Videos
|
Weather-calamities

Odisha Rainfall Record / ୨୫ ବର୍ଷ ଭିତରେ ରାଜ୍ୟରେ ରେକର୍ଡ ଭାଙ୍ଗିଲା ବର୍ଷା, ମାତ୍ର ୩ ମାସରେ ବର୍ଷିଲା ୧୧ ଶହ ମିଲିମିଟର

Santosh Kumar Sahoo
Browse all articles by Santosh Kumar Sahoo
·52 mins ago·2 min read
୨୫ ବର୍ଷ ଭିତରେ ରାଜ୍ୟରେ ରେକର୍ଡ ଭାଙ୍ଗିଲା ବର୍ଷା, ମାତ୍ର ୩ ମାସରେ ବର୍ଷିଲା ୧୧ ଶହ ମିଲିମିଟର
Odisha Rainfall Record

Key Points

୨୫ ବର୍ଷ ଭିତରେ ରାଜ୍ୟରେ ସବୁଠୁ ଅଧିକ ବର୍ଷା ରେକର୍ଡ
ତିନି ମାସ ମଧ୍ୟର ୧୧ଶହ ମିଲିମିଟର ବର୍ଷା ପରେ ବନ୍ୟା ସ୍ଥିତି
୬ଟି ଜିଲ୍ଲାର ୯ ଲକ୍ଷ ୪୦ ହଜାର ଲୋକ ବନ୍ୟା ପ୍ରଭାବିତ
ବନ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ହଜାରେ କୋଟି ଟଙ୍କାର ୧୦ ସୂତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରଭାବିତ ଚାଷୀମାନଙ୍କୁ ଦୁଇ ହେକ୍ଟର ପର୍ଯ୍ୟନ୍ତ ଇନପୁଟ ସବସିଡି ସହାୟତା ପ୍ରଦାନ କରାଯିବ । କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କ୍ରୟ ପାଇଁ ଡିବିଟି ମାଧ୍ୟମରେ ସହାୟତା ପ୍ରଦାନ କରାଯିବ । ଚଳିତ ବର୍ଷ ସ୍ବାଭାବିକ ଠାରୁ ୩୪ ପ୍ରତିଶତ ଅଧିକ ବର୍ଷା ହୋଇଥିବାରୁ ବାରମ୍ବାର ବନ୍ୟା ପରିସ୍ଥିତି ଦେଖାଦେଇଛି । ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ଷତିଗ୍ରସ୍ତ ଅଂଚଳରେ ପୂର୍ବସ୍ଥିତି ଫେରାଇ ଆଣିବା ପାଇଁ ପ୍ରତିବନ୍ଧକ ହେବନି ଅର୍ଥ ।

ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅଜବ ଖେଳ । ଜୁନ୍‌, ଜୁଲାଇ, ଅଗଷ୍ଟ ମାସରେ ୧୧ ଶହ ମିଲିମିଟର ବର୍ଷା ସହ ୨୫ ବର୍ଷ ଭିତରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଏହା ହେଉଛି ଦେଶର ସବୁଠାରୁ ଅଧିକ ବର୍ଷା ପରିମାଣ । ଚଳିତବର୍ଷ ସ୍ବାଭାବିକ ଠାରୁ ୩୪% ଅଧିକ ବର୍ଷା ହୋଇଛି ।

ଅଧିକ ପଢ଼ନ୍ତୁ: କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝରରେ ବନ୍ୟା ବିତ୍ପାତ…ବୈତରଣୀ, ଖରସ୍ରୋତା, ବ୍ରାହ୍ମଣୀରେ ଆସିଲା ଦ୍ବିତୀୟ ବନ୍ୟା


ଲଗାଣ ବର୍ଷା ପରେ ବିଭିନ୍ନ ନଦୀରେ ବନ୍ୟା ପାଣି ଆଶି ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ବିପନ୍ନମାନେ ପାଣି ଘେରରେ ରହିଛନ୍ତି । ବନ୍ୟା କ୍ଷୟକ୍ଷତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହଜାରେ କୋଟି ଟଙ୍କାର ୧୦ ସୂତ୍ରୀ ପ୍ୟାକେଜ୍‌ ଘୋଷଣା କରିଛନ୍ତି । ୩୩% କିମ୍ବା ଊର୍ଦ୍ଧ୍ୱ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ଦିଆଯିବ । ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮ ହଜାର ୫୦୦, ଜଳସେଚିତ ଜମି ପାଇଁ ୧୭ ହଜାର ଟଙ୍କା, ୧୨ ମାସୀ ଫସଲ କ୍ଷତି ହୋଇଥିଲେ ହେକ୍ଟର ପିଛା ୨୨ ହଜାର ୫୦୦ଟଙ୍କା ମିଳିବ । ଧାନ ଓ ଅଣଧାନ ପାଇଁ ବିହନ କିଣିବାକୁ ଆର୍ଥିକ ସହାୟତା ଡିବିଟି ମାଧ୍ୟମରେ ପାଇବେ ଚାଷୀ । ସରକାରୀ ବିହନ ଚାଷୀଙ୍କ ପାଖରେ ଉପଲବ୍ଧ କରାଯିବ । ପ୍ରାରମ୍ଭିକ ଆକଳନ ଅନୁଯାୟୀ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି ।

ଲଗାତର ବନ୍ୟା ପରେ ୬ ଜିଲ୍ଲାର ୧୩୮୧ ଗାଁ ପ୍ରଭାବିତ ହୋଇଛି । ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାର ୯ ଲକ୍ଷ ୪୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୩ ଲକ୍ଷ ୭୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଯାଜପୁରର ୧୦ ବ୍ଲକର ୨୭୦ ଗାଁରେ ଥିବା ୨ ଲକ୍ଷ ୮୦ ହଜାର ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି । ଭଦ୍ରକ ଜିଲ୍ଲାର ୪ ବ୍ଲକର ୧୪୯ ଗାଁ ବନ୍ୟା ପ୍ରଭାବିତ । ପରିସ୍ଥିତିକୁ ଦେଖି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦିଆଯାଉଛି । ୬ ଜିଲ୍ଲାରେ ୪୫ ଓଡ୍ରାଫ୍ ଓ ୮ NDRF ଟିମ୍ ମୁତୟନ ଅଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମର ଗୋଟିଏ ଟାର୍ଗେଟ ଜିରୋ କାଜୁଆଲିଟି, ସେ ଦିଗରେ କାମ କରୁଛୁ । ସେପଟେ ବନ୍ୟା ପ୍ରଭାବିତ ଅଂଚଳରେ ଶହେରୁ ଅଧିକ ଲୋକଙ୍କୁ ସାପା କାମୁଡିଥିଲେ ମଧ୍ୟ ପ୍ରାକ୍ ପ୍ରସ୍ତୁତି ଯୋଗୁଁ କାହାର ମୃତ୍ୟ ହୋଇନାହିଁ ।

ଗତକାଲି ମୁଖ୍ୟମନ୍ତ୍ରୀ ଯାଜପୁର ଦଶରଥପୁରର ରାମଚନ୍ଦ୍ରପୁର ଗାଁକୁ ଯାଇ ରିଲିଫ କାର୍ଯ୍ୟର ଅନୁଧ୍ୟାନ କରିବା ସହ ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ଲୋକଙ୍କ ପାଖରେ ପହଞ୍ଚୁଛି ନା ନାହିଁ ତା'ର ତଦାରଖ କରିଥିଲେ । ବିପନ୍ନଙ୍କ ନିକଟକୁ ଖାଦ୍ୟ ସାମଗ୍ରୀ ପଠାଇବାପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସହଯୋଗ କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: