Videos
|
Business

November 1 Rule Changes / ଗ୍ୟାସ୍ ସିଲିଣ୍ଡରଠାରୁ କ୍ରେଡିଟ୍ କାର୍ଡ; ବଦଳିଲା ନିୟମ; ଜାଣନ୍ତୁ ଆପଣଙ୍କ ପକେଟ୍ ଉପରେ କ'ଣ ପଡ଼ିବ ପ୍ରଭାବ

Debashree Debasmita Sahoo
Browse all articles by Debashree Debasmita Sahoo
·56 mins ago·4 min read
ଗ୍ୟାସ୍ ସିଲିଣ୍ଡରଠାରୁ କ୍ରେଡିଟ୍ କାର୍ଡ; ବଦଳିଲା ନିୟମ; ଜାଣନ୍ତୁ ଆପଣଙ୍କ ପକେଟ୍ ଉପରେ କ'ଣ ପଡ଼ିବ ପ୍ରଭାବ
November 1 Rule Changes

Key Points

ଆଜିଠୁ ବଦଳିଲା ୮ ବଡ଼ ନିୟମ
ଆପଣଙ୍କ ପକେଟ୍ ଉପରେ ପଡ଼ିପାରେ ପ୍ରଭାବ
ନୂଆଦିଲ୍ଲୀ: ନଭେମ୍ବର ଆରମ୍ଭରୁ ଦେଶବାସୀଙ୍କ ପାଇଁ ବଦଳିଛି ଅନେକ ଆର୍ଥିକ ଓ ଦୈନନ୍ଦିନ ନିୟମ। ରୋଷେଇ ଗ୍ୟାସ୍ ଦର ବୃଦ୍ଧିଠାରୁ ଆରମ୍ଭ କରି ଜିଏସ୍‌ଟି ପଞ୍ଜୀକରଣ ପର୍ଯ୍ୟନ୍ତ ଏକାଧିକ କ୍ଷେତ୍ରରେ ନୂଆ ବ୍ୟବସ୍ଥା ଲାଗୁ ହୋଇଛି । ଏହାବ୍ୟତୀତ ପେନସନଭୋଗୀଙ୍କ ଜୀବନ ପ୍ରମାଣପତ୍ର ଦାଖଲଠାରୁ ଆରମ୍ଭ କରି ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶ ଏବଂ କର୍କଟ ଔଷଧର ଦାମ୍‌କୁ ନେଇ ମଧ୍ୟ ରହିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଆସିଛି । ନୂଆ ମାସରେ ଆପଣଙ୍କ ମାସିକ ବଜେଟ୍ ଓ ଆର୍ଥିକ ଯୋଜନା ଉପରେ କ'ଣ ପ୍ରଭାବ ପଡ଼ିବ, ଜାଣି ରଖନ୍ତୁ ଏହି ୮ଟି ବଡ଼ ପରିବର୍ତ୍ତନ ।

  • ମହଙ୍ଗା ହେଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର
ନୂଆ ମାସ ଆରମ୍ଭରୁ ବୃଦ୍ଧି ପାଇଛି କମର୍ସିଆଲ୍ ଏଲ୍‌ପିଜି ସିଲିଣ୍ଡର ଦର । ୧୯ କିଲୋଗ୍ରାମ୍ ବିଶିଷ୍ଟ କମର୍ସିଆଲ୍ ସିଲିଣ୍ଡର ପିଛା ୧୦ ଟଙ୍କା ବୃଦ୍ଧି ପରେ ଦିଲ୍ଲୀରେ ଏହାର ଦାମ୍ ୨,୮୨୦ ଟଙ୍କାରେ ପହଞ୍ଚିଛି। ତେବେ ଘରୋଇ ଉପଭୋକ୍ତାଙ୍କୁ ମିଳିଛି ଆଶ୍ୱସ୍ତି । ୧୪.୨ କିଲୋଗ୍ରାମ୍ ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦିଲ୍ଲୀରେ ଏହାର ଦାମ୍ ୯୪୨ ଟଙ୍କାରେ ସ୍ଥିର ରହିଛି । କମର୍ସିଆଲ୍ ଗ୍ୟାସ୍ ଦର ବୃଦ୍ଧି ଯୋଗୁଁ ହୋଟେଲ୍, ରେଷ୍ଟୁରାଣ୍ଟ ଓ ଢାବା ମାଲିକଙ୍କ ଖର୍ଚ୍ଚ ବଢ଼ିପାରେ । ଏହାର ପ୍ରଭାବ ଆଗକୁ ଖାଦ୍ୟପଦାର୍ଥର ଦାମ୍ ଉପରେ ମଧ୍ୟ ପଡ଼ିବାର ଆଶଙ୍କା ରହିଛି ।

  • ଜିଏସଟି ନିୟମରେ ବଡ଼ ଆଶ୍ଵସ୍ତି
ଷ୍ଟାର୍ଟଅପ୍, ଛୋଟ ବ୍ୟବସାୟୀ ଓ ନୂଆ ଉଦ୍ୟୋଗୀଙ୍କ ପାଇଁ ଜିଏସ୍‌ଟି ନିୟମରେ ଆସିଛି ଆଶ୍ୱସ୍ତି । ଏଣିକି କୋ-ୱାର୍କିଂ ସ୍ପେସ୍‌ର ଠିକଣା ବ୍ୟବହାର କରି ମଧ୍ୟ GST ପଞ୍ଜୀକରଣ କରାଯାଇପାରିବ । ଏଥିପାଇଁ ବ୍ୟବସାୟୀଙ୍କୁ ସଦସ୍ୟତା ଚୁକ୍ତିନାମା ସହ ବିଦ୍ୟୁତ୍ ବିଲ୍ କିମ୍ବା ହୋଲ୍ଡିଂ ଟ୍ୟାକ୍ସ ଭଳି ଠିକଣା ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ । ଆଧାର ଯାଞ୍ଚ ମାଧ୍ୟମରେ ପଞ୍ଜୀକରଣ କରୁଥିବା ଆବେଦନକାରୀଙ୍କ କ୍ଷେତ୍ରରେ ବିନା କାରଣରେ ଠିକଣା ଯାଞ୍ଚ କରାଯିବ ନାହିଁ । ଜାଲିଆତି କିମ୍ବା ଗୁରୁତର ଅନିୟମିତତାର ସନ୍ଦେହ ଥିଲେ ହିଁ ଯାଞ୍ଚ କରାଯିବ ।

  • ଅଜଣା ନମ୍ବରରୁ କଲ୍ ଆସିଲେ ଦେଖାଯିବ ନାମ
ଅଜଣା ନମ୍ବରରୁ କଲ୍ ଆସିଲେ ଆଉ ନାମ ଜାଣିବା ପାଇଁ ଥାର୍ଡ ପାର୍ଟି ଆପ୍‌ ଉପରେ ନିର୍ଭର କରିବାକୁ ପଡ଼ିବନି। ନଭେମ୍ବର ୧ରୁ ଦୂରସଂଚାର ବିଭାଗର ନିର୍ଦ୍ଦେଶ ଅନୁସାରେ କଲିଙ୍ଗ ନେମ୍ ପ୍ରେଜେଣ୍ଟେସନ (CNAP) ସେବା ଆରମ୍ଭ ହେଉଛି । ଏହି ବ୍ୟବସ୍ଥାରେ ଫୋନ୍‌କୁ ଅଜଣା ନମ୍ବରରୁ କଲ୍ ଆସିଲେ ସ୍କ୍ରିନ୍‌ରେ ନମ୍ବର ସହ ସିମ୍ ପଞ୍ଜୀକରଣ ସମୟରେ ଦିଆଯାଇଥିବା ନାମ ଦେଖାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୪ଜି ଓ ୫ଜି ନେଟୱର୍କରେ ଏହି ସୁବିଧା ଉପଲବ୍ଧ ହେବ । ୨ଜି ଓ ୩ଜି ନେଟୱର୍କ ପାଇଁ ପରେ ନିଷ୍ପତ୍ତି ନିଆଯିବ। ଏହାଦ୍ୱାରା ନକଲି କଲ୍, ସ୍ପାମ୍ ଓ ସାଇବର ଠକେଇକୁ ଚିହ୍ନଟ କରିବାରେ ଉପଭୋକ୍ତାଙ୍କୁ ସହାୟତା ମିଳିପାରେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଜୀବନ ପ୍ରମାଣପତ୍ର ଦାଖଲ ସମୟ
ପେନସନ୍ ପାଉଥିବା ବ୍ୟକ୍ତିଙ୍କ ପାଇଁ ନଭେମ୍ବର ମାସ ବେଶ୍ ଗୁରୁତ୍ୱପୂର୍ଣ୍ଣ । ୮୦ ବର୍ଷରୁ କମ୍ ବୟସର ପେନସନଭୋଗୀମାନେ ନଭେମ୍ବର ୧ରୁ ୩୦ ତାରିଖ ମଧ୍ୟରେ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ । ଏଥିପାଇଁ ବ୍ୟାଙ୍କ ଶାଖାକୁ ଯିବା ସହ ଘରେ ବସି Jeevan Pramaan ଆପ୍‌ ମାଧ୍ୟମରେ ଆଧାର ଭିତ୍ତିକ ଫେସ୍ ଅଥେଣ୍ଟିକେସନ୍ କରି ଡିଜିଟାଲ୍ ଭାବେ ପ୍ରମାଣପତ୍ର ଦାଖଲ କରିହେବ । ତେବେ ୮୦ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସର ବରିଷ୍ଠ ପେନସନଭୋଗୀଙ୍କ ପାଇଁ ଅକ୍ଟୋବର ୧ରୁ ଏହି ସୁବିଧା ଆରମ୍ଭ ହୋଇସାରିଛି। ନିର୍ଦ୍ଧାରିତ ସମୟରେ ପ୍ରମାଣପତ୍ର ଦାଖଲ ନକଲେ ପେନସନ୍ ପ୍ରଦାନରେ ବାଧା ଉପୁଜିପାରେ।

  • PNB କ୍ରେଡିଟ୍ କାର୍ଡରେ ବଢ଼ିଲା ଚାର୍ଜ
ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (PNB)ର କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଆସିଛି ନୂଆ ନିୟମ । ନଭେମ୍ବର ୧ରୁ ବଦଳିଛି ବିଭିନ୍ନ ସେବା ଶୁଳ୍କ । ନୂଆ ବ୍ୟବସ୍ଥା ଅନୁଯାୟୀ, ଗୋଟିଏ ବିଲିଂ ସାଇକେଲ୍‌ରେ କ୍ରେଡିଟ୍ କାର୍ଡ ମାଧ୍ୟମରେ ବିଦ୍ୟୁତ୍, ପାଣି, ଇଣ୍ଟରନେଟ୍ ଓ ଟେଲିଫୋନ୍ ଭଳି ୟୁଟିଲିଟି ବିଲ୍ ବାବଦରେ ୫୦ ହଜାର ଟଙ୍କାରୁ ଅଧିକ ପୈଠ କଲେ ୧ ପ୍ରତିଶତ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ । ପ୍ରତି କାରବାର ପାଇଁ ଏହି ଶୁଳ୍କ ସର୍ବାଧିକ ୨,୦୦୦ ଟଙ୍କା ରହିବ । ଏହାବ୍ୟତୀତ ATMରୁ ଟଙ୍କା ଉଠାଣ, ବିଳମ୍ବିତ ପେମେଣ୍ଟ, ରିୱାର୍ଡ ପଏଣ୍ଟ ରିଡେମ୍ପସନ୍ ଭଳି କେତେକ ସେବାର ଶୁଳ୍କ ମଧ୍ୟ ସଂଶୋଧନ କରିଛି ବ୍ୟାଙ୍କ । ତେଣୁ କାର୍ଡଧାରୀମାନେ ନୂଆ ଚାର୍ଜ ତାଲିକା ଯାଞ୍ଚ କରିନେବା ଜରୁରୀ ।

  • ମ୍ୟୁଚୁଆଲ୍ ଫଣ୍ଡ୍‌ରେ ଡିରେକ୍ଟ ପ୍ଲାନକୁ ଗୁରୁତ୍ୱ
ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶକଙ୍କ ପାଇଁ ମଧ୍ୟ ନୂଆ ବ୍ୟବସ୍ଥା ଆସିଛି । SEBIର ନୂଆ ନିୟମ ଅନୁଯାୟୀ, ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀଗୁଡ଼ିକର ୱେବସାଇଟ୍ ଓ ମୋବାଇଲ୍ ଆପ୍‌ରେ ଏଣିକି ମ୍ୟୁଚୁଆଲ୍ ଫଣ୍ଡ୍‌ର ଡିରେକ୍ଟ ପ୍ଲାନ୍‌କୁ ଡିଫଲ୍ଟ ଭାବେ ଦେଖାଯିବ । ଅନ୍ୟପଟେ ନିବେଶକ ଯଦି ରେଗୁଲାର ପ୍ଲାନ୍‌ ବାଛନ୍ତି, ତେବେ ଏହାର ଅଧିକ ଖର୍ଚ୍ଚ ଅନୁପାତ ସମ୍ପର୍କରେ ତାଙ୍କୁ ସତର୍କ କରାଯିବ । ଏହାଦ୍ୱାରା ନିବେଶକମାନେ ଉଭୟ ପ୍ଲାନ୍‌ର ଖର୍ଚ୍ଚ ଓ କମିସନ୍‌ର ଫରକ ବୁଝି ନିଜ ନିବେଶ ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ।

