Videos
|
Sports

Team India Squad Announcement / ଶ୍ରୀଲଙ୍କା ସିରିଜ୍ ପାଇଁ କାଲି ଘୋଷଣା ହେବ ଟିମ୍ ଇଣ୍ଡିଆ ! ରୋହିତ-ବିରାଟଙ୍କୁ ମିଳିବ ସୁଯୋଗ

Santosh Kumar Sahoo
Browse all articles by Santosh Kumar Sahoo
·Updated on: 28 Nov 2026, 20:03:54 IST·2 min read
ଶ୍ରୀଲଙ୍କା ସିରିଜ୍ ପାଇଁ କାଲି ଘୋଷଣା ହେବ ଟିମ୍ ଇଣ୍ଡିଆ ! ରୋହିତ-ବିରାଟଙ୍କୁ ମିଳିବ ସୁଯୋଗ
Team India

Key Points

ଟିମ୍ ଇଣ୍ଡିଆକୁ ନେଇ ବଡ଼ ଖବର
ଶ୍ରୀଲଙ୍କା ସିରିଜ୍ ପାଇଁ ଏହି ଦିନ ହେବ ଦଳ ଘୋଷଣା
ଜାଣନ୍ତୁ ଟିମ୍ ଘୋଷଣାର ତାରିଖ


ଭାରତୀୟ କ୍ରିକେଟ୍ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି । ସେଠାରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଶେଷ ମ୍ୟାଚ୍ ଖେଳୁଛି ଟିମ୍ ଇଣ୍ଡିଆ । ଏହି ଗସ୍ତ ଶେଷ କରି ଭାରତ ଫେରିବା ପରେ ଘରୋଇ ମାଟିରେ ଶ୍ରୀଲଙ୍କାକୁ ଭେଟିବ ଭାରତୀୟ ଦଳ । ଉଭୟ ଦଳ ମଧ୍ୟରେ ଡିସେମ୍ବର ୧୩ରୁ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ଡିସେମ୍ବର ୨୨ରୁ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ ।

ଏହି ସିରିଜ୍‌କୁ ନେଇ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ରହିଛି। ତେବେ ଏପର୍ଯ୍ୟନ୍ତ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇନାହିଁ। ଏହାରି ମଧ୍ୟରେ ଦଳ ଚୟନ ତାରିଖକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ନଭେମ୍ବର ୨୯ରେ ଘୋଷଣା ହୋଇପାରେ ଟିମ୍ ଇଣ୍ଡିଆ

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଶ୍ରୀଲଙ୍କା ବିପକ୍ଷ ଆଗାମୀ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ନଭେମ୍ବର ୨୯ ଅର୍ଥାତ୍ ରବିବାର ଦିନ ଭାରତୀୟ ଦଳ ଘୋଷଣା ହୋଇପାରେ। ମୁଖ୍ୟ ଚୟନକର୍ତ୍ତା ପ୍ରଜ୍ଞାନ ଓଝାଙ୍କ ଅଧ୍ୟକ୍ଷତାରେ ସିନିୟର ଚୟନ କମିଟି ଉଭୟ ଫର୍ମାଟ୍ ପାଇଁ ଦଳ ଚୟନ କରିବ ।

ପଢନ୍ତୁ ଏହି ଖବର: ଏଥର ବଦଳିବ ନେତାଙ୍କ ଠିକଣା; ଅନ୍ୟ ନିର୍ବାଚନ ମଣ୍ଡଳୀରେ ୨୫ ଦିନ ପ୍ରବାସ କରିବେ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିପୋର୍ଟ ଅନୁସାରେ, ଟି-୨୦ ଦଳରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା କମ୍ ରହିଛି। କିନ୍ତୁ ଦିନିକିଆ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନଜରରେ ରଖି ଚୟନକର୍ତ୍ତାମାନେ ଦଳ ଚୟନ କରିବେ। ବିଶ୍ୱକପ୍ ପ୍ରସ୍ତୁତି ଦୃଷ୍ଟିରୁ ଏହି ସିରିଜ୍ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ ।

ରୋହିତ ଓ ବିରାଟଙ୍କୁ ମିଳିବ ସୁଯୋଗ !

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳର ଦୁଇ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳୁଥିବା ନଜର ଆସିପାରନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପୂର୍ବ ଦିନିକିଆ ସିରିଜ୍‌ରେ ଉଭୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ ।

ଟେଷ୍ଟ ଏବଂ ଟି-୨୦ ଫର୍ମାଟ୍‌ରୁ ଅବସର ନେଇସାରିଥିବା ରୋହିତ ଓ ବିରାଟ ଏବେ କେବଳ ଦିନିକିଆ କ୍ରିକେଟ୍‌ରେ ଖେଳୁଛନ୍ତି। ଉଭୟଙ୍କ ଲକ୍ଷ୍ୟ ହେଉଛି ୨୦୨୭ ଦିନିକିଆ ବିଶ୍ୱକପ୍‌ରେ ଭାରତ ପାଇଁ ଖେଳିବା। ତେଣୁ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ଉଭୟଙ୍କ ପାଇଁ ନିଜକୁ ପ୍ରମାଣିତ କରିବାର ଏକ ବଡ଼ ସୁଯୋଗ ହେବ ।

ଭାରତ-ଶ୍ରୀଲଙ୍କା ସିରିଜ୍‌ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଡିସେମ୍ବର ମାସରେ ଶ୍ରୀଲଙ୍କା କ୍ରିକେଟ୍ ଦଳ ଭାରତ ଗସ୍ତରେ ଆସିବ। ପ୍ରଥମେ ଉଭୟ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଏହାପରେ ଟି-୨୦ ସିରିଜ୍ ଆୟୋଜିତ ହେବ ।

ଦିନିକିଆ ସିରିଜ୍:

- ପ୍ରଥମ ଦିନିକିଆ – ଡିସେମ୍ବର ୧୩, ବିଶାଖାପାଟଣା
- ଦ୍ୱିତୀୟ ଦିନିକିଆ – ଡିସେମ୍ବର ୧୬, ବେଙ୍ଗାଲୁରୁ
- ତୃତୀୟ ଦିନିକିଆ – ଡିସେମ୍ବର ୧୯, ଅହମ୍ମଦାବାଦ

ଟି-୨୦ ସିରିଜ୍:

- ପ୍ରଥମ ଟି-୨୦ – ଡିସେମ୍ବର ୨୨, ରାଜକୋଟ
- ଦ୍ୱିତୀୟ ଟି-୨୦ – ଡିସେମ୍ବର ୨୪, କଟକ
- ତୃତୀୟ ଟି-୨୦ – ଡିସେମ୍ବର ୨୭, ପୁଣେ

ଏବେ ସମସ୍ତଙ୍କ ନଜର ନଭେମ୍ବର ୨୯ରେ ହେବାକୁ ଥିବା ଟିମ୍ ଇଣ୍ଡିଆ ଘୋଷଣା ଉପରେ ରହିଛି। ବିଶେଷ କରି ଦିନିକିଆ ଦଳରେ କେଉଁ ନୂଆ ଖେଳାଳିଙ୍କୁ ସୁଯୋଗ ମିଳୁଛି ଏବଂ ରୋହିତ-ବିରାଟଙ୍କ ସ୍ଥାନ କିପରି ରହୁଛି, ତାହା ଦେଖିବାକୁ ପ୍ରଶଂସକ ଅପେକ୍ଷା କରିଛନ୍ତି ।