ଆରମ୍ଭ ହେଲା ତଦନ୍ତ : ଡଙ୍କାରୀ ଦୁର୍ନୀତିର ଖୋଲିବ ପୋଲ
by Argus News
Fri, Jul 19 | 8:11 p.m.

ଅର୍ଗସ ବ୍ୟୁରୋ : ଯାଜପୁରରେ ସୀମା ପାର କରିଛି ଖଣି ଦୁର୍ନୀତି । ଲକ୍ଷେ କି କୋଟିଏ ନୁହେଁ ବରଂ ୧୦ ହଜାର କୋଟିର ଖଣି ଦୁର୍ନୀତି ହୋଇଛି । ୨୦ ବର୍ଷ ହେଲାଣି କଳାପଥର କେଳଙ୍କାରୀରେ ବୁଡିଛି ଧର୍ମଶାଳା । ଆଖିବୁଜା ଲୁଟ୍‌ ହୋଇଛି କଳାପଥର । ତହସିଲ, ଲିଜ୍‌ଧାରୀ ଓ ସ୍ଥାନୀୟ ରାଜନେତା ଆଢୁଆଳରେ ୧୦ ହଜାର କୋଟି ଟଙ୍କାର ଲଘୁଖଣିଜ ଲୁଟ୍‌ ହୋଇଛି । ଦିନେ ବାଘ ରହୁଥିବା ଏଇ ବାଘୁଆ ପାହାଡ଼ ଏବେ ସତ୍ତା ହରାଇଛି । ବିଶାଳ ପାହାଡ଼ ଏବେ ପଥର ମୁଣ୍ଡିଆରେ ପରିଣତ ହୋଇଛି । ଲୁଣିବର, ରାହାଡ଼ପୁର ଭଳି ଅନେକ ପାହାଡ଼ ମାଟିରେ ମିଶିଛି । ଖାସ୍‌ କରି ଏବେର ବିଧାୟକଙ୍କ ଅଭିଯୋଗ ପରେ ଏବେ ଆକ୍ସନ ମୋଡ୍‌ରେ ଖଣି ବିଭାଗ। ହେଲେ ରାଜସ୍ଵ ଆଉ ସରକାର ଫେରିପାରିବେ କି ନାହିଁ ସେନେଇ ଦେଖାଦେଇଛି ସନ୍ଦେହ । 

ବିଧାୟକଙ୍କ ଅଭିଯୋଗ, ଖଣି ଖାଦାନ ଉପରେ ମାରାଥନ୍‌ ରେଡ୍‌ । ଧର୍ମଶାଳାର ଡଙ୍କାରୀ, ଚଢେଇଧରା, ଲୁଣିବର ଖଣି ଅଞ୍ଚଳରେ ଚଢାଉ କରିଛି ଖଣି ବିଭାଗର ଏକ ସ୍ୱତନ୍ତ୍ର ଟିମ୍ । ବିଧାୟକଙ୍କ ଅଭିଯୋଗ ଅନୁସାରେ- ସଂପୃକ୍ତ ଅଞ୍ଚଳରେ କେତୋଟି ବେଆଇନ ଖଣି ଚାଲିଛି, ଲିଜ୍‌ପ୍ରାପ୍ତ ଖଣି ଗୁଡ଼ିକ ନିୟମ ପାଳନ କରିଛନ୍ତି କି ନାହିଁ, କେଉଁମାନେ ଏକ୍ସେସ ମାଇନିଂ କରିଛନ୍ତି, ପରିବେଶ ମଞ୍ଜୁରୀ ଅଛି କି ନାହିଁ ? ଏସବୁର ଯାଞ୍ଚ କରିଛନ୍ତି ଖଣି ବିଭାଗର ଅଧିକାରୀମାନେ ।

