Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Barabati Match Update / ବାରବାଟୀ ଟି-୨୦ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ, ପ୍ରଥମ ଥର ପାଇଁ କଟକ ଆସୁଛନ୍ତି ସୂର୍ଯ୍ୟ-ଅଭିଷେକ-ତିଲକ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ବାରବାଟୀ ଟି-୨୦ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ, ପ୍ରଥମ ଥର ପାଇଁ କଟକ ଆସୁଛନ୍ତି ସୂର୍ଯ୍ୟ-ଅଭିଷେକ-ତିଲକ
Barabati T-20

Key Points

ବାରବାଟୀ T20 କାଉଣ୍ଟଡାଉନ୍‌
ପ୍ରଥମ ଥର ପାଇଁ କଟକ ଆସୁଛନ୍ତି ସୂର୍ଯ୍ୟ-ଅଭିଷେକ-ତିଲକ
କାଲିଠୁ ଅଫଲାଇନ୍‌ରେ ମିଳିବ ଟିକେଟ୍‌
ଡିସେମ୍ବର ୯ରେ କମ୍ପିବ ବାରବାଟୀ ଷ୍ଟାଡିୟମ । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଏଥିପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଛି । ବାରବାଟୀ ଟି-୨୦ ପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ନିଜ ମନ ପସନ୍ଦର ଖେଳାଳିଙ୍କୁ ପାଖରୁ ଦେଖିବାକୁ ଚାତକ ପରି ଚାହିଁ ରହିଛନ୍ତି କ୍ରିକେଟ୍‌ ପ୍ରେମୀ । ବାରବାଟୀ ଟି-୨୦ ପାଇଁ ଡିସେମ୍ବର ୧ରେ ଅନଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲିଠୁ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍‌ ବିକ୍ରି ହେବ ।

ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । କିଛି ଦିନର ବ୍ୟବଧାନ ପରେ ପୁଣି ଦଳକୁ ଫେରିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସେହିପରି ଆହତ କାରଣରୁ ଶୁବମନ ଗିଲ୍‌ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିବା ପରେ ସେ ପୁଣି ଥରେ ଟି-୨୦ ସିରିଜ୍‌କୁ ଫେରିଛନ୍ତି । ସେହିପରି ଟି-୨୦ ଦଳରୁ ରିଙ୍କୁ ସିଂ ଓ ନୀତିଶ କୁମାର ରେଡ୍ଡୀ ବାଦ୍ ପଡ଼ିଛନ୍ତି । ତେବେ ଏଥର ଦଳରେ ଏମିତି କିଛି ଷ୍ଟାର କ୍ରିକେଟ୍‌ର ଅଛନ୍ତି ଯିଏକି ପ୍ରଥମ ଥର ପାଇଁ ବାରବାଟୀ ଷ୍ଟାଡିୟମରେ ଖେଳିବେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଭିଷେକ ଶର୍ମା ଓ ତିଲକ ବର୍ମା ପ୍ରଥମ ଥର ପାଇଁ ବାରବାଟୀ ଷ୍ଟାଡିୟମ୍ ଆସୁଛନ୍ତି ।

ଅଧିକ ପଢ଼ନ୍ତୁ: ବାରବାଟୀ ଟି-୨୦: କାଲିଠୁ କାଉଣ୍ଟରରେ ମିଳିବ ଟିକେଟ୍‌, ଜାଣନ୍ତୁ କ'ଣ ରହିଛି ପୋଲିସ୍ ନିୟମ


ବାରବାଟୀ ଟି-୨୦ ମ୍ୟାଚ୍‌ ପାଇଁ ଡିସେମ୍ବର ୧ରେ ଅନଲାଇନ୍‌ରେ ଟିକେଟ୍‌ ବିକ୍ରି ସରିଥିବା ବେଳେ ଆସନ୍ତାକାଲିଠୁ ଅଫଲାଇନ୍‌ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍‌ ବିକ୍ରି ହେବ । ମୋଟ ୫ଟି କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବ । ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଟିକେଟ୍‌ କାଉଣ୍ଟର ରହିବ । ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶକ କାଉଣ୍ଟରରୁ ଟିକେଟ୍‌ କିଣିପାରିବେ । ଏଥିପାଇଁ ପୋଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି କମିଶନରେଟ୍ ପୋଲିସ୍‌ ପକ୍ଷରୁ ବ୍ରିଫିଂ ମଧ୍ୟ କରାଯାଇଛି । ଏଥର ସାଧାରଣ ଦର୍ଶକ ପାଇଁ ପ୍ରାୟ ୧୦ ହାଜର ଟିକେଟ ବିକ୍ରି କରାଯିବ ।

ବାରବାଟୀ ଷ୍ଟାଡିୟମର ପଛ ପଟେ ଥିବା କ୍ରିକେଟ ଏକାଡେମୀ ପଟେ ଟିକେଟ କାଉଣ୍ଟର କରାଯାଇ ଟିକେଟ ବିକ୍ରି କରାଯିବ । ସେଥିପାଇଁ କାଉଣ୍ଟର ପାଖରୁ ଆଠ ଶହ ମିଟର ପର୍ଯ୍ୟନ୍ତ ଷ୍ଟିଲ ବ୍ୟାରିକେଡ୍‌ର ବ୍ୟବସ୍ଥା କରାଯାଇଛି । ଟିକେଟ୍‌ ବିକ୍ରିର ପୂର୍ବ ରାତିରୁ କେହି ବି କାଉଣ୍ଟର ପାଖରେ ଲାଇନ୍‌ରେ ଠିଆ ହୋଇପାରିବେ ନାହିଁ । ଯଦି ଦର୍ଶକ ରାତିରୁ ଆସନ୍ତି ତେବେ କ୍ରିକେଟ ଏକାଡେମୀ ପଡ଼ିଆରେ ରହିବେ । ଟିକେଟ୍‌ ପାଇଁ ସକାଳ ୬ଟାରୁ ଲାଇନ୍‌ ଲଗାଇ ପାରିବେ ।

ସେପଟେ ଟିକେଟ କିଣିବାକୁ ହଜାର ହଜାର କ୍ରିକେଟ୍ ପ୍ରେମୀ ଆସିବେ । ତେଣୁ ସେମାନେ କିପରି ଆସି ଶାନ୍ତି ଶୃଙ୍ଖଳାରେ ଟିକେଟ୍‌ କିଣିପାରିବେ ସେଥିପାଇଁ କଟକ ଡିସିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସମୀକ୍ଷା କରିଛନ୍ତି । କେବଳ ଟିକେଟ୍‌ କିଣିବାକୁ ଆସୁଥିବା ଲୋକଙ୍କୁ ଛାଡ଼ି ବ୍ୟାରିକେଡ୍‌ ଭିତରେ ଆଉ କେହି ରହିପାରିବେ ନାହିଁ । ସେହିପରି ଟିକେଟ୍‌ କଳାବଜାରୀଙ୍କ ଉପରେ ନଜର ରହିବ ବୋଲି କଟକ ଡିସିପି କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Barabati T20 Countdown Begins: Surya, Abhishek & Tilak to Play in Cuttack for First Time | Argus News