Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Rath Yatra

Why Jagannath Wears Tahia / କାହିଁକି ମହାପ୍ରଭୁଙ୍କ ମସ୍ତକରେ ଲାଗେ ଟାହିଆ ? ଜାଣନ୍ତୁ ଅଜଣା ଇତିହାସ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
କାହିଁକି ମହାପ୍ରଭୁଙ୍କ ମସ୍ତକରେ ଲାଗେ ଟାହିଆ ? ଜାଣନ୍ତୁ ଅଜଣା ଇତିହାସ
Lord Jagannath Tahia

Key Points

କ'ଣ ପାଇଁ ଟାହିଆ ପିନ୍ଧନ୍ତି ମହାପ୍ରଭୁ ?
ଜାଣନ୍ତୁ ଏହାର ଆଧ୍ୟାତ୍ମିକ ମହତ୍ତ୍ୱ
ପରମ୍ପରା, ପ୍ରସ୍ତୁତି ଓ ଏହା ପଛର ଅଦ୍ଭୁତ ରହସ୍ୟ
ମହାପ୍ରଭୁଙ୍କ ମସ୍ତକରେ ଟାହିଆ ସୌନ୍ଦର୍ଯ୍ୟର ପ୍ରତୀକ ଓ ଏକ ସୁରକ୍ଷା କବଚ ଭାବେ କାମ କରିଥାଏ । ତେବେ କେଉଁଠୁ ଆସିଲା ଏହି ଟାହିଆ ପରମ୍ପରା ? କ'ଣ ରହିଛି ଏହାର ରହସ୍ୟ ଏବଂ କେମିତି ପ୍ରସ୍ତୁତ ହୁଏ ଏହି ଦିବ୍ୟ ଶୋଭା ?

ସିଂହଦ୍ବାର ବାଇସି ପାହାଚରେ କାଳିଆ ଠାକୁରଙ୍କ ଟାହିଆ ହଲିଲେ କୋଟି ଓଡ଼ିଆଙ୍କ ହୃଦୟ ଚହଟି ଯାଏ । ଏହି ଟାହିଆ ଟାଣିନିଏ ଭକ୍ତଙ୍କ ମନ । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରାର ଏକ ମୁଖ୍ୟ ଆକର୍ଷଣ ହେଉଛି ମହାପ୍ରଭୁଙ୍କ ମସ୍ତକର ଶୋଭା ପାଉଥିବା ଟାହିଆ । ସ୍ନାନବେଦୀ ହେଉ କି ରଥର ଚାରମାଳ, ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ଏହି ପାରମ୍ପରିକ ଟାହିଆ ସଭିଙ୍କ ମନ ମୋହିନିଏ । ଠାକୁରଙ୍କ ଝୁଲି ଝୁଲି ଆସିବା ଓ ତା' ସାଙ୍ଗକୁ ଟାହିଆର ଆନ୍ଦୋଳନ ସାରା ବଡ଼ଦାଣ୍ଡରେ ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରେ ।

ଅଧିକ ପଢ଼ନ୍ତୁ: ଆଜି ପାଇଁ ସରିଲା ମହାପ୍ରଭୁଙ୍କ ରଥ ଟଣା, କାଲି ପୁଣି ଥରେ ଟଣାଯିବ ମହାପ୍ରଭୁଙ୍କ ରଥ


ତେବେ ଏହି ଦିବ୍ୟ ଟାହିଆ ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ ଓ ପାରମ୍ପରିକ ସାମଗ୍ରୀରେ ପ୍ରସ୍ତୁତ ହୋଇଥାଏ, ଯେଉଁଥିରେ କୌଣସି କୃତ୍ରିମ ଜିନିଷ ବ୍ୟବହାର କରାଯାଏ ନାହିଁ । ବାଉଁଶ ବତାରେ ପ୍ରସ୍ତୁତ ଅର୍ଦ୍ଧଚନ୍ଦ୍ରାକାର ଫ୍ରେମ୍ ଉପରେ ଚମତ୍କାର ସୋଲ କାମ, ରଙ୍ଗବେରଙ୍ଗର ଜରି ଓ ଚମକଦାର କାଗଜ ଲାଗିଥାଏ । ବେତ, ପଇତା, କଦଳୀ ପଟୁଆ, କଇଥ ଅଠା ସାଙ୍ଗକୁ ରଙ୍ଗଣୀ, ପଦ୍ମ, ମଲ୍ଲୀ, ଚମ୍ପା, ମାଳତୀ, ମରୁଆ ଭଳି ସୁବାସିତ ଫୁଲ, ତୁଳସୀ ଓ ଦୁବ ଦ୍ୱାରା ଏହାକୁ ଅତି ନିପୁଣତାର ସହ ଗଢ଼ାଯାଏ । ଏହି ଟାହିଆକୁ କୁହାଯାଏ ପ୍ରଭା । ତେବେ କେବଳ ସୌନ୍ଦର୍ଯ୍ୟ ନୁହେଁ, ପହଣ୍ଡି ସମୟରେ ଧକ୍କାରୁ ସୁରକ୍ଷା ଦେବା ପାଇଁ ଏହି ଟାହିଆ ଏକ ସୁରକ୍ଷା କବଚ ଭାବେ ମଧ୍ୟ କାମ କରେ ।

ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ପ୍ରଭୁଙ୍କ ପାଇଁ ଏହି ବଡ଼ ଟାହିଆ ଗୁଡ଼ିକ ଐତିହାସିକ ରାଘବ ଦାସ ମଠ ତରଫରୁ ଯୋଗାଇ ଦିଆଯାଇଥାଏ । ମଠର କାରିଗର ଓ ଶ୍ରୀମନ୍ଦିରର ମାଳି ସେବାୟତମାନେ ଅତି ନିଷ୍ଠାର ସହ ଏହାକୁ ନିର୍ମାଣ କରିଥାନ୍ତି । ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ଟାହିଆ ବେଶ୍ ବଡ଼ ଓ ପ୍ରାୟ ୫ ରୁ ୬ ଫୁଟ ଉଚ୍ଚର ହୋଇଥିବା ବେଳେ, ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନଙ୍କ ଟାହିଆକୁ ‘ଚୁଳ’ ବୋଲି କୁହାଯାଏ, ଯାହା ତୁଳନାତ୍ମକ ଭାବେ ସାମାନ୍ୟ ଛୋଟ ।

୧୮ଶହ ଶତାବ୍ଦୀରୁ ଚାଲିଆସୁଥିବା ଏହି ପରମ୍ପରା ପଛରେ ରହିଛି ଏକ ଭାବପୂର୍ଣ୍ଣ ଇତିହାସ । କୁହାଯାଏ, ଚାପ ଖେଳ ବେଳେ ପ୍ରବଳ ଝଡ଼ବର୍ଷା ଯୋଗୁଁ ଯେତେବେଳେ ମଦନ ମୋହନ ଜଳାଶୟ ହୋଇଗଲେ, ସେତେବେଳେ ରାଘବଦାସ ମଠରୁ ବିଗ୍ରହ ଆସି ପୂଜାର୍ଚ୍ଚନା କରାଯାଇଥିଲା । ମଠର ପ୍ରତିଷ୍ଠାତା ଶ୍ରୀ ରଘୁଅରକ୍ଷିତ ଖୋଲା ଆକାଶ ତଳେ ପୂଜା କରୁଥିବା ବେଳେ ମସ୍ତକ ଉପରେ ତାଳ ତାଟର ବ୍ୟବସ୍ଥା କରାଯାଇଥିଲା । ସେବେଠାରୁ ପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ମସ୍ତକରେ ଏହି ଟାହିଆ ସେବା ପ୍ରଚଳିତ ହୋଇଆସୁଛି, ଯାହାର ଦାୟିତ୍ୱ ପାଳିଆ ଓ ଦଇତା ସେବାୟତମାନେ ନିଭାଇଥାନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored