Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup / ଷ୍ଟେଜରୁ ଟ୍ରଫି ତ ନେଲାନି ଇଣ୍ଡିଆ, ଭିନ୍ନ ଅନ୍ଦାଜରେ କଲେ ସେଲିବ୍ରେସନ

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·3 min read
ଷ୍ଟେଜରୁ ଟ୍ରଫି ତ ନେଲାନି ଇଣ୍ଡିଆ, ଭିନ୍ନ ଅନ୍ଦାଜରେ କଲେ ସେଲିବ୍ରେସନ

Key Points

ମଞ୍ଚକୁ ଆସିଲାନି ବିଜୟୀ ଟିମ୍ ଆଉ କ୍ୟାପଟେନଙ୍କୁ ଦିଆଗଲାନାହିଁ ଚାମ୍ପିଅନ୍ ଟ୍ରଫି।

ଶେଷରେ ଲଜ୍ଜିତ ହୋଇ ନିଜ ସାଙ୍ଗରେ ଏସିଆ କପ୍ ଟ୍ରଫି ନେଇ ପଳାଇଲେ ପିସିବି ଅଧ୍ୟକ୍ଷ ।

ଏସିଆ କପ୍ ଫାଇନାଲ୍ ପରେ ହାଇଭୋଲଟେଜ୍ ଡ୍ରାମା । PCB ଅଧ୍ୟକ୍ଷଙ୍କ ହାତରୁ ଟ୍ରଫି ନେଲେନି ଭାରତୀୟ କ୍ୟାପଟେନ୍ । ଚାମ୍ପିଅନ୍ ହେଲା ଭାରତ, ଟ୍ରଫି ନେଇ ପଳାଇଲା ପାକିସ୍ତାନ । PM ମୋଦି କହିଲେ 'କ୍ରିକେଟରେ ଅପରେସନ ସିନ୍ଦୂର' । ସେନା ଓ ପହଲଗାମ ପୀଡ଼ିତଙ୍କ ପରିବାରକୁ ମ୍ୟାଚ୍ ଫି ଦେଲେ ସୂର୍ଯ୍ୟକୁମାର ।

ହାଇ ଭୋଲଟେଜ୍ ଲଢ଼େଇ । ରୋମାଞ୍ଚକର ମ୍ୟାଚ୍ । ଲୋମହର୍ଷକ ଫିନିସ୍ । ମୁହାଁମୁହିଁ ଭାରତ ଓ ପାକିସ୍ତାନ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଏଲଢ଼େଇ ତ ସଂଘର୍ଷପୂର୍ଣ୍ଣ ହେବାକୁ ହିଁ ଥିଲା । ଶେଷରେ କିନ୍ତୁ ବାଜି ମାତ୍ କଲା ଟିମ୍ ଇଣ୍ଡିଆ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଦଳ ଶେଷ ଓଭରରେ ପାକିସ୍ତାନକୁ ହରାଇ ହେଲା ଏସିଆ କପ୍ ଚାମ୍ପିଅନ୍ । ଦୁବାଇରୁ ନେଇ ଭାରତର କୋଣ ଅନୁକୋଣରେ ପାଳନ ହେଲା ବିଜୟ ଉତ୍ସବ । ରାତିସାରା ବାଣ ଫୁଟାଇ, ବାଜା ବଜାଇ କ୍ରିକେଟ୍ ପ୍ରେମୀ କଲେ ସେଲିବ୍ରେସନ ।

ଫାଇନାଲ୍ ମ୍ୟାଚ୍ ବେଳେ ଯେତିକି ଥିଲା ରୋମାଞ୍ଚ ତାଠାରୁ ଅଧିକ ବଳିଗଲା ମ୍ୟାଚ୍ ପରବର୍ତ୍ତୀ ପ୍ରେଜେଣ୍ଟେସନ୍ ସେରିମନିର ହାଇ ଭୋଲଟେଜ୍ ଡ୍ରାମା । କାରଣ ଚାମ୍ପିଅନ୍ ହୋଇ ବି ଟ୍ରଫି ନେବାକୁ ଗଲେ ନାହିଁ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ । କାରଣ ହେଲା ଟ୍ରଫି ଦେବାକୁ ଆସିଥିଲେ ଏସିଆନ୍ କ୍ରିକେଟ କାଉନସିଲ ତଥା ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ମୋହସିନ ନକଭି। ଯିଏ ପାକିସ୍ତାନର ଗୃହମନ୍ତ୍ରୀ ବି।

ଏହାସହ ପଢ଼ନ୍ତୂ:- ପୋଲିସର ସାଂଘାତିକ ଅଭିଯୋଗ, ବିଜୟଙ୍କ ପାଇଁ ଏତେ ସବୁ କାଣ୍ଡ ଘଟିଲା !

ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ଭାରତ ବିରୋଧରେ ବିଷ ଓଗାଳୁଥିବା ଲୋକଠାରୁ ଟ୍ରଫି ନେବାକୁ ସିଧାସଳଖ ମନା କରିଦେଲେ କ୍ୟାପଟେନ୍ ସୂର୍ଯ୍ୟକୁମାର । ଘଣ୍ଟାଏରୁ ଅଧିକ ସମୟ ଧରି ଷ୍ଟେଜ୍ ଉପରେ ଅପେକ୍ଷା କରି ରହିଲେ ମୋହସିନ୍ ନକଭି । କିନ୍ତୁ ମଞ୍ଚକୁ ଆସିଲାନି ବିଜୟୀ ଟିମ୍ ଆଉ କ୍ୟାପଟେନଙ୍କୁ ଦିଆଗଲାନାହିଁ ଚାମ୍ପିଅନ୍ ଟ୍ରଫି।

ଯଦିଓ ତିଲକ ବର୍ମା ମ୍ୟାନ୍ ଅଫ୍ ଦି ମ୍ୟାଚ୍, ଅଭିଷେକ ଶର୍ମା ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଓ କୁଲଦୀପ ଯାଦବ ମୋଷ୍ଟ ଭେଲୁଏବୁଲ୍ ପ୍ଲେୟାର ଭାବେ ଅନ୍ୟ ଅତିଥିଙ୍କ ହାତରୁ ନିଜ ନିଜ ପୁରସ୍କାର ନେବାକୁ ମଞ୍ଚକୁ ଗଲେ କିନ୍ତୁ ସେମାନେ ମୋହସିନ ନକଭିଙ୍କ ଆଡ଼କୁ ଚାହିଁଲେ ବି ନାହିଁ। ଶେଷରେ ଲଜ୍ଜିତ ହୋଇ ନିଜ ସାଙ୍ଗରେ ଏସିଆ କପ୍ ଟ୍ରଫି ନେଇ ପଳାଇଲେ ପିସିବି ଅଧ୍ୟକ୍ଷ । ମୋହସିନ୍ ନକଭୀଙ୍କ ଏଭଳି କାମକୁ ନେଇ କ୍ଷୁବ୍ଧ ବିସିସିଆଇ । ଆସନ୍ତା ନଭେମ୍ବରରେ ହେବାକୁ ଥିବା ଆଇସିସି କନଫରେନ୍ସରେ କରିବ ଆନୁଷ୍ଠାନିକ ପ୍ରତିବାଦ । ତୁରନ୍ତ ଏସିଆ କପ୍ ଟ୍ରଫି ଭାରତକୁ ଦେବାକୁ ଦାବି ରଖିଛି ବିସିସିଆଇ ।

ଟିମ୍ ଇଣ୍ଡିଆର ଖେଳାଳିମାନେ ଷ୍ଟେଜରୁ ଟ୍ରଫି ତ ନେଲେ ନାହିଁ, କିନ୍ତୁ ଭିନ୍ନ ଭିନ୍ନ ଅନ୍ଦାଜରେ କଲେ ସେଲିବ୍ରେସନ ଆଉ ସୋସିଆଲ୍ ମିଡିଆରେ ସେୟାର କଲେ । ଏଥିରେ ବିନା ଟ୍ରଫିରେ ବିଜୟ ଉତ୍ସବଠାରୁ ନେଇ ଥିଲା ପାକିସ୍ତାନୀ ଖେଳାଳିଙ୍କ ସେଲିବ୍ରେସନର ମିମିକ୍ରିର ଆକ୍ସନ ।

ଏହାସହ ପଢ଼ନ୍ତୂ:- ଶ୍ୱଶୁର ଘର ସମ୍ପତ୍ତିରୁ ବୋହୁ ମାଗିପାରିବ କି ହକ୍ ?

ସେପଟେ ବିଜୟ ପରେ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇ ସୋସିଆଲ୍ ମିଡିଆ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ। ଲେଖିଲେ, ଖେଳ ମଇଦାନରେ ଅପରେସନ ସିନ୍ଦୂର। ଫଳାଫଳ ସମାନ, ଭାରତର ବିଜୟ । ଅନ୍ୟପଟେ ଭାରତୀୟ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ବି କଲେ ବଡ଼ ଘୋଷଣା। ଭାରତୀୟ ସେନା ଓ ପହଲଗାମ ପୀଡ଼ିତଙ୍କ ପରିବାରକୁ ମ୍ୟାଚ୍ ଫି ଦେଲେ। ଟ୍ରଫି ନ ନେବା ନିଷ୍ପତ୍ତି ନେଇ ସୂର୍ଯ୍ୟକୁମାର କହିଲେ, ଆମେ ମୈଦାନରେ ହିଁ ଏମିତି ନିଷ୍ପତ୍ତି ନେଲୁ। ଏମିତି କରିବାକୁ ଆମକୁ କେହି କହିନଥିଲେ। ଆମେ ଏହି ଟ୍ରଫିର ହକଦାର ଥିଲୁ। ତେବେ ମୋ ପାଇଁ ମୋର ଟ୍ରଫି ହେଲେ ମୋ ଡ୍ରେସିଂ ରୁମରେ ଥିବା ୧୪ ଜଣ ଖେଳାଳି, ସପୋର୍ଟ ଷ୍ଟାଫ୍ ଓ ଦେଶବାସୀଙ୍କ ଖୁସି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Asia Cup | High Drama After India Beats Pakistan, PCB Chief Mohsin Naqvi Runs Away With Trophy? | Argus News