Videos
|
Weather-calamities

Odisha Monsoon Withdrawal / ଓଡ଼ିଶାରୁ ଫେରୁଛି ମୌସୁମୀ, ରାଜ୍ୟର ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଓଡ଼ିଶାରୁ ଫେରୁଛି ମୌସୁମୀ, ରାଜ୍ୟର ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ
Odisha Monsoon Withdrawal

Key Points

ଓଡ଼ିଶାରୁ ଆରମ୍ଭ ହେଲା ମୌସୁମୀ ବିଦାୟ
୩-୪ ଦିନରେ ଆହୁରି ଅଞ୍ଚଳରୁ ହଟିବ ମୌସୁମୀ
ଆସନ୍ତା ୩-୪ ଦିନରେ ଶୁଖିଲା ହେବ ପାଗ
ଫେରୁଛି ମୌସୁମୀ । ଆଜିଠୁ ରାଜ୍ୟରୁ ଆରମ୍ଭ ହେଲା ମୌସୁମୀ ବାୟୁର ବିଦାୟ ପ୍ରକ୍ରିୟା । ବରଗଡ଼, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗାମୀ ୩-୪ ଦିନ ମଧ୍ୟରେ ପୂର୍ବ ଭାରତର ଆହୁରି କିଛି ଅଞ୍ଚଳରୁ ମୌସୁମୀ ବିଦାୟ ପାଇଁ ପାଗ ଅନୁକୂଳ ରହିଛି ।

ଅନ୍ୟପଟେ, ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହୋଇନାହିଁ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୨ରୁ ୩ ଡିଗ୍ରୀ ଅଧିକ ରହିଛି । ନୟାଗଡ଼ ଓ ପାରଳାଖେମୁଣ୍ଡିରେ ସର୍ବାଧିକ ୩୬ ଡିଗ୍ରୀ ସେଲସିୟସ ଏବଂ ଫୁଲବାଣୀରେ ସର୍ବନିମ୍ନ ୨୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

ଆଗାମୀ ୨୪ ଘଣ୍ଟାରେ ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବିଜୁଳି ଏବଂ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଟକା ପବନ ବହିପାରେ । ଏନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ: ଆଜିଠାରୁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା,୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପର ପୂର୍ବାନୁମାନ


ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ଘଡ଼ଘଡ଼ି, ବିଜୁଳି ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ହୋଇପାରେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ସହ ବର୍ଷା ହୋଇପାରେ । ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନ ସହ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ନନ୍ଦପୁରରେ ସର୍ବାଧିକ ୭୩.୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଭଞ୍ଜନଗରରେ ୪୮.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।