  • ନିବେଶକଙ୍କୁ ଆଗୁଆ ଟଙ୍କା ଉଠାଇବାର ସୁଯୋଗ
ସୁନାରେ ନିବେଶ କରିଥିବା ଲୋକଙ୍କ ପାଇଁ ନଭେମ୍ବର ମାସରେ ରହିଛି ଏକ ସୁଯୋଗ । ସୋଭେରନ୍ ଗୋଲ୍ଡ ବଣ୍ଡ୍‌ (SGB)ର କେତେକ ପୁରୁଣା ସିରିଜ୍‌ର ନିବେଶକମାନେ ନିର୍ଦ୍ଧାରିତ ତାରିଖରେ ମାଚ୍ୟୁରିଟି ପୂର୍ବରୁ ବଣ୍ଡ୍ ରିଡିମ୍ କରିପାରିବେ । ତେବେ ନିବେଶକମାନେ ନିଜ ବଣ୍ଡ୍‌ର ସିରିଜ୍, ରିଡେମ୍ପସନ୍ ଆବେଦନ ସମୟସୀମା ଓ ଯୋଗ୍ୟତା ଯାଞ୍ଚ କରିବା ଆବଶ୍ୟକ।

  • ଶସ୍ତା ହେବ କର୍କଟ ରୋଗର ଔଷଧ
କର୍କଟ ରୋଗୀ ଓ ସେମାନଙ୍କ ପରିବାର ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଜୀବନ ରକ୍ଷାକାରୀ ଔଷଧର ଅଧିକ ଦାମ୍‌କୁ ନିୟନ୍ତ୍ରଣ କରିବା ଲାଗି ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ୧୩୭ଟି କର୍କଟରୋଧୀ ଔଷଧ ଉପରେ ଟ୍ରେଡ୍ ମାର୍ଜିନ୍‌ର ସର୍ବାଧିକ ସୀମା ୩୦ ପ୍ରତିଶତ ଧାର୍ଯ୍ୟ କରିଛି । ଏହି ନିଷ୍ପତ୍ତି ଫଳରେ ଚିହ୍ନଟ ହୋଇଥିବା ଔଷଧଗୁଡ଼ିକର ଖୁଚୁରା ମୂଲ୍ୟରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଏଥିରେ କର୍କଟ ଚିକିତ୍ସାରେ ବ୍ୟବହୃତ ଅନେକ ଗୁରୁତ୍ୱପୂର୍ଣ୍ଣ ଔଷଧ ସାମିଲ ରହିଛି । ତେବେ ଏହି ନୂଆ ମୂଲ୍ୟ ବ୍ୟବସ୍ଥା ନଭେମ୍ବର ୯, ୨୦୨୬ରୁ ଲାଗୁ ହେବ । ଫଳରେ କର୍କଟ ଚିକିତ୍ସାରେ ହେଉଥିବା ଅଧିକ ଖର୍ଚ୍ଚ କିଛି ମାତ୍ରାରେ କମିବା ଆଶା କରାଯାଉଛି।

ପଢନ୍ତୁ ଏହି ଖବର: ନଭେମ୍ବରରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ ! ବ୍ୟାଙ୍କ ଯିବା ପୂର୍ବରୁ ଦେଖନ୍ତୁ ଏହି ତାଲିକା

ମୋଟାମୋଟି, ନଭେମ୍ବର ମାସର ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ କେତେକ ସାଧାରଣ ଉପଭୋକ୍ତାଙ୍କୁ ସିଧାସଳଖ ପ୍ରଭାବିତ କରିବାକୁ ଥିବାବେଳେ ଆଉ କେତେକ ବ୍ୟବସାୟୀ, ନିବେଶକ ଓ ପେନସନଭୋଗୀଙ୍କ ପାଇଁ ଗୁରୁତ୍ୱ ବହନ କରୁଛି । ତେଣୁ ନିଜ ଆବଶ୍ୟକତା ଅନୁସାରେ ନୂଆ ନିୟମଗୁଡ଼ିକ ସମ୍ପର୍କରେ ଅବଗତ ରହିବା ଜରୁରୀ ।