Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବଢିଚାଲିଛି ଆମେରିକାର ଚିନ୍ତା; ଯୁଦ୍ଧରେ ଖର୍ଚ୍ଚ ହୋଇଗଲାଣି ଟ୍ରିଲିୟନ ଡଲାର

International

Iran War Cost 2026 / ବଢିଚାଲିଛି ଆମେରିକାର ଚିନ୍ତା; ଯୁଦ୍ଧରେ ଖର୍ଚ୍ଚ ହୋଇଗଲାଣି ଟ୍ରିଲିୟନ ଡଲାର

Subhramjit Ray
Browse all articles by Subhramjit Ray
·3 hours ago·3 min read
ବଢିଚାଲିଛି ଆମେରିକାର ଚିନ୍ତା; ଯୁଦ୍ଧରେ ଖର୍ଚ୍ଚ ହୋଇଗଲାଣି ଟ୍ରିଲିୟନ ଡଲାର
Iran War Cost 2026

Key Points

ପେଣ୍ଟାଗନ ସମ୍ପ୍ରତି ଇରାନ ସହିତ ଚାଲିଥିବା ସଂଘର୍ଷର ମୂଲ୍ୟ ୨୯ ବିଲିୟନ ଡଲାର ବୋଲି ଆକଳନ କରିଛି। ଏହାର ମାତ୍ର ଦୁଇ ସପ୍ତାହ ପୂର୍ବରୁ, ଆମେରିକାର ପ୍ରତିରକ୍ଷା ବିଭାଗ ଦେଶର ସଂସଦରେ କହିଥିଲା ୟେ ଯୁଦ୍ଧରେ ୨୫ ବିଲିୟନ ଡଲାର ଖର୍ଚ୍ଚ ହୋଇଥିବାର ରିପୋର୍ଟ କରିଥିଲା।
US Military Budget 2026: ମଧ୍ୟ ପ୍ରାଚ୍ୟରେ ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ କେବଳ କ୍ଷେପଣାସ୍ତ୍ର କିମ୍ବା ବୋମା ମଧ୍ୟରେ ସୀମିତ ରହିନାହିଁ। ବରଂ ଏହି ଯୁଦ୍ଧ ବିଶ୍ୱର ସର୍ବବୃହତ ଅର୍ଥନୀତି କୁହାଯାଉଥିବା ଆମେରିକା ଉପରେ ମଧ୍ୟ ଭାରୀ ପଡ଼ିଛି। ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ଏହି ଯୁଦ୍ଧରେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଆକଳନ କରୁଛି। ହେଲେ ପ୍ରତିରକ୍ଷା ବିଶେଷଜ୍ଞ ଦାବି କରୁଛନ୍ତି ଯେ ଯୁଦ୍ଧରେ ଆମେରିକା ପ୍ରଶାସନ ଟ୍ରିଲିୟନ ଡଲାର ଖର୍ଚ୍ଚ କରି ସାରିଲାଣି। ଏବେ ପ୍ରଶ୍ନ ଉଠୁଛି ଯେ କ'ଣ ଆମେରିକା ସରକାର ଏହି ଯୁଦ୍ଧର ପ୍ରକୃତ ଖର୍ଚ୍ଚ ଜନସାଧାରଣଙ୍କ ଠାରୁ ଲୁଚାଇ ରଖୁଛନ୍ତି?

ମଧ୍ୟ ପ୍ରାଚ୍ୟରେ ଇରାନ ସହିତ ଚାଲିଥିବା ସଂଘର୍ଷରେ ପ୍ରାୟ ୨୯ ବିଲିୟନ ଡଲାର ଖର୍ଚ୍ଚ ହୋଇଥିବା ନେଇ ଆକଳନ କରିଛି ପେଣ୍ଟାଗନ୍। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାତ୍ର ଦୁଇ ସପ୍ତାହ ପୂର୍ବେ ଆମେରିକୀୟ ପ୍ରତିରକ୍ଷା ବିଭାଗ ଦେଶର ସଂସଦରେ (କଂଗ୍ରେସ) ପ୍ରାୟ ସମାନ ମୂଲ୍ୟର ଏକ ରିପୋର୍ଟ ଉପସ୍ଥାପନ କରିଥିଲା। ପ୍ରତିରକ୍ଷା ବିଭାଗ ଯୁଦ୍ଧରେ ୨୫ ବିଲିୟନ ଡଲାର ଖର୍ଚ୍ଚ ହୋଇଥିବା ନେଇ କହିଥିଲା। ଯାହାର ଅର୍ଥ ହେଉଛି ମାତ୍ର ୧୪ ଦିନରେ ଆନୁମାନିକ ମୂଲ୍ୟ ୪ ବିଲିୟନ ଡଲାର ବୃଦ୍ଧି ପାଇଛି। ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବା ପଛରେ ଅସ୍ତ୍ରଶସ୍ତ୍ର ମରାମତି, ପୁରୁଣା ଉପକରଣର ପରିବର୍ତ୍ତନ ଅନ୍ତର୍ଭୂକ୍ତ ରହିଛି।

ଏହା ସହ ପଢନ୍ତୁ: ଇରାନ ଯୁଦ୍ଧରେ କେତେ ଟଙ୍କା ଉଡ଼ାଇଛି ଆମେରିକା? ସାମ୍ନାକୁ ଆସିଲା ଚିଠା

ଯୁଦ୍ଧରେ ୧ ଟ୍ରିଲିୟନ ଖର୍ଚ୍ଚ ହୋଇଥିବା ନେଇ କରାଯାଉଛି ଆକଳନ
ଆମେରିକୀୟ ଗଣମାଧ୍ୟମ ସିଏନଏନ ରିପୋର୍ଟ ଅନୁସାରେ, ହାର୍ଭାର୍ଡ କେନେଡି ସ୍କୁଲ ପବ୍ଲିକ ପଲିସି ବିଶେଷଜ୍ଞ ଲିଣ୍ଡା ବିଲମେସ୍ ମଧ୍ୟ ପ୍ରାଚ୍ୟ ଯୁଦ୍ଧକୁ ନେଇ ଏକ ଚେତାବନୀ ଜାରି କରିଛନ୍ତି। ସେ କହିଛନ୍ତି ଯେ ଏହି ଯୁଦ୍ଧ ପାଇଁ ଆମେରିକୀୟ କରଦାତାଙ୍କୁ ଅତି କମରେ ୧ ଟ୍ରିଲିୟନ ଡଲରା ( ଭାରତୀୟ ମୁଦ୍ରାରେ ପ୍ରାୟ ୮୪ ଲକ୍ଷ କୋଟି ଟଙ୍କା) ଦେବାକୁ ହେବ। ତାଙ୍କ କହିବା ଅନୁଯାୟୀ ଇତିହାସ ଦର୍ଶାଉଛି ଯେ ଯୁଦ୍ଧ ସର୍ବଦା ଆଶା କରାଯାଉଥିବା ପରିମାଣ ଠାରୁ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଛି।

ବିଶେଷଜ୍ଞ ଲିଣ୍ଡା ବିଲମେସ୍ ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ. ବୁଶ୍ ତାଙ୍କର ଅର୍ଥନୈତିକ ପରାମର୍ଶଦାତା ଲାରି ଲିଣ୍ଡସେଙ୍କୁ ବହିଷ୍କାର କରିବାର ଉଦାହରଣ ଦେଇଥିଲେ। ପୂର୍ବତନ ରାଷ୍ଟ୍ରପତି ବୁଶ ତାଙ୍କ ପରାମର୍ଶଦାତା ଲିଣ୍ଡସେଙ୍କୁ କେବଳ ଏଥିପାଇଁ ତାଙ୍କ ପଦରୁ ବହିଷ୍କାର କରି ଦେଇଥିଲେ ଯେ ସେ ଇରାକ ଯୁଦ୍ଧରେ ପ୍ରାୟ ୨୦୦ ବିଲିୟନ ଡଲାର ଖର୍ଚ୍ଚ ହେବା ନେଇ ପୂର୍ବାନୁମାନ କରିଥିଲେ। ହେଲେ ଯୁଦ୍ଧ ଶେଷ ହେବା ବେଳକୁ ଏହାର ମୂଲ୍ୟ ୫ ଟ୍ରିଲିୟନ ଡଲାରରୁ ଅଧିକ ରହିଥିଲା।

ଏହା ସହ ପଢନ୍ତୁ: କାହିଁକି ଯୁଦ୍ଧ ବେଳେ ୨୦୦ ବିଲିୟନ ମାଗିଲେ ଟ୍ରମ୍ପ?

କାହିଁକି ବଢିଚାଲୁଛି ଯୁଦ୍ଧ ଖର୍ଚ୍ଚର ପରିମାଣ?

ବିଶେଷଜ୍ଞ ଲିଣ୍ଡା ବିଲମେସ୍ ଏହି ଖର୍ଚ୍ଚକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। କ୍ଷଣସ୍ଥାୟୀ ଖର୍ଚ୍ଚରେ କ୍ଷେପଣାସ୍ତ୍ର, ବୋମା, ଇଣ୍ଟରସେପ୍ଟର, ଲଢ଼ୁଆ ବିମାନ ରକ୍ଷଣାବେକ୍ଷଣ ଏବଂ ସୈନିକଙ୍କ ଦରମା ଅନ୍ତର୍ଭୂକ୍ତ ରହିଛି। ସବୁଠାରୁ ଚିନ୍ତାଜନକ ଦିଗ ହେଉଛି "ପ୍ରତିସ୍ଥାପନ ଖର୍ଚ୍ଚ" (Replacement Cost)। ଉଦାହରଣ ସ୍ୱରୂପ, ସାମରିକ ବାହିନୀ ପାଖରେ ପୂର୍ବରୁ ରହିଥିବା ଟମହକ୍ କ୍ଷେପଣାସ୍ତ୍ରର ମୂଲ୍ୟ ୨୦ ଲକ୍ଷ ଡଲାର ହୋଇପାରେ। ହେଲେ ଆଜି ସେହି କ୍ଷେପଣାସ୍ତ୍ରକୁ ପୁନର୍ବାର କ୍ରୟ କିମ୍ବା ନିର୍ମାଣ କରିବା ପାଇଁ ୩୫ ଲକ୍ଷ ଡଲାର ଖର୍ଚ୍ଚ କରିବାକୁ ପଡୁଛି।

ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ
ଏହି ଯୁଦ୍ଧର ପ୍ରଭାବ ସୀମାନ୍ତ ପର୍ଯ୍ୟନ୍ତ ସୀମିତ ନୁହେଁ। ବରଂ ଏହାର ପ୍ରଭାବ ପ୍ରତ୍ୟେକ ଆମେରିକୀୟଙ୍କ ରୋଷେଇ ଘର ଏବଂ କାର ଉପରେ ଅନୁଭୂତ ହେଉଛି। ମଧ୍ୟ ପ୍ରାଚ୍ୟ ଯୁଦ୍ଧ ଶକ୍ତି ସଙ୍କଟକୁ ଆହୁରି ଗୁରୁତର କରିବାରେ ଲାଗିଛି। ଆମେରିକୀୟ ଶକ୍ତି ବିଭାଗ ଆକଳନ କରିଛି ଯେ ଆଗାମୀ ସପ୍ତାହରେ ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୧୦୦ ଡଲାର ଉପରେ ରହିବ। ଅର୍ଥନୈତିକ ଗବେଷକ ଚେତାବନୀ ଦେଇଛନ୍ତି ଯେ ଯଦି ଉତ୍ତେଜନା ହ୍ରାସ ନହୁଏ, ତାହେଲେ ଆମେରିକାରେ ଇନ୍ଧନର ହାରାହାରି ମୂଲ୍ୟ ପ୍ରତି ଗ୍ୟାଲନ ପିଛା ୫ ଡଲାର ହୋଇପାରେ। ଯାହାର ଅର୍ଥ ହେଉଛି ଦରଦାମ ଆହୁରି ବୃଦ୍ଧି ପାଇବ। ଯାହା ଦ୍ୱାରା ସାଧାରଣ ଲୋକଙ୍କ ଖର୍ଚ୍ଚ ଆହୁରି ବଢିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pentagon’s Trillion-Dollar Warning: The Rising Cost of the US-Iran Conflict | Argus News