|
logo
Live

Argus News - ଆସାମ ବିଧାନସଭା ନିର୍ବାଚନ; ସରିଲା ପ୍ରଚାର; ଏହି ୭ ଆସନରେ ଜୋରଦାର ଲଢେଇ

Politics

Assam Assembly Election / ଆସାମ ବିଧାନସଭା ନିର୍ବାଚନ; ସରିଲା ପ୍ରଚାର; ଏହି ୭ ଆସନରେ ଜୋରଦାର ଲଢେଇ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·5 min read
ଆସାମ ବିଧାନସଭା ନିର୍ବାଚନ; ସରିଲା ପ୍ରଚାର; ଏହି ୭ ଆସନରେ ଜୋରଦାର ଲଢେଇ
Assam Assembly Election

Key Points

ଏପ୍ରିଲ ୯ରେ ଆସାମ ବିଧାନସଭା ନିର୍ବାଚନ
୧୨୬ଟି ଆସନ ପାଇଁ ପଡ଼ିବ ଭୋଟ୍
ଏହି ୭ ଆସନରେ ଜୋରଦାର ଲଢେଇ
ବିଧାନସଭା ନିର୍ବାଚନ ପାଇଁ ଆସାମରେ ରାଜ୍ୟ ରାଜନୀତି ସରଗରମ । ଏପ୍ରିଲ ୯ ତାରିଖରେ ମତଦାନ ଥିବାରୁ ଆଜି (ମଙ୍ଗଳବାର) ଥମିଛି ପ୍ରଚାର ମୈଦାନ । ଗୁରୁବାର ଗୋଟିଏ ପର୍ଯ୍ୟାୟରେ ୧୨୬ଟି ଆସନ ପାଇଁ ଭୋଟଦେବେ ୨.୪୯ କୋଟି ମତଦାତା । ମେ ୪ ତାରିଖରେ ଭୋଟ ଗଣତି । ଦେଶରେ ଉତ୍ତର-ପୂର୍ବ ରାଜ୍ୟରେ ଏଥର ବିଜେପି ହ୍ୟାଟ୍ରିକ୍ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ ୧୦ ବର୍ଷ ବନବାସ ପରେ କ୍ଷମତାକୁ ଫେରିବାକୁ ଅଙ୍କ କଷିଛି । ସେପଟେ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ମୁଖ୍ୟ ବଦରୁଦ୍ଦିନ ଅଜମଲ ମୁସଲିମ ସମ୍ପ୍ରଦାୟର ଭୋଟ ସାହାରାରେ ନିର୍ବାଚନକୁ ତ୍ରିକୋଣୀୟ ଲଢେଇ କରିବାକୁ ଉଦ୍ୟମ କରିଛନ୍ତି । ଏହାରି ମଧ୍ୟରେ ରାଜ୍ୟର ୭ଟି ବିଧାନସଭା ଆସନରେ ହେବ ଅସଲି ଟକ୍କର । ଏହାର ଫଳ ଜାଣିବାକୁ ଜନତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍କଣ୍ଠା ।

ଏଥର ଆସାମ ବିଧାନସଭା ନିର୍ବାଚନରେ ୧୨୬ଟି ଆସନରେ ୭୨୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ତେବେ ଆସାମର ନିର୍ବାଚନ ୩ଟି ଭାଗରେ ବିଭକ୍ତ ହୋଇଛି । ଉପର, କେନ୍ଦ୍ର ଓ ତଳ ଆସାମ । ଏଠାରେ ରାଜନୈତିକ ସଂଘର୍ଷର ପ୍ରସଙ୍ଗ ବି ଭିନ୍ନ । କାରଣ ଏଠାରେ ସାମାଜିକ ଢାଞ୍ଚା, ମୁଦ୍ଦା ଓ ଭୋଟ ପ୍ୟାଟର୍ଣ୍ଣ ପରସ୍ପରଠାରୁ ସମ୍ପୂର୍ଣ୍ଣ ଅଲଗା । ଉପର ଆସାମରେ ୩୫ଟି ବିଧାନସଭା ଆସନ ଥିବାବେଳେ ମଧ୍ୟ ଆସାମ (ବୋଡୋଲ୍ୟାଣ୍ଡ)ରେ ୪୧ଟି ଆସନ ଓ ତଳ ଆସାମରେ ୫୦ଟି ବିଧାନସଭା ଆସନ ରହିଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ତଳ ଆସାମ ରାଜନୈତିକ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇବାର କ୍ଷମତା ରଖିଛି ।

  • ବିଜେପିର ଲକ୍ଷ୍ୟ-ହ୍ୟାଟ୍ରିକ୍ ବିଜୟ
ଆସାମରେ ୨୦୧୬ ଠାରୁ ବିଜେପି କ୍ଷମତାରେ ରହିଛି । ପ୍ରମୁଖ ବିରୋଧୀ ଦଳ ଭାବେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ଯାହାକୁ ଆସାମ ସୋନମିଲିତୋ ମୋର୍ଚ୍ଚା (ASM) ଭାବରେ ଜଣାଶୁଣା । ଏହି ମେଣ୍ଟରେ ସାମିଲ ଥିବା ରାଜନୈତିକ ଦଳଗୁଡ଼ିକ ହେଉଛି ରାଇଜୋର ଦଳ, ଆସାମ ଜାତୀୟ ପରିଷଦ (AJP), ଭାରତୀୟ କମ୍ୟୁନିଷ୍ଟ ପାର୍ଟି CPI(M), ଭାରତୀୟ କମ୍ୟୁନିଷ୍ଟ ପାର୍ଟି CPI(ML) ଲିବରେସନ ଏବଂ ଅଲ୍ ପାର୍ଟି ହିଲ୍ ଲିଡର୍ସ କନଫରେନ୍ସ ଆଦି । ଏଥର ବିଜେପି ହ୍ୟାଟ୍ରିକ୍ ବିଜୟ ହାସଲ କରି କ୍ଷମତା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି । ସେପଟେ ଅନ୍ୟ ରାଜନୈତିକ ଦଳ ସତ୍ତା ପରିବର୍ତ୍ତନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ।

ପଢନ୍ତୁ ଏହି ଖବର: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର

  • ୭ ଆସନରେ ହେଭିୱେଟ୍ ଲଢେଇ
ଆସାମରେ ଏଥର ୧୨୬ଟି ବିଧାନସଭା ଆସନ ମଧ୍ୟରୁ ୭ଟି ଆସନରେ ହେବ ଜୋରଦାର ଲଢେଇ । ଏଗୁଡ଼ିକ ସାଧାରଣତଃ ସେହି ଆସନ ଯେଉଁଠାରେ ହେଭିୱେଟ୍ ପ୍ରାର୍ଥୀମାନେ ନିର୍ବାଚନ ମଇଦାନରେ ଅଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ନିଜର ନିର୍ବାଚନ ମଣ୍ଡଳୀ ଜାଲୁକବାରିରୁ ଏଥର ସପ୍ତମ ଲଗାତାର ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଏଣୁ ଏଠାରେ ଏଥର ହେଭିୱେଟ୍ ଲଢେଇ ଦେଖିବାକୁ ମିଳିବ । ସେହିପରି ଅନ୍ୟ ହେଭିୱେଟ୍ ଆସନ ଜୋରହାଟ, ଶିବସାଗର, ବିହପୁରିଆ, ଦିସପୁର, ଗୌହାଟି ସେଣ୍ଟ୍ରାଲ ଏବଂ ତାମୁଲପୁରରେ ବି ଜୋରଦାର ଲଢେଇ ହେବ । ଆସନ୍ତୁ ଏହି ହେଭିୱେଟ୍ ଆସନର ପୂର୍ବ ନିର୍ବାଚନୀ ଫଳାଫଳ ଓ ସାମ୍ପ୍ରତିକ ଲଢେଇ ବିଷୟରେ ବିସ୍ତୃତ ଭାବରେ ଜାଣିବା ।

୧. ଜାଲୁକବାରି (ତଳ ଆସାମ)
ଆସାମର ବିଧାନସଭା ଆସନ ମଧ୍ୟରୁ ଜାଲୁକବାରିକୁ ସବୁଠାରୁ ପ୍ରତିଷ୍ଠିତ ଆସନ ଭାବରେ ବିବେଚନା କରାଯାଏ । ଏହା ବିଜେପି ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ନିର୍ବାଚନ ମଣ୍ଡଳୀ । ଏଠାରୁ ସିଏମ ହିମନ୍ତ ୫ଥର ଲଗାତାର ନିର୍ବାଚନ ଜିତିସାରିଥିବାବେଳେ ଏଥର ଷଷ୍ଠ ଥର ପାଇଁ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ହିମନ୍ତ କଂଗ୍ରେସରେ ଥିବାବେଳେ ପ୍ରଥମ ଥର ଲାଗି ୨୦୦୧ରେ ନିର୍ବାଚନ ଲଢିଥିଲେ । ୨୦୦୧, ୨୦୦୬ ଏବଂ ୨୦୧୧ ପର୍ଯ୍ୟନ୍ତ କଂଗ୍ରେସରୁ ଏବଂ ୨୦୧୬ ଓ ୨୦୨୧ରେ ବିଜେପିରୁ ଏଠାରୁ ଲଢିଥିଲେ । ୨୦୨୧ରେ ଏହି ଆସନରୁ ହିମନ୍ତ ୧ ଲକ୍ଷ ଅଧିକ ଭୋଟ ମାର୍ଜିନର ବିଜୟୀ ହୋଇଥିଲେ । ଏଥର ନିର୍ବାଚନରେ ହିମନ୍ତ ବିଶ୍ଵଶର୍ମାଙ୍କୁ କଂଗ୍ରେସରୁ ବିଦିଶା ନିୟୋଗ ଓ ସ୍ଵାଧୀନ ପ୍ରାର୍ଥୀ ଦିପିକା ଦାସ ଟକ୍କର ଦେବେ ।

୨. ଜୋରାହାଟ (ଉପର ଆସାମ)
ଆସାମର ରାଜନୈତିକ ଦୃଷ୍ଟିରୁ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆସନ । ଏଥର ନିର୍ବାଚନରେ ୫ ଥର ବିଧାୟକ ଥିବା ବିଜେପିର ହିତେନ୍ଦ୍ର ନାଥ ଗୋସ୍ୱାମୀ ଏହି ଆସନରୁ ଆସାମ କଂଗ୍ରେସ ମୁଖ୍ୟ ଏବଂ ସ୍ଥାନୀୟ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ଲଢ଼ିବେ । ଗୋଗୋଇ ଏହି ଆସନରୁ ନିଜର ବିଧାନସଭା ନିର୍ବାଚନ ଡେବ୍ୟୁ କରୁଛନ୍ତି । ଏହି ନିର୍ବାଚନମଣ୍ଡଳୀ ୨୦୧୬ ମସିହାରୁ ବିଜେପି ହାତରେ ଅଛି । ବିଜେପି ପ୍ରାର୍ଥୀ ଗୋସ୍ୱାମୀ ୨୦୨୧ ବିଧାନସଭା ନିର୍ବାଚନରେ ​​୬୮,୦୦୦ ଭୋଟ ପାଇ କଂଗ୍ରେସର ରାଣା ଗୋସ୍ୱାମୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ମାତ୍ର ୨୦୨୪ ଲୋକସଭା ନିର୍ବାଚନରେ ପରିବର୍ତ୍ତନର ସ୍ଵର ଦେଖିବାକୁ ମିଳିଥିଲା । ଗୋଗୋଇ ଏହି ବିଧାନସଭା କ୍ଷେତ୍ରରୁ ୧୨,୧୩୦ ଭୋଟରେ ଆଗୁଆ ଥିବାବେଳେ ବିଜେପି ପ୍ରାର୍ଥୀ ତପନ କୁମାର ଗୋଗୋଇଙ୍କ ବିପକ୍ଷରେ ୬୦,୬୯୭ ଭୋଟ ପାଇଥିଲେ । ତେବେ ଏଥର କାହା ସପକ୍ଷରେ ନିର୍ବାଚନ ଫଳ ଯାଉଛି, ତାହା ଦେଖିବାକୁ ସଭିଙ୍କ ମଧ୍ୟରେ ଉତ୍କଣ୍ଠା ।

୩. ଶିବସାଗର (ଉପର ଆସାମ)
ଶିବସାଗର ନିର୍ବାଚନମଣ୍ଡଳୀରେ ଏଥର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଲଢ଼େଇ ଦେଖିବାକୁ ମିଳିବ, ଯେଉଁଠାରେ ଆଞ୍ଚଳିକ ରାଜନୀତି ଏବଂ ବିଜେପି ନେତୃତ୍ୱାଧୀନ ମେଣ୍ଟ ମଧ୍ୟରେ ତ୍ରିକୋଣୀୟ ଲଢେଇ ହେବ । ଏଥର ଫୋକସରେ ଅଛନ୍ତି ରାଇଜୋର ଦଳ ମୁଖ୍ୟ ଅଖିଳ ଗୋଗୋଇ, ଯିଏକି ୨୦୨୧ରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଜେଲରୁ ନିର୍ବାଚନ ଲଢି ୫୭,୨୧୯ ଭୋଟରେ ବିଜୟୀ ହୋଇଥିଲେ । ରାଇଜୋର ଦଳ ହେଉଛି କଂଗ୍ରେସର ସହଯୋଗୀ ଦଳ । ଏଥର ନିର୍ବାଚନରେ, ବିଜେପି ଏହି ଆସନରୁ କୁଶଲ ଡୋୱାରିଙ୍କୁ ପ୍ରାର୍ଥୀ କରିଥିବା​​ବେଳେ ସହଯୋଗୀ ଆସାମ ଗଣ ପରିଷଦ (AGP) ପ୍ରବୀଣ ପ୍ରଦୀପ ହଜାରିକାଙ୍କୁ ପ୍ରାର୍ଥୀ କରିଛି, ଯାହା ଫଳରେ ବିଜେପି ନେତୃତ୍ଵାଧୀନ NDA ମଧ୍ୟରେ ଏକ ବିରଳ "ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା" ହେବ । ଅଖିଳଙ୍କ ପୂର୍ବରୁ, କଂଗ୍ରେସର ପ୍ରଣବ ଗୋଗୋଇ ୨୦୦୧, ୨୦୦୬, ୨୦୧୧ ଏବଂ ୨୦୧୬ ନିର୍ବାଚନରେ ​​ଏହି ଆସନରେ ବିଜୟୀ ହୋଇଥିଲେ ।

୪. ବିହପୁରିଆ (ଉପର ଆସାମ)
ଆସାମ କଂଗ୍ରେସର ପୂର୍ବତନ ସଭାପତି ଭୂପେନ କୁମାର ବୋରାହ ବିଜେପିରେ ଯୋଗଦେବା ପରେ ବିହପୁରିଆ ନିର୍ବାଚନମଣ୍ଡଳୀ ଚର୍ଚ୍ଚାରେ ଥିଲା ଏବଂ ଏଠାରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି । ଏହାଦ୍ଵାରା ବୋରାହଙ୍କୁ ତାଙ୍କ ପୂର୍ବ ଦଳ ବିପକ୍ଷରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେପଟେ କଂଗ୍ରେସ ନାରାୟଣ (ରାମ) ଭୂୟାଁଙ୍କୁ ପ୍ରାର୍ଥୀ କରିଛି, ଯିଏ ଏହି ଆସନରେ ସକ୍ରିୟ ଭାବରେ ପ୍ରଚାର କରୁଛନ୍ତି । ବିହପୁରିଆ ଅତୀତରେ ନିର୍ଣ୍ଣାୟକ ଫଳାଫଳ ଆଣିଛି । ୨୦୧୬ରେ ବିଜେପିର ଦେବାନନ୍ଦ ହଜାରିକା ୨୬,୦୦୦ରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । କିନ୍ତୁ ୨୦୨୧ରେ ବ୍ୟବଧାନ ହ୍ରାସ ପାଇଥିଲା । ବିଜେପିର ବର୍ତ୍ତମାନର ବିଧାୟକ ଅମୀୟ କୁମାର ଭୂୟାଁ ୫୮,୯୭୯ ଭୋଟ ପାଇ କଂଗ୍ରେସ ଦଳର ବୋରାହଙ୍କୁ ୧୦,୦୦୦ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ଏଣୁ ଏଥର କିଏ କେତେ ଭୋଟ ପାଉଛି ତାହା ଦେଖିବା ରୋଚକ ହେବ ।

୫. ରାଜଧାନୀ ଦିସପୁର
ଏଥର ଦିସପୁର ଆସନ ଆଉ ଏକ ହାଇ-ପ୍ରୋଫାଇଲ୍ ଆସନ । ଏଥର ବିଜେପିରୁ ପ୍ରଦ୍ୟୁତ ବୋରଦଲେଇ ପ୍ରାର୍ଥୀ ହୋଇଛନ୍ତି, ଯିଏକି ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି । ସେପଟେ କଂଗ୍ରେସ ମୀରା ବୋରଠାକୁର ଗୋସ୍ୱାମୀଙ୍କୁ ପ୍ରାର୍ଥୀ କରିଛି । ବରିଷ୍ଠ ବିଜେପି ନେତା ଜୟନ୍ତ କୁମାର ଦାସ ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ୁଛନ୍ତି । ଏଣୁ ଏଠାକାର ଫଳାଫଳ ନିହାତି ରୋଚକପୂର୍ଣ୍ଣ । ପୂର୍ବରୁ ବିଜେପିର ଅତୁଲ ବୋରା ୨୦୧୬ ଏବଂ ୨୦୨୧ରେ ଏହି ଆସନରୁ ବିଜୟୀ ହୋଇଥିଲେ । ୨୦୧୬ ପୂର୍ବରୁ ୨୦୦୧ରୁ କଂଗ୍ରେସ ଏହି ଆସନ ଦଖଲ କରିଥିଲା ।

୬. ଗୌହାଟୀ ସେଣ୍ଟ୍ରାଲ୍
ଗୌହାଟି ସେଣ୍ଟ୍ରାଲ୍ ହେଉଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ । ଏହି ଆସନରେ ବିଜେପିର ବରିଷ୍ଠ ପ୍ରାର୍ଥୀ ବିଜୟ କୁମାର ଗୁପ୍ତା ୨୭ ବର୍ଷୀୟ ଆସାମ ଜାତୀୟ ପରିଷଦ (AJP) ପ୍ରାର୍ଥୀ କୁଙ୍କି ଚୌଧୁରୀଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଗୋଟିଏ ପଟେ ବିଜେପି ପ୍ରାର୍ଥୀ ଭିତ୍ତିଭୂମି ଏବଂ ଅର୍ଥନୈତିକ ବିକାଶ ଉପରେ ଧ୍ୟାନ ଦେଇ ଭୋଟ ମାଗୁଥିବାବେଳେ ସେପଟେ କୁଙ୍କି ନିଜକୁ ଯୁବ, ସହରାଞ୍ଚଳ ଭୋଟରଙ୍କ ସ୍ୱର ଭାବରେ ପ୍ରତିଷ୍ଠା କରିଛନ୍ତି । ଅନ୍ୟପଟେ ଏହି ଆସନରୁ ଆମ ଆଦମୀ ପାର୍ଟି (AAP) ଏବଂ TMCର ପ୍ରାର୍ଥୀଙ୍କ ସମେତ ଏକାଧିକ ପ୍ରାର୍ଥୀଙ୍କ ଉପସ୍ଥିତି ଏହାକୁ ପ୍ରାୟ ୨ ଲକ୍ଷ ସହରାଞ୍ଚଳ ଭୋଟରଙ୍କ ମଧ୍ୟରେ ଏକ ପ୍ରତିଯୋଗିତାପୂର୍ଣ୍ଣ ଆସନ କରିଛି ।

୭. ତାମୁଲପୁର (ତଳ ଆସାମ)
ନିମ୍ନ ଆସାମରେ ରାଜନୈତିକ ଦୃଷ୍ଟିରୁ ଏହି ଆସନକୁ ସବୁଠାରୁ ଅସ୍ଥିର ଆସନ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ଏଠାରୁ ତିନି ଜଣ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ନିର୍ବାଚନ ମଇଦାନରେ ଅଛନ୍ତି । ଏମାନେ ହେଲେ ବିଜେପିର ବିଶ୍ୱଜିତ ଦୈମାରି, ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ (UPPL) ମୁଖ୍ୟ ପ୍ରମୋଦ ବୋରୋ ଏବଂ କଂଗ୍ରେସ ସମର୍ଥିତ ରାଫି ଦୈମାରି । ଏହି ଆସନଟି ଏବେ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଅଛି । ଏହି ଆସନରେ ଏଥର ବିଜେପି ଓ ୟୁପିପିଏଲ ମଧ୍ୟରେ ଲଢେଇ ହେବ । ପୂର୍ବ ନିର୍ବାଚନ ୨୦୨୧ରେ UPPLର ଜୋଲେନ ଦୈମାରି ସ୍ଵାଧୀନ ପ୍ରାର୍ଥୀ ଗଣେଶ କୋଚାରିଙ୍କୁ ୫୦,୦୦୦ ଭୋଟରେ ପରାସ୍ତ କରିଥିଲେ ।

ଅଧିକ ଖବର ପଢନ୍ତୁ...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Assam Assembly Election: ଆସାମ ବିଧାନସଭା ନିର୍ବାଚନ; ସରିଲା ପ୍ରଚାର; ଏହି ୭ ଆସନରେ ଜୋରଦାର ଲଢେଇ | Argus News