Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମୌସୁମୀ ସକ୍ରିୟ ହେବା ସତ୍ତ୍ୱେ ୧୧ ରାଜ୍ୟରେ ହୋଇଛି ନିଅଣ୍ଟିଆ ବର୍ଷ; କେଉଁଠି ହୋଇଛି କେତେ ବର୍ଷା?

National

Monsoon rain latest update 2026 / ମୌସୁମୀ ସକ୍ରିୟ ହେବା ସତ୍ତ୍ୱେ ୧୧ ରାଜ୍ୟରେ ହୋଇଛି ନିଅଣ୍ଟିଆ ବର୍ଷ; କେଉଁଠି ହୋଇଛି କେତେ ବର୍ଷା?

Subhramjit Ray
Browse all articles by Subhramjit Ray
·5 hours ago·3 min read
ମୌସୁମୀ ସକ୍ରିୟ ହେବା ସତ୍ତ୍ୱେ ୧୧ ରାଜ୍ୟରେ ହୋଇଛି ନିଅଣ୍ଟିଆ ବର୍ଷ; କେଉଁଠି ହୋଇଛି କେତେ ବର୍ଷା?
Monsoon rain latest update 2026

Key Points

ଯଦିଓ ସାରା ଦେଶରେ ମୌସୁମୀ ସମ୍ପୂର୍ଣ୍ଣ ସକ୍ରିୟ ହୋଇଛି। ହେଲେ ତଥାପି ବର୍ଷା ତଥ୍ୟ ଚାଷୀଙ୍କ ପାଇଁ ଚିନ୍ତା ବଢାଇ ଦେଉଛି। ୨୦୨୬ ଜୁନ୍ ପହିଲାରୁ ୧୨ ଜୁଲାଇ ମଧ୍ୟରେ ଅନେକ ରାଜ୍ୟରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବାର ରେକର୍ଡ କରାଯାଇଥିଲା।
Monsoon rainfall deficit 2026 India: ଚଳିତ ବର୍ଷ ଜୁଲାଇ ୯ ତାରିଖରେ ସମଗ୍ର ଦେଶରେ କୋଣ ଅନୁକୋଣରେ ପହଞ୍ଚିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ। ଏଥର ନିର୍ଦ୍ଧାରିତ ସମୟ ଠାରୁ ଗୋଟିଏ ଦିନ ବିଳମ୍ବରେ ସମଗ୍ର ଦେଶକୁ ଆଚ୍ଛାଦିତ କରିଥିଲା ମୌସୁମୀ। ହେଲେ ଏହା ସତ୍ତ୍ୱେ ଅନେକ ରାଜ୍ୟରେ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ କମ୍ ରହିଛି। ଗତ ଜୁନ୍ ୧ ତାରିଖରୁ ୧୨ ଜୁଲାଇ, ୨୦୨୬ ମଧ୍ୟରେ ଅଭାବୀ ବର୍ଷା ଚାଷୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ଖରିଫ୍ ଫସଲ ବୁଣାବୁଣି ସମେତ ଅନ୍ୟାନ୍ୟ କୃଷି କାର୍ଯ୍ୟ ଉପରେ ଏହାର କୁପ୍ରଭାବ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଯାହା ଫଳରେ ଅନେକ କୃଷି ପ୍ରଧାନ ରାଜ୍ୟର ଚାଷୀ ପାଗକୁ ନେଇ ଚିନ୍ତିତ ଅଛନ୍ତି। ବିହାରରେ ସ୍ୱାଭାବିକ ଅପେକ୍ଷା ୪୭% (-୪୭%) କମ୍ ବର୍ଷା, ଝାଡ଼ଖଣ୍ଡରେ ୪୧% (-୪୧%) କମ୍ ଏବଂ ଉତ୍ତର ପ୍ରଦେଶରେ ୧୬% (-୧୬%) କମ୍ ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ଜୁନ୍-ଜୁଲାଇ ପହିଲା ମଧ୍ୟରେ ଦେଶରେ ୩୮% ଅଭାବୀ ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଜୁଲାଇ ମାସର ପ୍ରଥମ ୯ ଦିନ ମଧ୍ୟରେ ହାରାହାରି ଠାରୁ ଅଧିକ ବର୍ଷା ଯୋଗୁଁ, ଏହି ଅଭାବ ୧୪ ପ୍ରତିଶତକୁ ହ୍ରାସ ପାଇଛି। ହେଲେ ତଥାପି ବିଗତ ୨ ଦିନ ମଧ୍ୟରେ, ମୌସୁମୀ ସକ୍ରିୟ ହେବା ପୁଣି ହ୍ରାସ ପାଇଥିଲା। ଯାହା ଫଳରେ ୧୧ ଜୁଲାଇ ବେଳକୁ ବର୍ଷା ନିଅଣ୍ଟ ୧୬ ପ୍ରତିଶତକୁ ବୃଦ୍ଧି ପାଇଛି।

କୃଷି ମନ୍ତ୍ରଣାଳୟ ବିହାର, ଝାଡ଼ଖଣ୍ଡ, ଆସାମ, ପଞ୍ଜାବ, କେରଳ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ଼, ଗୁଜରାଟ ଭଳି ରାଜ୍ୟରେ ବର୍ଷା ପରିସ୍ଥିତି ଉପରେ କଡ଼ା ନଜର ରଖିଛି। କାରଣ ମୌସୁମୀ ଋତୁରେ ଏଠାରେ ୨୦% କିମ୍ବା ଏହା ଠାରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି।

ଏହା ସହ ପଢନ୍ତୁ: ପ୍ରବଳ ମୌସୁମୀ ସତ୍ତ୍ୱେ କମିଛି ବର୍ଷା; କ'ଣ ରହିଛି କି ମରୁଡ଼ି ଆଶଙ୍କା?

ମଧ୍ୟ ଭାରତରେ ହାରାହାରି ଠାରୁ ହୋଇଛି ୨% କମ୍ ବର୍ଷା
ଦେଶର ପୂର୍ବ ଏବଂ ଉତ୍ତର-ପୂର୍ବ ଭାଗରେ ସର୍ବାଧିକ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଯେଉଁଠାରେ ୧୧ ଜୁଲାଇ, ୨୦୨୬ ସୁଦ୍ଧା ନିଅଣ୍ଟିଆ ବର୍ଷାର ପରିମାଣ ୩୬% ରହିଛି। ଦ୍ୱିତୀୟ ସର୍ବାଧିକ ନିଅଣ୍ଟିଆ ବର୍ଷା ଦକ୍ଷିଣ-ଉପଦ୍ୱୀପ ଭାରତରେ ହୋଇଛି, ଯେଉଁଠାରେ ଏପର୍ଯ୍ୟନ୍ତ ୧୭% ହାରାହାରି କମ୍ ବର୍ଷା ହୋଇଛି। ଏହି ସମୟରେ, ଉତ୍ତର-ପଶ୍ଚିମ ଭାରତରେ ହାରାହାରି ବର୍ଷା ୦.୭% କମ୍ ଏବଂ ମଧ୍ୟ ଭାରତରେ ହାରାହାରି ବର୍ଷା ୨% କମ୍ ହୋଇଛି।

ଚଳିତ ବର୍ଷ ଖରିଫ ଋତୁ ଏବେ ଏହାର ଶୀର୍ଷରେ ରହିଥିବା ସମୟରେ ମୌସୁମୀ ବର୍ଷା ଦୁର୍ବଳ ହୋଇଛି। ଏହାଯୋଗୁଁ ଦେଶର ଅନେକ ସ୍ଥାନରେ ହାରାହାରି ଠାରୁ କମ୍ ବର୍ଷା ପାଇଁ ଖରିଫ ଫସଲ ବୁଣାବୁଣିକୁ ନେଇ ଚିନ୍ତା ସୃଷ୍ଟି କରିଛି। କୃଷି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ ୩ ଜୁଲାଇ ୨୦୨୬, ସୁଦ୍ଧା, ସାରା ଦେଶରେ ଖରିଫ ଋତୁରେ ମୋଟ ୩୫୦.୮୫ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି କାର୍ଯ୍ୟ ହୋଇଥିଲା। ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୯୧.୯୬ ଲକ୍ଷ ହେକ୍ଟର (-୨୦.୭୭%) କମ୍।

କମ ପାଣି ଖର୍ଚ୍ଚ ହେଉଥିବା ଫସଲ ବୁଣିବାକୁ ଦିଆଯାଇଛି ପରାମର୍ଶ
ଏହି ସମୟ ମଧ୍ୟରେ ବିଭିନ୍ନ ଫସଲର ବୁଣାବୁଣି ଯଥା ଧାନ ବୁଣା ପ୍ରାୟ ୦୯.୦୬ ଲକ୍ଷ ହେକ୍ଟର (-୧୩.୦୮%), ଗୁରୁତ୍ୱପୂର୍ଣ୍ଣ ଡାଲି ଫସଲ ୧୦.୩୫ ଲକ୍ଷ ହେକ୍ଟର (-୨୧.୭୯%) ଏବଂ ତୈଳବୀଜ ସର୍ବାଧିକ ୪୨.୯୬ ଲକ୍ଷ ହେକ୍ଟର (-୩୯.୩୨%) କୁ ହ୍ରାସ ପାଇଛି। ମୌସୁମୀ ବିଳମ୍ବ ସୋୟାବିନ୍ ଏବଂ କପା ଫସଲକୁ ମଧ୍ୟ ପ୍ରଭାବିତ କରିଛି। ଏହାକୁ ଦୃଷ୍ଟିରେ ରଖି, କୃଷି ମନ୍ତ୍ରଣାଳୟ ଚାଷୀଙ୍କୁ ମକା, ବାଜରା ଏବଂ ମୁଗ ଭଳି କମ ସମୟ ଏବଂ କମ ପାଣି ବ୍ୟବହାର ହେଉଥିବା ଫସଲ ବୁଣାବୁଣି କରିବାକୁ ପରାମର୍ଶ ଦେଇଛି।

ରବିବାର ପ୍ରକାଶିତ ଏହାର ପୂର୍ବାନୁମାନ ରିପୋର୍ଟ ଆଧାରରେ, ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଆଗାମୀ ୬-୭ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ, ପଶ୍ଚିମ-କେନ୍ଦ୍ର ଏବଂ ଦକ୍ଷିଣ ଉପଦ୍ୱୀପ ଭାରତର ସମତଳ ଅଞ୍ଚଳରେ ବର୍ଷା ହ୍ରାସ ପାଇବାର ସମ୍ଭାବନା ରହିଛି। ହେଲେ ତଥାପି, ଆଗାମୀ ୨-୩ ଦିନ ମଧ୍ୟରେ ଉତ୍ତର-ପୂର୍ବ ଭାରତ, ପଶ୍ଚିମବଙ୍ଗ ଏବଂ ବିହାରର ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୪-୫ ଦିନ ମଧ୍ୟରେ ପୂର୍ବ ଉତ୍ତର ପ୍ରଦେଶର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ଏହା ସହ ପଢନ୍ତୁ: ଟଳି ନାହିଁ 'ଏଲ୍ ନିନୋ' ବିପଦ! ମୌସୁମୀରେ ସୁଧାର ସତ୍ତ୍ୱେ ଧିମେଇଛି ଚାଷ

ପୂର୍ବ ଭାରତରେ କେବେ ହେବ ବର୍ଷା?
ପାଣିପାଗ ବିଭାଗ ସୋମବାର ବିହାର ଏବଂ ଝାଡ଼ଖଣ୍ଡ ସମେତ ଉତ୍ତର-ପୂର୍ବ ଭାରତୀୟ ରାଜ୍ୟରେ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଆଗାମୀ ୨-୩ ଦିନ ମଧ୍ୟରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ, ପଶ୍ଚିମବଙ୍ଗରେ ଜୁଲାଇ ୧୬ ପର୍ଯ୍ୟନ୍ତ ଏବଂ ଓଡ଼ିଶାରେ ଜୁଲାଇ ୧୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।







Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored