Videos
|
Sports

Cricket News / ବିଜୟ ହଜାରେ ଟ୍ରଫି ଖେଳିବେ କି ବିରାଟ କୋହଲି ? କୋଚ୍ ଦେଲେ ବଡ଼ ବୟାନ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବିଜୟ ହଜାରେ ଟ୍ରଫି ଖେଳିବେ କି ବିରାଟ କୋହଲି ? କୋଚ୍ ଦେଲେ ବଡ଼ ବୟାନ
Kohli Domestic Cricket

Key Points

କୋହଲିଙ୍କୁ ନେଇ ବଡ଼ ଖୁଲାସା
ବିଜୟ ହଜାରେ ଟ୍ରଫିରେ ଖେଳିବା ନେଇ ବଢ଼ିଲା ଉତ୍କଣ୍ଠା
ବିରାଟ କୋହଲିଙ୍କୁ ଡ୍ରେସିଂ ରୁମ୍‌ରେ ଚାହାନ୍ତି ଦିଲ୍ଲୀ କୋଚ୍
ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି କେବଳ ଦିନିକିଆ (ODI) ଫର୍ମାଟରେ ଭାରତ ପାଇଁ ଖେଳୁଛନ୍ତି । ତେବେ ସେ ଆଗାମୀ ୨୦୨୬-୨୭ ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀ ପକ୍ଷରୁ ଖେଳିବେ କି ନାହିଁ, ତାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି । ଏହାକୁ ନେଇ ଦିଲ୍ଲୀ ଦଳର କୋଚ୍ ବିଜୟ ଦହିୟା ନିଜର ମତ ରଖିଛନ୍ତି ।

ସୂଚନା ଅନୁସାରେ, ଗତ ସିଜିନ୍‌ରେ ବିରାଟ କୋହଲି ଦିଲ୍ଲୀ ପକ୍ଷରୁ ବିଜୟ ହଜାରେ ଟ୍ରଫି ଖେଳୁଥିବା ନଜର ଆସିଥିଲେ । ଚଳିତ ସିଜିନ୍‌ରେ ଡିସେମ୍ବର ୧୪ ତାରିଖରୁ ଏହି ଘରୋଇ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ତେଣୁ ଏଥର ମଧ୍ୟ କୋହଲିଙ୍କୁ ଦିଲ୍ଲୀ ଜର୍ସିରେ ଦେଖିବାକୁ ପ୍ରଶଂସକ ଆଶା ରଖିଛନ୍ତି ।

କୋହଲିଙ୍କୁ ଡ୍ରେସିଂ ରୁମ୍‌ରେ ରଖିବାକୁ ଚାହାନ୍ତି କୋଚ୍

ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ବିରାଟ କୋହଲିଙ୍କ ବିଜୟ ହଜାରେ ଟ୍ରଫିରେ ଖେଳିବା ନେଇ ପ୍ରଶ୍ନର ଉତ୍ତର ଦେଇ ବିଜୟ ଦହିୟା କହିଛନ୍ତି, ଯଦି କୋହଲି ଖେଳିବାକୁ ଚାହାନ୍ତି, ତେବେ ତାଙ୍କୁ ଡ୍ରେସିଂ ରୁମ୍‌ରେ ଦେଖି ସେ ଖୁସି ହେବେ ।

ସେ ଆହୁରି କହିଛନ୍ତି, କୋହଲି କେବଳ ଖେଳାଳିମାନଙ୍କ ସହ କଥା ହେବା ପାଇଁ ଆସିଲେ ମଧ୍ୟ ସେ ତାଙ୍କୁ ଘରକୁ ଯିବାକୁ ଦେବେ ନାହିଁ । ଡ୍ରେସିଂ ରୁମ୍‌ରେ ବସାଇ ଯୁବ ଖେଳାଳିମାନଙ୍କୁ ତାଙ୍କ ଜୀବନ କାହାଣୀ, କଠିନ ପରିଶ୍ରମ, ଶୃଙ୍ଖଳା ଏବଂ ଦେଶ ପାଇଁ ଖେଳିବାର ଗର୍ବ ବିଷୟରେ ଜଣାଇବାକୁ ଚାହାନ୍ତି ।
ଏଥି ସହ ପଢନ୍ତୁ:  ସିରାଜ IN, ଷ୍ଟାର୍ ଖେଳାଳି OUT ! ଦ୍ୱିତୀୟ ଦିନିକିଆରେ ବଦଳିବ ଟିମ୍ ଇଣ୍ଡିଆର ପ୍ଲେଇଂ-୧୧
ଯୁବ ଖେଳାଳିଙ୍କ ପାଇଁ କୋହଲି ଏକ ପ୍ରେରଣା

ବିଜୟ ଦହିୟା ଆହୁରି କହିଛନ୍ତି, ସେ ବିରାଟ କୋହଲିଙ୍କୁ ତାଙ୍କ କ୍ୟାରିୟରର ପ୍ରତ୍ୟେକ ପର୍ଯ୍ୟାୟରେ ଦେଖିଛନ୍ତି । ତେଣୁ ଯୁବ ଖେଳାଳିଙ୍କୁ କୋହଲିଙ୍କ ଆରମ୍ଭରୁ ଆଜିର ସଫଳତା ପର୍ଯ୍ୟନ୍ତ ଯାତ୍ରା ବିଷୟରେ କହିବାକୁ ଚାହାନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତାଙ୍କ କହିବା ଅନୁସାରେ, ସମସ୍ତେ ବିରାଟ କୋହଲି ହୋଇପାରିବେ ନାହିଁ । କିନ୍ତୁ ଯଦି ଖେଳାଳିମାନେ ଠିକ୍ ଦିଗରେ ପରିଶ୍ରମ କରନ୍ତି ଏବଂ ନିଜର କାର୍ଯ୍ୟଶୈଳୀ ଓ ଶୃଙ୍ଖଳାକୁ ବଜାୟ ରଖନ୍ତି, ତେବେ ସେମାନେ ମଧ୍ୟ ନିଜ ଜୀବନରେ ବଡ଼ ସଫଳତା ହାସଲ କରିପାରିବେ ।

ଡିସେମ୍ବର ୨୧ରୁ ଦିଲ୍ଲୀ ପାଇଁ ଖେଳିବାର ସୁଯୋଗ !

ବିଜୟ ହଜାରେ ଟ୍ରଫି ଆରମ୍ଭ ହେବାର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୧୩ରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ । ଏହି ସିରିଜ୍‌ରେ ବିରାଟ କୋହଲି ଖେଳିବା ଆଶା କରାଯାଉଛି । ସିରିଜ୍‌ର ଶେଷ ମ୍ୟାଚ୍ ଡିସେମ୍ବର ୧୯ରେ ଖେଳାଯିବ ।

ଅନ୍ୟପଟେ, ଡିସେମ୍ବର ୧୯ ସୁଦ୍ଧା ଦିଲ୍ଲୀ ଦଳ ଗୋଆ, ପଞ୍ଜାବ ଓ ରାଜସ୍ଥାନ ବିପକ୍ଷରେ ତିନୋଟି ମ୍ୟାଚ୍ ଖେଳିସାରିଥିବ। ଯଦି କୋହଲି ବିଜୟ ହଜାରେ ଟ୍ରଫିରେ ଖେଳିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଡିସେମ୍ବର ୨୧ରେ ଚଣ୍ଡିଗଡ଼ ବିପକ୍ଷରେ ଦିଲ୍ଲୀର ଚତୁର୍ଥ ମ୍ୟାଚ୍‌ରୁ ତାଙ୍କ ପାଇଁ ଖେଳିବାର ସୁଯୋଗ ରହିପାରେ । ତେବେ ବିଜୟ ହଜାରେ ଟ୍ରଫିକୁ ନେଇ ବିରାଟ କୋହଲି କ'ଣ ନିଷ୍ପତ୍ତି ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।