Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cyclone Montha / ମାଲକାନଗିରିରୁ କେତେ ଦୂରରେ ଯିବ 'ମୋନ୍ଥା' ? କହିଦେଲେ ରାଜସ୍ଵ ମନ୍ତ୍ରୀ...

Sushanta Sahoo
Browse all articles by Sushanta Sahoo
·8 months ago·4 min read
ମାଲକାନଗିରିରୁ କେତେ ଦୂରରେ ଯିବ 'ମୋନ୍ଥା' ? କହିଦେଲେ ରାଜସ୍ଵ ମନ୍ତ୍ରୀ...

Key Points

ବାତ୍ୟା 'ମୋନ୍ଥା'କୁ ନେଇ ବୈଠକ ପରେ ମନ୍ତ୍ରୀ ଦେଇଛନ୍ତି ବଡ଼ ଅପଡେଟ୍ । ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ରାଜ୍ୟର ୮ଟି ଜିଲ୍ଲା ରେଡ ଜୋନ୍‌ରେ ରହିଛି । ଏହି ଜିଲ୍ଲାରେ ବାତ୍ୟାର ପ୍ରତିଫଳନ ରହିବ ।"

ଭୁବନେଶ୍ଵର: ବଙ୍ଗୋପସାଗରରେ ବାତ୍ୟା ଆସୁଛି । ବାତ୍ୟା 'ମୋନ୍ଥା'କୁ ନେଇ ଓଡ଼ିଶା ସଜାଗ ରହିଥିବା ବେଳେ ରାଜସ୍ଵ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଜ ପୂଜାରୀ ଦେଇଛନ୍ତି ବଡ଼ ସୂଚନା । ସ୍ଵତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ସମ୍ଭାବ୍ୟ ବାତ୍ୟା 'ମୋନ୍ଥା'କୁ ନେଇ ବୈଠକ ପରେ ମନ୍ତ୍ରୀ ଦେଇଛନ୍ତି ବଡ଼ ଅପଡେଟ୍ । ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ରାଜ୍ୟର ୮ଟି ଜିଲ୍ଲା ରେଡ ଜୋନ୍‌ରେ ରହିଛି । ଏହି ଜିଲ୍ଲାରେ ବାତ୍ୟାର ପ୍ରତିଫଳନ ରହିବ ।"

ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, "ମାଲକାନାଗିରି ଠାରୁ ୨୦୦ କିମି ଦୂରରେ ବାତ୍ୟା ଅତିକ୍ରମ କରିବ । ବାତ୍ୟାରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଅତି ଭାରି ବର୍ଷା ସହ ଭୂସ୍ଖଳନ, ଆକସ୍ମିକ ବନ୍ୟା ଆଶଙ୍କା କରାଯାଉଛି । ତେଣୁ ଏସବୁ ଜିଲ୍ଲାରେ ପ୍ରସ୍ତୁତି ସରିଛି, ସରକାର ଆଲୋଚନା କରିଛନ୍ତି । ଗତକାଲି ୧୫ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଥିଲୁ । ଆଜି ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛୁ।"

ଏଥିସହ ପଢ଼ନ୍ତୁ: 'ଆମ ବସ୍‌'ରେ ସୃଷ୍ଟି କରୁଥିଲେ କୃତ୍ରିମ ଭିଡ଼, ଚାରିପଟେ ଘେରି ଲୁଟ୍ କରୁଥିଲେ ଟଙ୍କା ଓ ଅଳଙ୍କାର

କିଛିଦିନ ତଳେ ଲଘୁଚାପ ବର୍ଷାରେ ଗଜପତିରେ ଭୂସ୍ଖଳନ ହୋଇଥିଲା । ଏବେ ସେହି ଅନୁଭବରୁ ସବୁଠି ODRAF ଟିମ୍ ପ୍ରସ୍ତୁତ ରହିଛନ୍ତି । ମାଲକାନଗିରିରେ ୩ଟି ଓଡ୍ରାଫ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ସଜାଗ ରହିଛନ୍ତି । ୮ଟି ଅଗ୍ନିଶମ ବାହିନୀ ଯନ୍ତ୍ରପାତି ସହ ସମସ୍ତ ଜିଲ୍ଲାରେ ପ୍ରସ୍ତୁତ ରହିଛନ୍ତି । ୮ ଜିଲ୍ଲାରେ ୧୨୮ଟି ଟିମ୍ ନିୟୋଜିତ ହୋଇଛନ୍ତି ।

ସାମଗ୍ରୀ କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ । ଜିଲ୍ଲା, ବ୍ଲକ, ପଞ୍ଚାୟତ ପ୍ରଶାସନ ପ୍ରସ୍ତୁତ ଅଛନ୍ତି । ଜିରୋ କାଜୁଆଲିଟି ପାଇଁ ମନ୍ତ୍ରୀ ଆହ୍ଵାନ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅସୁସ୍ଥ, ଗର୍ଭବତୀ ମହିଳା ଓ ବୟସ୍କଙ୍କ ଏକ ତାଲିକା ଜିଲ୍ଲା ସ୍ତରରେ ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସ୍ଥାନାନ୍ତର କରାଯିବ । ସମସ୍ତ ଚିକିତ୍ସାଳୟ ପ୍ରସ୍ତୁତ, ମେଡିସିନ ସବୁ ମହଜୁଦ ରଖାଯାଇଛି ।

ବାତ୍ୟାକୁ ଆହୁରି ୨୪ ଘଣ୍ଟା ସମୟ ରହିଛି । ଚାଷ କ୍ଷେତ୍ରକୁ ରକ୍ଷା କରିବା ପାଇଁ ଚାଷୀଙ୍କୁ ଅପିଲ୍ କରାଯାଇଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ପାହାଡ଼ିଆ ଅଞ୍ଚଳକୁ ଚିହ୍ନଟ କରି ପ୍ରତିଷେଧକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠି ପଥର ଖସିବାର ଆଶଙ୍କା ଅଛି, ସେଠାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଲୋକେ ଘରୁ ବାହାରକୁ ନ ବାହାରିବା ପାଇଁ ସଚେତନ କରାଯାଇଛି ।

ରାଜ୍ୟର ସମସ୍ତ ଡାକ୍ତରଖାନା, ରିଲିଫ ସେଣ୍ଟର୍ ସବୁକୁ ଅତିରିକ୍ତ ଶକ୍ତି (ବିଦ୍ୟୁତ୍) ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଗଛ ପଡ଼ିବା ଭଳି ସମସ୍ୟା ପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ମେସିନ୍ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ପ୍ରଶାସନ ସମସ୍ତେ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସମସ୍ତେ ଏବେ ସ୍ଥଳଭାଗକୁ ଆସି ଯାଇଛନ୍ତି । କେହି ରହି ଯାଇନାହାନ୍ତି ତ ସେଥିପାଇଁ ତଦାରଖ କରିବେ ପୋଲିସ ଅଧିକାରୀ । ସମୁଦ୍ର ପାଖ ହୋଟେଲରେ ବାତ୍ୟା ସମୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରେ ରଖି ଯେଉଁ ଜୋନରେ ବି ହେଉ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଜିଲ୍ଲାରେ ବାତ୍ୟା ପହଞ୍ଚିବ ସେଠାରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ସମସ୍ତ ମୁକାବିଲା କାର୍ଯ୍ୟ କରାଯିବ । ପଡ଼ୋଶୀ ଜିଲ୍ଲା ମଧ୍ୟ ପ୍ରଭାବିତ ଜିଲ୍ଲା ପାଇଁ କାର୍ଯ୍ୟ କରିବେ । ଏନେଇ ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟାପ୍ତ ଜାଗା ସ୍ଥାନାନ୍ତର ପାଇଁ ମହଜୁଦ ରହିଛି । ବାତ୍ୟା ଆଶ୍ରୟ ସ୍ଥଳୀ ସବୁକୁ ତଦାରଖ କରାଯାଇଛି । ସେଠାରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡ଼ିଲେ ସ୍କୁଲ ଘର କିମ୍ବା କମ୍ୟୁନିଟି ହଲ୍‌କୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଏଥିସହ ପଢ଼ନ୍ତୁ: ଅଷ୍ଟ୍ରେଲିଆ ଛାଡ଼ିବା ବେଳେ ରୋହିତଙ୍କ ରହସ୍ୟଜନକ ପୋଷ୍ଟ, ପ୍ରଶଂସକଙ୍କ ବଢ଼ିଲା ଚିନ୍ତା

ବାତ୍ୟା ପାଇଁ ବର୍ତ୍ତମାନ ସୁଦ୍ଧା ୨୦ ଜିଲ୍ଲାର ସମସ୍ତ ଛୁଟି ବାତିଲ କରାଯାଇଛି । ସମସ୍ତ ପ୍ରକାରର ପ୍ରାଣୀ ଉଭୟ ଗୃହପାଳିତ ଓ ଅନ୍ୟାନ୍ୟ ପଶୁ ମାନଙ୍କୁ ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର କରାଯିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଆଶ୍ରୟ ସ୍ଥଳୀରେ ପଶୁଙ୍କୁ ମଧ୍ୟ ରଖିବାର ବ୍ୟବସ୍ଥା କରାଯିବ । ବନ୍ୟା ସ୍ଥିତିକୁ ଦେଖି ସମସ୍ତ ଜଳଭଣ୍ଡାରରେ ୮୮ ପ୍ରତିଶତ ଜଳ ସଂରକ୍ଷଣରୁ ଏବେ ଜଳ ଛଡ଼ା ଯାଉଛି । ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ଜଳ ଛାଡ଼ିବାକୁ ଆରମ୍ଭ କରିଛି ଜଳସମ୍ପଦ ବିଭାଗ । ଉପରମୁଣ୍ଡରେ ବର୍ଷା ହେଲା ବେଳେ କିପରି ବନ୍ୟା ସ୍ଥିତିକୁ ହଟାଇବା ପାଇଁ ଜଳସମ୍ପଦ ବିଭାଗ ସହ ଯୋଗାଯୋଗରେ ରହିଛନ୍ତି ସରକାର ।



ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ପାଇଁ ସମସ୍ତ ପୌରାଞ୍ଚଳ ପାଇଁ ୩ ସିଫ୍ଟରେ କାର୍ଯ୍ୟ କରିବେ ଅଧିକାରୀ । ସମସ୍ତ ମେସିନ ଚେକ୍ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କୃତ୍ରିମ ବନ୍ୟା ରୋକିବା ପାଇଁ ନିଜର ମାନବ ସମ୍ବଳ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cyclone Montha: Odisha Issues Red Alert in Eight Districts | Argus News | Argus News