|
logo
Live

Argus News - ଦିନ ୧ଟା ପର୍ଯ୍ୟନ୍ତ ଆସାମରେ ୫୯.୬୩% ମତଦାନ; ଏହି ୭ ଆସନରେ ଜୋରଦାର ଟକ୍କର

Politics

Assam Election / ଦିନ ୧ଟା ପର୍ଯ୍ୟନ୍ତ ଆସାମରେ ୫୯.୬୩% ମତଦାନ; ଏହି ୭ ଆସନରେ ଜୋରଦାର ଟକ୍କର

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·5 min read
ଦିନ ୧ଟା ପର୍ଯ୍ୟନ୍ତ ଆସାମରେ ୫୯.୬୩% ମତଦାନ; ଏହି ୭ ଆସନରେ ଜୋରଦାର ଟକ୍କର
Assam Election

Key Points

ଆସାମ ବିଧାନସଭା ନିର୍ବାଚନ ଲାଗି ଭୋଟିଂ ଜାରି
ଦିନ ୧ଟା ପର୍ଯ୍ୟନ୍ତ ଆସାମରେ ୫୯.୬୩% ମତଦାନ
ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଶାସକ ଦଳ ବିଜେପି
ଜାଲୁକବାରିରୁ ମାମାଙ୍କୁ ମିଳିବ କି ଷଷ୍ଠ ବିଜୟ ?
ଆସାମରେ ଆଜି ଗୋଟିଏ ପର୍ଯ୍ୟାୟରେ ୧୨୬ଟି ଆସନ ପାଇଁ ପଡୁଛି ଭୋଟ୍ । ରାଜ୍ୟରେ ବିଜେପି, କଂଗ୍ରେସ ଓ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମାକ୍ରାଟିକ୍ ଫ୍ରଣ୍ଟ (AIUDF) ମଧ୍ୟରେ ହେଉଛି ତ୍ରିମୁଖୀ ଲଢେଇ । ୭୨୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ପ୍ରାୟ ୨.୪୯ କୋଟି ମତଦାତା । ଆଜି ଦିନ ୧ଟା ସୁଦ୍ଧା ରାଜ୍ୟରେ ୫୯.୬୩% ମତଦାନ ହୋଇଛି । ସେପଟେ କଂଗ୍ରେସ ଆଞ୍ଚଳିକ ଓ ବାମ ଦଳ ସହଯୋଗୀ ଭାବେ ୯୮ ଆସନରେ ନିର୍ବାଚନ ଲଢୁଛି । ଏଥର ରାଜ୍ୟରେ ଶାସକ ଦଳ ବିଜେପି ହ୍ୟାଟ୍ରିକ୍ ବିଜୟ ହାସଲ ରଖିଥିବାବେଳେ କଂଗ୍ରେସ ୧୦ ବର୍ଷ ବନବାସ ପରେ ଶାସନ କ୍ଷମତାକୁ ହାତେଇବାକୁ ଲକ୍ଷ୍ୟ ରଖିଛି ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ବିଜେପି ୟୁନିଫର୍ମ ସିଭିଲ କୋଡଠୁ କଥିତ ଅବୈଧ ପ୍ରବାସୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ମହିଳାଙ୍କ ପାଇଁ ଆର୍ଥିକ ସହାୟତା ବୃଦ୍ଧି ସମେତ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ବିସ୍ତାର କରିବା ଭଳି ପ୍ରତିଶ୍ରୁତି ଦେଇ ପ୍ରଚାର କରିଛି । ସେପଟେ କଂଗ୍ରେସ ଶାସନ ଏବଂ ମେଣ୍ଟ ଗଠନ ଉପରେ ଧ୍ୟାନ ଦେଇଛି । ତେବେ ଏଥର ରାଜ୍ୟବାସୀ କାହାକୁ ନିଜର ନେତା ବାଛିଛନ୍ତି ତାହା ମେ ୪ ତାରିଖରେ ଜଣାପଡ଼ିବ ।

  • ଦିନ ୧ଟା ସୁଦ୍ଧା ୫୯.୬୩% ମତଦାନ
ଆସାମ ନିର୍ବାଚନ ୨୦୨୬ ଭୋଟିଂ ଲାଇଭ୍ ଅପଡେଟ୍: ଚଳିତ ବିଧାନସଭା ନିର୍ବାଚନରେ ​​୨୦୨୬ ଦିନ ୧ଟା ପର୍ଯ୍ୟନ୍ତ ଆସାମରେ ୫୯.୬୩% ଭୋଟିଂ ରେକର୍ଡ କରାଯାଇଛି । ଜିଲ୍ଲାଗୁଡ଼ିକ ମଧ୍ୟରେ ଦକ୍ଷିଣ ସାଲମାରା ମାଙ୍କାଚର ସର୍ବାଧିକ ୬୫.୯୩% ମତଦାନ ସହିତ ଆଗରେ ଅଛି, ଏହା ପରେ ଡିବ୍ରୁଗଡ଼ (୬୫.୭୯%), ମାଜୁଲି (୬୫.୩୯%) ଏବଂ ମୋରିଗାଓଁ (୬୫.୨୧%) ରହିଛି, ସମସ୍ତ ଜିଲ୍ଲା ଭୋଟରଙ୍କ ଅଧିକ ଅଂଶଗ୍ରହଣ ଦେଖାଇଛି । ସେହିପରି ଦାରାଙ୍ଗ (୬୩.୦୭%), ଜୋରହାଟ (୬୨.୭୪%), ବାଜାଲି (୬୨.୩୫%) ଏବଂ ବୋଙ୍ଗାଇଗାଓଁ (୬୨.୩%) ସମେତ ଅନେକ ଜିଲ୍ଲା ମଧ୍ୟ ୬୦% ସ୍ତର ଅତିକ୍ରମ କରିଛନ୍ତି । କାମରୂପ (ମେଟ୍ରୋ) ଭଳି ସହରାଞ୍ଚଳରେ ତୁଳନାତ୍ମକ ଭାବରେ ୫୦.୮୫% ମତଦାନ ହୋଇଥିଲା ଯେତେବେଳେ ହୋଜାଇ (୪୯.୪୭%) ଏପର୍ଯ୍ୟନ୍ତ ସର୍ବନିମ୍ନ ମତଦାନ ମଧ୍ୟରେ ରହିଛି ।

ପଢନ୍ତୁ ଏହି ଖବର: ଭବାନିପୁରରେ ବିଗିଡ଼ିବ କି ଅଙ୍କ; ଚିନ୍ତାରେ ମମତା, କଟିଛନ୍ତି ୨୫% ଭୋଟର

  • ୭ ଆସନରେ ହେଭିୱେଟ୍ ଲଢେଇ
ଆସାମରେ ଏଥର ୧୨୬ଟି ବିଧାନସଭା ଆସନ ମଧ୍ୟରୁ ୭ଟି ଆସନରେ ହେବ ଜୋରଦାର ଲଢେଇ । ଏଗୁଡ଼ିକ ସାଧାରଣତଃ ସେହି ଆସନ ଯେଉଁଠାରେ ହେଭିୱେଟ୍ ପ୍ରାର୍ଥୀମାନେ ନିର୍ବାଚନ ମଇଦାନରେ ଅଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ନିଜର ନିର୍ବାଚନ ମଣ୍ଡଳୀ ଜାଲୁକବାରିରୁ ଏଥର ଷଷ୍ଠ ଥର ପାଇଁ ଲଗାତାର ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଏଣୁ ଏଠାରେ ଏଥର ହେଭିୱେଟ୍ ଲଢେଇ ଦେଖିବାକୁ ମିଳିବ । ସେହିପରି ଅନ୍ୟ ହେଭିୱେଟ୍ ଆସନ ଜୋରହାଟ, ଶିବସାଗର, ବିହପୁରିଆ, ଦିସପୁର, ଗୌହାଟି ସେଣ୍ଟ୍ରାଲ ଏବଂ ତାମୁଲପୁରରେ ବି ଜୋରଦାର ଲଢେଇ ହେବ । ଆସନ୍ତୁ ଏହି ହେଭିୱେଟ୍ ଆସନର ପୂର୍ବ ନିର୍ବାଚନୀ ଫଳାଫଳ ଓ ସାମ୍ପ୍ରତିକ ଲଢେଇ ବିଷୟରେ ବିସ୍ତୃତ ଭାବରେ ଜାଣିବା ।

୧. ଜାଲୁକବାରି (ତଳ ଆସାମ)
ଆସାମର ବିଧାନସଭା ଆସନ ମଧ୍ୟରୁ ଜାଲୁକବାରିକୁ ସବୁଠାରୁ ପ୍ରତିଷ୍ଠିତ ଆସନ ଭାବରେ ବିବେଚନା କରାଯାଏ । ଏହା ବିଜେପି ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ନିର୍ବାଚନ ମଣ୍ଡଳୀ । ଏଠାରୁ ସିଏମ ହିମନ୍ତ ୫ଥର ଲଗାତାର ନିର୍ବାଚନ ଜିତିସାରିଥିବାବେଳେ ଏଥର ଷଷ୍ଠ ଥର ପାଇଁ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ହିମନ୍ତ କଂଗ୍ରେସରେ ଥିବାବେଳେ ପ୍ରଥମ ଥର ଲାଗି ୨୦୦୧ରେ ନିର୍ବାଚନ ଲଢିଥିଲେ । ୨୦୦୧, ୨୦୦୬ ଏବଂ ୨୦୧୧ ପର୍ଯ୍ୟନ୍ତ କଂଗ୍ରେସରୁ ଏବଂ ୨୦୧୬ ଓ ୨୦୨୧ରେ ବିଜେପିରୁ ଏଠାରୁ ଲଢିଥିଲେ । ୨୦୨୧ରେ ଏହି ଆସନରୁ ହିମନ୍ତ ୧ ଲକ୍ଷ ଅଧିକ ଭୋଟ ମାର୍ଜିନର ବିଜୟୀ ହୋଇଥିଲେ । ଏଥର ନିର୍ବାଚନରେ ହିମନ୍ତ ବିଶ୍ଵଶର୍ମାଙ୍କୁ କଂଗ୍ରେସରୁ ବିଦିଶା ନିୟୋଗ ଓ ସ୍ଵାଧୀନ ପ୍ରାର୍ଥୀ ଦିପିକା ଦାସ ଟକ୍କର ଦେବେ ।

୨. ଜୋରାହାଟ (ଉପର ଆସାମ)
ଆସାମର ରାଜନୈତିକ ଦୃଷ୍ଟିରୁ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆସନ । ଏଥର ନିର୍ବାଚନରେ ୫ ଥର ବିଧାୟକ ଥିବା ବିଜେପିର ହିତେନ୍ଦ୍ର ନାଥ ଗୋସ୍ୱାମୀ ଏହି ଆସନରୁ ଆସାମ କଂଗ୍ରେସ ମୁଖ୍ୟ ଏବଂ ସ୍ଥାନୀୟ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ଲଢ଼ିବେ । ଗୋଗୋଇ ଏହି ଆସନରୁ ନିଜର ବିଧାନସଭା ନିର୍ବାଚନ ଡେବ୍ୟୁ କରୁଛନ୍ତି । ଏହି ନିର୍ବାଚନମଣ୍ଡଳୀ ୨୦୧୬ ମସିହାରୁ ବିଜେପି ହାତରେ ଅଛି । ବିଜେପି ପ୍ରାର୍ଥୀ ଗୋସ୍ୱାମୀ ୨୦୨୧ ବିଧାନସଭା ନିର୍ବାଚନରେ ​​୬୮,୦୦୦ ଭୋଟ ପାଇ କଂଗ୍ରେସର ରାଣା ଗୋସ୍ୱାମୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ମାତ୍ର ୨୦୨୪ ଲୋକସଭା ନିର୍ବାଚନରେ ପରିବର୍ତ୍ତନର ସ୍ଵର ଦେଖିବାକୁ ମିଳିଥିଲା । ଗୋଗୋଇ ଏହି ବିଧାନସଭା କ୍ଷେତ୍ରରୁ ୧୨,୧୩୦ ଭୋଟରେ ଆଗୁଆ ଥିବାବେଳେ ବିଜେପି ପ୍ରାର୍ଥୀ ତପନ କୁମାର ଗୋଗୋଇଙ୍କ ବିପକ୍ଷରେ ୬୦,୬୯୭ ଭୋଟ ପାଇଥିଲେ । ତେବେ ଏଥର କାହା ସପକ୍ଷରେ ନିର୍ବାଚନ ଫଳ ଯାଉଛି, ତାହା ଦେଖିବାକୁ ସଭିଙ୍କ ମଧ୍ୟରେ ଉତ୍କଣ୍ଠା ।

୩. ଶିବସାଗର (ଉପର ଆସାମ)
ଶିବସାଗର ନିର୍ବାଚନମଣ୍ଡଳୀରେ ଏଥର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଲଢ଼େଇ ଦେଖିବାକୁ ମିଳିବ, ଯେଉଁଠାରେ ଆଞ୍ଚଳିକ ରାଜନୀତି ଏବଂ ବିଜେପି ନେତୃତ୍ୱାଧୀନ ମେଣ୍ଟ ମଧ୍ୟରେ ତ୍ରିକୋଣୀୟ ଲଢେଇ ହେବ । ଏଥର ଫୋକସରେ ଅଛନ୍ତି ରାଇଜୋର ଦଳ ମୁଖ୍ୟ ଅଖିଳ ଗୋଗୋଇ, ଯିଏକି ୨୦୨୧ରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଜେଲରୁ ନିର୍ବାଚନ ଲଢି ୫୭,୨୧୯ ଭୋଟରେ ବିଜୟୀ ହୋଇଥିଲେ । ରାଇଜୋର ଦଳ ହେଉଛି କଂଗ୍ରେସର ସହଯୋଗୀ ଦଳ । ଏଥର ନିର୍ବାଚନରେ, ବିଜେପି ଏହି ଆସନରୁ କୁଶଲ ଡୋୱାରିଙ୍କୁ ପ୍ରାର୍ଥୀ କରିଥିବା​​ବେଳେ ସହଯୋଗୀ ଆସାମ ଗଣ ପରିଷଦ (AGP) ପ୍ରବୀଣ ପ୍ରଦୀପ ହଜାରିକାଙ୍କୁ ପ୍ରାର୍ଥୀ କରିଛି, ଯାହା ଫଳରେ ବିଜେପି ନେତୃତ୍ଵାଧୀନ NDA ମଧ୍ୟରେ ଏକ ବିରଳ "ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା" ହେବ । ଅଖିଳଙ୍କ ପୂର୍ବରୁ, କଂଗ୍ରେସର ପ୍ରଣବ ଗୋଗୋଇ ୨୦୦୧, ୨୦୦୬, ୨୦୧୧ ଏବଂ ୨୦୧୬ ନିର୍ବାଚନରେ ​​ଏହି ଆସନରେ ବିଜୟୀ ହୋଇଥିଲେ ।

୪. ବିହପୁରିଆ (ଉପର ଆସାମ)
ଆସାମ କଂଗ୍ରେସର ପୂର୍ବତନ ସଭାପତି ଭୂପେନ କୁମାର ବୋରାହ ବିଜେପିରେ ଯୋଗଦେବା ପରେ ବିହପୁରିଆ ନିର୍ବାଚନମଣ୍ଡଳୀ ଚର୍ଚ୍ଚାରେ ଥିଲା ଏବଂ ଏଠାରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି । ଏହାଦ୍ଵାରା ବୋରାହଙ୍କୁ ତାଙ୍କ ପୂର୍ବ ଦଳ ବିପକ୍ଷରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେପଟେ କଂଗ୍ରେସ ନାରାୟଣ (ରାମ) ଭୂୟାଁଙ୍କୁ ପ୍ରାର୍ଥୀ କରିଛି, ଯିଏ ଏହି ଆସନରେ ସକ୍ରିୟ ଭାବରେ ପ୍ରଚାର କରୁଛନ୍ତି । ବିହପୁରିଆ ଅତୀତରେ ନିର୍ଣ୍ଣାୟକ ଫଳାଫଳ ଆଣିଛି । ୨୦୧୬ରେ ବିଜେପିର ଦେବାନନ୍ଦ ହଜାରିକା ୨୬,୦୦୦ରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । କିନ୍ତୁ ୨୦୨୧ରେ ବ୍ୟବଧାନ ହ୍ରାସ ପାଇଥିଲା । ବିଜେପିର ବର୍ତ୍ତମାନର ବିଧାୟକ ଅମୀୟ କୁମାର ଭୂୟାଁ ୫୮,୯୭୯ ଭୋଟ ପାଇ କଂଗ୍ରେସ ଦଳର ବୋରାହଙ୍କୁ ୧୦,୦୦୦ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ଏଣୁ ଏଥର କିଏ କେତେ ଭୋଟ ପାଉଛି ତାହା ଦେଖିବା ରୋଚକ ହେବ ।

ପଢନ୍ତୁ ଏହି ଖବର: ଆସାମ ବିଧାନସଭା ନିର୍ବାଚନ: ୮୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, କେଉଁଠୁ ଲଢ଼ିବେ ହିମନ୍ତ ?

୫. ରାଜଧାନୀ ଦିସପୁର
ଏଥର ଦିସପୁର ଆସନ ଆଉ ଏକ ହାଇ-ପ୍ରୋଫାଇଲ୍ ଆସନ । ଏଥର ବିଜେପିରୁ ପ୍ରଦ୍ୟୁତ ବୋରଦଲେଇ ପ୍ରାର୍ଥୀ ହୋଇଛନ୍ତି, ଯିଏକି ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି । ସେପଟେ କଂଗ୍ରେସ ମୀରା ବୋରଠାକୁର ଗୋସ୍ୱାମୀଙ୍କୁ ପ୍ରାର୍ଥୀ କରିଛି । ବରିଷ୍ଠ ବିଜେପି ନେତା ଜୟନ୍ତ କୁମାର ଦାସ ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ୁଛନ୍ତି । ଏଣୁ ଏଠାକାର ଫଳାଫଳ ନିହାତି ରୋଚକପୂର୍ଣ୍ଣ । ପୂର୍ବରୁ ବିଜେପିର ଅତୁଲ ବୋରା ୨୦୧୬ ଏବଂ ୨୦୨୧ରେ ଏହି ଆସନରୁ ବିଜୟୀ ହୋଇଥିଲେ । ୨୦୧୬ ପୂର୍ବରୁ ୨୦୦୧ରୁ କଂଗ୍ରେସ ଏହି ଆସନ ଦଖଲ କରିଥିଲା ।

୬. ଗୌହାଟୀ ସେଣ୍ଟ୍ରାଲ୍
ଗୌହାଟି ସେଣ୍ଟ୍ରାଲ୍ ହେଉଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ । ଏହି ଆସନରେ ବିଜେପିର ବରିଷ୍ଠ ପ୍ରାର୍ଥୀ ବିଜୟ କୁମାର ଗୁପ୍ତା ୨୭ ବର୍ଷୀୟ ଆସାମ ଜାତୀୟ ପରିଷଦ (AJP) ପ୍ରାର୍ଥୀ କୁଙ୍କି ଚୌଧୁରୀଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଗୋଟିଏ ପଟେ ବିଜେପି ପ୍ରାର୍ଥୀ ଭିତ୍ତିଭୂମି ଏବଂ ଅର୍ଥନୈତିକ ବିକାଶ ଉପରେ ଧ୍ୟାନ ଦେଇ ଭୋଟ ମାଗୁଥିବାବେଳେ ସେପଟେ କୁଙ୍କି ନିଜକୁ ଯୁବ, ସହରାଞ୍ଚଳ ଭୋଟରଙ୍କ ସ୍ୱର ଭାବରେ ପ୍ରତିଷ୍ଠା କରିଛନ୍ତି । ଅନ୍ୟପଟେ ଏହି ଆସନରୁ ଆମ ଆଦମୀ ପାର୍ଟି (AAP) ଏବଂ TMCର ପ୍ରାର୍ଥୀଙ୍କ ସମେତ ଏକାଧିକ ପ୍ରାର୍ଥୀଙ୍କ ଉପସ୍ଥିତି ଏହାକୁ ପ୍ରାୟ ୨ ଲକ୍ଷ ସହରାଞ୍ଚଳ ଭୋଟରଙ୍କ ମଧ୍ୟରେ ଏକ ପ୍ରତିଯୋଗିତାପୂର୍ଣ୍ଣ ଆସନ କରିଛି ।

୭. ତାମୁଲପୁର (ତଳ ଆସାମ)
ନିମ୍ନ ଆସାମରେ ରାଜନୈତିକ ଦୃଷ୍ଟିରୁ ଏହି ଆସନକୁ ସବୁଠାରୁ ଅସ୍ଥିର ଆସନ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ଏଠାରୁ ତିନି ଜଣ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ନିର୍ବାଚନ ମଇଦାନରେ ଅଛନ୍ତି । ଏମାନେ ହେଲେ ବିଜେପିର ବିଶ୍ୱଜିତ ଦୈମାରି, ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ (UPPL) ମୁଖ୍ୟ ପ୍ରମୋଦ ବୋରୋ ଏବଂ କଂଗ୍ରେସ ସମର୍ଥିତ ରାଫି ଦୈମାରି । ଏହି ଆସନଟି ଏବେ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଅଛି । ଏହି ଆସନରେ ଏଥର ବିଜେପି ଓ ୟୁପିପିଏଲ ମଧ୍ୟରେ ଲଢେଇ ହେବ । ପୂର୍ବ ନିର୍ବାଚନ ୨୦୨୧ରେ UPPLର ଜୋଲେନ ଦୈମାରି ସ୍ଵାଧୀନ ପ୍ରାର୍ଥୀ ଗଣେଶ କୋଚାରିଙ୍କୁ ୫୦,୦୦୦ ଭୋଟରେ ପରାସ୍ତ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Assam Election: ଦିନ ୧ଟା ପର୍ଯ୍ୟନ୍ତ ଆସାମରେ ୫୯.୬୩% ମତଦାନ; ଏହି ୭ ଆସନରେ ଜୋରଦାର ଟକ୍କର | Argus News