ଆକାଉଣ୍ଟକୁ ଆସିଲା ୧ ଟଙ୍କା, ବଢିଲା ସୁଭଦ୍ରା ଉତ୍କଣ୍ଠା
by Argus News
Mon, Oct 07 | 9:35 p.m.

ଭୁବନେଶ୍ୱର:  ଫାଇନାଲ୍ ଟ୍ରାନ୍ସଫର ପୂର୍ବରୁ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଆସିଲା 1 ଟଙ୍କା, ବଢ଼ିଲା ଉତ୍କଣ୍ଠା । ସମ୍ପୂର୍ଣ୍ଣ ହେଲାଣି 1 କୋଟିରୁ ଅଧିକ ପଞ୍ଜିକରଣ । ଆସନ୍ତା 9 ତାରିଖରେ ମା ସୁଭଦ୍ରାଙ୍କ ମାଟି ବାରିପଦାରୁ 40 ଲକ୍ଷ ମହିଳାଙ୍କୁ ସୁଭଦ୍ରା ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ । ପୂଜା ସମୟରେ ମିଳିବ ଟଙ୍କା, ମହିଳାଙ୍କ ମଧ୍ୟରେ ଖୁସିର ଲହରୀ  । 

୯ ତାରିଖରେ ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦେବେ ସରକାର । ତା ପୂର୍ବରୁ ଯୋଗ୍ୟ ବିବେଚିତ ମହିଳାଙ୍କ ଆକାଉଣ୍ଟକୁ ଆଜି ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଯାଇଛି । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ସୁଦ୍ଧା ୧ କୋଟି ପାର୍ କଲାଣି ସୁଭଦ୍ରା ଯୋଜନା ଆବେଦନ ସଂଖ୍ୟା । ତେବେ ଆବେଦନକାରୀଙ୍କ ମଧ୍ୟରୁ ୩୨ ଲକ୍ଷ ହିତାଧିକାରୀଙ୍କର NPCI କ୍ଲିୟରାନ୍ସ ମିଳିସାରିଛି । ଆଜି ସୁଦ୍ଧା ଯେତିକି ସଂଖ୍ୟାରେ ମହିଳାଙ୍କର NPCI କ୍ଲିୟରାନ୍ସ ମିଳିବ ସେମାନଙ୍କୁ ଆସନ୍ତା ୯ ତାରିଖ ଦିନ ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । NPCI କ୍ଲିୟରାନ୍ସ ପାଇନଥିବା ହିତାଧିକାରୀଙ୍କ ଆବେଦନପତ୍ର ପୁନଃ ଯାଞ୍ଚ କରାଯିବ । ତେବେ ୧ କୋଟିରୁ ଉର୍ଦ୍ଧ୍ଵ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

 ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ମୟୂରଭଞ୍ଜ ଜିଲ୍ଲାକୁ କରୁଛନ୍ତି ମୋହନ ମାଝୀ । ମହିଳାଙ୍କୁ ସଶକ୍ତ, ଆତ୍ମନିର୍ଭରଶୀଳ ଓ ସମୃଦ୍ଧ କରିବା ପାଇଁ ବାରିପଦାରେ ସୁଭଦ୍ରା ଯୋଜନାର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ବାଣ୍ଟିବେ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ସମେତ ବିଶେଷ କରି ମହିଳାଙ୍କ ଭିତରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି ।  ୯ ତାରିଖରେ ମା ସୁଭଦ୍ରାଙ୍କ କ୍ଷେତ୍ର ବାରିପଦାରର ସୁଭଦ୍ରାର ଦ୍ଵିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଯେଉଁଥିପାଇଁ ସ୍ଥାନୀୟ ଛଉ ପଡିଆ ନିକଟ କଲେଜ ପଡିଆରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି । ଅକ୍ଟୋବର ୯ ତାରିଖ ଦିନ ୧୧ଟା ବେଳେ "ସୁଭଦ୍ରା ସମ୍ମିଳନୀ" ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏହାସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଏବଂ ବିଭିନ୍ନ ବିଭାଗର ମନ୍ତ୍ରୀ ମାନେ, ସରକାରୀ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିବେ ।

 ସୁଭଦ୍ରା ଓଡ଼ିଶା ଇତିହାସର ସବୁଠୁ ବଡ଼ ଯୋଜନା । ଯେଉଁଥିରେ ୧ କୋଟିରୁ ଉର୍ଦ୍ଧ୍ଵ ମହିଳା ସାମିଲ ହୋଇ ସ୍ଵାବଲମ୍ବୀ ହେବାର ରାହା ପାଇବେ । ୨୪ ନିର୍ବାଚନରେ ଗେମ୍ ଚେଞ୍ଜର୍ ଥିଲା ସୁଭଦ୍ରା ଯୋଜନାର ପ୍ରତିଶ୍ରୁତି । ସୁଭଦ୍ରା ଯୋଜନା ଭାଙ୍ଗି ଦେଲା ବିଜେଡ଼ିର ମହିଳା ଭୋଟ ବ୍ୟାଙ୍କ୍ ବଳ । ରାଜ୍ୟ ରାଜନୀତିର ସମୀକରଣକୁ ବଦଳାଇ ୨୪ ବର୍ଷର ସରକାରକୁ ଗାଦିଚ୍ୟୁତ କରିବାରେ ବଡ଼ ସହାୟକ ହୋଇଥିଲା ବିଜେପିର ଏହି ଘୋଷଣା । ତେବେ ସେପ୍ଟେମ୍ବର ୧୭ରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ସେଦିନ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସହାୟତା ରାଶି ମିଳିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଅକ୍ଟୋବର ୯ ଦିନ ୪୦ ଲକ୍ଷ ମହିଳାଙ୍କୁ ମିଳିବାକୁ ଯାଉଛି ପ୍ରଥମ କିସ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

T-20 କ୍ରିକେଟରେ
T-20 କ୍ରିକେଟରେ ମହାରେକର୍ଡ ସୃଷ୍ଟି କଲେ କ୍ୟାପଟେନ ସୂର୍ଯ୍ୟକୁମାର
ଅର୍ଗସ ବ୍ୟୁରୋ: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦମଦାର ବୋଲିଂ ଆଟାକ୍ ସହ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋର
ଗୋରୁ ଚାଲାଣ
ଗୋରୁ ଚାଲାଣ ଅଭିଯୋଗରେ ଡ୍ରାଇଭର ଗିରଫ
ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ପୋଲିସ ଏକ ଗୋରୁ ବୋଝେଇ ଜବତ କରିବା ସହ ସହ ଡ୍ରାଇଭରକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଦେଓଗାଁ ଥାନା ସନ୍ଧିଜୋର ଗାଁର ଶ୍ରୀତ
ଗ୍ରାହକଙ୍କୁ ଝଟକା
ଗ୍ରାହକଙ୍କୁ ଝଟକା ଦେଲା SBI, କ୍ରେଡିଟ୍ କାର୍ଡ଼ ନିୟମରେ ବଡ଼ ପରିବର୍ତ୍ତନ
ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI) ଗ୍ରାହକଙ୍କ ପାଇଁ ବଡ଼ ଖବର । ଅପଣ ବିଦ୍ୟୁତ , ଗ୍ୟାସ୍, ପାଣି ଭଳି ୟୁଟିଲିଟି ବିଲ୍ ପୈଠ କରିବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