Videos
|
National

Weak Monsoon India 2026 / ଦୁର୍ବଳ ମୌସୁମୀର ପ୍ରଭାବ; ୧୬୬ ଜଳଭଣ୍ଡାରରେ ୩୮% ହ୍ରାସ ପାଇଲା ଜଳସ୍ତର

Subhramjit Ray
Browse all articles by Subhramjit Ray
·2 weeks ago·3 min read
ଦୁର୍ବଳ ମୌସୁମୀର ପ୍ରଭାବ; ୧୬୬ ଜଳଭଣ୍ଡାରରେ ୩୮% ହ୍ରାସ ପାଇଲା ଜଳସ୍ତର
Weak Monsoon India 2026

Key Points

ପୂର୍ବ ଭାରତର ୨୭ ପ୍ରମୁଖ ଜଳଭଣ୍ଡାରରେ ଗତ ବର୍ଷ ତୁଳନାରେ ୧୮.୦୧% କମ୍ ଜଳ ସଂରକ୍ଷଣ ରେକର୍ଡ କରାଯାଇଛି। ଯେତେବେଳେ ପଶ୍ଚିମ ଭାରତର ୫୩ ପ୍ରମୁଖ ଜଳଭଣ୍ଡାରରେ ମଧ୍ୟ ଜଳ ଧାରଣ କ୍ଷମତା ୧୫.୫୭% ହ୍ରାସ ପାଇଛି।
Weak monsoon impact on water storage: ଚଳିତ ବର୍ଷ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଏପର୍ଯ୍ୟନ୍ତ ଦେଶର ଅଧିକାଂଶ ରାଜ୍ୟରେ ମୌସୁମୀ ଋତୁରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଯାହାର ଫଳସ୍ୱରୂପ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଜୁଲାଇ ୨ ତାରିଖ ସୁଦ୍ଧା ଦେଶର ପ୍ରମୁଖ ଜଳଭଣ୍ଡାରରେ ଜଳ ସଂରକ୍ଷଣ ସ୍ତର ଯଥେଷ୍ଟ ହ୍ରାସ ପାଇଛି।

କେନ୍ଦ୍ରୀୟ ଜଳ ଆୟୋଗ ଦ୍ୱାରା ଜୁଲାଇ ୨ ତାରିଖରେ ଜାରି ହୋଇଥିବା ସଦ୍ୟତମ ଜଳଭଣ୍ଡାର ସଂରକ୍ଷଣ ବୁଲେଟିନ୍ ଅନୁଯାୟୀ, ଦେଶର ୧୬୬ ପ୍ରମୁଖ ଜଳଭଣ୍ଡାରରେ ୨୦୨୬ ଜୁଲାଇ ୨ ତାରିଖ ସୁଦ୍ଧା ୪୭.୭୨୫ BCM (ବିଲିୟନ ଘନ ମିଟର) ଜଳ ଉପଲବ୍ଧ ରହିଥିଲା। ଗତ ବର୍ଷ ଜୁଲାଇ ୨ ତାରିଖ ସୁଦ୍ଧା ଏହି ପ୍ରମୁଖ ଜଳଭଣ୍ଡାରରେ ୭୮.୦୭୭ BCM ଜଳ ମହଜୁଦ ରହିଥିଲା। ଯାହାର ଅର୍ଥ ହେଉଛି ଯେ ଏହି ୧୬୬ ଜଳଭଣ୍ଡାରରେ ଉପଲବ୍ଧ ଜଳ ଗତ ବର୍ଷ ସମାନ ସମୟ ମଧ୍ୟରେ ୬୧.୧୩% ରହିଥିଲା। ଏହାର ଅର୍ଥ ହେଉଛି ଯେ ୨ ଜୁଲାଇ ପର୍ଯ୍ୟନ୍ତ ଏହି ପ୍ରମୁଖ ଜଳଭଣ୍ଡାରରେ ବର୍ତ୍ତମାନ ମହଜୁଦ ରହିଥିବା ସଂରକ୍ଷଣ ଗତ ବର୍ଷ ତୁଳନାରେ ୩୮.୮୭% ହ୍ରାସ ପାଇଛି।

ଚଳିତ ବର୍ଷ ମୌସୁମୀ ଋତୁରେ ଦେଶରେ ସ୍ୱାଭାବିତ ବୃଷ୍ଟିପାତ ତୁଳନାରେ ଯଥେଷ୍ଟ କମ୍ ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜୁନ ପହିଲାରୁ ୪ ଜୁଲାଇ ମଧ୍ୟରେ ଦେଶରେ ବର୍ଷା ସ୍ୱାଭାବିକ ତୁଳନାରେ ୨୭% କମ୍ ରହିଥିଲା। ସାଧାରଣତଃ, ଦେଶରେ ଜୁନ୍ ୧ ତାରିଖରୁ ଜୁଲାଇ ୪ ମଧ୍ୟରେ ହାରାହାରି ୧୯୬.୯ ମିମି ବର୍ଷା ହୋଇଥାଏ। ହେଲେ ଚଳିତ ବର୍ଷ ଜୁନ୍ ୧ ତାରିଖରୁ ଜୁଲାଇ ୪ ମଧ୍ୟରେ କେବଳ ୧୪୪.୨ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି।

ଏହା ସହ ପଢନ୍ତୁ: ୧୦୦ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଜୁନରେ ଗାଏବ ହୋଇଗଲା ବର୍ଷା; ବଢିଲା 'ସୁପର ଏଲ୍ ନିନୋ' ଆଶଙ୍କା

ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ସର୍ବାଧିକ ବର୍ଷା ହ୍ରାସ ପାଇଥିବାର ପରିଲକ୍ଷିତ ହୋଇଛି। ଯେଉଁଠାରେ ଏହି ୩୪ ଦିନ ମଧ୍ୟରେ ହାରାହାରି ବର୍ଷା ୪୧% କମ୍ ହୋଇଥିଲା। ଦ୍ୱିତୀୟ ସର୍ବାଧିକ ବର୍ଷା ନିଅଣ୍ଟ ମଧ୍ୟ ଭାରତ ଅଞ୍ଚଳରେ ରେକର୍ଡ କରାଯାଇଛି, ଯେଉଁଠାରେ ଜୁନ୍ ୧ ରୁ ଜୁଲାଇ ୪ ମଧ୍ୟରେ ହାରାହାରି ୨୩% କମ୍ ବର୍ଷା ହୋଇଥିଲା। ଏହି ସମୟ ମଧ୍ୟରେ ଉତ୍ତର-ପଶ୍ଚିମ ଭାରତରେ ବର୍ଷା ସ୍ୱାଭାବିତ ତୁଳନାରେ ହାରାହାରି ଭାବରେ ୨୦% କମ୍ ହୋଇଥିଲା। ଯେତେବେଳେ ଦକ୍ଷିଣ ଭାରତରେ ମଧ୍ୟ ୧୫% ନିଅଣ୍ଟିଆ ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି।

ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷ ଜୁନ୍ ପହିଲାରୁ ଜୁଲାଇ ୩ ମଧ୍ୟରେ ହାରାହାରି ଅପେକ୍ଷା ୪୯% କମ୍ ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ ଦିଲ୍ଲୀରେ ସାଧାରଣତଃ ଜୁନ୍ ୧ ପହିଲାରୁ ଜୁଲାଇ ୩ ମଧ୍ୟରେ ୭୫.୧ ମିମି ବର୍ଷା ହୋଇଥାଏ। ହେଲେ ଚଳିତ ବର୍ଷ ଏହି ୩୩ ଦିନ ମଧ୍ୟରେ କେବଳ ୩୮.୨ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି।

ଦେଶର ଚଳିତ ବର୍ଷ ହୋଇଥିବା ନିଅଣ୍ଟିଆ ବର୍ଷାର ପ୍ରଭାବ ଦେଶର ବିଭିନ୍ନ ଭାଗରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, କେରଳ, ତେଲେଙ୍ଗାନା ଭଳି ଦକ୍ଷିଣ ଭାରତୀୟ ରାଜ୍ୟରେ ସର୍ବାଧିକ ବର୍ଷା ଅଭାବ ରେକର୍ଡ଼ କରାଯାଇଛି। କେନ୍ଦ୍ରୀୟ ଜଳ ଆୟୋଗର ସଦ୍ୟତମ ରିପୋର୍ଟ ଅନୁଯାୟୀ ୨ ଜୁଲାଇ ସୁଦ୍ଧା ଏହି ରାଜ୍ୟର ୪୭ ପ୍ରମୁଖ ଜଳଭଣ୍ଡାରରେ ଗତ ବର୍ଷ ତୁଳନାରେ ଜଳ ଧାରଣ କ୍ଷମତା ୩୩.୬୦% ହ୍ରାସ ପାଇଛି।

ଏହା ସହ ପଢନ୍ତୁ: ମୌସୁମୀ ବେଳେ ଗାଏବ ହୋଇଯିବ ବର୍ଷା! ପ୍ରଶାନ୍ତ ମହାସାଗରରେ ଆରମ୍ଭ ହୋଇଗଲା 'ସୁପର ଏଲ୍ ନିନୋ' ପ୍ରଭାବ

ଏହି ସମୟରେ ପୂର୍ବ ଭାରତର ୨୭ ପ୍ରମୁଖ ଜଳଭଣ୍ଡାରରେ ଗତ ବର୍ଷ ତୁଳନାରେ ଜଳ ଧାରଣ କ୍ଷମତା ୧୮.୦୧% ହ୍ରାସ ପାଇଛି। ଯେତେବେଳେ ପଶ୍ଚିମ ଭାରତର ୫୩ ପ୍ରମୁଖ ଜଳଭଣ୍ଡାରରେ ଜଳ ଧାରଣ କ୍ଷମତା ୧୫.୫୭% ହ୍ରାସ ପାଇଛି। ଉତ୍ତର ଭାରତରେ ପଞ୍ଜାବ, ରାଜସ୍ଥାନ, ହିମାଚଳ ପ୍ରଦେଶ ଭଳି ରାଜ୍ୟରେ କେନ୍ଦ୍ରୀୟ ଜଳ କମିଶନ ଦ୍ୱାରା ତଦାରଖ କରାଯାଇଥିବା ୧୧ ବୃହତ ଜଳଭଣ୍ଡାର ରହିଛି। ଜୁଲାଇ ୨ ସୁଦ୍ଧା ଏହି ୧୧ ବୃହତ ଜଳଭଣ୍ଡାରରେ ଜଳ ସଂରକ୍ଷଣ ଗତ ବର୍ଷ ତୁଳନାରେ ୮.୮୭% କମ୍ ହୋଇଥିବାର ରେକର୍ଡ କରାଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weak Monsoon Impact: Water Levels in 166 Major Indian Reservoirs Drop by 38% | Argus News