Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Monsoon break in July / ମୌସୁମୀ ଉପରେ ଲାଗିଲା ବ୍ରେକ୍! ସ୍ୱାଭାବିକ ଠାରୁ ହୋଇଛି ୨୬ ପ୍ରତିଶତ କମ୍ ବର୍ଷା, କେବେ ହେବ ଭରଣା?

Subhramjit Ray
Browse all articles by Subhramjit Ray
·17 hours ago·3 min read
ମୌସୁମୀ ଉପରେ ଲାଗିଲା ବ୍ରେକ୍! ସ୍ୱାଭାବିକ ଠାରୁ ହୋଇଛି ୨୬ ପ୍ରତିଶତ କମ୍ ବର୍ଷା, କେବେ ହେବ ଭରଣା?
Monsoon break in July

Key Points

ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଜୁଲାଇ ମାସରେ ବର୍ଷା ବହୁତ କମ୍ ହୋଇଛି। ମାସରେ ବର୍ଷା ୨୬ ପ୍ରତିଶତ କମ୍ ହୋଇଛି। ଦିଲ୍ଲୀ-ଏନସିଆର, ହରିୟାଣା ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ବିଗତ ୧୧ ଦିନ ମଧ୍ୟରେ ଭଲ ବର୍ଷା ହୋଇନାହିଁ।
Why monsoon paused in India: ସଦ୍ୟ ମୌସୁମୀ ବର୍ଷାର ହ୍ରାସ ଦେଶବ୍ୟାପୀ ଚିନ୍ତା ବଢ଼ାଇ ଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ସଦ୍ୟତମ ତଥ୍ୟ ଅନୁଯାୟୀ, ଚଳିତ ବର୍ଷର ମୌସୁମୀ ଋତୁରେ ଏପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୨୬ ପ୍ରତିଶତ କମ୍ ବର୍ଷା ହୋଇଛି। ୨୦୨୬ ଜୁଲାଇ ପ୍ରାରମ୍ଭରେ ପ୍ରବଳ ବର୍ଷା ପରେ, ଦ୍ୱିତୀୟ ସପ୍ତାହରେ ହଠାତ୍ ମୌସୁମୀ ବିରତି ନେଇଛି। ଦେଶର ୫୬ ପ୍ରତିଶତରୁ ଅଧିକ ଅଞ୍ଚଳ ବର୍ତ୍ତମାନ ଗୁରୁତର ଜଳକଷ୍ଟର ସାମ୍ନା କରୁଛି। ଯାହା ଆଗାମୀ ସମୟରେ ନିଅଣ୍ଟିଆ ବର୍ଷାର ଭରଣା ହୋଇପାରିବ ନାଁ ନାହିଁ ତାହା ଏବେ ପ୍ରଶ୍ନ ଘେରରେ ରହିଛି। ଦେଶର ଅଧିକାଂଶ ସ୍ଥାନରେ ମୌସୁମୀର ଗତି ବର୍ତ୍ତମାନ ଧିର ରହିଛି। ଉତ୍ତର ଭାରତ ସମେତ ଅନେକ ରାଜ୍ୟରେ ବର୍ଷା ଅଭାବ ଯୋଗୁଁ ପ୍ରବଳ ଗରମ ହେତୁ ସାଧରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉତ୍ତର ପ୍ରଦେଶ, ଦିଲ୍ଲୀ-ଏନସିଆର, ହରିୟାଣା ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟର ଲୋକ ଏବେ ବର୍ଷା ପାଇଁ ଆକାଶକୁ ଚାହିଁ ରହିଛନ୍ତି।

୨୦୨୬ ଜୁଲାଇରେ କମ୍ ବର୍ଷା
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ମାସରେ ସାଧାରଣତଃ କମ୍ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଦେଶର ୩୬ ପାଣିପାଗ ଉପଖଣ୍ଡ ମଧ୍ୟରୁ ୨୧ ଖଣ୍ଡାରେ ସ୍ୱାଭାବିକ ତୁଳନାରେ ଯଥେଷ୍ଟ କମ୍ ବର୍ଷା ରେକର୍ଡ କରାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ଜୁଲାଇ ୧୦ ତାରିଖରୁ ମୌସୁମୀ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ହ୍ରାସ ହୋଇଛି। ଉତ୍ତର ପ୍ରଦେଶ, ଦିଲ୍ଲୀ-ଏନସିଆର, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଏବଂ ବିହାର ଭଳି ପ୍ରମୁଖ ରାଜ୍ୟରେ ଏହି ସମୟ ମଧ୍ୟରେ ଅଧିକ ବର୍ଷା ହୋଇନାହିଁ। ଦେଶରେ ସ୍ୱାଭାବିକ ଅପେକ୍ଷା ୫୧ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ବିଶେଷଜ୍ଞ କହିଛନ୍ତି ଯେ ପଶ୍ଚିମ ରାଜସ୍ଥାନ ଏବଂ ପଞ୍ଜାବ ଉପରେ ବାୟୁମଣ୍ଡଳରେ ଏକ ଆଣ୍ଟି-ସାଇକ୍ଲୋନିକ୍ ସର୍କୁଲେସନ୍ ସକ୍ରିୟ ଅଛି। ଏହି ପ୍ରଣାଳୀ ସମୁଦ୍ରରୁ ଆସୁଥିବା ଆର୍ଦ୍ରତାଯୁକ୍ତ ମୌସୁମୀ ପବନକୁ ଆଗକୁ ବଢ଼ିବାରୁ ବାଧା ଦେଉଛି। ଯାହା ଫଳରେ ସମତଳ ଏବଂ ପାହାଡିଆ ଅଞ୍ଚଳରେ ଗରମ ବୃଦ୍ଧି ପାଉଛି।

ଏହା ସହ ପଢନ୍ତୁ: ବର୍ଷିବା ଆଗରୁ ବାୟୁମଣ୍ଡଳରେ ଗାଏବ ହେଉଛି ୨୫% ମୌସୁମୀ ବର୍ଷା; ଚାଷୀଙ୍କୁ ଘାରିଲା ମରୁଡ଼ି ଚିନ୍ତା

କେତେ ହ୍ରାସ ପାଇଛି ବର୍ଷାର ପରିମାଣ
ପାଣିପାଗ ବିଭାଗ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୨୨୭.୦ ମିମି ବର୍ଷା ହୋଇଛି। ସାଧାରଣତଃ, ଏହି ସମୟ ସୁଦ୍ଧା ବର୍ଷା ୨୯୮.୨ ମିମି ହେବା ଆବଶ୍ୟକ। ହେଲେ ଏଠାରେ ୨୬ ପ୍ରତିଶତ ବର୍ଷା ହ୍ରାସ ପାଇଛି।
ଉତ୍ତର-ପଶ୍ଚିମ ଭାରତରେ ସାଧାରଣତଃ ଏପର୍ଯ୍ୟନ୍ତ ୧୬୮ ମିମି ବର୍ଷା ହେବା କଥା। ହେଲେ ଏଠାରେ ୧୩୭ ମିମି ବର୍ଷା ହୋଇଛି। ଯାହା ୧୯ ପ୍ରତିଶତ ହ୍ରାସକୁ ଦର୍ଶାଉଛି।
ଦକ୍ଷିଣ ଭାରତରେ ହାରାହାରି ୨୫୫.୩ ମିମି ତୁଳନାରେ ୧୯୦.୦ ମିମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଯାହା ୨୬ ପ୍ରତିଶତ କମ୍ ବର୍ଷା ହୋଇଥିବା ଦର୍ଶାଇଛି।
ମଧ୍ୟ ଭାରତରେ ଆବଶ୍ୟକୀୟ ୩୧୫ ମିମି ତୁଳନାରେ ୨୭୩ ମିମି ବର୍ଷା ହୋଇଥିବାର ରେକର୍ଡ ହୋଇଛି। ଏଠାରେ ୧୩ ପ୍ରତିଶତ କମ୍ ବର୍ଷା ହୋଇଛି।
ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ମାତ୍ର ୩୪୮ ମିମି ବର୍ଷା ହୋଇଛି। ଏଠାରେ ସ୍ୱାଭାବିକ ୫୪୦ ମିମି ତୁଳନାରେ ୩୬ ପ୍ରତିଶତ କମ୍ ବର୍ଷା ହୋଇଥିବାର ରେକର୍ଡ ହୋଇଛି।

ଭରଣା ହେବ କି ନିଅଣ୍ଟିଆ ବର୍ଷା?
ବର୍ତ୍ତମାନର ପାଗକୁ ଦୃଷ୍ଟିରେ ରଖି, ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ଆଗାମୀ ଦିନରେ ନିଅଣ୍ଟିଆ ମୌସୁମୀ ବର୍ଷାର ଭରଣା ହୋଇପାରିବ ନାଁ ନାହିଁ। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଜୁଲାଇ ମାସର ଶେଷ ୧୦ ଦିନ ମଧ୍ୟରେ ନିଆଣ୍ଟିଆ ବର୍ଷାକୁ ଭରଣା କରାଯାଇ ପାରିବ ନାଁ ନାହିଁ ତାହା ଡଣାପଡ଼ିବ। ଯଦି ଜୁଲାଇ ୧୯ ତାରିଖରୁ ୩୧ ମଧ୍ୟରେ ଭଲ ବର୍ଷା ହୁଏ, ତାହେଲେ କିଛି ପରିମାଣରେ ନିଅଣ୍ଟିଆ ବର୍ଷା ଭରଣା କରାଯାଇ ପାରିବ। ଆଶ୍ୱସ୍ତିର କଥା ଏହା ଯେ ବଙ୍ଗୋପସାଗରରେ ଏକ ନୂତନ ଘୂର୍ଣ୍ଣିବଳୟ ପ୍ରଣାଳୀ ସକ୍ରିୟ ହୋଇଛି। ଯାହା ପବନର ଦିଗ ପରିବର୍ତ୍ତନ କରିବ। ଏହା ସହିତ, ଅଗଷ୍ଟ ସୁଦ୍ଧା "ଏଲ୍ ନିନୋ" ପ୍ରଭାବ ଦୁର୍ବଳ ହେବାର ଆଶା କରାଯାଉଛି। ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ଆଗାମୀ ସପ୍ତାହରେ ପ୍ରବଳ ବର୍ଷା ଜୁଲାଇରେ ହୋଇଥିବା କ୍ଷତିକୁ ବହୁ ପରିମାଣରେ ପୂରଣ କରିପାରିବ। ହେଲେ ତଥାପି ଏହି ଗୁରୁତ୍ୱପୂର୍ଣ୍ଣ ଋତୁକାଳୀନ କ୍ଷତି ସମ୍ପୂର୍ଣ୍ଣ ଭାବରେ ପୂରଣ ହେବା ଅସମ୍ଭବ ମନେ ହେଉଛି।

ଏହା ସହ ପଢନ୍ତୁ: ମୌସୁମୀ ଭାଙ୍ଗିଲା ଚାଷୀଙ୍କ ଆଶା; ୩୭୨ ଜିଲ୍ଲାରେ ହୋଇଛି ଦୁର୍ବଳ ବର୍ଷା

୧୯ ତାରିଖରୁ ୨୨ ମଧ୍ୟରେ ବର୍ଷା ହୋଇପାରେ
ପାଣିପାଗ ବିଭାଗ ୧୯ ତାରିଖରୁ ୨୨ ମଧ୍ୟରେ ଉତ୍ତର ଭାରତର ପାହାଡି଼ଆ ଏବଂ ସମତଳ ରାଜ୍ୟ ପାଇଁ ପ୍ରବଳ ବର୍ଷା ସତର୍କତା ଜାରି କରିଛି। ଜମ୍ମୁ ଏବଂ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶରେ ଆଗାମୀ କିଛି ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ପରିବର୍ତ୍ତନ ଚାଷୀଙ୍କୁ ଯଥେଷ୍ଟ ଆଶ୍ୱସ୍ତି ଦେଇପାରେ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored