Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଇସ୍ତଫା ଦେଉନାହାଁନ୍ତି ମମତା; ଆଗାମୀ ୨ ଦିନ ପାଇଁ କିଏ ସମ୍ଭାଳିବେ ବଙ୍ଗ?

Politics

Bengal Constitutional Crisis / ଇସ୍ତଫା ଦେଉନାହାଁନ୍ତି ମମତା; ଆଗାମୀ ୨ ଦିନ ପାଇଁ କିଏ ସମ୍ଭାଳିବେ ବଙ୍ଗ?

Subhramjit Ray
Browse all articles by Subhramjit Ray
·1 hour ago·4 min read
ଇସ୍ତଫା ଦେଉନାହାଁନ୍ତି ମମତା; ଆଗାମୀ ୨ ଦିନ ପାଇଁ କିଏ ସମ୍ଭାଳିବେ ବଙ୍ଗ?
Bengal Constitutional Crisis

Key Points

ବିଧାନସଭା ନିର୍ବାଚନରେ ​​ହାରିବା ପରେ ମମତା ବାନାର୍ଜୀ ବାରମ୍ବାର କହୁଛନ୍ତି ଯେ ସେ ଇସ୍ତଫା ଦେବେ ନାହିଁ। ପଶ୍ଚିମବଙ୍ଗ ବିଧାନସଭାର କାର୍ଯ୍ୟକାଳ ଗୁରୁବାର (ମେ ୭) ରାତି ୧୨ଟାରେ ଶେଷ ହେଉଛି।
Bengal Political Crisis: ନିକଟରେ ସମ୍ପନ୍ନ ହୋଇସାରିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଆଗାମୀ କିଛି ଘଣ୍ଟା ମଧ୍ୟରେ ରାଜ୍ୟ କଥିତ ରୂପରେ ଏକ ବଡ଼ ସାମ୍ବିଧାନିକ ସଙ୍କଟ ଆଡକୁ ଗତି କରୁଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନରେ ​​ହାରିବା ସତ୍ତ୍ୱେ ଦୁଇ ଦୁଇ ଥର ଇସ୍ତଫା ଦେବାକୁ ମନା କରିସାରିଛନ୍ତି। ବର୍ତ୍ତମାନର ପଶ୍ଚିମବଙ୍ଗ ବିଧାନସଭାର କାର୍ଯ୍ୟକାଳ ଗୁରୁବାର (ମେ ୭) ଶେଷ ହେଉଛି। ଯଦି ମମତା ବାନାର୍ଜୀ ଆଜି ରାତି ସୁଦ୍ଧା (୧୨:୦୦) ସୁଦ୍ଧା ଇସ୍ତଫା ନ ଦିଅନ୍ତି, ତାହେଲେ ମେ ୮ ତାରିଖ ମଧ୍ୟ ରାତ୍ରୀରୁ ରାଜ୍ୟରେ ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ କିଏ ପଶ୍ଚିମବଙ୍ଗର ଶାସନ ଦାୟିତ୍ୱରେ ରହିବେ? ରାଜ୍ୟର ପ୍ରଶାସନିକ କଳକୁ କିଏ ପରିଚାଳନା କରିବେ?

ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛନ୍ତି। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ ନୂତନ ଦଳୀୟ ସରକାରଙ୍କ ଶପଥ ଗ୍ରହଣ ମେ ୯ ତାରିଖ ଶନିବାର ଅନୁଷ୍ଠିତ ହେବ। ନୂତନ ସରକାର କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ରାଜ୍ୟର ପରିସ୍ଥିତି କ'ଣ ହେବ? ମେ ୮-୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସାମ୍ବିଧାନିକ ସ୍ଥିତି କ'ଣ ହେବ? ପଶ୍ଚିମବଙ୍ଗ ରାଜନୀତିରେ ଏହା ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଭାବେ ଉଭା ହୋଇଛି?

ଭାରତୀୟ ସମ୍ବିଧାନର ଧାରା ୧୭୨ ଅନୁଯାୟୀ ରାଜ୍ୟ ବିଧାନସଭା ପାଇଁ ୫ ବର୍ଷର ସାଧାରଣ କାର୍ଯ୍ୟକାଳ ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକାଳ ଏହାର ପ୍ରଥମ ବୈଠକ ତାରିଖରୁ ଆରମ୍ଭ ହୋଇଥାଏ। ୫ ବର୍ଷ ପୂରଣ ହେବା ପରେ ବିଧାନସଭା ସ୍ୱୟଂଚାଳିତ ଭାବରେ ଭଙ୍ଗ ହୋଇଯାଏ। ଏଥିପାଇଁ କୌଣସି ଆଇନଗତ ନିର୍ଦ୍ଦେଶର ଆବଶ୍ୟକତା ପଡ଼େ ନାହିଁ। ଏହି ପରିପ୍ରେକ୍ଷୀରେ, ଗୁରୁବାର (ମେ ୭) ରାତି ବାରଟା ସୁଦ୍ଧା ପୁରୁଣା ସପ୍ତଦଶ ବିଧାନସଭା (2021-2617th West Bengal Assembly) ସ୍ୱୟଂଚାଳିତ ଭାବରେ ଭଙ୍ଗ ହୋଇଯିବ। ଏହା ପରେ ବିଦାୟୀ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବିଧାୟକଙ୍କ ପଦ ପଦବୀ ଏବଂ ସେମାନଙ୍କର ସାମ୍ବାଧାନିକ ସହ ଆଇନଗତ ଅଧିକାର ସମାପ୍ତ ହୋଇଯିବ। 

ଏହା ସହ ପଢନ୍ତୁ: ଭାରୀ ପଡ଼ିଲା ସରକାର ବିରୋଧି ହାୱା; ଚିତପଟାଙ୍ଗ ମାରିଲେ ୨୨ ମନ୍ତ୍ରୀ

ଏବେ କ'ଣ କରିବେ ରାଜ୍ୟପାଳ ଆର.ଏନ. ରବି?
ସମ୍ବିଧାନର ଧାରା ୧୬୪ ଆଧାରରେ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ କେବଳ ରାଜ୍ୟପାଳଙ୍କ ଇଚ୍ଛା ଅନୁଯାୟୀ ପଦବୀରେ ରହିପାରିବେ। ଯଦି କୌଣସି ମୁଖ୍ୟମନ୍ତ୍ରୀ ନିର୍ବାଚନରେ ​​ହାରିବା ପରେ ବହୁମତ ହରାଇଥାନ୍ତି, ତାହେଲେ ରାଜ୍ୟପାଳ ସେମାନଙ୍କୁ ବରଖାସ୍ତ କରିପାରିବେ ଏବଂ ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିପାରିବେ। ଯଦି କ୍ଷମତା ହରାଇଥିବା ମୁଖ୍ୟମନ୍ତ୍ରୀ ଇସ୍ତଫା ନ ଦିଅନ୍ତି, ତାହେଲେ ରାଜ୍ୟପାଳଙ୍କ ମନ୍ତ୍ରୀ ପରିଷଦକୁ ବରଖାସ୍ତ କରିବାର ଅଧିକାର ଅଛି।

ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କିଶନ କୌଲ। ଏନେଇ ପ୍ରତିକ୍ରିୟା ରଖି ଜଷ୍ଟିସ କୌଲ କହିଛନ୍ତି ଯେ, ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜାୀ ବିଧାନସଭା ନିର୍ବାଚନରେ ହାରିବା ପରେ ଇସ୍ତଫା ଦେଇନାହାଁନ୍ତି, ତାଙ୍କ କାର୍ଯ୍ୟକାଳ ମେ ୭ ତାରିଖ ଗୁରବାର ସ୍ୱତଃପ୍ରବୃତ୍ତ ଭାବରେ ଶେଷ ହୋଇଯିବ। ରାଜ୍ୟପାଳଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଯେ ସେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପର୍ଯ୍ୟନ୍ତ ମମତା ବାନାର୍ଜୀଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ କହିବାର ପରମ୍ପରାକୁ ଅନୁସରଣ କରିବେ କି ନାହିଁ। ରାଜ୍ୟପାଳ ଆସନ୍ତା ୯ ତାରିଖରେ ନୂତନ ସରକାର ଶପଥ ଗ୍ରହଣ କରିବା ପର୍ଯ୍ୟନ୍ତ ଗୋଟିଏ ଦିନର ବ୍ୟବସ୍ଥା କରିପାରନ୍ତି। ଏହା ଏକ ଅଭୂତପୂର୍ବ ପରିସ୍ଥିତି। ଏହା ପୂର୍ବରୁ କେବେ ଘଟିନାହିଁ। ହେଲେ ତଥାପି ବିଭିନ୍ନ ରିପୋର୍ଟ କହୁଛି ଯେ ସ୍ଥିତାବସ୍ଥା ବଜାୟ ରହିବ। ନିର୍ବାଚନ ଆୟୋଗ କେନ୍ଦ୍ରୀୟ ବାହିନୀ ନିୟୋଜିତ କରିଛନ୍ତି। ଅନ୍ୟପଟେ ରାଜ୍ୟପାଳ କୌଣସି ସରକାରୀ ଫାଇଲ୍ ଆଗକୁ ନ ବଢ଼ାଇବା ପାଇଁ ନିର୍ଦ୍ଦେଶ ଜାରି କରି ସାରିଛନ୍ତି।

ରାଜ୍ୟପାଳଙ୍କ ପାଖରେ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା କରିବାର କ୍ଷମତା ଅଛି। ବର୍ତ୍ତମାନ ରାଜ୍ୟପାଳ ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପର୍ଯ୍ୟନ୍ତ ବିଦାୟୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟବାହକ ସରକାରର ମୁଖ୍ୟ ଭାବେ କାର୍ଯ୍ୟ କରିବାକୁ କହିପାରନ୍ତି। ନିର୍ବାଚନ ଆୟୋଙ୍କ କହିବା ଅନୁଯାୟୀ, ପଶ୍ଚିମବଙ୍ଗର ବିଦାୟୀ ସପ୍ତଦଶ ବିଧାନସଭାର କାର୍ଯ୍ୟକାଳ ୨୦୨୧ ମେ ୮ ତାରିଖରୁ ଆରମ୍ଭ ହୋଇଥିଲା। ଯାହା ଏବେ ମେ ୭ ତାରିଖରେ ଶେଷ ହେଉଛି। ଏହା ପରେ ରାଜ୍ୟପାଳଙ୍କୁ ଏକ ନୂତନ ବିଧାନସଭା ଗଠନ ପ୍ରକ୍ରିୟା ଆରମ୍ଭ କରିବାକୁ ପଡିବ। ଯାହାର ଅର୍ଥ ହେଉଛି ନୂତନ ବିଧାୟକଙ୍କୁ ଶପଥ ଗ୍ରହଣ କରାଇବାକୁ ହେବ ଏବଂ ଏକ ନୂତନ ସରକାର ନିର୍ବାଚିତ କରିବାକୁ ପଡି଼ବ। ଯଦି ମମତା ବାନାର୍ଜୀ ତାଙ୍କ ନିଷ୍ପତ୍ତିରେ ଅଟଳ ରୁହନ୍ତି ତାହେଲେ ଏହା ଦ୍ୱାରା ରାଜ୍ୟରେ ଏକ ରାଜନୈତିକ ଅଚଳାବସ୍ଥା ସୃଷ୍ଟି ହେବ।

ଏହା ସହ ପଢନ୍ତୁ: ନିର୍ବାଚନ ହାରିବା ପରେ ଗାଦି ନଛାଡ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ ବହିଷ୍କାର କରିପାରିବେ କି ରାଜ୍ୟପାଳ?

ମୁଁ ଇସ୍ତଫା ଦେବି ନାହିଁ: ମମତା ବାନାର୍ଜୀ
୨୦୨୬ ବିଧାନସଭା ନିର୍ବାଚନରେ ହାରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ କହିଥିଲେ ଯେ ସେ ଇସ୍ତଫା ଦେବେ ନାହିଁ। ସେ କହିଥିଲେ, ମୁଁ ଇସ୍ତଫା ଦେବି ନାହିଁ, ଏହାର କୌଣସି ପ୍ରଶ୍ନ ଉଠୁନାହିଁ, ମୁଁ ହାରିନାହିଁ, ମୁଁ ରାଜଭବନ ଯିବି ନାହିଁ।" ଆମେ ନିର୍ବାଚନ ହାରିନାହୁଁ, ଆମେ ପରାଜିତ ହୋଇଛୁ। ସେମାନେ ନିର୍ବାଚନ କମିଶନ ମାଧ୍ୟମରେ ଆମକୁ ପରାସ୍ତ କରିପାରିବେ। ହେଲେ ନୈତିକ ଭାବରେ ଆମେ ନିର୍ବାଚନ ଜିତିଛୁ। ଗତକାଲି (ମେ ୬) ଅନୁଷ୍ଠିତ ହୋଇଥିବା ନବନିର୍ବାଚିତ ଟିଏମସି ବିଧାୟକଙ୍କ ବୈଠକରେ ମମତା ବାନାର୍ଜୀ ପୁଣି ଥରେ ଇସ୍ତଫା ଉପରେ ତାଙ୍କର ମତ ଦୋହରାଛନ୍ତି। ସେ କହିଥିଲେ ଯେ ମୁଁ ଇସ୍ତଫା ଦେବି ନାହିଁ। ଯଦିଓ ସେମାନେ ମୋତେ ବରଖାସ୍ତ କରନ୍ତି ଏହା ଏକ କଳା ଦିନ ହେବ।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bengal Crisis: Who Will Rule if Mamata Refuses to Resign Today? | Argus News