BJP Leader Shot Dead / ପୀତବାସଙ୍କୁ ଗୁଳି ପରେ ୫୦ରୁ ଅଧିକ CCTV ଘାଣ୍ଟିଲାଣି ପୋଲିସ, ଆସିଲା X-ray ରିପୋର୍ଟ

Key Points
ପୋଲିସ ସବୁଦିଗକୁ ନେଇ ଛାନଭିନ୍ କରୁଛି । ଦୁଇ ଦୁର୍ବୃତ୍ତ ଧଳା ସାର୍ଟି ପିନ୍ଧି ଆସିଥିବା ବେଳେ ହେଲମେଟ୍ ପିନ୍ଧିଥିଲେ । ଏହା ସୁପାରି କିଲିଂ ବି ହୋଇ ଥାଇପାରେ ବୋଲି କହିଛନ୍ତି ଏସ୍ପି ।
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍ପିଙ୍କ ବଡ଼ ଖୁଲାସା । ଦୁର୍ବୃତ୍ତଙ୍କୁ ନେଇ ଅର୍ଗସ୍ ନ୍ୟୁଜ୍କୁ ବଡ଼ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ ଏମ୍ । ପୀତବାସଙ୍କ ହତ୍ୟାକାରୀକୁ ଧରିବା ପାଇଁ ପୋଲିସ ୬ଟି ଟିମ୍ ଗଠନ କରିଥିବା କହିଛନ୍ତି ବ୍ରହ୍ମପୁର ଏସ୍ପି ।
ବ୍ରହ୍ମପୁର ଏସ୍ପି କହିଛନ୍ତି, "ହତ୍ୟା ମାମଲାର ତଦନ୍ତ ପାଇଁ ଟାଉନ୍ SDPOଙ୍କ ୨ ଡିଏସ୍ପିଙ୍କୁ ନେଇ ୬ଟି ଟିମ୍ ଗଠନ କରାଯାଇଛି । ପୋଲିସ ସବୁଦିଗକୁ ନେଇ ଛାନଭିନ୍ କରୁଛି । ଦୁଇ ଦୁର୍ବୃତ୍ତ ଧଳା ସାର୍ଟି ପିନ୍ଧି ଆସିଥିବା ବେଳେ ହେଲମେଟ୍ ପିନ୍ଧିଥିଲେ । ଏହା ସୁପାରି କିଲିଂ ବି ହୋଇ ଥାଇପାରେ ।"
ଏଥିସହ ପଢ଼ନ୍ତୁ: ପ୍ରି-ପ୍ଲାନ୍ ସହ ପୀତବାସଙ୍କୁ ଗୁଳି କରିଥିଲେ ପ୍ରଫେସନାଲ ସାର୍ପ ସୁଟର୍ ! କିଏ କରିଥିଲା ଶେଷ କଲ୍ ?
ଏବେ ସୁଦ୍ଧା ପୋଲିସ ୫୦ରୁ ଅଧିକ ସିସିଟିଭି ଯାଞ୍ଚ କରିଥିବା ବେଳେ ଖୁବଶୀଘ୍ର ଲିଡ୍ ମିଳିବ ବୋଲି କହିଛନ୍ତି ଏସ୍ପି । ଘଟଣାରେ ପୋଲିସ ଏକାଧିକ ଲୋକଙ୍କୁ ଜେରା କରିଛି । ଶୀଘ୍ର ମାମଲାର ମୂଳକୁ ଯାଇ ଦୁର୍ବୃତ୍ତଙ୍କୁ ପୋଲିସ ଧରିବ ବୋଲି କହିଛନ୍ତି । ମୃତ ପୀତବାସଙ୍କ ଫୋନ୍ ମଧ୍ୟ ପୋଲିସ ଯାଞ୍ଚ କରୁଛି ।
ସେପଟେ ସାମ୍ନାକୁ ଆସିଛି ପୀତବାସ ପଣ୍ଡାଙ୍କ X-ray ରିପୋର୍ଟ । ଅତି ନିକଟରୁ ପୀତବାସଙ୍କୁ ଗୁଳି କରାଯାଇଥିବା ବେଳେ ଗୁଳି ପୁରା ମେରୁହାଡ଼ ପର୍ଯ୍ୟନ୍ତ ଯାଇଥିବା X-ray ରିପୋର୍ଟରୁ ଜଣାପଡ଼ିଛି । ଅଟୋପ୍ସି ପରେ ଶରୀରରୁ ଗୋଟିଏ ୯ ଏମ୍ଏମ୍ ଗୁଳି ବାହାରିଛି । ଗୁଳିଟି ଛାତିର ଉପରି ଭାଗ ଦେଇ ସିଧା ମେରୁଦଣ୍ଡରେ ଯାଇ ଅଟକି ରହିଥିଲା ।
ପ୍ରଚୁର ରକ୍ତସ୍ରାବ ଓ ମସ୍ତିଷ୍କାଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଦାସ କହିଛନ୍ତି । ପୀତବାସଙ୍କୁ ଅତି ନିକଟରୁ ଗୁଳି ହୋଇଥିବା ବେଳେ ଡାହାଣ ପଟ ଛାତିରେ ଗୁଳି ବାଜି ମେରୁ ହାଡ଼ ପର୍ଯ୍ୟନ୍ତ ପଳାଇ ଯାଇଥିଲା ।
📱 Get Argus News App
✨
ପୋଲିସର ତଦନ୍ତ ଭିତରେ ସିସିଟିଭି ଭିଡିଓ ଅନେକ କ୍ଲୁ ଦେଇଛି । ଯାହାକି ପୀତବାସଙ୍କ ହତ୍ୟା ଏକ ଯୋଜନାବଦ୍ଧ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ସନ୍ଦେହକୁ ଦୃଢ଼ୀଭୂତ କରିଛି । ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ଗୋଟିଏ ରାସ୍ତା ଦେଇ ଆସିଥିବା ବେଳେ ଗୁଳିମାଡ଼ ପରେ ଅନ୍ୟ ରାସ୍ତାରେ ପଳାଇଥିଲେ ।
ସିସିଟିଭି ଫୁଟେଜ୍ ଅନୁସାରେ, ରାତି ପ୍ରାୟ ୯ଟା ୪୨ରେ ଦୁଇ ସୁଟର ପ୍ରଥମେ ଆସି ରେକି କରିଥିଲେ । ଗେଟ୍ ବଜାର ଛକରୁ ପୀତବାସଙ୍କ ଘର ଗଳି ପର୍ଯ୍ୟନ୍ତ ରାଉଣ୍ଡ ମାରିଥିଲେ । ପରେ ଯୋଜନା ଅନୁଯାୟୀ ରାସ୍ତାରେ ପୀତବାସଙ୍କୁ ଅଟକାଇ କଥା ହୋଇଥିଲେ ଦୁଇ ଦୁର୍ବୃତ୍ତ ।
ଏଥିସହ ପଢ଼ନ୍ତୁ: ପିତବାସଙ୍କୁ କାହିଁକି ମାରିଲେ ? କ'ଣ ରହିଛି ଉଦ୍ଦେଶ୍ୟ ?
ରେକିର ଠିକ୍ ୧୦ ମିନିଟ୍ ଅର୍ଥାତ୍ ୯ଟା ୫୧ରେ ପୀତବାସ ଚ୍ୟାମ୍ବରରୁ ବାହାରିଥିଲେ ଘର ଅଭିମୁଖେ । ଆଉ ସେହି ସମୟରେ ବୈକୁଣ୍ଠନଗର ଛକରେ ଦୁଇ ଦୁର୍ବୃତ୍ତ ଗ୍ଲାମରରେ ଆସି ପୀତବାସଙ୍କୁ ଅଟକାଇଥିଲେ । ଦୁର୍ବୃତ୍ତଙ୍କ ସହ କିଛି ଆଲୋଚନା କରିବା ସହ ସ୍କୁଟିର ଡିକି ଖୋଲିଥିଲେ ପୀତବାସ । ଡିକିରୁ କିଛି ଡକ୍ୟୁମେଣ୍ଟ କାଢ଼ିବା ସମୟରେ ପୀତବାସଙ୍କୁ ଗୁଳି କରିଥିଲେ ବାଇକ୍ ପଛ ପଟେ ବସିଥିବା ଦୁର୍ବୃତ୍ତ ।
ତେବେ ଗୁଳିମାଡ଼ ବେଳେ ପୀତବାସଙ୍କ ଗାଡ଼ିର ଡିକି ଖୋଲା ରହିବା ଅନେକ ସନ୍ଦେହ ସୃଷ୍ଟି କରୁଛି । ଗାଡ଼ି ଡିକିରେ ପୀତବାସ ରଖିଥିଲେ କି କୌଣସି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର । ଦୁର୍ବୃତ୍ତଙ୍କ ସହ ଆଲୋଚନା ବେଳେ ଡିକିରୁ କ'ଣ ବାହାର କରୁଥିଲେ ପୀତବାସ । ଗୁଳିମାଡ଼ ପରେ ଡିକି ଖୋଲା ରହିଥିବାରୁ ଦୁର୍ବୃତ୍ତ କୌଣସି ଦସ୍ତାବିଜ୍ ନେଇ ଯାଇଥିବା ସନ୍ଦେହ କରାଯାଉଛି ।
Related Topics
Explore more stories