗରେ ଭାଙ୍ଗିଛି ଦିଦିଙ୍କ ଗଡ଼ । ଚିତପଟାଙ୍ଗ ମାରିଛନ୍ତି ଦିଦି । ବଙ୍ଗରେ ବିଜେପି ଉଡ଼ାଇଛି ବିଜୟ ଧ୍ଵଜା । ବଙ୍ଗ ରାଜନୀତିରେ ହୋଇଛି ଐତିହାସିକ ପରିବର୍ତ୍ତନ । ଦିଦିଙ୍କ ତୃଣମୂଳ କଂଗ୍ରେସର ୧୫ ବର୍ଷ ଶାସନର ସୂର୍ଯ୍ୟାସ୍ତ ହୋଇଛି । ବିଜେପିର ଦୀର୍ଘ ଦିନର ବଙ୍ଗ ଦଖଲ ସ୍ଵପ୍ନ ପୂରଣ ହୋଇଛି । ଏବେ ସବୁ ମହଲରେ ଗୋଟିଏ ଚର୍ଚ୍ଚା କାହିଁକି ହାରିଲେ ଦିଦି, କଣ ରହିଛି ମୁଖ୍ୟ କାରଣ ?

ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ ଯେଉଁ ମୁସଲିମ ଭୋଟକୁ ଟିଏମସି ନିଜର ବଳ କହୁଥିଲା, ସେଠାରେ ମଧ୍ୟ ଟିଏମସି ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି । ଅନେକ ମୁସଲିମ ବହୁଳ ବିଧାନସଭା ଆସନରେ ପଛରେ ପଡ଼ିଛନ୍ତି ଟିଏମସି ପ୍ରାର୍ଥୀ । ଏହା ପୂର୍ବରୁ ଟିଏମସି ଆଶଙ୍କା କରୁଥିଲା ଯେ ଏସଆଇଆର ଯୋଗୁଁ ମତଦାତାଙ୍କ ନାଁ କଟିବା ପରେ ଦଳକୁ କ୍ଷତି ହୋଇପାରେ । ହେଲେ ଟିଏମସିକୁ ଅନେକ ଆସନରେ ବଡ଼ ଝଟକା ଲାଗିଛି । ସେପଟେ କଂଗ୍ରେସ ମଧ୍ୟ ଟିଏମସି ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିଛି ।

ଦିଦି ହାରିବାର ପ୍ରମୁଖ କାରଣ

  • ଦୁର୍ବଳ ଆଇନ ବ୍ୟବସ୍ଥା: ପଶ୍ଚିମବଙ୍ଗର ଆଇନ ବ୍ୟବସ୍ଥା ଦୀର୍ଘ ସମୟ ଧରି ରାଜନୈତିକ ପ୍ରସଙ୍ଗ ରହିଥିଲା । ବିରୋଧୀ ଲଗାତାର ଅଭିଯୋଗ ଆଣିଥିଲେ ଯେ ଅନେକ ଅଞ୍ଚଳରେ ହିଂସା, ରାଜନୈତିକ କାଣ୍ଡ ଓ ଅପରାଧ ବଢିବାରେ ଲାଗିଛି । ଆରଜି କର ମେଡିକାଲ କଲେଜରେ 'ଦୁଷ୍କର୍ମ ଓ ହତ୍ୟା' ଘଟଣା ସାରା ଦେଶ ଆଗରେ ପଶ୍ଚିମବଙ୍ଗକୁ ଲଜ୍ଜିତ କରିଥିଲା । ନିର୍ବାଚନୀ ହିଂସା ଓ ରାଜ୍ୟରେ ବର୍ଦ୍ଧିତ ଅପରାଧ ବଙ୍ଗବାସୀଙ୍କୁ ପ୍ରଭାବିତ କରିଥିଲା । ଏପରି ଭାବରେ ଆଇନ ବ୍ୟବସ୍ଥାକୁ ନେଇ ମମତା ସରକାର ରାଜ୍ୟବାସୀଙ୍କ ଭରସା ଜିତିବାରେ ବିଫଳ ହୋଇଥିଲେ ।

  • ଦୁର୍ନୀତିକୁ ନେଇ ଅସନ୍ତୋଷ: ବାରମ୍ଵାର ଦୁର୍ନୀତି ଅଭିଯୋଗ ଟିଏମସି ଛବିକୁ ମଳିନ କରିଥିଲା । ଅନେକ ସରକାରୀ ଯୋଜନା ଓ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ କରାଯାଇଥିଲା, ଯେଉଁଥିରେ ସାଧାରଣ ଜନତାଙ୍କ ଅସନ୍ତୋଷ ବଢିଲା । ବିରୋଧୀମାନେ ଏହି ପ୍ରସଙ୍ଗକୁ ନିର୍ବାଚନୀ ମୈଦାନରେ ଉଠାଇଥିଲେ ଓ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ବିରୋଧୀ ରାଜ୍ୟବାସୀଙ୍କୁ ଏହା ବିଶ୍ଵାସ କରିବାରେ ସଫଳ ହୋଇଥିଲା ଯେ ସରକାରୀ ଚାକିରିଠାରୁ ଆରମ୍ଭ କରି ଟେଣ୍ଡର ପର୍ଯ୍ୟନ୍ତ ଦୁର୍ନୀତି ହେଉଛି ଓ ଯୋଗ୍ୟଙ୍କୁ ସୁଯୋଗ ମିଳୁନି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିର୍ବାଚନୀ ରାଲିରେ ସମାନ ପ୍ରସଙ୍ଗ ବାରମ୍ବାର ଉଠେଇଥିଲେ ।

  • ଅନୁପ୍ରବେଶକାରୀଙ୍କୁ ଅଣଦେଖା: ବିଜେପି ନିର୍ବାଚନୀ ରାଲିରେ ଅଭିଯୋଗ ଆଣିଥିଲା ଯେ ତୃଣମୂଳ କଂଗ୍ରେସ ଅନୁପ୍ରବେଶକାରୀଙ୍କ ପ୍ରତି ନରମ ଭାବ ପ୍ରଦର୍ଶନ କରୁଛି । ସୀମାବର୍ତ୍ତୀ ଅଞ୍ଚଳରେ ଏହି ପ୍ରସଙ୍ଗ ବେଶ ପ୍ରଭାବଶାଳୀ ଥିଲା । ବିଜେପି ଏହାକୁ ପ୍ରସଙ୍ଗ କରି କହିଥିଲା ଯେ ଯଦି ରାଜ୍ୟରେ ବିଜେପି ସରକାର ଆସୁଛି, ତେବେ ସମସ୍ତ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ବାହାରୁ କଢାଯିବ । ଟିଏମସି ଏହି ଅଭିଯୋଗର ଜବାବ ଦେବାରେ ବିଫଳ ହୋଇଥିଲା ।

  • ତୁଷ୍ଟିକରଣ ରାଜନୀତି: ମମତା ବାନାର୍ଜୀଙ୍କ ୧୫ ବର୍ଷର ଶାସନ କାଳ ମଧ୍ୟରେ ଟିଏମସି ଉପରେ ମୁସଲିମ ତୁଷ୍ଟିକରଣ ଅଭିଯୋଗ ବାରମ୍ବାର ଲାଗିଥିଲା । ମମତାଙ୍କ ସରକାର ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗକୁ ପ୍ରାଥମିକତା ଦେଉଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ସନ୍ଦେଶଖାଲିଠାରେ ବେଶ ପ୍ରଭାବଶାଳୀ ଥିଲା, କାରଣ ଏଠାରେ ଜଘନ୍ୟ ଅପରାଧରେ ସମ୍ପକ୍ତି ଥିବା ସତ୍ତ୍ଵେ ଶାହଜାହାନ ଶେଖ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

  • ବଙ୍ଗକୁ ଅଣନିଶ୍ଵାସୀ କରିଥିଲା ନିର୍ବାଚନୀ ହିଂସା: ନିର୍ବାଚନ ଆସିଲେ ହିଂସାମୟ ହେଉଥିଲା ପଶ୍ଚିମବଙ୍ଗ । ଏଠାରେ ନିର୍ବାଚନୀ ହିଂସା ଏକ ସାଧାରଣ କଥା ପାଲଟିଯାଇଥିଲା । ୨୦୨୧ ଓ ୨୦୨୬ ବିଧାନସଭା ନିର୍ବାଚନରେ ବିରୋଧୀ କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ ଓ କେନ୍ଦ୍ରୀୟ ବଳର କାମକୁ ରୋକିବା ପରି ଅଭିଯୋଗ ହୋଇଥିଲା । ବଙ୍ଗବାସୀ ନିର୍ବାଚନୀ ହିଂସାରେ ଅତିଷ୍ଠ ହୋଇପଡ଼ିଥିଲେ ଓ ଶାସନ ଗାଦିରେ ପରିବର୍ତ୍ତନର ମନସ୍ଥ କରିଥିଲେ ।

  • ସତ୍ତା ବିରୋଧୀ ଲହର: ଲଗାତାର ୧୫ ବର୍ଷ ପର୍ଯ୍ୟନ୍ତ ଶାସନରେ ରହିବା ପରେ ଆଣ୍ଟି-ଇନକମ୍ବେନ୍ସି ଫ୍ୟାକ୍ଟର ବି ତୃଣମୂଳ କଂଗ୍ରେସର ଦୁର୍ବଳ ପ୍ରଦର୍ଶନର କାରଣ ସାଜିଲା । ଦୀର୍ଘ ସମୟ ଧରି ଗୋଟିଏ ସରକାର ରହିବା ଏବଂ ବିଭିନ୍ନ ପ୍ରସଙ୍ଗରେ ଏହାର ଦୁର୍ବଳ ପ୍ରଦର୍ଶନ ପରିବର୍ତ୍ତନର ସ୍ଵରକୁ ଆହୁରି ଦୃଢୀଭୂତ କରିଥିଲା । ଅନେକ ସ୍ଥାନରେ ସ୍ଥାନୀୟ ପ୍ରସଙ୍ଗ ଏବଂ ବିକାଶ କାର୍ଯ୍ୟ ପ୍ରତି ବ୍ୟାପକ ଅସନ୍ତୋଷ ଥିଲା । ବିଜେପି ଏହି ଭାବନାକୁ ପୁଞ୍ଜି କରି ନିଜକୁ ଏକ ଶକ୍ତିଶାଳୀ ବିକଳ୍ପ ଭାବରେ ଉପସ୍ଥାପନ କରିଥିଲା। ଏହା ଧୀରେ ଧୀରେ ଭୋଟରମାନଙ୍କୁ ପରିବର୍ତ୍ତନ ଆଡ଼କୁ ଏବଂ ଶେଷରେ ବିଜେପି ଆଡ଼କୁ ପ୍ରେରିତ କରିଥିଲା ।

  • ଦିଦିଙ୍କ ଦବଙ୍ଗଗିରି: ନିକଟରେ ପଶ୍ଚିମବଙ୍ଗ ଗସ୍ତ ସମୟରେ ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମମତା ସରକାର ଅପମାନିତ କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ସମାଲୋଚନା କରିଥିଲେ । କାରଣ ଦିଦିଙ୍କ ସରକାର ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମର ସ୍ଥାନ ପରିବର୍ତ୍ତନ କରିଥିବାବେଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ନା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନା କେହି ଜଣେ ବି ମନ୍ତ୍ରୀ ଉପସ୍ଥିତ ନଥିଲେ । ଏହାସହିତ ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲକୁ ନେଇ ପ୍ରଶ୍ନ ଉଠିଥିଲା । ଏହି ଘଟଣା ପରେ ରାଷ୍ଟ୍ରପତି ଗଭୀର ଦୁଃଖ ପ୍ରକାଶ କରିଥିଲେ । ଦିଦିଙ୍କ ଏପରି ଦବଙ୍ଗଗିରିକୁ ଗ୍ରହଣ କରିନାହାନ୍ତି ଭଦ୍ର ବ୍ୟବହାର ରଖୁଥିବା ବଙ୍ଗବାସୀ ।

ପରିଶେଷରେ, ପଶ୍ଚିମବଙ୍ଗର ନିର୍ବାଚନୀ ଧାରା ସ୍ପଷ୍ଟ କରିଛି ଯେ ଏଥର ମୁକାବିଲା ସମ୍ପୂର୍ଣ୍ଣ ବଦଳି ଯାଇଛି । ବିଜେପିର ଆକ୍ରମଣାତ୍ମକ ରଣନୀତି ଏବଂ ଟିଏମସି ବିରୋଧୀ ଭାବନାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଛି । ଆଇନ ଶୃଙ୍ଖଳା, ଦୁର୍ନୀତି, ଅନୁପ୍ରବେଶ, ତୁଷ୍ଟୀକରଣ ଏବଂ ଶାସନ ବିରୋଧୀ ଭଳି ପ୍ରସଙ୍ଗଗୁଡ଼ିକ ନିର୍ବାଚନ ଫଳାଫଳକୁ ବଦଳାଇଦେଇଛି । ଯଦିଓ ଚୂଡ଼ାନ୍ତ ଫଳାଫଳ ଏପର୍ଯ୍ୟନ୍ତ କିଛି ଦୂରରେ ଅଛି, ତଥାପି ଧାରା ନିଶ୍ଚିତ ଭାବରେ ସୂଚାଇ ଦେଉଛି ଯେ ବଙ୍ଗଳାର ରାଜନୀତି ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି । ଏବେ ପଶ୍ଚିବମଙ୍ଗରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why Mamata Banerjee Lost: Key Reasons Behind All India Trinamool Congress Defeat in West Bengal Assembly Election 2026 | Argus News