ଜୁନ୍ ୨୮ ତାରିଖରେ ଖଣି ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଧର୍ମଶାଳା ଅଞ୍ଚଳରେ ଏକାଧିକ ବେଆଇନ ଖଣି ଚାଲିଥିବା କଥା ଉଲ୍ଲେଖ କରିଥିଲେ ବିଧାୟକ । ତାଙ୍କ ଅଭିଯୋଗ ପରେ ଖଣି ନିର୍ଦ୍ଦେଶକ ଏକ କମିଟି ଗଠନ କରିଥିଲେ । ଏହି ଟିମ୍ ଗତକାଲି ବିଭିନ୍ନ ଖଣି ଖାଦାନରେ ଚଢାଉ କରି ପ୍ରାଥମିକ ରିପୋର୍ଟ ଦେବ । ପରବର୍ତ୍ତୀ ସମୟରେ ସଂପୂର୍ଣ୍ଣ ତଦନ୍ତ ହେବ ବୋଲି କହିଛନ୍ତି ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଧର୍ମଶାଳାରେ ୯୩ଟି କଳାପଥର ଖାଦାନ ରହିଛି । ସେଥିରୁ ଏବେ ୨୩ଟି ଖାଦାନ ଆଇନ ଅନୁଯାୟୀ ଚାଲିଥିବା ବେଳେ ଅନ୍ୟଗୁଡ଼ିକ ଲୁଚାଛପାରେ ଚାଲିଛି । ଖଣିବିଭାଗକୁ ଲଘୁଖଣିଜ ସମ୍ପଦ ସୈରାତ ଅଧିକାର ମିଳିବା ପରେ ନିଲାମ ପ୍ରକ୍ରିୟା ଓ ଉତ୍ତୋଳନକୁ ଏବେ ବ୍ୟବସ୍ଥିତ କରାଯାଉଛି । ବେଆଇନ ଖନନ ପାଇଁ ଲିଜ୍‌ଧାରୀଙ୍କ ଉପରେ ପୂର୍ବରୁ ୨୯୮ କୋଟି ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଥିଲା । ମାତ୍ର ଲିଜ୍‌ଧାରୀମାନେ ଏହାକୁ ଫାଙ୍କିବା ସହିତ ସମୟ ଗଡ଼ାଇ ଚାଲିଛନ୍ତି । ଜରିମାନାରୁ ବଞ୍ଚିବା ପାଇଁ ଅନେକ ଅଦାଲତକୁ ଢାଲ କରିଛନ୍ତି । ଧର୍ମଶାଳା ତହସିଲରେ ୧୦ରୁ ଅଧିକ ପାହାଡ଼ ନିଶ୍ଚିହ୍ନ ହୋଇଯାଇଛି । ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ବାଘୁଆ ପାହାଡ଼ର ଆଉ ଚିହ୍ନବର୍ଣ୍ଣ ନାହିଁ । ମାଫିଆଙ୍କ ମାତ୍ରାଧିକ କଳାପଥର ଉତ୍ତୋଳନ ଯୋଗୁଁ ଏହି ପାହାଡ଼ଟି ଧର୍ମଶାଳା ତହସିଲ ମାନଚିତ୍ରରୁ ଲୋପପାଇଛି । 

ବଡ଼ କଥା ହେଲା, ଧର୍ମଶାଳା ଅଞ୍ଚଳରେ ବେଆଇନ ଖଣି ନୂଆ କଥା ନୁହେଁ । ପୂର୍ବରୁ ବି ତଦନ୍ତ ହୋଇଛି, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । କାହିଁକି ନା ନିଜେ ଖଣି ମାଫିଆଙ୍କୁ ସୁରକ୍ଷା ଦେବାକୁ ଯାଇ ନ୍ୟାୟାଳୟକୁ ଯାଇଛନ୍ତି ପୂର୍ବ ସରକାର । ୨୦୧୬ ମସିହାରେ ଡଙ୍କାରୀ ଖଣି ଦୁର୍ନୀତି ଅଭିଯୋଗରେ ଖଣି ମାଲିକ ଶ୍ରୀବତ୍ସ ଜେନାଙ୍କ ଉପରେ ୫୮ କୋଟି ଟଙ୍କାର ଫାଇନ ଲଗାଇଥିଲେ ଜିଲ୍ଲାପାଳ । ହେଲେ ପରବର୍ତ୍ତୀ ସମୟରେ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଥିଲେ । କିନ୍ତୁ ସ୍ଥାନୀୟ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଏନଜିଟିର ଦ୍ୱାରସ୍ଥ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏନ୍‌ଜିଟି ।

୨୦୧୮ ଅକ୍ଟୋବର ୧୫ରେ ଡଙ୍କାରୀରେ ତଦନ୍ତ ଆରମ୍ଭ କରିଥିଲା କମିଟି । ଆଉ ତଦନ୍ତ ପରେ ରାଜ୍ୟ ସରକାରଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଥିଲେ ଏନଜିଟି । କିନ୍ତୁ ସୁପ୍ରିମକୋର୍ଟ ଯାଇ ଏହା ଉପରେ ରହିତା ଦେଶ ଆଣିଥିଲେ ତତ୍କାଳୀନ ସରକାର । ଗତ ଜୁଲାଇ ମାସରେ ରହିତାଦେଶ ଉଠିବା ପରେ ଏନଜିଟିରେ ମାମଲା ଚାଲିଛି । ହେଲେ ବଡ କଥା ହେଲା ଡଙ୍କାରୀ ଖଣି ମାଲିକଙ୍କ ଉପରେ ଜିଲ୍ଲାପାଳ ଲଗାଇଥିବା ଜରିମାନା କାହିଁକି ଆଦାୟ କଲେନି ସରକାର ? ଖାଲି ଏତିକି ନୁହେଁ ବରଂ ସମସ୍ତଙ୍କ ମିଲିଭଗତରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଏବେ ସ୍ପଷ୍ଟ ହୋଇଛି । ତେବେ ସମୟ କହିବ କେବେ ଖଣି ଚୋରଙ୍କ ଉପରେ ଆକ୍ସନ ନେଉଛନ୍ତି ରାଜ୍ୟ ସରକାର । 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା