Videos
|
National

India China Border Map / ସାମ୍ରାଜ୍ୟବାଦୀ ଚୀନ୍‌କୁ ମିଳିଲା ଜବାବ; ଅରୁଣାଚଳ ପ୍ରଦେଶର ୨୭ ସ୍ଥାନ ସରକାରୀ ମାନଚିତ୍ରରେ ସାମିଲ

Subhramjit Ray
Browse all articles by Subhramjit Ray
·2 weeks ago·3 min read
ସାମ୍ରାଜ୍ୟବାଦୀ ଚୀନ୍‌କୁ ମିଳିଲା ଜବାବ; ଅରୁଣାଚଳ ପ୍ରଦେଶର ୨୭ ସ୍ଥାନ ସରକାରୀ ମାନଚିତ୍ରରେ ସାମିଲ
India China Border Map

Key Points

ଭାରତର ସରକାରୀ ମାନଚିତ୍ରରେ ଅନ୍ତର୍ଭୁକ୍ତ ୨୭ ସ୍ଥାନ ମଧ୍ୟରେ ଲଙ୍ଗଜୁ ଅନ୍ତର୍ଭୂକ୍ତ ହୋଇଛି। ଯାହା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଅବସ୍ଥିତ। ୧୯୫୯ ମସିହାରେ ଚୀନ୍ ସୈନ୍ୟ ଏହି ଅଞ୍ଚଳରେ ପ୍ରବେଶ କରିବା ସମୟରେ ଏହି ଅଞ୍ଚଳ ଭାରତ-ଚୀନ୍ ମଧ୍ୟରେ ପ୍ରାରମ୍ଭିକ ମୁହାଁମୁହିଁ ସ୍ଥାନ ମଧ୍ୟରୁ ଗୋଟିଏ ଥିଲା।

Indian New Map 2026 Arunachal Pradesh: ଅରୁଣାଚଳ ପ୍ରଦେଶର କିଛି ଅଂଶକୁ ନେଇ ଭାରତ-ଚୀନ୍‌ ମଧ୍ୟରେ ଦୀର୍ଘସମୟ ଧରି ବିବାଦ ଜାରି ରହିଛି। ଚୀନ୍‌ ଏହି ଅଞ୍ଚଳ ଉପରେ ନିଜର ଦାବି ଜାହିର କରିଆସୁଛି। ହେଲେ ଭାରତ ଏହାକୁ ଅସ୍ୱୀକାର କରିଆସୁଛି। ସୀମା ବିବାଦକୁ ନେଇ ଏବେ ଭାରତ ସାମ୍ରାଜ୍ୟବାଦୀ ଚୀନ୍‌କୁ ତାହାର ଭାଷାରେ ପାଲଟା ଜବାବ ଦେଇଛି। ଏହି କ୍ରମରେ ଭାରତ ସରକାର ଅରୁଣାଚଳ ପ୍ରଦେଶର ୨୭ ସ୍ଥାନ ଏବଂ ସେମାନଙ୍କର ଭୌଗୋଳିକ ବୈଶିଷ୍ଟ୍ୟର ମାନକ ନାମକୁ ଦେଶର ସରକାରୀ ମାନଚିତ୍ରରେ ଅନ୍ତର୍ଭୂକ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି, "ଭାରତୀୟ ସର୍ବେକ୍ଷଣ ବିଭାଗ, ଅରୁଣାଚଳ ପ୍ରଦେଶ ମାନଚିତ୍ରରେ ଏହି ସ୍ଥାନକୁ ଆନୁଷ୍ଠାନିକ ଭାବରେ ଚିହ୍ନିତ କରିବାର ଉଦ୍ଦେଶ୍ୟ ହେଉଛି ସେମାନଙ୍କର ସଠିକ୍ ଚିହ୍ନଟକରଣକୁ ସହଜ କରିବା ଏବଂ ଉତ୍ତମ ଜନସଚେତନତା ସୃଷ୍ଟି କରିବା।"

ଚୀନ୍‌ ଦ୍ୱାରା ହେଉଥିବା ନାମ ପରିବର୍ତ୍ତନ ପ୍ରୟାସକୁ ନିରନ୍ତର ଅର୍ଥହୀନ କହିଆସୁଛି ଭାରତ
ଚୀନ୍ ଦ୍ୱାରା ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ କରିବା ପାଇଁ ନିଆଯାଉଥିବା ପଦକ୍ଷେପକୁ ଭାରତ ନିରନ୍ତର ଭାବରେ ପ୍ରତ୍ୟାଖ୍ୟାନ କରିଆସୁଛି। ଭାରତ ଲଗାତାର ଭାବରେ ଏପରି ପଦକ୍ଷେପକୁ ଅର୍ଥହୀନ ଭାବରେ ବର୍ଣ୍ଣନା କରି କହିଛି ଯେ ଏପରି ପ୍ରୟାସ ନିରର୍ଥକ। ଏହା ସତ୍ୟକୁ ପରିବର୍ତ୍ତନ କରିପାରିବ ନାହିଁ। ଅରୁଣାଚଳ ପ୍ରଦେଶ "ସର୍ବଦା ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଥିଲା, ଅଛି ଏବଂ ରହିବ।"

ଲଙ୍ଗ୍‌ ଜୁ, ଯେଉଁଠି ୧୯୫୯ ମସିହାରେ ପ୍ରବେଶ କରିଥିଲା ଚୀନ୍‌, ତାହା ମଧ୍ୟ ଭାରତୀୟ ମାନଚିତ୍ରରେ ହୋଇଛି ଅନ୍ତର୍ଭୁକ୍ତ
ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଅବସ୍ଥିତ ଲଙ୍ଗ୍ ଜୁ, ଭାରତର ସରକାରୀ ମାନଚିତ୍ରରେ ଅନ୍ତର୍ଭୁକ୍ତ ୨୭ ସ୍ଥାନ ମଧ୍ୟରୁ ଅନ୍ୟତମ । ଏହି ଅଞ୍ଚଳ ୧୯୫୯ ମସିହାରେ ଭାରତ-ଚୀନ୍ ମଧ୍ୟରେ ହୋଇଥିବା ପ୍ରାରମ୍ଭିକ ସଂଘର୍ଷ ମଧ୍ୟରୁ ଗୋଟିଏ ଥିଲା, ଯେତେବେଳେ ଚୀନ୍ ସେନା ଏହି ଅଞ୍ଚଳରେ ପ୍ରବେଶ କରିଥିଲା। ଜାରି ହୋଇଥିବା ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଉପର ସୁବାନସିରି ଜିଲ୍ଲାର ଲଙ୍ଗ୍ ଜୁ ନିକଟରେ ଅବସ୍ଥିତ ମାଜା ଗ୍ରାମ ମଧ୍ୟ ମାନଚିତ୍ରରେ ସ୍ଥାନ ପାଇଛି।

ଏହା ସହ ପଢନ୍ତୁ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନ୍ୟୁୟର୍କ ଟାଇମ୍ସକୁ ପିଓକେର ଭୂଗୋଳ ଶିଖାଇଲା

୧୯୬୨ ମସିହାରେ ପ୍ରାରମ୍ଭିକ ଭାରତ-ଚୀନ୍ ଯୁଦ୍ଧ ହୋଇଥିବା ଅଞ୍ଚଳ ମଧ୍ୟ ମାନଚିତ୍ରରେ ପାଇଛି ସ୍ଥାନ
ବିସା ଗ୍ରାମ ବ୍ୟତୀତ, ଏହି ମାନଚିତ୍ରରେ ଡଜୋ ଲା, ରିଜା ଲା ଏବଂ ପୁକୁର ଲା ଆଦି ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ପର୍ବତୀୟ ମାର୍ଗ ମଧ୍ୟ ସ୍ଥାନ ପାଇଛି। ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଥାଗ୍ ଲା ମଧ୍ୟ ଆନୁଷ୍ଠାନିକ ଭାବରେ ସରକାରୀ ମାନଚିତ୍ରରେ ଅନ୍ତର୍ଭୁକ୍ତ ହୋଇଛି। ଭାରତ-ଚୀନ୍ ମଧ୍ୟରେ ୧୯୬୨ ମସିହାରେ ହୋଇଥିବା ଯୁଦ୍ଧର ପ୍ରାରମ୍ଭିକ ସଂଘର୍ଷ ମଧ୍ୟରୁ ଗୋଟିଏ ଏହି ଅଞ୍ଚଳରେ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶମ୍ଭୁ ସରୋବର, ଯସୱନ୍ତଗଡ଼ ଏବଂ ବୈଶାଖୀ ଭଳି ଗ୍ରାମ ମଧ୍ୟ ଏହି ମାନଚିତ୍ରରେ ହୋଇଛି ଅନ୍ତର୍ଭୂକ୍ତ
ଏହି ମାନଚିତ୍ରରେ ପୂର୍ବ ଅରୁଣାଚଳ ପ୍ରଦେଶର ଶମ୍ଭୁ ସରୋବର, ବଡ଼ା କୁଣ୍ଡୁନ୍ ଏବଂ ଛୋଟ କୁଣ୍ଡୁନ୍ ମଧ୍ୟ ଅନ୍ତର୍ଭୂକ୍ତ ହୋଇଛି। ତୱାଙ୍ଗ ରୋଡ୍ ସ୍ଥିତ ଧନୱାଡ଼ି, ପ୍ରୀତନଗର, ତେରିତନଗର, ରାମନଗର ଜସବନ୍ତଗଡ଼ (ଯେଉଁଠାରେ ଭାରତୀୟ ସହିଦ ଜସବନ୍ତ ସିଂହ ରାୱତଙ୍କ ସ୍ମାରକୀ ଅବସ୍ଥିତ), ସାଗର, ପଦ୍ମା, ଜ୍ୟୋତିନଗର ଏବଂ ବୈଶାଖୀ ଗ୍ରାମ ମଧ୍ୟ ଅନ୍ତର୍ଭୂକ୍ତ ହୋଇଛି।

ଏହି ତାଲିକାରେ ୧୯୬୨ ଯୁଦ୍ଧର ନାୟକ ତ୍ରିଲୋକ ସିଂହ ଥାପାଙ୍କ ସ୍ମୃତିରେ ନିର୍ମିତ ଶେର-ଏ-ଥାପା ସ୍ମାରକୀ, ଛୋଟ ରୋପୁକ ଏବଂ ବଡ଼ ରୋପୁକ, ଶିବାଜୀ ନଗର, ସୁନପୁରା, କମଲାଙ୍ଗ ଅଭୟାରଣ୍ୟ ନିକଟରେ କମଲାଙ୍ଗ ନଗର ଏବଂ ବୁଦ୍ଧ ମନ୍ଦିର ମଧ୍ୟ ଅନ୍ତର୍ଭୂକ୍ତ ରହିଛି। ଭାରତୀୟ ଅଞ୍ଚଳକୁ କାଳ୍ପନିକ ନାମ ଦେବା ପାଇଁ ଚୀନ୍ ଦ୍ୱାରା ହେଉଥିବା ପ୍ରୟାସକୁ ଭାରତ ନିରନ୍ତର ପ୍ରତ୍ୟାଖ୍ୟାନ କରିଆସିଛି। ଏନଇ ଭାରତ କହିଛି ଯେ "ଭିତ୍ତିହୀନ କାହାଣୀ" ତିଆରି କରିବାର ଏପରି ପ୍ରୟାସ ବାସ୍ତବତକୁ ପରିବର୍ତ୍ତନ କରିପାରିବ ନାହିଁ। ଉଭୟ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ କରିବା ପାଇଁ ହେଉଥିବା ପ୍ରୟାସକୁ ଏହା ଦୁର୍ବଳ କରିପାରେ।

ଏହା ସହ ପଢନ୍ତୁ: ୬ ବର୍ଷର ଅପେକ୍ଷା ପରେ ପୁଣି ଆରମ୍ଭ ହେବ ବାଣିଜ୍ୟ; ଚଳଚଞ୍ଚଳ ହୋଇ ଉଠିବ 'ନାଥୁ ଲା ପାସ୍'

ଚୀନ୍ ବିଭିନ୍ନ ସମୟରେ ନାମ ପରିବର୍ତ୍ତନ ତାଲିକା ପ୍ରକାଶ କରିସାରିଛି
ଚୀନ୍‌ ବେସାମରିକ ବ୍ୟାପାର ମନ୍ତ୍ରଣାଳୟ ୨୦୧୭ ମସିହାରେ ଜାଙ୍ଗନାନ୍‌ ର ୬ ସ୍ଥାନ ପାଇଁ ମାନକୀକରଣ ନାମର ପ୍ରଥମ ତାଲିକା ପ୍ରକାଶ କରିଥିଲା। ଏହା ପରେ ୨୦୨୧ ମସିହାରେ ୧୫ ସ୍ଥାନ ନାମର ଦ୍ୱିତୀୟ ତାଲିକା ଏବଂ ୨୦୨୩ ମସିହାରେ ଆଉ ୧୧ ସ୍ଥାନର ଅନ୍ୟ ଏକ ତାଲିକା ପ୍ରକାଶ କରାଯାଇଥିଲା। ଚୀନ୍‌ ଅରୁଣାଚଳ ପ୍ରଦେଶକୁ ଜାଙ୍ଗନାନ୍ ବୋଲି କହିଆସୁଛି।



India Counters China: Adds 27 Arunachal Locations to Official Map | Argus News