Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୌସୁମୀ ବେଳେ ଗାଏବ ହୋଇଯିବ ବର୍ଷା! ପ୍ରଶାନ୍ତ ମହାସାଗରରେ ଆରମ୍ଭ ହୋଇଗଲା 'ସୁପର ଏଲ୍ ନିନୋ' ପ୍ରଭାବ

National

Super El Nino 2026 / ମୌସୁମୀ ବେଳେ ଗାଏବ ହୋଇଯିବ ବର୍ଷା! ପ୍ରଶାନ୍ତ ମହାସାଗରରେ ଆରମ୍ଭ ହୋଇଗଲା 'ସୁପର ଏଲ୍ ନିନୋ' ପ୍ରଭାବ

Subhramjit Ray
Browse all articles by Subhramjit Ray
·2 hours ago·4 min read
ମୌସୁମୀ ବେଳେ ଗାଏବ ହୋଇଯିବ ବର୍ଷା! ପ୍ରଶାନ୍ତ ମହାସାଗରରେ ଆରମ୍ଭ ହୋଇଗଲା 'ସୁପର ଏଲ୍ ନିନୋ' ପ୍ରଭାବ
Super El Nino 2026

Key Points

୧୯୫୦ ମସିହା ପର ଠାରୁ ୧୬ ଏଲ୍ ନିନୋ ଘଟଣା ମଧ୍ୟରୁ ୯ ଘଟଣା ଭାରତରେ ବର୍ଷା ଉପରେ ନକାରାତ୍ମକ ପ୍ରଭାବ ପକାଇଛି। ଏବେ ପୁଣି ଚଳିତ ବର୍ଷ ଏହାର ପ୍ରଭାବ ଦେଖିବାକୁ ମିଳିପାରେ।
Super El Nino India monsoon 2026:  ପ୍ରଚଣ୍ଡ ଗରମ, କମ୍ ବର୍ଷା ଏବଂ ଗୁରୁତର ମରୁଡ଼ି ହେଉଛି ମୌସୁମୀର ଶତ୍ରୁ କୁହାଯାଉଥିବା "ଏଲ୍ ନିନୋ" ଆଗମନର ସଙ୍କେତ। ଚଳିତ ବର୍ଷ ମୌସୁମୀ ଉପରେ "ସୁପର ଏଲ୍ ନିନୋ" ବିପଦ ରହିଛି। ପାଣିପାଗ ବିଭାଗ ଚଳିତ ବର୍ଷ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବା ନେଇ ପୂର୍ବନୁମାନ କରିସାରିଛି। "ଏଲ୍ ନିନୋ" କାରଣରୁ ଆକାଶରୁ ନିଆଁ ବର୍ଷିବ। ଏପରିକି ବର୍ଷା ହ୍ରାସ ପାଇବାକୁ ଯାଉଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ବୃଦ୍ଧି ପାଇବ ପାଇଛି। ଯାହାର ଅର୍ଥ ହେଉଛି "ଏଲ୍ ନିନୋ" କାରଣରୁ କ୍ଷତି ସହିବାକୁ ପଡ଼ିପାରେ। ଏପରିକି ଏହା ଦେଶର ଅର୍ଥନୀତି ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। "ଏଲ୍ ନିନୋ" କାରଣରୁ ଚଳିତ ବର୍ଷ ଦେଶରେ ପ୍ରାୟ ୧୯୭ ଜିଲ୍ଲା ପ୍ରଭାବିତ ହୋଇପାରନ୍ତି। ଯେଉଁଠାରେ ଏହାର ପ୍ରଭାବ ସବୁଠାରୁ ଗୁରୁତର ହୋଇପାରେ। କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ତାଙ୍କ ବିଭାଗ ପ୍ରତ୍ୟେକ ରାଜ୍ୟ ପାଇଁ ଏକ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିଛି।

ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ଦୃଶ୍ୟମାନ ହେବ "ଏଲ୍ ନିନୋ" ପ୍ରଭାବ
ଗତ ଶୁକ୍ରବାର (୧୨ ଜୁନ୍) ପାଣିପାଗ ବିଭାଗ ଆନୁଷ୍ଠାନିକ ଭାବରେ ପ୍ରଶାନ୍ତ ମହାସାଗରରେ "ଏଲ୍ ନିନୋ" ପରିସ୍ଥିତି ସୃଷ୍ଟି ହେବା ସମ୍ପର୍କରେ ଘୋଷଣା କରିଥିଲା। ଚଳିତ ବର୍ଷ ଜୁଲାଇ ମାସରୁ ସେପ୍ଟେମ୍ବର ମଧ୍ୟରେ ଏହାର ପ୍ରଭାବ ଶୀର୍ଷରେ ରହିବ। ଯେଉଁ ସମୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଭାରତରେ ବର୍ଷର ସବୁଠାରୁ ଅଧିକ ବର୍ଷା କରିଥାଏ। ହେଲେ "ଏଲ୍ ନିନୋ" ପ୍ରଭାବରୁ ଏଥର ବର୍ଷା ହ୍ରାସ ହୋଇପାରେ।

ଭାରତୀୟ ପାଣିପାଗ ବିଭାଗ (India Meteorological Department) କହିଛି, "ମୌସୁମୀ ମିଶନ କପଲ୍ଡ ଫୋରକାଷ୍ଟ ସିଷ୍ଟମ" (Monsoon Mission Coupled Forecast System) ଦ୍ୱାରା ହୋଇଥିବା ପୂର୍ବାନୁମାନ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ "ଏଲ୍ ନିନୋ" ପରିସ୍ଥିତି ମଜବୁତ ହୋଇଯିବ। ପୂର୍ବରୁ ଗତ ୨୦୨୩ ବର୍ଷରେ "ଏଲ୍ ନିନୋ" ପରିସ୍ଥିତି ଉପୁଜିଥିଲା। ଗତ ୨୦୦୦ ମସିହା ପରେ ୨୦୦୨, ୨୦୦୯, ୨୦୧୫ ବର୍ଷରେ "ଏଲ୍ ନିନୋ" ପରିସ୍ଥିତି ବିକଶିତ ହୋଇଥିଲା।

ଏହା ସହ ପଢନ୍ତୁ: ଦେଶର ୧୯୭ ଜିଲ୍ଲାକୁ ଗ୍ରାସିବ ଏଲ୍ ନିନୋ; ମୁକାବିଲା ପାଇଁ ପ୍ରସ୍ତୁତ ସରକାର

ହ୍ରାସ ପାଇବ ମୌସୁମୀ ବର୍ଷା; ବଢିବ ଗରମ

"ଏଲ ନିନୋ" ହେଉଛି ବିଷୁବୀୟ ପ୍ରଶାନ୍ତ ମହାସାଗରରେ ଏକ ଅସ୍ୱାଭାବିକ ଉଷ୍ମ ସମୁଦ୍ର ପୃଷ୍ଠ, ଯାହା ବୈଶ୍ୱିକ ପାଣିପାଗ ଏବଂ ଭାରତରେ ହେଉଥିବା ମୌସୁମୀ ବର୍ଷାକୁ ପ୍ରଭାବିତ କରିପାରେ। "ଏଲ୍ ନିନୋ" (El Nino) କାରଣରୁ ତାପମାତ୍ରା ବୃଦ୍ଧି ହୋଇଥାଏ। ଏହାର ବିପରୀତ ପ୍ରକ୍ରିୟାକୁ "ଲା ନିନା" (La Nina) କୁହାଯାଏ। ଯେତେବେଳେ ତାପମାତ୍ରା ହ୍ରାସ ପାଇଥାଏ ।

"ଏଲ ନିନୋ" ପାଇଁ ବଢିବ ଖାଦ୍ୟ ପଦାର୍ଥର ମୂଲ୍ୟ
ଆଇଏମଡି ଏହାର ଋତୁକାଳୀନ ବୃଷ୍ଟିପାତ ପୂର୍ବାନୁମାନକୁ ୯୦ ପ୍ରତିଶତକୁ ହ୍ରାସ କରିଛି। ଯାହା ଫଳସ୍ୱରୂପ ଦେଶରେ ସ୍ୱାଭାବିକ ଠାରୁ କମ୍ ମୌସୁମୀ ବର୍ଷା ହେବା। ଯାହାର ପ୍ରଭାବ ସିଧାସଳଖ ଗ୍ରାମୀଣ ଅର୍ଥନୀତି ଉପରେ ପଡ଼ିବ। ଏପରିକି ଏହା ଦ୍ୱାରା ଖାଦ୍ୟ ପଦାର୍ଥର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ। ଯଦି "ଏଲ୍ ନିନୋ" କାରଣରୁ କମ୍ ବର୍ଷା ହୁଏ ତାହେଲେ ଫସଲ ଉତ୍ପାଦନ ହ୍ରାସ ପାଇବ। ଯାହା ଦ୍ୱାରା ଏହାର ମୂଲ୍ୟ ବଢିବା ସହ ଏହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ିବ।

"ଏଲ୍ ନିନୋ" କ'ଣ?
"ଏଲ୍ ନିନୋ" ହେଉଛି ଏକ ଜଳବାୟୁ ସହ ଜଡି଼ତ ଘଟଣାକ୍ରମ। ଏହାର ପ୍ରଭାବରେ, କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକ ଠାରୁ ୨ ଡିଗ୍ରୀ କିମ୍ବା ଏହା ଠାରୁ ଅଧିକ ବୃଦ୍ଧି ପାଇଥାଏ। ଏହା ପବନର ଢାଞ୍ଚାକୁ ପରିବର୍ତ୍ତନ କରେ। ଯାହା ବିଶ୍ୱବ୍ୟାପୀ ପାଣିପାଗ ଉପରେ ବିନାଶକାରୀ ପ୍ରଭାବ ପକାଇଥାଏ। "ଏଲ୍ ନିନୋ" ସମୟରେ ସାଧାରଣତଃ ସମୁଦ୍ର ଉପରେ ପ୍ରବାହିତ ହେଉଥିବା ପବନ ଦୁର୍ବଳ ହୋଇ ଏହାର ଦିଗ ପରିବର୍ତ୍ତନ କରିଥାଏ। ଯାହା ଫଳରେ ପ୍ରଶାନ୍ତ ମହାସାଗରର ପଶ୍ଚିମ ଦିଗରୁ ପୂର୍ବ ଭାଗକୁ ଉଷ୍ମ ଜଳ ବ୍ୟାପିଯାଏ। "ଏଲ୍ ନିନୋ" ପ୍ରଭାବ ୨ ରୁ ୭ ବର୍ଷ ବ୍ୟବଧାନରେ ପରିଲକ୍ଷିତ ହୋଇଥାଏ। ଗତ ୧୯୮୨-୮୩, ୧୯୯୭-୯୮ ମସିହା ଏବଂ ୨୦୧୫-୧୬ ବର୍ଷରେ "ସୁପର ଏଲ୍ ନିନୋ" ଘଟଣା ରେକର୍ଡ଼ ହୋଇଥିଲା। ପାଣିପାଗ ବିଜ୍ଞାନୀ ଚଳିତ ବର୍ଷ ଆଉ ଏକ "ଏଲ୍ ନିନୋ" ଆଗମନ ସମ୍ପର୍କରେ ପୂର୍ବାନୁମାନ କରିଛନ୍ତି। ଏହା ଦ୍ୱାରା ମୌସୁମୀ ଦୁର୍ବଳ ହେବା ସହ ବର୍ଷା ହ୍ରାସ ପାଇବ। ଯାହା ଫଳରେ ଗମ୍ଭୀର ମରୁଡ଼ି ହେବାର ସମ୍ଭାବନା ବୃଦ୍ଧି ପାଇବ। ଏପରିକି ଏହା ଦ୍ୱାରା କୃଷି ଉତ୍ପାଦନ ପ୍ରଭାବିତ ହେବା ସହ ଦରଦାମ ବୃଦ୍ଧି ମଧ୍ୟ ହେବ।

ଧିର ମନ୍ଥର ମୌସୁମୀ
ଗତ ୪ ତାରିଖରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ନିର୍ଦ୍ଧାରିତ ସମୟ ଠାରୁ ୩ ଦିନ ବିଳମ୍ବରେ କେରଳରେ ଧିର ମନ୍ଥର ବେଗରେ ପହଞ୍ଚିଥିଲା। ଯଦିଓ ଉତ୍ତର ଏବଂ କେନ୍ଦ୍ରୀୟ ଭାରତର କିଛି ଅଂଶରେ ଜୁନ୍ ମାସରେ ପ୍ରାକ୍-ମୌସୁମୀ ବର୍ଷା ଅନୁଭୂତ ହୋଇଥିଲା। ପାଣିପାଗ ବିଜ୍ଞାନୀମାନେ ଏହି ପ୍ରାରମ୍ଭିକ ସ୍ଥିରତାକୁ ଏକ ଭ୍ରମ ବୋଲି କହୁଛନ୍ତି। ଭାରତୀୟ ପାଣିପାଗ ବିଭାଗର "ମୌସୁମୀ ମିଶନ କପଲ୍ଡ ଫୋରକାଷ୍ଟ ସିଷ୍ଟମ" ଅନୁସାରେ, ବୃଷ୍ଟିପାତ ପ୍ରକୃତ ହ୍ରାସ ମୌସୁମୀ ଋତୁର ଦ୍ୱିତୀୟାର୍ଦ୍ଧରେ ଦେଖିବାକୁ ମିଳିବ। ବିଶେଷକରି ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ଯେତେବେଳେ "ଏଲ୍ ନିନୋ" ଆର୍ଦ୍ରତାକୁ ଯଥେଷ୍ଟ ହ୍ରାସ କରିବ।

ଦେଶରେ କ'ଣ ରହିଛି ଅତୀତର "ଏଲ୍ ନିନୋ" ରେକର୍ଡ଼?
ଯଦି ପୁରୁଣା ରେକର୍ଡ଼ ଉପରେ ନଜର ପକାଯାଏ, ତାହେଲେ ୧୯୫୦ ମସିହା ପର ଠାରୁ ୧୬ "ଏଲ୍ ନିନୋ" ଘଟଣାକ୍ରମ ମଧ୍ୟରୁ ୯ ଘଟଣା ଦେଶରେ ମୌସୁମୀ ବର୍ଷା ଉପରେ ନକାରାତ୍ମକ ପ୍ରବାବ ପକାଇଥିଲା। ଗୁରୁତ୍ୱ କଥା ହେଉଛି ଯେ "ଏଲ୍ ନିନୋ" ସମୟରେ ମଧ୍ୟ ଭାରତ ମହାସାଗରର "ଡାଇପୋଲ୍" (Indian Ocean Dipole) ଅଧିକାଂଶ ସମୟ ଭଳି ନିରପେକ୍ଷ ରହିବା ନେଇ ଆଶା କରାଯାଉଛି। ଏହା ସମୁଦ୍ର ପୃଷ୍ଠର ତାପମାତ୍ରା ସହିତ ଜଡିତ ଏକ ଘଟଣା, ଯାହା କେତେକ ସମୟରେ ପ୍ରଶାନ୍ତ ମହାସାଗରର ତାପମାତ୍ରା ପ୍ରଭାବକୁ ହ୍ରାସ କରିପାରେ।

ଏହା ସହ ପଢନ୍ତୁ:  'ଏଲ୍ ନିନୋ' ପୂର୍ବାନୁମାନ ମଧ୍ୟରେ ଦେଶରେ ପହଞ୍ଚିଲା ମୌସୁମୀ

କୃଷି ଉତ୍ପାଦନ ଉପରେ କ'ଣ ରହିବ "ଏଲ୍ ନିନୋ" ପ୍ରଭାବ?
ଦେଶରେ କୃଷି କାର୍ଯ୍ୟ ମୋଟାମୋଟି ଭାବରେ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ। ବର୍ତ୍ତମାନ "ଏଲ୍ ନିନୋ" ସକ୍ରିୟ ହେବାର ଖବର ମଧ୍ୟରେ, ଖରିଫ ଫସଲ ବିପଦରେ ପଡ଼ିଛି। ଧାନ, ଡାଲି, ତୈଳବୀଜ, ପନିପରିବା ଉତ୍ପାଦନ ସବୁଠାରୁ ଅଧିକ ପ୍ରଭାବିତ ହେବ। ଐତିହାସିକ ତଥ୍ୟ ଦର୍ଶାଉଛି ଯେ "ଏଲ୍ ନିନୋ" କାରଣରୁ ହାରାହାରି ଭାବରେ ପ୍ରାୟ ୩.୪ ମିଲିୟନ ଟନ୍ ଧାନ ଉତ୍ପାଦନ ହ୍ରାସ ପାଇପାରେ। ଡାଲି, ସୋୟାବିନ୍ ଏବଂ ଚିନାବାଦାମ ଚାଷ ପାଇଁ ଆର୍ଦ୍ରତାର ଅଭାବ କାରଣରୁ ଏହା ସମୟ ପୂର୍ବରୁ ନଷ୍ଟ ହୋଇଯିବ। ମକା ଏବଂ ବାଜରା ଭଳି ଫସଲ ମଧ୍ୟ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ।

ଅର୍ଥନୀତି ଏବଂ ଭିତ୍ତିଭୂମି ଉପରେ କିପରି ଚାପ ପକାଇଥାଏ "ଏଲ୍ ନିନୋ"?
ଦୁର୍ବଳ ମୌସୁମୀ କେବଳ ଫସଲ ଉତ୍ପାଦନକୁ ପ୍ରଭାବିତ କରେ ନାହିଁ। ବରଂ ପ୍ରମୁଖ ଜଳଭଣ୍ଡାରରେ ଜଳସ୍ତରକୁ ମଧ୍ୟ ହ୍ରାସ କରେ। ଏହି ହ୍ରାସ ପାଇଥିବା ଜଳଭଣ୍ଡାର ଯୋଗୁଁ ଜଳବିଦ୍ୟୁତ ଶକ୍ତି ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଥାଏ। ବିଶେଷକରି ଗ୍ରାମାଞ୍ଚଳରେ ନଳକୂପ ଏବଂ ଜଳସେଚନ ପମ୍ପ ଚଲାଇବା ପାଇଁ ବିଦ୍ୟୁତ ଚାହିଦା ବୃଦ୍ଧି ପାଇବ। ICRA ଭଳି ଆର୍ଥିକ ପ୍ରତିଷ୍ଠାନ ଚେତାବନୀ ଦେଇଛି ଯେ କୃଷି ଏବଂ ଫସଲର ଖରାପ ପ୍ରଦର୍ଶନ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ରେ ଖାଦ୍ୟ ମୂଲ୍ୟରେ ଆହୁରି ୦.୪% ବୃଦ୍ଧି ହୋଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବରୁ ଦରଦାମ ବୃଦ୍ଧି ହେବା ସମ୍ପର୍କରେ ଚେତାବନୀ ଦେଇସାରିଛି।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored