Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha Parba 2026

Odisha Parba / ଓଡ଼ିଶାରେ ସୁଯୋଗର ରହିଛି ଅପାର ସମ୍ଭାବନା, ହୋଇ ପାରିବ ଗେମ୍ ଚେଞ୍ଜର୍

Sushanta Sahoo
Browse all articles by Sushanta Sahoo
·4 months ago·3 min read
ଓଡ଼ିଶାରେ ସୁଯୋଗର ରହିଛି ଅପାର ସମ୍ଭାବନା, ହୋଇ ପାରିବ ଗେମ୍ ଚେଞ୍ଜର୍
Future of Odisha Looks Bright

Key Points

ଓଡ଼ିଶା ପାଖରେ ଥିବା ସମ୍ଭାବନା, ସମ୍ବଳ ଓ ଉତ୍କର୍ଷକୁ ନେଇ ବିସ୍ତୃତ ଆଲୋଚନା ହୋଇଛି । 'ନବଚେତନା ଓଡ଼ିଶା' ଶୀର୍ଷକ ଆଲୋଚନା ଚକ୍ରର ପରିଚାଳନା କରିଥିଲେ CSIR ଲକ୍ଷ୍ନୌର ନିର୍ଦ୍ଦେଶକ ଡ. ଅଜିତ୍ କୁମାର ଶସାନି ।
ନୂଆଦିଲ୍ଲୀ: ଓଡ଼ିଶା ପର୍ବର ଦ୍ଵିତୀୟ ଦିନରେ ଜ୍ଞାନ ମଣ୍ଡପମରେ 'ନବଚେତନା ଓଡ଼ିଶା' ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଓଡ଼ିଶା ପାଖରେ ଥିବା ସମ୍ଭାବନା, ସମ୍ବଳ ଓ ଉତ୍କର୍ଷକୁ ନେଇ ବିସ୍ତୃତ ଆଲୋଚନା ହୋଇଛି । 'ନବଚେତନା ଓଡ଼ିଶା' ଶୀର୍ଷକ ଆଲୋଚନା ଚକ୍ରର ପରିଚାଳନା କରିଥିଲେ CSIR ଲକ୍ଷ୍ନୌର ନିର୍ଦ୍ଦେଶକ ଡ. ଅଜିତ୍ କୁମାର ଶସାନି ।

ସେ କହିଛନ୍ତି, "ଆମ ପାଖେ କୋଣାର୍କ ଅଛି, ପୁରୀ ମନ୍ଦିର ଅଛି, ବାସ୍ତୁ ଶିଳ୍ପ, ହସ୍ତ ଶିଳ୍ପ, ଚିତ୍ରକଳା, ସମ୍ବଲପୁରୀ ଶାଢ଼ୀ ଅଛି । ସମୟ ଥିଲା ଦିନେ ଓଡ଼ିଶା ଦେଶର ସର୍ବାଧିକ ଖାଦ୍ୟ ଶସ୍ୟ ଅମଳକାରୀ ରାଜ୍ୟ ଥିଲା । ଓଡ଼ିଆ ଯେଉଁଠିକୁ ଯାଆନ୍ତି ସେଠି ପରିସ୍ଫୁଟିତ ହୁଅନ୍ତି, ଭାରତ କ୍ଷେତ୍ରରେ ମଧ୍ୟ ସମାନ ଘଟେ । ଓଡ଼ିଶାରେ ଆପଣ ସମସ୍ତ ପ୍ରକାର ପାଣିପାଗ ପାଇବେ । ଓଡ଼ିଶାରେ ୪୦ ପ୍ରତିଶତ ଜମି ହେଉଛି ଚାଷ ଜମି । ଲୋକେ ଚାଷ ଛାଡ଼ି, ଚାକିରି କ୍ଷେତ୍ରକୁ ଆସୁଛନ୍ତି ।"

ଅଭିବୃଦ୍ଧି ପାଇଁ ଚାଷର ଆବଶ୍ୟକତା ରହିଛି । କାରଣ ସବୁ ଶିଳ୍ପ କୃଷି ଉପରେ ନିର୍ଭରଶୀଳ । ଓଡ଼ିଶା କୃଷି ସହ ଖଣିଜଭରା । ଯେତେବେଳେ ଆମେ ସୁଯୋଗ କଥା ଜାଣିବା, ସେତେବେଳେ ଉତ୍କୃଷ୍ଟ କାର୍ଯ୍ୟ ହେବ । ଓଡ଼ିଆ ମାଇଣ୍ଡ ସେଟ୍ ବିଶ୍ଵର ସବୁଠୁ ଶ୍ରେଷ୍ଠ ବୋଲି କହିଛନ୍ତି ଡ. ଅଜିତ୍ କୁମାର ଶସାନି ।

ଏଥିସହ ପଢ଼ନ୍ତୁ: ଓଡ଼ିଶା ପରମ୍ପରାକୁ ଦିଲ୍ଲୀ ଦରବାରରେ ପହଞ୍ଚାଇବାକୁ ପ୍ରୟାସ 

'ନବଚେତନା ଓଡ଼ିଶା' ଆଲୋଚନାଚକ୍ରରେ କ୍ରିଏଟିଭ୍ ଟେକ୍ନୋଲୋଜିଷ୍ଟ ସନ୍ଦୀପ ତ୍ରିପାଠୀ ନିଜ ମତ ରଖିଛନ୍ତି । ସେ କହିଛନ୍ତି, "ଆମେ ହେଉଛେ ଏକ ବଡ଼ ଗୋଷ୍ଠୀ, ଯେଉଁମାନେ ଟେକ୍ନୋଲୋଜିର ବ୍ୟବହାର କରୁଛେ । ଆମ ପାଖେ ନୂଆ ଭାବନା ଥାଇ ଟେକ୍ନୋଲୋଜିର ନିର୍ମାତା ହାଇପାରୁନେ । ଆମ ପାଖେ ଦକ୍ଷତା ଅଛି, ନୂଆ କିଛି କରିପାରିବା । ସୋସିଆଲ୍ ମିଡିଆରେ ଆମେ ସ୍କ୍ରଲିଂ ଟାଇମ୍ କମାଇ ନୂଆ କିଛି କଣ୍ଟେଣ୍ଟ ତିଆରି କରିବା ଦରକାର । ଯେଭଳି ଲୋକେ ଆମ କଣ୍ଟେଣ୍ଟକୁ ସେହି ସୋସିଆଲ୍ ମିଡିଆରେ ଦେଖିବେ । "

ଅର୍ଥନୀତିଜ୍ଞ ତଥା ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡ. ଇସିତା ଗାଙ୍ଗୁଲି ତ୍ରିପାଠୀ କହିଛନ୍ତି, "ଓଡ଼ିଶାରେ ୨୪ ଲକ୍ଷ ଏଣ୍ଟରପ୍ରାଇଜର୍ସ MSMEରେ ପଞ୍ଜୀକୃତ । ସେଥିରୁ ୨୧ ପ୍ରତିଶତ MSME ଉତ୍ପାଦନ କ୍ଷେତ୍ରରେ ଥିବାବେଳେ ୩୨ ପ୍ରତିଶତ ସେବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଓଡ଼ିଶାର MSME ଗୁଡ଼ିକ ଟେକ୍ନୋଲୋଜି, ଅର୍ଥ, ମାର୍କେଟିଂ, କୌଶଳ ଭଳି ସମସ୍ୟାର ସାମ୍ନା କରୁଛନ୍ତି । ଓଡ଼ିଶାରେ MSMEକୁ ନେଇ ସଚେତନତା ଆବଶ୍ୟକ ରହିଛି । ଓଡ଼ିଶାରେ ଛେନାପୋଡ଼ କ୍ଲଷ୍ଟର କରାଯାଇ ପାରିବ । ପର୍ଯ୍ୟଟନ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି ।"

ସେହିଭଳି ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୀରା ମହାନ୍ତି କହିଛନ୍ତି, "ସ୍ଵଦେଶୀକୁ ଆମେ ସବୁବେଳେ ଗୁରୁତ୍ଵ ଦେଉଛେ । ଓଡ଼ିଶା ଖଣିଜ ସମ୍ପଦରେ ଭରା । ଏବେ ଓଡ଼ିଶା ଇଞ୍ଜିନିୟରିଂ ଉପରେ ଫୋକସ୍ କରୁଛି । ଆମେ ପାଖେ ପ୍ରଚୁର ଖଣିଜ ସମ୍ପଦ ଥିବାରୁ ଆଗକୁ ଆମେ ଏୟାରକ୍ରାଫ୍ଟର ଫ୍ରେମ, ଏୟାରକ୍ରାଫ୍ଟ ଇଞ୍ଜିନ ନିର୍ମାଣ କଥା ଭାବି ପାରିବା । ଆମ ପାଖେ ଖଣି, ରିଫାଇନାରୀ, ମ୍ୟାନୁଫ୍ୟାକଚରିଂ, ଦକ୍ଷ ସମ୍ବଳ ସହ ଲଜିଷ୍ଟିକ୍ ନେଟୱର୍କ ରହିଛି । ଓଡ଼ିଶା ନିଜକୁ ଜାତୀୟ ସ୍ତରରେ ଏରୋ ସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରରେ ପ୍ରତିପାଦିତ କରିପାରିବ ।"

ଏଥିସହ ପଢ଼ନ୍ତୁ: ଦିଲ୍ଲୀରେ ଆରମ୍ଭ ହେଲା 'ଓଡ଼ିଶା ପର୍ବ ୨୦୨୬', ଦୁଇଟି ଥିମରେ ଆଲୋଚନା ଚକ୍ର ଅନୁଷ୍ଠିତ

ବୈଜ୍ଞାନିକ ପ୍ରବୀର ଦାଶ କହିଛନ୍ତି, "ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ ଏବେ ଆଗକୁ ବଢ଼ୁଛି । ବିଶ୍ଵରେ ସୋଲାର କ୍ଷେତ୍ରରେ ଭାରତ ତୃତୀୟ ଓ ପବନ ଶକ୍ତି କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ଅଛି । ଭାରତ ଆବଶ୍ୟକ କରୁଥିବା ବିଦ୍ୟୁତ୍‌ର ୨୨ ପ୍ରତିଶତ ଏହି ଅକ୍ଷୟ ଶକ୍ତିରୁ ଆସୁଛି । କୋଇଲା ତୁଳନାରେ ଅକ୍ଷୟ ଶକ୍ତି ବହୁତ ଶସ୍ତା । ଓଡ଼ିଶାରେ ଏହାର ଉପଯୋଗ ପାଇଁ ସୁଯୋଗ ରହିଛି । ଚାଷୀ ଡିଜେଲ୍ ପମ୍ପ ପରିବର୍ତ୍ତେ ସୋଲାର୍ ପମ୍ପର ଉପଯୋଗ କଲେ କମ୍ ଖର୍ଚ୍ଚାନ୍ତ ହେବେ ।"

ଅର୍ଥନୀତିଜ୍ଞ ତଥା ଜେଏନୟୁର ଆସୋସିଏଟ୍ ପ୍ରଫେସର ଡ. ରମ୍ୟ ରଞ୍ଜନ ପଟେଲ କହିଛନ୍ତି, "ଦଶନ୍ଧି ଭିତରେ ଓଡ଼ିଶାର ଅର୍ଥନୀତି, ସଂସ୍କୃତି, ପ୍ରଶାସନ, ଭିତ୍ତିଭୂମି ବଦଳିଛି । ଯାହାକି ଓଡ଼ିଶା ଓ ଓଡ଼ିଆଙ୍କ ବିଶ୍ଵାସ ସହ ସମ୍ମାନକୁ ବଢ଼ାଇଛି । ଓଡ଼ିଆ ମାନେ କଠିନ ପରିଶ୍ରମ କରନ୍ତି, ସରଳ, ନିରୀହ, ସତ୍ୟ, ଧାର୍ମିକ ଅଟନ୍ତି । ପୂର୍ବରୁ ଓଡ଼଼ିଶା କଳାହାଣ୍ଡି ଛୁଆ ବିକ୍ରି, ଗରିବୀକୁ ନେଇ ପରିଚିତ ହେଉଥିଲା । ଆଜି ଓଡ଼ିଶା ଅନେକ କ୍ଷେତ୍ରରେ ନିଜର ଉତ୍କୃଷ୍ଟତା ପ୍ରତିପାଦନ କରି ଗୌରବ ଆଣିଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Has Huge Opportunities, Can Become a Game Changer: Experts | Argus News | Argus News