Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Politics / ସଂକେତ ଦେଲେ ନୀତିଶଙ୍କ ଘନିଷ୍ଠ; ବିହାର ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ନିଶାନ୍ତ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ସଂକେତ ଦେଲେ ନୀତିଶଙ୍କ ଘନିଷ୍ଠ; ବିହାର ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ନିଶାନ୍ତ
JDU Leader Backs Nishant Kumar’s Entry Into Politics

Key Points

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁତ୍ର ନିଶାନ୍ତ କୁମାର ରାଜନୀତିକୁ ଆସିପାରନ୍ତି । ଏନେଇ ନୀତିଶଙ୍କ ଘନିଷ୍ଠ ତଥା ଦଳର ଜାତୀୟ କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଝା ସଂକେତ ଦେଇଛନ୍ତି ।
ପାଟନା: ରାଜନୀତିକୁ ଆସିବେ ନୀତିଶଙ୍କ ପୁତ୍ର । ସଂକେତ ଦେଲେ ଜେଡିୟୁ (JDU) ନେତା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁତ୍ର ନିଶାନ୍ତ କୁମାର ରାଜନୀତିକୁ ଆସିପାରନ୍ତି । ଏନେଇ ନୀତିଶଙ୍କ ଘନିଷ୍ଠ ତଥା ଦଳର ଜାତୀୟ କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଝା ସଂକେତ ଦେଇଛନ୍ତି ।

ପାଟନା ବିମାନବନ୍ଦରରେ ଜେଡିୟୁ ନେତା ସଞ୍ଜୟ ଝା ଦେଇଥିବା ମନ୍ତବ୍ୟ ବିହାର ରାଜନୀତିକୁ ଉଷ୍ମ କରିଛି । ନୀତିଶଙ୍କ ପୁତ୍ର ନିଶାନ୍ତ ରାଜନୀତିକୁ ଆସିବା ନେଇ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ସଞ୍ଜୟ ଝା ଦେଇଥିବା ମନ୍ତବ୍ୟ ।

ଏଥିସହ ପଢ଼ନ୍ତୁ: ଶାନ୍ତି ପୁରସ୍କାର ପାଇଁ 'ବିକଳ' ଟ୍ରମ୍ପ; ମେଡାଲ୍ ଦେଖୁ ଦେଖୁ ନିଜେ ନେଇ ବେକରେ ଗଳେଇ ଦେଲେ

ଦୀର୍ଘ ଦିନରୁ NDAର ସହଯୋଗୀ ଥିବା ଜେଡିୟୁ ଭିତରେ ନିଶାନ୍ତଙ୍କୁ ନେଇ ଦାବି ବଢ଼ୁଛି । ନିଶାନ୍ତ ସକ୍ରିୟ ରାଜନୀତିକୁ ଆସନ୍ତୁ ବୋଲି ଚାହୁଁଛନ୍ତି ଜେଡିୟୁ ନେତା । ଏପରିକି ନିକଟରେ ସରିଥିବା ବିହାର ନିର୍ବାଚନରେ ନିଶାନ୍ତ ନାଳନ୍ଦା ଆସନରୁ ଲଢ଼ିପାରନ୍ତି ବୋଲି ଅନେକ ଆଶା ରଖିଥିଲେ ।

କିନ୍ତୁ ବିଜେପି ସହଯୋଗରେ ଜେଡିୟୁ ବହୁମତ ପାଇ ସରକାର ଗଢ଼ିଥିଲେ ବି ନୀତିଶଙ୍କ ପୁତ୍ର ନିଶାନ୍ତଙ୍କୁ ଛିଡ଼ା କରି ନଥିଲା । ତଥାପି ନିଶାନ୍ତ ରାଜନୀତିରେ ଏଣ୍ଟ୍ରି କରିବା ନେଇ ଦଳରେ ଚର୍ଚ୍ଚା ଜୋର୍ ଧରିଛି ।

ଜେଡିୟୁର ନେତା ବାରମ୍ବାର ନିଶାନ୍ତଙ୍କ ରାଜନୈତିକ ଏଣ୍ଟ୍ରି ନେଇ ଆଲୋଚନା କରୁଛନ୍ତି । ରାଜନୀତିକୁ ସ୍ଵାଗତ ସହ ନିଶାନ୍ତଙ୍କୁ ଦଳରେ ଗୁରୁତ୍ଵପୂର୍ଣ୍ଣ ପଦବୀ ଦେବାକୁ ପ୍ରାଥମିକତା ଦେଉଛନ୍ତି । କିନ୍ତୁ ପୁଅର ପଲଟିକାଲ୍ ଏଣ୍ଟ୍ରି ନେଇ ମଉନ ଅଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ଶୁକ୍ରବାର ପାଟନା ବିମାନବନ୍ଦରରେ ସଞ୍ଜୟ ଝା ଗଣମାଧ୍ୟମ ସହ ଆଲୋଚନା ବେଳେ ନିଶାନ୍ତଙ୍କ ରାଜନୈତିକ ଏଣ୍ଟ୍ରିକୁ ସମର୍ଥନ କରିଛନ୍ତି । ସଞ୍ଜୟ ଝା କହିଛନ୍ତି, "ଦଳର ସଦସ୍ୟ, ସମର୍ଥକ ଓ ଶୁଭେଚ୍ଛୁ ସମସ୍ତେ ଚାହାନ୍ତି ନିଶାନ୍ତ କୁମାର ଦଳରେ ଯୋଗ ଦିଅନ୍ତୁ ଏବଂ ଦଳ ପାଇଁ କାମ କରନ୍ତୁ । କିନ୍ତୁ ସେ କେବେ ରାଜନୀତିକୁ ଆସିବେ ତାଙ୍କ ଉପରେ ନିର୍ଭର କରେ ।"

ନିକଟରେ ବିହାରରେ NDAର ବଡ଼ ବିଜୟ ନେଇ ନିଶାନ୍ତ କୁମାର ପ୍ରତିକ୍ରିୟା ରଖିଥିଲେ । ନିଶାନ୍ତ କହିଥିଲେ, "ଏହା ବିହାରବାସୀଙ୍କ ଆଶୀର୍ବାଦ । ଜନତା ଆଉ ଥରେ ବାପାଙ୍କ ଉପରେ ଏବଂ NDA ଉପରେ ବିଶ୍ଵାସ କରିଛନ୍ତି ।"

ଏଥିସହ ପଢ଼ନ୍ତୁ: ମ୍ୟାଚ୍ ଅଧାରୁ ପିଚ୍‌ରେ ଫସିଗଲା ବଲ୍, ବାତିଲ୍ ହେଲା ଖେଳ

ବାପା ନୀତିଶଙ୍କ ନେତୃତ୍ଵର ପ୍ରଶଂସା କରିଥିଲେ ନିଶାନ୍ତ । କହିଥିଲେ, "ମୋ ବାପା ପୂର୍ବରୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିଛନ୍ତି । ଏବେ ମଧ୍ୟ ସମସ୍ତ ପ୍ରତିଶ୍ରୁତ ପୂରଣ କରିବେ । କୋଟିଏ ଚାକିରି ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।"

ଏବେ ନିଶାନ୍ତଙ୍କ ରାଜନୈତିକ ଆରମ୍ଭ ନେଇ ସଞ୍ଜୟ ଝା ଦେଇଥିବା ମନ୍ତବ୍ୟ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି । ସମୟର ଆହ୍ଵାନ କ୍ରମେ ସକ୍ରିୟ ରାଜନୀତିକୁ ନିଶାନ୍ତ କୁମାରଙ୍କ ଆଗମନ ହେବ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
JDU Hints at Nishant Kumar’s Entry Into Bihar Politics | Argus News | Argus News