Videos
|
Sports

Mohammed Siraj Return / ସିରାଜ IN, ଷ୍ଟାର୍ ଖେଳାଳି OUT ! ଦ୍ୱିତୀୟ ଦିନିକିଆରେ ବଦଳିବ ଟିମ୍ ଇଣ୍ଡିଆର ପ୍ଲେଇଂ-୧୧

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ସିରାଜ IN, ଷ୍ଟାର୍ ଖେଳାଳି OUT ! ଦ୍ୱିତୀୟ ଦିନିକିଆରେ ବଦଳିବ ଟିମ୍ ଇଣ୍ଡିଆର ପ୍ଲେଇଂ-୧୧
Mohammed Siraj

Key Points

ଭାରତୀୟ ଟିମ୍‌ରେ ହେବ ବଡ଼ ପରିବର୍ତ୍ତନ
ୱେଲିଂଟନ୍ ମ୍ୟାଚ୍ ପାଇଁ ଭାରତର ବଡ଼ ପ୍ଲାନ୍
ଦଳକୁ ଫେରିବେ ମହମ୍ମଦ ସିରାଜ !

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ଶନିବାର ଖେଳାଯିବ । ୱେଲିଂଟନର ହେନେରୀ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୩୦ ମିନିଟରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଜିତି ଭାରତ ସିରିଜରେ ୧-୦ରେ ଆଗୁଆ ରହିଛି। ଏବେ ଅଧିନାୟକ ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏହି ବିଜୟଧାରା ଜାରି ରଖିବାକୁ ଚେଷ୍ଟା କରିବେ ।

ଦ୍ୱିତୀୟ ଦିନିକିଆ ପାଇଁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସିରାଜ ଦଳକୁ ଫେରିପାରନ୍ତି । ଯାହାଫଳରେ ଆକିବ ନବିଙ୍କୁ ବାହାରେ ବସିବାକୁ ପଡ଼ିପାରେ। ପ୍ରଥମ ମ୍ୟାଚ୍ ପୂର୍ବରୁ ଚୟନ ପାଇଁ ଉପଲବ୍ଧ ନଥିବା ସିରାଜ ଏବେ ଦଳ ସହ ଯୋଗ ଦେଇଛନ୍ତି । ସିରାଜ ଦଳକୁ ଫେରିବା ପରେ ଭାରତୀୟ ପେସ୍ ବୋଲିଂ ଆକ୍ରମଣ ଆହୁରି ଶକ୍ତିଶାଳୀ ହେବ ।

ସେହିପରି ଓପନିଂରେ ରୋହିତ ଶର୍ମା ଓ ଶୁବମନ ଗିଲଙ୍କ ଉପରେ ବଡ଼ ଦାୟିତ୍ୱ ରହିବ। ପ୍ରଥମ ମ୍ୟାଚରେ ରୋହିତ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଆଉ ଏକ ସୁଯୋଗ ଦେଇପାରେ । ଅନ୍ୟପଟେ ଗିଲ୍ ଅଧିନାୟକ ଭାବେ ଏକ ବଡ଼ ଇନିଂସ ଖେଳିବାକୁ ଚାହିଁବେ । ତୃତୀୟ ସ୍ଥାନରେ ବିରାଟ କୋହଲି ବ୍ୟାଟିଂ କରିବେ। ପ୍ରଥମ ମ୍ୟାଚରେ ସେ ୫୧ ବଲରୁ ୭୪ ରନ୍ କରି ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ।

ଚତୁର୍ଥ ସ୍ଥାନରେ ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିପାରେ। ଗତ ମ୍ୟାଚରେ ସେ ଭଲ ଆରମ୍ଭ କରିଥିଲେ ମଧ୍ୟ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ମଧ୍ୟକ୍ରମରେ ଅକ୍ଷର ପଟେଲ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିପାରନ୍ତି । ଏହାଦ୍ୱାରା କେଏଲ୍ ରାହୁଲ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବା ସହ ୱିକେଟ୍ କିପିଂ ଦାୟିତ୍ୱ ତୁଲାଇବେ । ନମନ ଧୀର ନିମ୍ନ ମଧ୍ୟକ୍ରମରେ ଦଳକୁ ମଜବୁତ କରିପାରନ୍ତି ।
ୱେଲିଂଟନର ପିଚ୍‌ରେ ଦ୍ରୁତ ବୋଲରଙ୍କୁ ସହାୟତା ମିଳିବା ଆଶା କରାଯାଉଛି । ପ୍ରଥମ ଦିନିକିଆରେ ଅର୍ଶଦୀପ ସିଂହ, ଅଂଶୁଲ କମ୍ବୋଜ ଓ ଗୁରନୂର ବ୍ରାର ଭଲ ପ୍ରଦର୍ଶନ କରିଥିଲେ। ତେଣୁ ଏହି ତିନି ଜଣ ପୁଣିଥରେ ଦଳରେ ସ୍ଥାନ ପାଇପାରନ୍ତି । ଅନ୍ୟପଟେ ଆକିବ ନବି ୬ ଓଭରରେ ୩୩ ରନ୍ ଦେଇଥିଲେ ମଧ୍ୟ କୌଣସି ୱିକେଟ୍ ନେଇପାରିନଥିଲେ। ତେଣୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯିବାର ସମ୍ଭାବନା ଅଧିକ। ନୂଆ ବଲ୍‌ରେ ୱିକେଟ୍ ନେବା ସହ ନିଜ ଅଭିଜ୍ଞତାର ଫାଇଦା ଦଳକୁ ଦେଇପାରିବେ ସିରାଜ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: