ଅର୍ଗସ ବ୍ୟୁରୋ: ପୂର୍ବ ବିଜେଡି ସରକାରର ଆଉ ଏକ ବିଫଳତା । ବନ୍ଦ ହେବାକୁ ଯାଉଛି ଛତ୍ରପୁର ନିକଟରେ ଥିବା ଦେଶର ପ୍ରଥମ ସ୍ଲାଗ ପ୍ଲାଣ୍ଟ ଟିଟାନିୟମ କମ୍ପାନୀ । ନିଯୁକ୍ତି ହରାଇବେ ଶହ ଶହ କର୍ମଚାରୀ । ଏ ନେଇ କାର୍ଯ୍ୟରତ କର୍ମଚାରୀଙ୍କୁ ନୋଟିସ କରିଛି କମ୍ପାନୀ । ଦୀର୍ଘ ବର୍ଷ ଧରି କମ୍ପାନୀ କ୍ଷତିରେ ଚାଲୁଥିବା ବେଳେ ଏବେ କମ୍ପାନୀ କତ୍ତୃପକ୍ଷ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଣୁ ସମସ୍ତ କର୍ମଚାରୀଙ୍କୁ ଛଟେଇ କରାଯିବାକୁ ନିର୍ଦେଶ ଦେଇଛନ୍ତି କତ୍ତୃପକ୍ଷ । ଏବେ କମ୍ପାନୀ କୋଟି କୋଟି ଟଙ୍କା ବକେୟା ଏବଂ କ୍ଷତି ସହୁଥିବା କାରଣରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଛଟେଇ କରିବା କର୍ମଚାରୀ ମାନଙ୍କୁ ଥଇଥାନ କରିବା ଉଦ୍ଧେଶ୍ୟରେ ସମସ୍ତ କର୍ମଚାରୀ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ ପଦର୍ଶନ କରିବା ସହ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପଠାଇଛନ୍ତି ।
ବିସ୍ଥାପିତଙ୍କୁ ନିଯୁକ୍ତିର ସ୍ବପ୍ନ ଦେଖାଇ ଏବେ କମ୍ପାନୀ ବଡ଼ ଧୋକା ଦେଉଛି ବୋଲି ଅଭିଯୋଗ କରିଛନ୍ତି ବିସ୍ଥାପିତ । ଯଦି କମ୍ପାନୀ ବନ୍ଦ ହୁଏ ତେବେ ନେଇଥିବା ୨୫୦ ଏକର ଜମି ଫେରାଯାଉ ବୋଲି ସେମାନେ ଦାବି କରିଛନ୍ତି । କମ୍ପାନୀ ବନ୍ଦ ହେବା ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଛତ୍ରପୁର ବିଧାୟକ ।
୩୫୦ କୋଟି ଟଙ୍କାରେ ଏହି ପ୍ଲାଣ୍ଟ ନିର୍ମାଣ ହୋଇଥିଲା । ଏଠାରେ ସ୍ଲାଗ ଉତ୍ପାଦନ କରି ଚୀନ ଜରିଆରେ ଜାପାନକୁ ରପ୍ତାନୀ କରିବାକୁ ଅନୁମତି ମିଳିଥିଲା । ଭାରତର ପ୍ରତିରକ୍ଷା ବିଭାଗ ବିମାନ ଯୁଦ୍ଧ ଜାହାଜ ଏବଂ ବିଭିନ୍ନ ଯାନବାହନ ପାଇଁ ଟିଟାନିୟମ ସ୍ଲାଗ ଆମଦାନୀ କରି ବାର୍ଷିକ ୭୫ହଜାର ଟନ ଇଲୁମିନାଇଟ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ସ୍ଲାଗ ଉତ୍ପାଦନରେ ଯେଉଁ ଅନୁଦାନ ଖର୍ଚ୍ଚ ହେଉଥିଲା ସେହି ହିସାବରେ ଲାଭ ମିଳୁନଥିବାରୁ କମ୍ପାନୀକୁ ବହୁ କ୍ଷତି ସହିବାକୁ ପଡୁଥିଲା । କାରଖାନାର ବିଦ୍ୟୁତ ସରବରାହ ପାଇଁ କୋଟି କୋଟି ଟଙ୍କା ବିଲ ମଧ୍ୟ ବକେୟା ଅଛି । ଫଳରେ ଏତେ ବଡ଼ କମ୍ପାନୀରେ ଏବେ ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଛି ।