Videos
|
Weather-calamities

Cyclone Arnab Landfall / ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’, କାଲି ସକାଳେ କରିବ ଲ୍ୟାଣ୍ଡଫଲ୍‌ ! ୧୪୦ କିମି ବେଗରେ ବହିବ ପବନ

Santosh Kumar Sahoo
Browse all articles by Santosh Kumar Sahoo
·58 mins ago·2 min read
ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’, କାଲି ସକାଳେ କରିବ ଲ୍ୟାଣ୍ଡଫଲ୍‌ ! ୧୪୦ କିମି ବେଗରେ ବହିବ ପବନ
Cyclone Arnab Landfall

Key Points

ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟା ରୂପ ନେଲା ଅର୍ଣ୍ଣବ
ଗୋପାଳପୁର ଠାରୁ ଦକ୍ଷିଣରେ ୩୮୦ କିମି ଦୂରରେ ଅର୍ଣ୍ଣବ
ବିଶାଖାପାଟଣା ଠାରୁ ଦକ୍ଷିଣପୂର୍ବର ୩୦୦ କିମି ଦୂରରେ କେନ୍ଦ୍ରୀଭୂତ
ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ଅର୍ଣ୍ଣବ’ । ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ୁଛି ଏହି ବାତ୍ୟା । ବର୍ତ୍ତମାନ ଏହା ଗୋପାଳପୁରଠାରୁ ଦକ୍ଷିଣରେ ପ୍ରାୟ ୩୮୦ କିଲୋମିଟର ଦୂରରେ ଥିବା ବେଳେ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୩୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ।



ପାଣିପାଗ ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଏହାପରେ ଗତିପଥରେ ପରିବର୍ତ୍ତନ କରି ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇବା ସହ ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ଆଡ଼କୁ ଅଗ୍ରସର ହେବ ।

ଆସନ୍ତାକାଲି ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶର ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ବାତ୍ୟା ‘ଅର୍ଣ୍ଣବ’ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ । ଏହାସହ ପବନର ଝଟକା ଘଣ୍ଟାପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି ।

ବଙ୍ଗୋପସାଗରରେ ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ଉପକୂଳର ସମସ୍ତ ପ୍ରମୁଖ ଓ ଛୋଟ ବନ୍ଦରରେ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଗୁରୁତର ବନ୍ଦର ସତର୍କ ସଙ୍କେତ ଜାରି କରାଯାଇଛି । ଜୀବନ ଓ ସମ୍ପତ୍ତିର ସୁରକ୍ଷା ସହ ବିପର୍ଯ୍ୟୟର ମୁକାବିଲା ପାଇଁ ତତ୍ପରତାମୂଳକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟାଜନିତ ବିପଦକୁ ଦୃଷ୍ଟିରେ ରଖି ମାଛଧରା କାର୍ଯ୍ୟକଳାପ, ଯାତ୍ରୀବାହୀ ଫେରି ସେବା, ଡଙ୍ଗା ଚଳାଚଳ ଓ ବାଣିଜ୍ୟିକ ଜାହାଜ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କୁହାଯାଇଛି । ଏଥିପାଇଁ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ନେବାକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ବନ୍ଦର ଓ ଆଭ୍ୟନ୍ତରୀଣ ଜଳପଥରେ ରହିଥିବା ଜାହାଜ, ଟ୍ରଲର ଓ ଅନ୍ୟାନ୍ୟ ଜଳଯାନଗୁଡ଼ିକୁ ସୁରକ୍ଷିତ ଭାବେ ଲଙ୍ଗର କରିବା ସହ ସେମାନଙ୍କ ସୁରକ୍ଷା ଯାଞ୍ଚ କରିବାକୁ କୁହାଯାଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ରାସ୍ତାଘାଟ ସଫା କରିବା, ଯାତାୟାତ ସ୍ୱାଭାବିକ କରିବା ଓ ସାମୁଦ୍ରିକ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଆଗୁଆ ପ୍ରସ୍ତୁତି ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: