Videos
|
Viral stories

Live Heart Transport / ବନ୍ଦେ ଭାରତରେ ଗଲା ଜୀବନ୍ତ ହୃତପିଣ୍ଡ; ମିଥୁନଙ୍କ ହୃଦୟ ପାଲଟିବ ଅନ୍ୟ ଜଣଙ୍କ ସ୍ପନ୍ଦନ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବନ୍ଦେ ଭାରତରେ ଗଲା ଜୀବନ୍ତ ହୃତପିଣ୍ଡ; ମିଥୁନଙ୍କ ହୃଦୟ ପାଲଟିବ ଅନ୍ୟ ଜଣଙ୍କ ସ୍ପନ୍ଦନ
Live Heart Transport

Key Points

ଇତିହାସ ରଚିଲା ବନ୍ଦେ ଭାରତ
ଅଙ୍ଗଦାନ କରି ଅମର ହେଲେ ଓଡ଼ିଆ ପୁଅ
ମିଥୁନଙ୍କ ହୃଦୟ ପାଲଟିବ ଆଉ କାହାର ସ୍ପନ୍ଦନ
ଗୋଟିଏ ପଟେ ଶୋକାକୁଳ ପରିବାରର ଆଖିରୁ ଝରିପଡ଼ୁଥିଲା ଲୁହ । ଅନ୍ୟପଟେ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇବାର ଜାଗିଥିଲା ମହାନ ଭାବନା । ଓଡ଼ିଆ ପୁଅ ମିଥୁନ ନିଜେ ଚାଲିଗଲେ ସତ, କିନ୍ତୁ ଯାଉ ଯାଉ ୪ ଜଣଙ୍କ ଜୀବନରେ ଭରିଦେଇଗଲେ ନୂଆ ଆଶାର ଆଲୋକ । ଭାରତୀୟ ରେଳବାଇ ଇତିହାସରେ ପ୍ରଥମ ଥର ପାଇଁ ଘଟିଛି ଏକ ଐତିହାସିକ ଘଟଣା । ବନ୍ଦେ ଭାରତ ଏକ୍ସପ୍ରେସରେ ସଫଳତାର ସହ ପରିବହନ କରାଯାଇଛି ଜୀବନ୍ତ ହୃତପିଣ୍ଡ ।

ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର କଳାଖାଡି ଗାଁର ଯୁବକ ମିଥୁନ ସ୍ୱାଇଁ । ଗତ ଜୁଲାଇ ୨୮ ତାରିଖରେ ରାତ୍ରିଭୋଜନ ପରେ ହଠାତ୍ ତାଙ୍କ ଶରୀରର ବାମ ପାର୍ଶ୍ୱ ଅଚଳ ହୋଇପଡ଼ିଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ସୁରଟ ସିଭିଲ୍ ହସ୍ପିଟାଲର ICUରେ ଭର୍ତ୍ତି କରାଗଲା । ଡାକ୍ତରୀ ଟିମ୍‌ଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଜୁଲାଇ ୩୦ ତାରିଖରେ ମିଥୁନଙ୍କୁ 'ବ୍ରେନ୍-ଡେଡ୍' ଘୋଷଣା କରାଯାଇଥିଲା । ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗିପଡ଼ିଲା ।

  • ଅଙ୍ଗଦାନ ପାଇଁ ପରିବାରର ନିଷ୍ପତ୍ତି
କିନ୍ତୁ ଏହି ସଙ୍କଟ ସମୟରେ, 'ଅର୍ଗାନ୍ ଡୋନେସନ୍ ଚାରିଟେବଲ୍ ଟ୍ରଷ୍ଟ'ର ସ୍ୱେଚ୍ଛାସେବୀଙ୍କ ବୁଝାସୁଝା ପରେ, ମିଥୁନଙ୍କ ପତ୍ନୀ ଓ ପରିବାର ଭାରାକ୍ରାନ୍ତ ହୃଦୟରେ ନେଇଥିଲେ ଏକ ମହାନ ନିଷ୍ପତ୍ତି । 'ଆମ ମିଥୁନ ଆଉ ଫେରିବନି ସତ, କିନ୍ତୁ ତା’ର ଅଙ୍ଗ ଅନ୍ୟ କାହା ଶରୀରରେ ବଞ୍ଚି ରହିବ' ଏହି ଗୋଟିଏ ନିଷ୍ପତ୍ତି ୪ ଜଣ ବ୍ୟକ୍ତିଙ୍କୁ ଦେଇଛି ନୂଆ ଜୀବନ ।

  • ଆଗେଇ ଆସିଲା ଭାରତୀୟ ରେଳୱେ
ଦକ୍ଷିଣ ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଜୀବନ୍ତ ହୃତପିଣ୍ଡକୁ ଅତି କମ୍ ସମୟ ମଧ୍ୟରେ ସୁରଟରୁ ଅହମ୍ମଦାବାଦ ପହଞ୍ଚାଇବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ଏହି ଜରୁରୀକାଳୀନ ପରିସ୍ଥିତିରେ ଆଗେଇ ଆସିଥିଲା ଭାରତୀୟ ରେଳୱେ । ଗାନ୍ଧୀନଗର କ୍ୟାପିଟାଲ୍ ବନ୍ଦେ ଭାରତ ଏକ୍ସପ୍ରେସରେ ସୁରଟରୁ ମାତ୍ର ୩ ଘଣ୍ଟା ୪୫ ମିନିଟରେ ଅହମ୍ମଦାବାଦରେ ପହଞ୍ଚିଥିଲା ଜୀବନ୍ତ ହୃତପିଣ୍ଡ ।

ପଢନ୍ତୁ ଏହି ଖବର: ପରିବାର ପୋଷିବାକୁ ଯାଇ ଗୁଜରାଟରେ ଚାଲିଗଲା ଜୀବନ; ଅଙ୍ଗଦାନ କରି ରଖିଲେ ଓଡ଼ିଶାର ଟେକ

ଜୀବନ୍ତ ହୃତପିଣ୍ଡକୁ ଅହମ୍ମଦାବାଦ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରୁ 'ୟୁ.ଏନ୍. ମେହେଟ୍ଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି' ପର୍ଯ୍ୟନ୍ତ ବିନା କୌଣସି ବାଧାରେ ପହଞ୍ଚାଇବା ପାଇଁ ଗୁଜରାଟ ପୋଲିସ ଏବଂ RPF ମିଳିତ ଭାବେ ଏକ 'ଗ୍ରୀନ୍ କରିଡର' ପ୍ରସ୍ତୁତ କରିଥିଲେ । ଟ୍ରାଫିକ୍‌କୁ ସମ୍ପୂର୍ଣ୍ଣ ମୁକ୍ତ ରଖି ନିର୍ଦ୍ଧାରିତ ସମୟ ଭିତରେ ହୃତପିଣ୍ଡକୁ ହସ୍ପିଟାଲରେ ପହଞ୍ଚାଯାଇଥିଲା, ଯେଉଁଠାରେ ଜଣେ ରୋଗୀଙ୍କ ଶରୀରରେ ଏହାକୁ ସଫଳତାର ସହ ପ୍ରତ୍ୟାରୋପଣ କରାଯାଇଛି । ଜଣେ ଓଡ଼ିଆ ପୁଅର ହୃଦୟ ଆଜି ଅନ୍ୟ ଜଣଙ୍କ ଛାତିରେ ସ୍ପନ୍ଦିତ ହେଉଛି । ମିଥୁନଙ୍କ ଏହି ଅପୂର୍ବ ତ୍ୟାଗ ଏବଂ ଭାରତୀୟ ରେଳୱେର ଏହି ଐତିହାସିକ ପଦକ୍ଷେପକୁ ଚାରିଆଡୁ ପ୍ରଶଂସା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: