Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

FIFA World Cup Final / ୩୯ ବର୍ଷର ମେସି vs ୧୯ ବର୍ଷର ୟାମାଲ, ବିଶ୍ୱକପ୍ ଫାଇନାଲରେ ମହାଯୁଦ୍ଧ...କିଏ ଲେଖିବ ଇତିହାସ

Santosh Kumar Sahoo
Browse all articles by Santosh Kumar Sahoo
·6 hours ago·2 min read
୩୯ ବର୍ଷର ମେସି vs ୧୯ ବର୍ଷର ୟାମାଲ, ବିଶ୍ୱକପ୍ ଫାଇନାଲରେ ମହାଯୁଦ୍ଧ...କିଏ ଲେଖିବ ଇତିହାସ
FIFA Final

Key Points

ବିଶ୍ୱକପ୍ ଫାଇନାଲରେ ମହାଯୁଦ୍ଧ
ବିଶ୍ୱକପ୍ ଫାଇନାଲର ସବୁଠୁ ବଡ଼ ଲଢ଼େଇ
ମୁହାଁମୁହିଁ ହେବେ ମେସି vs ୟାମାଲ
ଆଜି ଫିଫା ବିଶ୍ବକପ୍‌ ଫାଇନାଲ । ରବିବାର ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଆର୍ଜେଣ୍ଟିନା-ସ୍ପେନ । ଭାରତୀୟ ସମୟ ରାତି ୧୨ଟା୩୦ରେ ନ୍ୟୁ ଜର୍ସିର ମେଟଲାଇଫ୍ ଷ୍ଟାଡିୟମ୍‌ରେ ଖେଳାଯିବ ଫିଫା ବିଶ୍ୱକପ୍ ୨୦୨୬ର ଫାଇନାଲ୍ । ଏହା କେବଳ ଦୁଇଟି ଶକ୍ତିଶାଳୀ ଦଳର ଲଢ଼େଇ ନୁହେଁ, ବରଂ ଦୁଇ ପିଢ଼ିର ସଂଘର୍ଷ ମଧ୍ୟ ।

ଗୋଟିଏ ପଟେ ବିଶ୍ୱ ଫୁଟବଲ୍‌ର ଜୀବନ୍ତ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ଶେଷ ବିଶ୍ୱକପ୍ ସ୍ୱପ୍ନ, ଅନ୍ୟ ପଟେ ନୂଆ ପିଢ଼ିର ସୁପରଷ୍ଟାର ଲାମିନ୍ ୟାମାଲଙ୍କ ଉଦୟ । ଏହା କେବଳ ଆର୍ଜେଣ୍ଟିନା ଓ ସ୍ପେନ୍‌ର ଫାଇନାଲ୍ ନୁହେଁ, ବରଂ ଅନୁଭବ ଓ ଯୁବ ଉତ୍ସାହ, ଐତିହ୍ୟ ଓ ନୂଆ ଯୁଗ ମଧ୍ୟରେ ହେବାକୁ ଯାଉଥିବା ଏକ ମହା ସଂଗ୍ରାମ । ମେଟଲାଇଫ୍ ଷ୍ଟାଡିୟମ୍‌ରେ ୯୦ ମିନିଟ୍‌ର ଏହି ଲଢ଼େଇ କେବଳ ବିଶ୍ୱ ଚାମ୍ପିଅନ୍‌କୁ ନିର୍ଣ୍ଣୟ କରିବ ନାହିଁ, ବରଂ ଫୁଟବଲ୍‌ର ଭବିଷ୍ୟତର ନୂଆ ଅଧ୍ୟାୟ ମଧ୍ୟ ଲେଖାଯାଇପାରେ ।

ଗୋଟିଏ ପଟେ ୩୯ ବର୍ଷୀୟ ଲିଓନେଲ୍ ମେସି, ଯିଏ ନିଜ କ୍ୟାରିୟରର ଶେଷ ବିଶ୍ୱକପ୍ ମ୍ୟାଚ୍ ଖେଳିପାରନ୍ତି । ଅନ୍ୟପଟେ ମାତ୍ର ୧୯ ବର୍ଷର ଲାମିନ୍ ୟାମାଲ, ଯାହାଙ୍କୁ ଫୁଟବଲ୍‌ର ପରବର୍ତ୍ତୀ ସୁପରଷ୍ଟାର ଭାବେ ବିବେଚନା କରାଯାଉଛି । ପ୍ରଥମ ଥର ପାଇଁ ପୁରୁଷ ଫିଫା ବିଶ୍ୱକପ୍ ଫାଇନାଲ୍‌ରେ ବର୍ତ୍ତମାନର କୋପା ଆମେରିକା ଓ ୟୁରୋ ଚାମ୍ପିଅନ୍ ଦଳ ପରସ୍ପରକୁ ଟକ୍କର ଦେବେ ।

ଅଧିକ ପଢ଼ନ୍ତୁ: 'ମୁଁ ଗଲେ ହାରିଯିବ !' ଏହି ଭୟରେ ଫାଇନାଲ ଦେଖିବାକୁ ଯାଉନାହାନ୍ତି ଆର୍ଜେଣ୍ଟିନା ରାଷ୍ଟ୍ରପତି ?


ସମଗ୍ର ବିଶ୍ୱର ନଜର ଏବେ ଏହି ପ୍ରଶ୍ନ ଉପରେ—ମେସି ଆଉ ଗୋଟିଏ ବିଶ୍ୱକପ୍ ଟ୍ରଫି ସହ ନିଜ ଐତିହାସିକ କ୍ୟାରିୟରକୁ ସ୍ମରଣୀୟ କରିବେ, ନା ୟାମାଲ ସ୍ପେନ୍‌କୁ ୧୬ ବର୍ଷ ପରେ ପୁଣିଥରେ ବିଶ୍ୱ ଚାମ୍ପିଅନ୍ କରି ଫୁଟବଲ୍‌ର ନୂଆ ଅଧ୍ୟାୟର ଶୁଭାରମ୍ଭ କରିବେ ? ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ପୂର୍ବରୁ କୋପା ଆମେରିକା ଓ ବିଶ୍ୱକପ୍ ଜିତିସାରିଛି। ଏବେ ଲଗାତାର ଦ୍ୱିତୀୟ ବିଶ୍ୱକପ୍ ଜିତି ନୂଆ ଇତିହାସ ରଚିବାର ସୁଯୋଗ ତାଙ୍କ ସାମ୍ନାରେ ରହିଛି । ଅନ୍ୟପଟେ ୟାମାଲ ନିଜର ପ୍ରଥମ ବିଶ୍ୱକପ୍‌ରେ ହିଁ ସବୁଠାରୁ ବଡ଼ ସଫଳତା ହାସଲ କରିବାର ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବେ ।

ଫାଇନାଲ୍‌ରେ କେବଳ ମେସି ଓ ୟାମାଲଙ୍କ ମଧ୍ୟରେ ଲଢ଼େଇ ହେବ ନାହିଁ । ସ୍ପେନ୍‌ର ଦୃଢ଼ ରକ୍ଷଣଭାଗ ଓ ଆର୍ଜେଣ୍ଟିନାର ଆକ୍ରମଣାତ୍ମକ ଖେଳ ମଧ୍ୟରେ ମଧ୍ୟ ଜୋରଦାର ଟକ୍କର ଦେଖିବାକୁ ମିଳିବ । ଗତ ପାଞ୍ଚଟି ମ୍ୟାଚ୍‌ରେ ସ୍ପେନ୍ ମାତ୍ର ଗୋଟିଏ ଗୋଲ୍ ଖାଇଥିବା ବେଳେ ଆର୍ଜେଣ୍ଟିନା ୧୨ଟି ଗୋଲ୍‌ ସ୍କୋର କରିଛି ।

୨୦୧୦ ପରେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଜିତିବା ଲକ୍ଷ୍ୟରେ ସ୍ପେନ୍ ମଇଦାନକୁ ଓହ୍ଲାଇବ । ଅନ୍ୟପଟେ ଆର୍ଜେଣ୍ଟିନା ୨୦୨୨ରେ ଜିତିଥିବା ଟାଇଟଲ୍ ବଜାୟ ରଖିବା ସହ ଚତୁର୍ଥ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେବାକୁ ଚାହୁଁଛି । ଯଦି ମେସିଙ୍କ ଦଳ ଟ୍ରଫି ଜିତେ, ତେବେ ୧୯୬୨ ପରେ ଲଗାତାର ଦୁଇଟି ବିଶ୍ୱକପ୍ ଜିତିବାରେ ପ୍ରଥମ ଦଳ ହେବ ଆର୍ଜେଣ୍ଟିନା । ଏହି କୀର୍ତ୍ତି ଶେଷ ଥର ପାଇଁ ବ୍ରାଜିଲ୍ ହାସଲ କରିଥିଲା ।

ବିଶ୍ୱକପ୍‌ରେ ଉଭୟ ଦଳ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବେ । ଯଦିଓ ଆନ୍ତର୍ଜାତିକ ମୁକାବିଲାରେ ସ୍ପେନ୍‌ର ପଲ୍ଲା ଭାରି ରହିଛି । ଶେଷ ଚାରିଟି ମ୍ୟାଚ୍‌ରେ ସ୍ପେନ୍ ତିନିଥର ବିଜୟୀ ହୋଇଥିବା ବେଳେ ଆର୍ଜେଣ୍ଟିନା କେବଳ ଗୋଟିଏ ମ୍ୟାଚ୍ ଜିତିଛି । ୨୦୧୮ରେ ଉଭୟଙ୍କ ଶେଷ ମୁକାବିଲାରେ ସ୍ପେନ୍ ୬-୧ ଗୋଲ୍‌ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Argentina vs Spain FIFA World Cup 2026 Final: Messi vs Yamal | Who Will Make History? | Argus News