Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Ashwin on Rohit Sharma / ରୋହିତଙ୍କ ସମ୍ମାନ ନେଇ ମୁହଁ ଖୋଲିଲେ ଅଶ୍ବିନ, BCCIକୁ କଲେ କଡ଼ା ସମାଲୋଚନା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ରୋହିତଙ୍କ ସମ୍ମାନ ନେଇ ମୁହଁ ଖୋଲିଲେ ଅଶ୍ବିନ, BCCIକୁ କଲେ କଡ଼ା ସମାଲୋଚନା
Rohit Sharma

Key Points

ରୋହିତଙ୍କ ପାଇଁ ଅଶ୍ୱିନଙ୍କ ବଡ଼ ବୟାନ
୨୦୨୭ ବିଶ୍ୱକପ୍‌ରେ ରୋହିତ ଦରକାର
ଅଶ୍ୱିନ କହିଲେ କାହିଁକି?
ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବଢ଼ୁଥିବା ଚର୍ଚ୍ଚା ମଧ୍ୟରେ ବିସ୍ଫୋରକ ବୟାନ ଦେଇଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ସ୍ପିନର ଆର୍. ଅଶ୍ୱିନ । ଭାରତୀୟ ଦଳରୁ ରୋହିତଙ୍କୁ ବାଦ ଦେବା ଚର୍ଚ୍ଚାକୁ ନେଇ ସେ ବିସିସିଆଇକୁ କଡ଼ା ସମାଲୋଚନା କରିବା ସହ କହିଛନ୍ତି, ଦୁଇ ଦଶନ୍ଧି ଧରି ଦେଶ ପାଇଁ ଖେଳିଥିବା ଜଣେ ମହାନ ଖେଳାଳିଙ୍କ ସହ ଏଭଳି ବ୍ୟବହାର ଉଚିତ ନୁହେଁ ।

ଭାରତୀୟ ଦଳର ଅଭିଜ୍ଞ ଖେଳାଳି ରୋହିତ ଶର୍ମାଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି । ଗଣମାଧ୍ୟମରେ ଦାବି କରାଯାଉଛି ଯେ ରୋହିତ ୧୯ ଜୁଲାଇରେ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଶେଷ ଦିନିକିଆ ଖେଳିବେ । ବିସିସିଆଇ ଅଧିକାରୀମାନେ ରୋହିତଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେମାନେ ଇଂଲଣ୍ଡ ସିରିଜ୍‌ ପରେ ତାଙ୍କୁ ଭାରତୀୟ ଦିନିକିଆ ଦଳର ଯୋଜନାରେ ରଖାଯିବ ନାହିଁ । ତେବେ ଏହି ଖବର ଉପରେ ଆର୍. ଅଶ୍ୱିନ ନିଜର ମତ ରଖିଛନ୍ତି ।

ଅଧିକ ପଢ଼ନ୍ତୁ: ରୋହିତଙ୍କୁ ନେଇ ସବୁ ଗୁଜବ ମିଛ, ହିଟମ୍ୟାନ୍‌ଙ୍କ ଅବସର ଖବରକୁ ଖାରଜ କଲା BCCI


ଅଶ୍ୱିନ କହିଛନ୍ତି, "ଦଳରୁ ବାଦ ପଡ଼ିବା କୌଣସି ଖେଳାଳିଙ୍କ ସହ ହୋଇପାରେ । ଏହା ଚୟନକର୍ତ୍ତା, ଅଧିନାୟକ ଏବଂ କୋଚଙ୍କ ନିଷ୍ପତ୍ତି। କିନ୍ତୁ ଯଦି ଜଣେ ଖେଳାଳିଙ୍କୁ ବାହାର କରାଯାଏ, ସେ ପଚାରିପାରିବେ ଯେ ଦଳକୁ ଫେରିବା ପାଇଁ ସେ କଣ କରିବେ। ଯଦି ତାଙ୍କର ଆବଶ୍ୟକତା ନାହିଁ କିମ୍ବା ବୟସ ହୋଇଗଲା, ତେବେ ଅଲଗା କଥା ।"

ସେ ଆହୁରି କହିଛନ୍ତି, "ଯଦି କେହି ଦୁଇ ଦଶନ୍ଧି ଧରି ଭଲ ପ୍ରଦର୍ଶନ କରିଛନ୍ତି, ଅନେକ ମ୍ୟାଚ୍ ଜିତାଇଛନ୍ତି, ତେବେ ତାଙ୍କ ସହ ଭଲ ଭାବରେ କଥା ହେବା ଉଚିତ । ଜଣେ ଖେଳାଳିଙ୍କୁ ଦଳରୁ ବାହାର କରିବାର ମଧ୍ୟ ଏକ ସମ୍ମାନଜନକ ଉପାୟ ରହିଛି ।"

ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଆଲୋଚନା ସମୟରେ ଅଶ୍ୱିନ କହିଛନ୍ତି, "ଯଦି ଚୟନକର୍ତ୍ତାମାନେ ନିଷ୍ପତ୍ତି ନେଇସାରିଥିଲେ ଯେ ରୋହିତ ଶର୍ମା ୨୦୨୭ ବିଶ୍ୱକପ୍ ଯୋଜନାରେ ସାମିଲ ହେବେ ନାହିଁ, ତେବେ ଏହି ନିଷ୍ପତ୍ତି 2025 ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ତୁରନ୍ତ ଘୋଷଣା କରାଯିବା ଉଚିତ ଥିଲା ।" ତାଙ୍କ ମତରେ, ଏହା ଖେଳାଳିଙ୍କୁ ତାଙ୍କ ଭବିଷ୍ୟତ ବିଷୟରେ ସ୍ପଷ୍ଟତା ଦେଇଥାନ୍ତା ଏବଂ ଚାଲିଥିବା କଳ୍ପନାଜଳ୍ପନାକୁ ଏଡାଇ ଦେଇଥାନ୍ତା । ସେ କହିଛନ୍ତି ଯେ, ୨୦୨୭ ଦିନିକିଆ ବିଶ୍ୱକପ୍, ଯାହା ଦକ୍ଷିଣ ଆଫ୍ରିକାରେ ହେବ, ସେଠାରେ ରୋହିତଙ୍କ ଅଭିଜ୍ଞତା ଭାରତ ପାଇଁ ବହୁତ ଉପଯୋଗୀ ହୋଇପାରେ ।

ଅଶ୍ୱିନ ଯୁବ ଖେଳାଳି ଯଶସ୍ୱୀ ଜୟସ୍ୱାଲଙ୍କ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି । କିନ୍ତୁ ସେ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ଭଳି ପରିସ୍ଥିତିରେ ଜଣେ ଅଭିଜ୍ଞ ଖେଳାଳିଙ୍କ ଆବଶ୍ୟକତା ରହିବ ଏବଂ ରୋହିତଙ୍କ ଅନୁଭବ ଦଳ ପାଇଁ ମହତ୍ୱପୂର୍ଣ୍ଣ ହୋଇପାରେ ।

ବର୍ତ୍ତମାନ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ ୧-୧ରେ ସମାନ ସ୍ଥିତିରେ ରହିଛି । ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଜୁଲାଇ ୧୯ରେ ଲର୍ଡସ ମଇଦାନରେ ଖେଳାଯିବ । ଏବେ ସମସ୍ତଙ୍କ ନଜର ରହିଛି ଯେ, ଏହି ସିରିଜ ପରେ ରୋହିତ ଶର୍ମା ନିଜ ଭବିଷ୍ୟତକୁ ନେଇ କ'ଣ ନିଷ୍ପତ୍ତି ନେଉଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored