Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଲଢେଇ ପୂର୍ବରୁ ମୁଣ୍ଡ ନୁଆଁଇଲେ ଟିଏମସି 'ପୁଷ୍ପା'; କାହିଁକି ମୈଦାନ ଛାଡି଼ଦେଲେ ଜାହାଙ୍ଗୀର ଖାନ?

Politics

TMC Pushpa Surrender / ଲଢେଇ ପୂର୍ବରୁ ମୁଣ୍ଡ ନୁଆଁଇଲେ ଟିଏମସି 'ପୁଷ୍ପା'; କାହିଁକି ମୈଦାନ ଛାଡି଼ଦେଲେ ଜାହାଙ୍ଗୀର ଖାନ?

Subhramjit Ray
Browse all articles by Subhramjit Ray
·8 hours ago·3 min read
ଲଢେଇ ପୂର୍ବରୁ ମୁଣ୍ଡ ନୁଆଁଇଲେ ଟିଏମସି 'ପୁଷ୍ପା'; କାହିଁକି ମୈଦାନ ଛାଡି଼ଦେଲେ ଜାହାଙ୍ଗୀର ଖାନ?
TMC Pushpa Surrender

Key Points

ଫଲଟା ଆସନ ଏବେ ରାଜ୍ୟ ରାଜନୀତିକୁ ଏକ ନୂତନ ବାର୍ତ୍ତା ଦେଇଛି ଯେ "ପୁଷ୍ପା ଏବେ ଆତ୍ମସମର୍ପଣ କରିଛି।" 
Jahangir Khan pull out from Falta AC Fight: ଆସନ୍ତାକାଲି (ମେ ୨୧) ପଶ୍ଚିମବଙ୍ଗର ଫାଲଟା ଆସନରେ ହେବାକୁ ଯାଉଛି ମତଦାନ। ହେଲେ ଏହା ପୂର୍ବରୁ ଏକଦା ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିବା "ଡାଇମଣ୍ଡ ହାର୍ବର ମଡେଲ" ଏବେ ପ୍ରଶ୍ନ ଘେରରେ ରହିଛି। ଏହାର କାରଣ ହେଉଛନ୍ତି ଫାଲଟା ଆସନରେ ନିର୍ବାଚନ ଲଢୁଥିବା ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ। ଯିଏ ଏକ ନିର୍ବାଚନ ରାଲିରେ ନିଜକୁ "ପୁଷ୍ପା" ବୋଲି କହିବା ସହ ପୂର୍ବରୁ ଦାବି କରିଥିଲେ, "ମୁଁ କେବେ ମୁଣ୍ଡ ନୁଆଁଇବି ନାହିଁ।" ହେଲେ ବର୍ତ୍ତମାନ ଫାଲଟା ଆସନରେ ହେବାକୁ ଯାଉଥିବା ଲଢେଇ ପୂର୍ବରୁ "ଟିଏମସି ପୁଷ୍ପା" ଜାହାଙ୍ଗୀର ଖାନ ଆତ୍ମସମର୍ପଣ ମୁଦ୍ରାରେ ରହିଛନ୍ତି। ଏପରିକି ମତଦାନ ହେବା ପୂର୍ବରୁ ଫାଲଟା ଲଢେଇରୁ ଓହରି ଯାଉଥିବା ନେଇ ଜାହାଙ୍ଗୀର ଖାନ୍ ଘୋଷଣା କରି ସାରିଛନ୍ତି। କେବେ ଟିଏମସି ଶାସନରେ ନିଜର ଦବଦବା ଜାହିର କରୁଥିବା "ପୁଷ୍ପା" ଜାହାଙ୍ଗୀର ଖାନ, ରାଜ୍ୟରେ ବିଜେପି ସରକାର ଗଠନ ହେବା ମାତ୍ରେ ରଣକ୍ଷେତ୍ର ଛାଡ଼ି ଫେରାର ହୋଇଯାଇଛି।

ମତଦାନର ୪୮ ଘଣ୍ଟା ପୂର୍ବରୁ ମୈଦାନରୁ ହଟିଗଲେ "ଟିଏମସି ପୁଷ୍ପା"?
ମେ ୨୧ ତାରିଖ ଗୁରୁବାର ଫାଲଟା ଆସନରେ ହେବାକୁ ଯାଉଛି ପୁନର୍ବାର ମତଦାନ। ହେଲେ ଭୋଟିଂ ପକ୍ରିୟା ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ ନିର୍ବାଚନରୁ ଓହରି ଯାଉଥିବା ନେଇ ଘୋଷଣା କରି ସାରିଛନ୍ତି। ଫାଲଟା ହେଉଛି ସେହି ନିର୍ବାଚନମଣ୍ଡଳୀ ଯେଉଁଠାରେ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ବ୍ୟାପକ ହିଂସା, ବୁଥ୍- ଜବରଦଖଲ ଏବଂ ମତଦାତାଙ୍କୁ ଭୟଭୀତ କରାଯାଉଥିବା ନେଇ ଗୁରୁତର ଅଭିଯୋଗ ଆସିଥିଲା। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏହି ଆସନର ସମସ୍ତ ମତଦାନ କେନ୍ଦ୍ରରେ ଭୋଟିଂ ବାତିଲ କରି ପୁନର୍ବାର ମତଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

"ଡାଇମଣ୍ଡ ହାର୍ବର ମଡେଲ୍" ଉପରେ ଉଠିଲା ପ୍ରଶ୍ନ
ଫାଲଟା ଆସନରେ ପୁନର୍ବାର ମତଦାନ ହେବା ପୂର୍ବରୁ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ ନିର୍ବାଚନରୁ ଓହରି ଯିବାକୁ କେବଳ ଏକ ରାଜନୈତିକ ଘଟଣାକ୍ରମ ଭାବେ ଦେଖାଯାଉ ନାହିଁ। ବରଂ ତୃଣମୂଳ କଂଗ୍ରେସର (ଟିଏମସି) ତଥାକଥିତ "ଡାଇମଣ୍ଡ ହାର୍ବର ମଡେଲ୍" ର ବାସ୍ତବତାକୁ ନେଇ ପ୍ରଶ୍ନ ଉଠାଇଛି। ଏନେଇ ବିରୋଧିଙ୍କ କହିବା କଥା ଯେ, ଯେଉଁ ମଡେଲ୍ କେବେ ଟିଏମସି ଲାଗି ଏକ ଶକ୍ତିଶାଳୀ ରାଜନୈତିକ ରଣନୀତି ଭାବେ କାମ କରୁଥିଲା, ତାହେ ଏବେ ଚାପରେ ଦୁର୍ବଳ ହୋଇଯାଇଛି।

ଜାହାଙ୍ଗୀର ଖାନଙ୍କ ବୟାନକୁ ନେଇ ତେଜିଲା ରାଜନୀତି
ଫାଲଟା ଲଢେଇରୁ ଓହରି ଯାଉଥିବା ନେଇ ଘୋଷଣା କରିବା ନିଷ୍ପତ୍ତିକୁ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ "ଶାନ୍ତି ଏବଂ ବିକାଶ" ସହିତ ଯୋଡ଼ିଛନ୍ତି। ଯିଏ ନିଜକୁ ଫାଲଟା ମାଟିର ପୁଅ ଭାବରେ ବର୍ଣ୍ଣନା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହି ଅଞ୍ଚଳର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଦେବାକୁ ପ୍ରତିଶୃତି ଦେଇଥିଲେ। ଏଥିପାଇଁ ସେ ନିର୍ବାଚନରୁ ଓହରି ଯାଉଛନ୍ତି। ଟିଏମସି ପ୍ରାର୍ଥୀଙ୍କ ଏପରି ବିବୃତ୍ତିକୁ ନେଇ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ ରାଜନୀତି। ଏନେଇ କୁହାଯାଉଛି, " "ଟିଏମସି ପୁଷ୍ପା ଏବେ ରାଜ୍ୟର ଶାସନ ବ୍ୟବସ୍ଥା ସହ ଯୋଡ଼ି ହୋଇ ଅଛନ୍ତି!"

ଏହା ସହ ପଢନ୍ତୁ: ଘାରିଲା ଗିରଫଦାରୀ ଭୟ; କୋର୍ଟ ଶରଣରେ 'ପୁଷ୍ପା"

ସମଗ୍ର ଘଟଣାକ୍ରମକୁ ନେଇ କ'ଣ କହିଲା ବିଜେପି?
ବିଜେପି ଏହି ସମ୍ପୂର୍ଣ୍ଣ ଘଟଣାକ୍ରମକୁ ଜନତାଙ୍କ ଜିତ୍ ଭାବରେ ବର୍ଣ୍ଣନା କରିଛି। ଏନେଇ ଦଳୀୟ ନେତା କହିଛନ୍ତି ଯେ ଫାଲଟା ଆସନର ମତାଦାତା ଭୟ ଏବଂ ଚାପର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ପୁନର୍ବାର ନିର୍ବାଚନ କରିବାକୁ ନିଆଯାଇଥିବା ନିଷ୍ପତ୍ତି ସ୍ପଷ୍ଟ କରିଦେଲା ଯେ ବର୍ତ୍ତମାନ ପରିବେଶ ଏବଂ ପରିସ୍ଥିତି ବଦଳି ଯାଇଛି।

ଏବେ ହାଇ-ଭୋଲଟେଜ୍ ଆସନ ପାଲଟିଛି ଫାଲଟା
ବିଗତ କିଛି ଦିନ ହେବ ଫାଲଟା ଆସନ ପଶ୍ଚିମବଙ୍ଗର ସବୁଠାରୁ ଚର୍ଚ୍ଚିତ ଆସନ ପାଲଟିଥିଲା। ବୁଥ୍ ହିଂସା ଅଭିଯୋଗ, "ଡାଇମଣ୍ଡ ହାର୍ବର ମଡେଲ୍" ଉପରେ ବିବାଦ, ନିର୍ବାଚନ ଆୟୋଗଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ୟୁପି କ୍ୟାଡ଼ର ଦବଙ୍ଗ ଆଇପିଏସ୍ ଅଧିକାରୀ ଅଜୟ ପାଲ ଶର୍ମାଙ୍କୁ ସେଠାରେ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ କରାଯିବା ଘଟଣାକୁ ନେଇ ଫାଲଟା ଏକ ହାଇ ଭୋଲଟେଜ୍ ଆସନ ପାଲଟିଥିଲା।

ନିର୍ବାଚନରୁ ଓହରିଯିବା ବ୍ୟକ୍ତିଗତ ନିଷ୍ପତ୍ତି: ଟିଏମସି

ଫାଲଟା ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ଦଳୀୟ ପ୍ରାର୍ଥୀ ଜାହାଙ୍ଗୀର ଖାନ ନିର୍ବାଚନରୁ ଓହରି ଯିବାକୁ ଘୋଷଣାକୁ ନେଇ ପ୍ରତିକ୍ରିୟା ରଖିଛି ଟିଏମସି। ଏନେଇ ଦଳ ପକ୍ଷରୁ କୁହାଯାଇଛି ଜାହାଙ୍ଗୀର ଖାନଙ୍କ ନିର୍ବାଚନ ନ ଲଢ଼ିବା ହେଉଛି ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏହା ଦଳୀୟ ନିଷ୍ପତ୍ତି ନୁହେଁ ବୋଲି ଟିଏମସି କହିଛି।

କୋର୍ଟ ଶରଣକୁ ଚାଲି ଯାଇଛନ୍ତି ଜାହାଙ୍ଗୀର ଖାନ
ଫାଲଟା ଆସନରେ ପୁନର୍ବାର ମତଦାନ ହେବା ପୂର୍ବରୁ ଜାହାଙ୍ଗୀର ଖାନ କଲିକତା ହାଇକୋର୍ଟରେ ଏକ ଆଗୁଆ ଜାମିନ ଆବେଦନ ଦାଖଲ କରିଥିଲେ। ତାଙ୍କୁ ଗିରଫ କରାଯାଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ। ଜଷ୍ଟିସ ସୌଗତ ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆବେଦନକୁ ଗ୍ରହଣ କରି ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ଟିଏମସି ନେତା ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗରେ ମାମଲା ଦାଏର କରାଯାଇଛି। ସମସ୍ତ ମାମଲାର ବିବରଣୀ ପ୍ରଦାନ କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ।

ଏହା ସହ ପଢନ୍ତୁ: କୁଆଡ଼େ ଗଲେ 'ପୁଷ୍ପା'? ଯାହାଙ୍କୁ ସିଂଘମ୍ ଙ୍କ ପରେ ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀ

ରାଜନୈତିକ କାହାଣୀ ପାଲଟିଛି ଆତ୍ମସମର୍ପଣ
ଫାଲଟା ଆସନରେ ପୁନର୍ବାର ମତଦାନ ହେବା ପୂର୍ବରୁ ଏବେ ଟିଏମସି ପ୍ରାର୍ଥୀ ନିର୍ବାଚନରୁ ଓହରି ଯାଉଥିବା ନେଇ ଘୋଷଣା କରିବା ପରେ, ବିରୋଧି ଏହାକୁ ରାଜନୈତିକ ଆତ୍ମସମର୍ପଣ ଏବଂ "ଡାଇମଣ୍ଡ ହାର୍ବର ମଡେଲ" ପରାଜୟ ଭାବରେ ଚିତ୍ରଣ କରୁଛନ୍ତି। ବର୍ତ୍ତମାନ ଫଲଟା ଆସନ ନିଶ୍ଚିତ ଭାବରେ ରାଜ୍ୟ ରାଜନୀତିକୁ ଏକ ନୂତନ ବାର୍ତ୍ତା ଦେଇଛି ଯେ "ପୁଷ୍ପା ଏବେ ଆତ୍ମସମର୍ପଣ କରିଛି।"



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pushpa Surrenders After Turning From Flower to Fire: Why Is Jehangir Scared? | Argus News