Videos
|
Sports

MI Coaching Staff / ମୁମ୍ବାଇ ଇଣ୍ଡିଆନ୍ସକୁ ଏକାସାଙ୍ଗେ ମିଳିଲେ ୪ ନୂଆ କୋଚ୍, ବ୍ୟାଟିଂ ଦାୟିତ୍ୱ ନେବେ ରବିନ ଉଥାପ୍ପା

Santosh Kumar Sahoo
Browse all articles by Santosh Kumar Sahoo
·21 mins ago·2 min read
ମୁମ୍ବାଇ ଇଣ୍ଡିଆନ୍ସକୁ ଏକାସାଙ୍ଗେ ମିଳିଲେ ୪ ନୂଆ କୋଚ୍, ବ୍ୟାଟିଂ ଦାୟିତ୍ୱ ନେବେ ରବିନ ଉଥାପ୍ପା
MI Coach

Key Points

IPL 2027 ପୂର୍ବରୁ MIର ବଡ଼ ପରିବର୍ତ୍ତନ
କୋଚିଂ ଷ୍ଟାଫ୍‌ରେ ୪ ନୂଆ ଚେହେରା
ଉଥାପ୍ପାଙ୍କୁ ବ୍ୟାଟିଂ ଓ ମ୍ୟାକ୍ଲେନାଘନଙ୍କୁ ବୋଲିଂ ଦାୟିତ୍ୱ

IPL ୨୦୨୭ ପୂର୍ବରୁ ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ତା'ର କୋଚିଂ ସେଟଅପ୍‌ରେ ଏକ ବଡ଼ ପରିବର୍ତ୍ତନ କରିଛି । କିରନ୍ ପୋଲାର୍ଡଙ୍କୁ ଦଳର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରାଯିବା ପରେ ଏବେ ନୂଆ ବ୍ୟାଟିଂ ଓ ବୋଲିଂ କୋଚ୍‌ଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥାପ୍ପାଙ୍କୁ ନୂଆ ବ୍ୟାଟିଂ କୋଚ୍ ଏବଂ ମିଚେଲ୍ ମ୍ୟାକ୍ଲେନାଘନଙ୍କୁ ନୂଆ ବୋଲିଂ କୋଚ୍ ଭାବେ ଦାୟିତ୍ୱ ମିଳିଛି । ସେହିପରି ପୂର୍ବତନ ଭାରତୀୟ ଫିଲ୍ଡିଂ କୋଚ୍ ଟି. ଦିଲୀପ ଏବଂ ଅଭିଜ୍ଞ ମୁମ୍ବାଇ ଫାଷ୍ଟ ବୋଲର ଧାୱଲ କୁଲକର୍ଣ୍ଣି ମଧ୍ୟ ଦଳର କୋଚିଂ ସେଟଅପ୍‌ର ସାମିଲ ହେବେ ।

ମୁମ୍ବାଇ ଇଣ୍ଡିଆନ୍ସ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରି ରବିନ ଉଥାପ୍ପାଙ୍କୁ କୋଚିଂ ଷ୍ଟାଫ୍‌ରେ ସାମିଲ କରିବା ନେଇ ସୂଚନା ଦେଇଛି । ପୂର୍ବରୁ କିରନ୍ ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ କୋଚ୍ ଥିଲେ । କିନ୍ତୁ ତାଙ୍କୁ ପଦୋନ୍ନତି ଦେଇ ହେଡ୍ କୋଚ୍ କରାଯାଇଥିବାରୁ ଏହି ପଦବୀ ପାଇଁ ଜଣେ ଅଭିଜ୍ଞ ଖେଳାଳିଙ୍କ ଆବଶ୍ୟକତା ଥିଲା । ଏବେ ଉଥାପ୍ପା ଏହି ଦାୟିତ୍ୱ ସମ୍ଭାଳିବେ ।

ଅନ୍ୟପଟେ, ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବରୁ ଘୋଷଣା କରିଥିଲା ଯେ ଲସିଥ୍ ମାଲିଙ୍ଗା ବୋଲିଂ କୋଚ୍ ଭାବେ ଦଳ ସହ କାର୍ଯ୍ୟକାଳ ଶେଷ ହୋଇଛି । ଏବେ ମାଲିଙ୍ଗାଙ୍କ ସ୍ଥାନରେ ମିଚେଲ୍ ମ୍ୟାକ୍ଲେନାଘନଙ୍କୁ ନୂଆ ବୋଲିଂ କୋଚ୍ କରାଯାଇଛି । IPL ଏବଂ ୱାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳିବାର ତାଙ୍କର ବେଶ୍ ଅଭିଜ୍ଞତା ରହିଛି । ସେ ମୁମ୍ବାଇ ଦଳର ଜଣେ ସଫଳ ବୋଲର ମଧ୍ୟ ରହିଛନ୍ତି । ସେହିପରି ଧୱଲ କୁଲକର୍ଣ୍ଣିଙ୍କୁ ଡେଭଲପମେଣ୍ଟାଲ୍ ବୋଲିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି ।

ମୁମ୍ବାଇ ଇଣ୍ଡିଆନ୍ସର କୋଚିଂ ଷ୍ଟାଫ୍‌ରେ ଆଉ ଏକ ବଡ଼ ନାମ ଯୋଡ଼ି ହୋଇଛି । ଭାରତୀୟ ଦଳର ପୂର୍ବତନ ଫିଲ୍ଡିଂ କୋଚ୍ ଟି. ଦିଲୀପ ଏବେ ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ କୋଚ୍ ଭାବେ କାମ କରିବେ । ଭାରତୀୟ ଦଳର ICC ଟ୍ରଫି ବିଜୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ନିଜର ଉତ୍ସାହ ଏବଂ କାର୍ଯ୍ୟଶୈଳୀ ପାଇଁ ସେ ବେଶ୍ ପରିଚିତ । ଏବେ ଫ୍ରାଞ୍ଚାଇଜି କ୍ରିକେଟ୍‌ରେ ମଧ୍ୟ ତାଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରାଯାଉଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ମଧ୍ୟ ବଡ଼ ଖବର

କେବଳ କୋଚିଂ ଷ୍ଟାଫ୍ ନୁହେଁ, IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ତାଲିକାରେ ମଧ୍ୟ ପରିବର୍ତ୍ତନ ହୋଇପାରେ । IPL ୨୦୨୬ ଶେଷ ହେବା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକଙ୍କୁ ଟ୍ରେଡ୍ ଜରିଆରେ ନିଜ ଦଳରେ ସାମିଲ କରିବା ପାଇଁ ୬ଟି ଫ୍ରାଞ୍ଚାଇଜି ଆଗ୍ରହ ଦେଖାଇଛନ୍ତି। ଏଥିରେ ଦୁଇଟି ପୂର୍ବତନ IPL ଚାମ୍ପିୟନ୍ ଦଳ ମଧ୍ୟ ସାମିଲ ଅଛନ୍ତି। ତେବେ ହାର୍ଦ୍ଦିକଙ୍କ ଟ୍ରେଡ୍‌କୁ ନେଇ ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ଆସିପାରେ ।