|
logo
Live

Argus News - ବିରୋଧିରୁ ମୁଖ୍ୟମନ୍ତ୍ରୀ ଗାଦି? ଯେବେ ବାହାର ନେତାଙ୍କୁ ମଙ୍ଗୁଆଳ ଗାଦିରେ ବସାଇଛି ବିଜେପି

Politics

BJP CM History / ବିରୋଧିରୁ ମୁଖ୍ୟମନ୍ତ୍ରୀ ଗାଦି? ଯେବେ ବାହାର ନେତାଙ୍କୁ ମଙ୍ଗୁଆଳ ଗାଦିରେ ବସାଇଛି ବିଜେପି

Subhramjit Ray
Browse all articles by Subhramjit Ray
·3 hours ago·3 min read
ବିରୋଧିରୁ ମୁଖ୍ୟମନ୍ତ୍ରୀ ଗାଦି? ଯେବେ ବାହାର ନେତାଙ୍କୁ ମଙ୍ଗୁଆଳ ଗାଦିରେ ବସାଇଛି ବିଜେପି
BJP CM History

Key Points

ବିଗତ କିଛି ବର୍ଷ ମଧ୍ୟରେ ବିଜେପି ନେତୃତ୍ୱ ଏପରି ଅନେକ ନେତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଛନ୍ତି ଯେଉଁମାନେ ପୂର୍ବରୁ ବିରୋଧି ଶିବିରରେ ରହିଥିଲେ।

BJP Outsider CM List: ସାଧାରଣତଃ ବିଜେପି ଏହାର କର୍ମକର୍ତ୍ତାଙ୍କୁ ଯେଉଁମାନେ ଦଳୀୟ ସଙ୍ଗଠନ ପାଇଁ ବର୍ଷ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି, ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପଦ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥାଏ। ହେଲେ ସମୟ ସମୟରେ ବିଜେପି ନେତୃବୃନ୍ଦ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଛନ୍ତି। ନୀତିଶ କୁମାରଙ୍କ ଇସ୍ତଫା ପରେ ସମ୍ରାଟ ଚୌଧୁରୀ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ଏହି ନିଷ୍ପତ୍ତି ସହିତ ବିଜେପି ପୁଣି ଥରେ ଜଣାଇ ଦେଇଛି ଯେ ପରିସ୍ଥିତି ଏବଂ ରାଜନୈତିକ ସୁବିଧା ଅନୁସାରେ ଦଳ ବାହାର ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସାଇବାରେ ଦଳର କେନ୍ଦ୍ରୀୟ ନେତୃତ୍ୱ ପଛଘୁଞ୍ଚା ଦେଉନାହାଁନ୍ତି। ବିଗତ କିଛି ବର୍ଷ ମଧ୍ୟରେ ବିଜେପି ନେତୃତ୍ୱ ଅନେକ ବିରୋଧି ଦଳର ନେତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଛନ୍ତି। ଏବେ ଏହି ତାଲିକାରେ ସମ୍ରାଟ ଚୌଧୁରୀ ଯୋଡି ହୋଇଛନ୍ତି ଯିଏ ପୂର୍ବରୁ ବିଜେପି ବିରୋଧି ଶିବିରରେ ରହିଥିଲେ।

ଏହା ସହ ପଢନ୍ତୁ: କିପରି ଚୌଧୁରୀ ହୋଇଗଲେ ବିହାରର ନୂଆ ସମ୍ରାଟ? କ'ଣ ରହିଛି ପରଦା ପଛର କାହାଣୀ?

ସମ୍ରାଟ ଚୌଧୁରୀ (ବିହାର)

ସମ୍ରାଟ ଚୌଧୁରୀ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ରୁ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ଯିଏ ପରେ ବିଜେପି ହାତ ଧରିଥିଲେ। ବିଜେପିରେ ଯୋଗ ଦେବା ପରେ ଦଳୀୟ ସଙ୍ଗଠନ ଏବଂ ସରକାର ମଧ୍ୟରେ ତାଙ୍କର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଇଲା। ଏବେ ନୀତିଶ କୁମାରଙ୍କ ଇସ୍ତଫା ପରେ ସମ୍ରାଟ ଚୌଧୁରୀ ବିହାରର ମୁଖ୍ୟମନ୍ତ୍ରୀ ପଦ ଭାର ସମ୍ଭାଳିବାକୁ ଯାଉଛନ୍ତି।

ହିମନ୍ତ ବିଶ୍ୱ ଶର୍ମା (ଆସାମ)
ହିମନ୍ତ ବିଶ୍ୱ ଶର୍ମା ଦୀର୍ଘ ସମୟ ଧରି ଆସାମ କଂଗ୍ରେସର ଜଣେ ପ୍ରମୁଖ ନେତା ରହିଥିଲେ। ହେଲେ ୨୦୧୫ ରେ ସେ କଂଗ୍ରେସ ଛାଡି ବିଜେପି ହାତ ଧରିଥିଲେ। ଗତ ୨୦୧୬ ରେ ଆସାମରେ ବିଜେପି ସରକାର ଗଠିତ ହେବା ପରେ ତାଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ୱ ମିଳିଥିଲା। ସେବେଠାରୁ ସେ ଦଳର ଜଣେ ଫାୟାରବ୍ରାଣ୍ଡ ନେତା ଭାବେ ହୋଇ ରହିଛନ୍ତି। ଗତ ୨୦୨୧ ବିଧାନସଭା ନିର୍ବାଚନ ପରେ ବିଜେପି ବାଜିମାତ କରିବା ତାଙ୍ ଦଳ ଆସାମ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିଲା। ସେ କଂଗ୍ରେସରେ ଥିବା ସମୟରେ ମୁଖ୍ୟମନ୍ତ୍ରୀ ହୋଇପାରି ନଥିଲେ। ହେଲେ ବିଜେପିରେ ଯୋଗ ଦେବା ପରେ ଏହି ଶୀର୍ଷ ପଦବୀରେ ପହଞ୍ଚି ଯାଇଥିଲେ।

ଏନ.ବୀରେନ ସିଂହ (ମଣିପୁର)
ନଙ୍ଗଥୋମବାମ୍ ବୀରେନ ସିଂହ ପୂର୍ବରୁ ମଣିପୁର କଂଗ୍ରେସର ଜଣେ ପୁରୁଖା ନେତା ଥିଲେ। ସେ ୨୦୧୬ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗଦେବାର ଗୋଟିଏ ବର୍ଷ ମଧ୍ୟରେ ଦଳ ରାଜ୍ୟରେ ସରକାର ଗଠନ କରିଥିଲା। ୨୦୧୭ରେ ଏନ.ବୀରେନ ସିଂହଙ୍କୁ ମଣିପୁରର ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେ ମଣିପୁର ବିଜେପିର ଚେହେରା ପାଲଟି ଯାଇଥିଲେ।

ଏହା ସହ ପଢନ୍ତୁ:  ନୀତିଶ କୁମାରଙ୍କ ପରେ କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ?

ମାଣିକ ସାହା (ତ୍ରିପୁରା)

ମାଣିକ ସାହା କଂଗ୍ରେସରୁ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ୨୦୧୬ରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ବିଜେପି ତାଙ୍କୁ ପ୍ରଥମେ ସଙ୍ଗଠନରେ ଏବଂ ପରେ ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା। ୨୦୨୨ରେ ଦଳ ତାଙ୍କୁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲା।

ପେମା ଖାଣ୍ଡୁ (ଅରୁଣାଚଳ ପ୍ରଦେଶ)
ପେମା ଖଣ୍ଡୁ ମୂଳତଃ ଜଣେ ଅରୁଣାଚଳ ପ୍ରଦେଶର ଜଣେ କଂଗ୍ରେସ ନେତା ଥିଲେ। କଂଗ୍ରେସ ସରକାରରେ ସେ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ପରେ ୨୦୧୬ରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ। ବିଜେପିରେ ଯୋଗଦେବା ପରେ ସେ ବହୁମତ ସାବ୍ୟସ୍ତ କରିବା ସହ ସରକାର ବଜାୟ ରଖିଥିଲେ। ଗତ ୨୦୧୬ରୁ ସେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। ଦଳ ପରିବର୍ତ୍ତନ କରିବା ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ଭାବରେ ନିଜର ପଦବୀ ବଜାୟ ରଖିଥିଲେ।

ବାସବରାଜ ବୋମାଇ (କର୍ଣ୍ଣାଟକ)
ବାସବରାଜ ବୋମାଇ ଜନତା ଦଳରୁ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ପରେ ସେ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗ ଦେବା ପରେ, ସେ ରାଜ୍ୟ ସରକାରରେ ମନ୍ତ୍ରୀ ହୋଇଥିଲେ ଏବଂ ସଂଗଠନରେ ଜଣେ ଦୃଢ଼ ନେତା ଭାବରେ ଉଭା ହୋଇଥିଲେ। ବି.ଏସ୍. ୟେଦିୟୁରପ୍ପାଙ୍କ ଇସ୍ତଫା ପରେ, ବିଜେପି ତାଙ୍କୁ ୨୦୨୧ ଜୁଲାଇରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲା।

ସର୍ବାନନ୍ଦ ସୋନୱାଲ (ଆସାମ)
୨୦୦୧ ରୁ ଆସାମ ଗଣ ପରିଷଦରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ସର୍ବାନନ୍ଦ ସୋନୱାଲ। ୨୦୦୧ ଆସାମ ବିଧାନସଭା ନିର୍ବାଚନରେ ରାଜ୍ୟର ମୋରନ୍ ଆସନରୁ ବିଜୟୀ ହୋଇଥିଲେ। ଏହା ପରେ ୨୦୦୪ ଲୋକସଭା ନିର୍ବାଚନରେ ଆସାମର ଡିବ୍ରୁଗଡ଼ ଆସନରୁ ସାଂସଦ ନିର୍ବାଚିତ ହୋଇଥିଲ। ଏହା ପରେ ସେ ୨୦୧୧ ରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୪ଲୋକସଭା ନିର୍ବାଚନରେ ସେ ଲକ୍ଷ୍ନୀପୁର ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ। ୨୦୧୬ ବିଧାନସଭା ନିର୍ବାଚନରେ ସେ ମାଜୁଲି ଆସନରୁ ନିର୍ବାଚିତ ହେବା ସହ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୨୧ ରେ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ପୁନର୍ବାର ୨୦୨୪ ଲୋକସଭା ନିର୍ବାଚନରେ ଡିବ୍ରୁଗଡ଼ ଆସନରୁ ପୁନର୍ବାର ନିର୍ବାଚିତ ହେବା ପରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP CM History: ବିରୋଧିରୁ ମୁଖ୍ୟମନ୍ତ୍ରୀ ଗାଦି? ଯେବେ ବାହାର ନେତାଙ୍କୁ ମଙ୍ଗୁଆଳ ଗାଦିରେ ବସାଇଛି ବିଜେପି | Argus News