Videos
|
Odisha

Devastating Floods / ଚାଷୀ ମନରୁ କେବେ ଶୁଖିବ ଏ ଦୁଃଖର ପାଣି ?

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ଚାଷୀ ମନରୁ କେବେ ଶୁଖିବ ଏ ଦୁଃଖର ପାଣି ?
Massive Crop Loss in Bhadrak, Banki & Subarnapur

Key Points

ଫସଲ ତ ଉଜୁଡ଼ିଗଲା, ହେଲେ ମୁଣ୍ଡ ଉପରେ ଥିବା ଋଣର ବୋଝ କେଉଁ ପାଣିରେ ଭାସିବ । ବାଙ୍କୀ ହରିରାଜପୁର ପଞ୍ଚାୟତ ଚାଷୀଙ୍କୁ ଦୁଃଖ ଆଉ ଯନ୍ତ୍ରଣା ଦେଖିଲେ ଆପଣ ବି ଭାଙ୍ଗି ପଡ଼ିବେ ।
ଭୁବନେଶ୍ଵର: ପାଣିରେ ଗୋଳେଇ ହୋଇଯାଇଛି ସ୍ଵପ୍ନ, ପବନରେ ଭାସିଯାଇଛି ପରିଶ୍ରମ । ପନିପରିବା ବିଲରୁ ଆସୁଥିବା ପଚା ଗନ୍ଧ କେବଳ ଫସଲ ନଷ୍ଟର ସୂଚନା ଦେଉନାହିଁ ବରଂ ଗୋଟିଏ ଜୀବନ୍ତ ମଣିଷର ଆଶା-ଆକାଂକ୍ଷା ମରିଯିବାର ଚିତ୍କାର ଶୁଣାଉଛି । ବନ୍ୟା ଚାଲିଯିବ ସତ, ହେଲେ ଏହି ଚାଷୀର ହୃଦୟରେ ଛାଡ଼ିଯିବ ଏକ କେବେ ନ ଶୁଖିବାର ଗଭୀର କ୍ଷତ ।

ଆଜି ବିଭିନ୍ନ ଜିଲ୍ଲାରୁ ପୁଣି ଆସିଛି ବନ୍ୟା ପ୍ରଭାବିତ ଚାଷ ଜମିର ଦୃଶ୍ୟ । ପ୍ରକୃତିର କୋପ ଆଗରେ ଆଜି ପୁଣି ହାରିଯାଇଛି ମାଟିର ପୁଅ । କେବଳ ସେତିକି ନୁହେଁ ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ଆଜି ବଜ୍ରପାତରେ ଯାଇଛି ତିନି ଚାଷୀଙ୍କ ଜୀବନ

ଏଥିସହ ପଢ଼ନ୍ତୁ: ଚାଷୀ ମୁଣ୍ଡରେ ଚଡ଼କ; ବନ୍ୟା ପୋଛି ନେଲା ହଜାର ହଜାର ହେକ୍ଟର ଜମିରେ ଧାନ ସହ ପରିବା ଫସଲ 

ପାଣି ନୁହେଁ, ଭାସିଯାଇଛି ଚାଷୀର ସ୍ୱପ୍ନ । ଛାତି ଉଚ୍ଚା ପାଣି ଜମିଛି ପନିପରିବା ବିଲରେ । କେଉଁଠି ବାଇଗଣ ଛାଟ ଭାସୁଛି ତ ଆଉ କେଉଁଠି ପଚିଗଲାଣି ଲଙ୍କା ଓ କାକୁଡ଼ି ଲତା । ଧାନ କ୍ଷେତରେ ଆଣ୍ଠୁଏ ପାଣିରେ ଛିଡ଼ା ହୋଇ ଶୂନ୍ୟକୁ ଚାହିଁଛନ୍ତି ଚାଷୀ ।

ଆଖିରୁ ଲୁହ ଝରୁଛି, ଆଉ ପାଣିରେ ମିଶିଯାଉଛି । ଚଳିତ ବର୍ଷ ବୈତରଣୀ ଓ ସାଳନ୍ଦୀର ଆସିଥିବା ଏହି ପ୍ରଳୟଙ୍କରୀ ବନ୍ୟାରେ ଭଦ୍ରକ ଜିଲ୍ଲାର ୬ଟି ବ୍ଲକର ୧୧୦ଟି ପଞ୍ଚାୟତର ୪ ଲକ୍ଷ ୭୮ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ହଜାର ହଜାର ହେକ୍ଟର ଚାଷ ନଷ୍ଟ ହେଇଛି ।

କିଛି ଦିନ ତଳେ ଏହି ଧାନ ବିଲ ସବୁଜିମାରେ ହସୁଥିଲା । ହାଡ଼ଭଙ୍ଗା ଖଟଣି, ସାହୁକାରଠାରୁ ଧାର-କରଜ ଆଉ ବ୍ୟାଙ୍କ ଋଣ ଆଣି ବିଲରେ ବିହନ ବୁଣିଥିଲେ । ଭାବିଥିଲେ ଫସଲ ବିକି ଦେଲେ ଝିଅର ବାହାଘର କରିବେ, ପୁଅର ପାଠପଢ଼ା ଖର୍ଚ୍ଚ ଉଠାଇବେ, କରଜ ଶୁଝିବେ । ହେଲେ ରାତି ପାହିଲା ବେଳକୁ ବନ୍ୟାର କାଳ ପାଣି ସବୁକିଛି ବୋହି ନେଇଗଲା ।

ବିଲରେ ଫସଲ ପଚିବାର ଗନ୍ଧ, ଆଉ ଚାଳ ଘରେ ଆଶଙ୍କାର କଳାବାଦଲ । ହାଣ୍ଡିରେ ଚାଉଳ ନାହିଁ, ହାତରେ ପଇସା ନାହିଁ । ବର୍ଷା ଛାଡ଼ିଯିବ, ବନ୍ୟା ପାଣି ବି ଶୁଖିଯିବ । ହେଲେ ଚାଷୀ ମନରୁ ଏହି ଦୁଃଖର ପାଣି କେବେ ଶୁଖିବ ?

ଆକାଶରୁ ବର୍ଷା ନୁହେଁ, ଚାଷୀର ଆଖିରୁ ଲୁହ ଝରୁଛି । କ୍ଷେତରେ ପାଣି ନାହିଁ, ଚାଷୀର ହାଡ଼ଭଙ୍ଗା ପରିଶ୍ରମ ଭାସୁଛି । ଜମିରେ ପଚୁଛି ପନିପରିବା, ଆଉ ଘରେ ପଚୁଛି ଚାଷୀର ସ୍ୱପ୍ନ । ଯେଉଁ ସବୁଜିମାରେ ପେଟ ପୁରୁଥିଲା, ଆଜି ସେଠି କେବଳ ହାହାକାର ।

ଫସଲ ତ ଉଜୁଡ଼ିଗଲା, ହେଲେ ମୁଣ୍ଡ ଉପରେ ଥିବା ଋଣର ବୋଝ କେଉଁ ପାଣିରେ ଭାସିବ । ବାଙ୍କୀ ହରିରାଜପୁର ପଞ୍ଚାୟତ ଚାଷୀଙ୍କୁ ଦୁଃଖ ଆଉ ଯନ୍ତ୍ରଣା ଦେଖିଲେ ଆପଣ ବି ଭାଙ୍ଗି ପଡ଼ିବେ । ସବୁଦିନ ଦୁନିଆର ପେଟ ପୂରାଉଥିବା ମାଟିର ପୁଅ, ଆଜି ନିଜେ ଶୂନ୍ୟ ହାତରେ ଭାଗ୍ୟକୁ ଆକ୍ଷେପ କରୁଛି ।

ଏବେବି ଧନୁଆ ନଦୀର ବନ୍ୟା ଜଳ ଘେରରେ ନିମାପଡ଼ାର ତିନି ପଞ୍ଚାୟତ । ସାଗଡ଼ା, ବଡ ମାଛପୁରୁ ଓ ଧନୁଆ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ଵ ଗାଁର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ । କ୍ଷେତରେ ପାଣି, ଚାଷୀ ଆଖିରେ ଲୁହ, କେବେ ସରିବ ଏ ଦୁଃଖ ?

କାଦୁଅ-ପାଣିରେ ବୁଡ଼ି ରହିଛି ସବୁଜ ପନିପରିବା । ଭାସି ଯାଉଛି ଗୋଟିଏ ଗରିବ ଚାଷୀର ବର୍ଷସାରାର ରୋଜଗାର । ଯେଉଁ ହାତ କାଲି ପର୍ଯ୍ୟନ୍ତ ନିଜ ଝାଳ ଓ ରକ୍ତକୁ ବୁହାଇ ମାଟିକୁ ସୁନା କରିଥିଲା, ଆଜି ସେହି ହାତ ପାଣିରେ ବୁଡ଼ି ରହିଥିବା ନିଜ ଉଜୁଡ଼ା ଫସଲକୁ ଗୋଟାଉ ଗୋଟାଉ ନିଜ ଭାଗ୍ୟକୁ ଆକ୍ଷେପ କରୁଛି ।

ଆକାଶରୁ ବର୍ଷୁଥିବା ପ୍ରତିଟି ବୁନ୍ଦା ଆଜି ସେହି ଚାଷୀ ପାଇଁ ବିଷ ପାଲଟି ଯାଇଛି । ସକାଳୁ ଉଠି ଯେଉଁ କ୍ଷେତକୁ ଦେଖି ଚାଷୀ ଗୋଟିଏ ମିଠା ହସ ଦେଉଥିଲା, ଆଜି ସେହି କ୍ଷେତକୁ ଚାହିଁ ତାର ଆଖିରୁ ଧାର ଧାର ଲୁହ ବହି ଯାଉଛି ।

ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡ଼ି ରହିଥିବାରୁ ତଳି ରୁଆ ହୋଇଥିବା ଚାଷ ସବୁ ନଷ୍ଟ ହୋଇଯାଇଛି । ତଳିଆ ଜମି ଗୁଡିକ ଅଧିକ କ୍ଷୟକ୍ଷତି ହୋଇ ଯାଇଥିବା ବେଳେ ସହ ସହ ଏକର ଚାଷ ଜମିରେ ବାଲି ପୋତି ହୋଇଯାଇ ନଷ୍ଟ ହୋଇଯାଇଛି । ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ କ୍ଷୟକ୍ଷତି ଆକଳନ ପାଇଁ ଆସିନଥିବା ବେଳେ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଏଥିସହ ପଢ଼ନ୍ତୁ: ମହାନଦୀରେ ଅଘଟଣ; ପୁଅକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବାପା 

ବନ୍ୟା ପାଣି ତ ଦିନେ ନା ଦିନେ ଛାଡ଼ିଯିବ, କ୍ଷେତରୁ ପାଣି ଶୁଖିଯିବ । ହେଲେ ସାହୁକାରର ସୁଧ ଆଉ ବ୍ୟାଙ୍କର ନୋଟିସକୁ ଚାଷୀ ସାମ୍ନା କରିବ କେମିତି ? ନା ପନିପରିବା ବିକିବାକୁ ସାମର୍ଥ୍ୟ ଅଛି, ନା ପୁଣିଥରେ ବିହନ ବୁଣିବାକୁ ପାଖରେ ପଇସା ।

ଫସଲ ତ ଉଜୁଡ଼ିଗଲା, ହେଲେ ସଂସାର ପ୍ରତି ଥିବା ନିଜର କର୍ତ୍ତବ୍ୟ ଆଉ ମୁଣ୍ଡ ଉପରେ ଥିବା ଋଣର ବୋଝ କେଉଁ ପାଣିରେ ଭାସିବ ? ଦୁନିଆର ପେଟ ପୂରାଉଥିବା ଅନ୍ନଦାତା ଆଜି ନିଜେ ଶୂନ୍ୟ ହାଣ୍ଡିକୁ ଚାହିଁ ପ୍ରଶ୍ନ କରୁଛି 'ହେ ଭଗବାନ, ମୋର ଦୋଷ କ’ଣ ଥିଲା ?"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: