Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Pakistan U Turn / ଡବଲ୍‌ ଗେମ୍‌ ଖେଳିଲା ପାକିସ୍ତାନ, ବାଂଲାଦେଶକୁ ବୟକଟ୍‌ ପାଇଁ ଉସକାଇଲା...ତା'ପରେ ନିଜେ ପଛକୁ ଫେରିଲା

Santosh Kumar Sahoo
Browse all articles by Santosh Kumar Sahoo
·5 months ago·4 min read
ଡବଲ୍‌ ଗେମ୍‌ ଖେଳିଲା ପାକିସ୍ତାନ, ବାଂଲାଦେଶକୁ ବୟକଟ୍‌ ପାଇଁ ଉସକାଇଲା...ତା'ପରେ ନିଜେ ପଛକୁ ଫେରିଲା
Pakistan Conspiracy

Key Points

ଭାରତକୁ ଫସାଇବା ଚାଲ ବିଫଳ
ICC ଆଗରେ ହାରିଲା ପାକିସ୍ତାନ
ବୟକଟ୍‌ ଧମକ ଦେଇ ଶେଷରେ ମ୍ୟାଚ୍‌ ଖେଳିବାକୁ ବାଧ୍ୟ ହେଲା ପାକିସ୍ତାନ
କ୍ରିକେଟ୍ ନ୍ୟୁଜ୍: ପାକିସ୍ତାନ ଜାଲରେ ଫଶିଗଲା ବାଂଲାଦେଶ । ଆଇସିସି ବିରୋଧରେ ପଡ଼ୋଶୀ ଦେଶକୁ ଉସକାଇଲା, ଆଉ ଶେଷରେ ପାକିସ୍ତାନ ହାତ ଛାଡ଼ିଦେଲା । ଫେବ୍ରୁଆରୀ ୭ରୁ ଆରମ୍ଭ ହୋଇଛି ଟି-୨୦ ବିଶ୍ବକପ୍ । ଚଳିତ ଥର ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରୁଛି । କିନ୍ତୁ ଏହି ବିଶ୍ବକପ୍‌ରେ ଖେଳଠୁ ଅଧିକ ବିବାଦ ଦେଖିବାକୁ ମିଳିଛି । ପ୍ରଥମେ ବାଂଲାଦେଶ ଆଉ ପରେ ପାକିସ୍ତାନ ଏହି ବିବାଦର ମଞ୍ଜି ପକାଇଥିଲା । ଟି-୨୦ ବିଶ୍ବକପ୍ ପୂର୍ବରୁ ପୂର୍ବରୁ ବାଂଲାଦେଶ ଏବଂ ଆଇସିସି ମଧ୍ୟରେ ପ୍ରାୟ ୩ ସପ୍ତାହ ଧରି ଉତ୍ତେଜନା ଲାଗି ରହିଥିଲା । ଶେଷରେ ଆଇସିସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଂଲାଦେଶକୁ ବହିଷ୍କାର କରିଥିଲା, ଯାହା ଫଳରେ ସ୍କଟଲାଣ୍ଡକୁ ବିଶ୍ୱକପରେ ଖେଳିବାର ସୁଯୋଗ ମିଳିଛି ।

କିନ୍ତୁ ଏହି ସମ୍ପୂର୍ଣ୍ଣ ଘଟଣାକୁ ଭଲ ଭାବରେ ଦେଖିଲେ ପାକିସ୍ତାନର ଏକ ଷଡ଼ଯନ୍ତ୍ର ସାମ୍ନାକୁ ଆସୁଛି । ପାକିସ୍ତାନ ଏକମାତ୍ର ଦେଶ ଥିଲା ଯିଏ ବାଂଲାଦେଶକୁ ଆଇସିସି ବିରୋଧରେ ଯିବା ପାଇଁ ଉସୁକାଇଥିଲା ଏବଂ ସେମାନଙ୍କୁ ଆଇସିସି ବିରୁଦ୍ଧରେ ଠିଆ କରିଥିଲା । ପାକିସ୍ତାନ ଅଯଥାରେ ଏହି ପ୍ରସଙ୍ଗକୁ ବଢ଼ାଇ ଦେଇଥିଲା ।
ବିଶ୍ବକପ୍ ବିବାଦ BCCI ଦ୍ବାରା IPL ଦଳ କେକେଆରରୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ରିଲିଜ୍‌ କରିବା ନିଷ୍ପତ୍ତି ପରେ ଆରମ୍ଭ ହୋଇଥିଲା । ଏହା ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ICCକୁ ଏକ ଚିଠି ଲେଖି ଭାରତ ବଦଳରେ ସେମାନଙ୍କର ବିଶ୍ବକପ୍ ମ୍ୟାଚ୍ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲା ।

ବାଂଲାଦେଶର ଏହି ପଦକ୍ଷେପ ପରେ ଏହି ବିବାଦ ଭିତରକୁ ପଶିଥିଲା ପାକିସ୍ତାନ । ବିବାଦକୁ ସମ୍ପୂର୍ଣ୍ଣ ନ ବୁଝି ପାକିସ୍ତାନ ବାଂଲାଦେଶକୁ ସମର୍ଥନ କରିଥିଲା ଏବଂ ଏହାକୁ ଉସୁକାଇବା ଆରମ୍ଭ କରିଥିଲା । ପାକିସ୍ତାନ କହିଥିଲା ଯେ ସେ ନିଜ ଦେଶରେ ବାଂଲାଦେଶର ଗ୍ରୁପ୍ ମ୍ୟାଚ୍ ଆୟୋଜନ କରିବାକୁ ଇଚ୍ଛୁକ । ଏହାସହ ବାଂଲାଦେଶର ଦାବିକୁ କର୍ଣ୍ଣପାତ କରିବାକୁ ICCକୁ ମଧ୍ୟ ନିବେଦନ କରିଥିଲା ।

କେବଳ ଏତିକି ନୁହେଁ ବାଂଲାଦେଶ ପ୍ରତି ସହାନୁଭୂତି ପ୍ରକାଶ କରିବା ପାଇଁ ପାକିସ୍ତାନ ମୁସ୍ତାଫିଜୁର ରହମାନଙ୍କୁ PSLରେ ଖେଳିବାକୁ ଅନୁମତି ଦେଇଥିଲା । ଏହା ପରେ ପାକିସ୍ତାନ ICC ଏବଂ BCCI ବିରୁଦ୍ଧରେ ନିଜର ବୟାନବାଜିକୁ ତୀବ୍ର କରିଥିଲା । PCB ଅଧ୍ୟକ୍ଷ ମୋହସିନ ନକଭି ମଧ୍ୟ ବିବାଦରେ ଡେଇଁ ପଡ଼ିଥିଲେ ।

ପାକିସ୍ତାନର ଷଡ଼ଯନ୍ତ୍ରକୁ ବୁଝି ନପାରି ବାଂଲାଦେଶ ଏହାର ଫାଶରେ ପଡ଼ିଗଲା। ପାକିସ୍ତାନ ବାରମ୍ବାର ଦୋହରାଇଲା ଯେ ସେ ନିଜ ଦେଶରେ ମ୍ୟାଚ୍ ଆୟୋଜନ କରିବାକୁ ଇଚ୍ଛୁକ ଏବଂ ବାଂଲାଦେଶ ସହିତ ଦୃଢ଼ ଭାବରେ ଠିଆ ହୋଇଛି । ଏହି ସମୟରେ, ବାଂଲାଦେଶ ଖୋଲାଖୋଲି ଭାବରେ ICକୁ ଅବମାନନା କରିଥିଲା ଏବଂ ଏହାର ଦାବିକୁ ମାନିବାକୁ ମନା କରିଥିଲା ।

ପଢ଼ନ୍ତୁ ଏହି ଖବର: ଟି-୨୦ ବିଶ୍ଵକପ୍ ୨୦୨୬; ଖେଳାଳିଙ୍କୁ ପରିବାରଠୁ ଦୂରେଇଲା BCCI

ଏହି ବିବାଦ ବୃଦ୍ଧି ପାଉଥିବା ଦେଖି ICC ଏକ ଚୂଡ଼ାନ୍ତ ବୈଠକ ଡାକିଥିଲା । ଏହି ବୈଠକ ପୂର୍ବରୁ ICC ବାଂଲାଦେଶକୁ ସ୍ପଷ୍ଟ ଭାବରେ କହିଥିଲା ଯେ ସୁରକ୍ଷାକୁ ନେଇ କୌଣସି ବିପଦ ନାହିଁ । ତେଣୁ ବାଂଲାଦେଶକୁ ଭାରତରେ ମ୍ୟାଚ୍ ଖେଳିବାକୁ ପଡିବ ।

କିନ୍ତୁ ଯେତେବେଳେ ବୈଠକ ହୋଇଥିଲା କେବଳ ପାକିସ୍ତାନ ବାଂଲାଦେଶକୁ ସମର୍ଥନ କରିଥିଲା । ବାକି ୧୪ ଭୋଟ ICCର ନିଷ୍ପତ୍ତି ସପକ୍ଷରେ ପଡ଼ିଥିଲା । ଏହା ନିଶ୍ଚିତ କରିଥିଲା ଯେ ବାଂଲାଦେଶ ଆଉ ବିଶ୍ବକପର ଅଂଶ ରହିବ ନାହିଁ ଏବଂ ସ୍କଟଲାଣ୍ଡକୁ ସୁଯୋଗ ଦିଆଯିବ ।

ବାଂଲାଦେଶ ICC ଠାରୁ ଝଟକା ପାଇବା ପରେ ପାକିସ୍ତାନ ମଧ୍ୟ ICC ଉପରେ କଟାକ୍ଷ କରିଥିଲା । ଏହାସହ ବିଶ୍ବକପ୍ ବର୍ଜନ କରିବାକୁ ମଧ୍ୟ ଧମକ ଦେଇଥିଲା । କିନ୍ତୁ ICC ନିଜ ମତରେ ଅଟଳ ରହିଥିଲା । ICC ସ୍ପଷ୍ଟ ଭାବରେ କହିଥିଲା ଯେ ଯଦି ପାକିସ୍ତାନ ବିଶ୍ବକପ୍ ବର୍ଜନ କରିବାକୁ ସାହସ କରେ, ତେବେ ତା' ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ICC କହିଥିଲା ଯେ ପାକିସ୍ତାନ ଏହାର ଦ୍ବିପାକ୍ଷିତ ସିରିଜ୍‌ ଏବଂ PSL ବିରୋଧରେ କାର୍ଯ୍ୟାନୁଷ୍ଠାନ ସମେତ ଅନେକ ଦଣ୍ଡବିଧାନର ସମ୍ମୁଖୀନ ହେବ । ପାକିସ୍ତାନ ମଧ୍ୟ ଆର୍ଥିକ କ୍ଷତି ସହିବ । ICCର ଚରମବାଣୀର କିଛି ଘଣ୍ଟା ମଧ୍ୟରେ ବର୍ଜନ ଧମକ ଦେଉଥିବା ପାକିସ୍ତାନ ଶେଷରେ ବିଶ୍ବକପ୍ ପାଇଁ ତା'ର ଦଳ ଘୋଷଣା କରିଥିଲା । କିନ୍ତୁ ଏତିକିରେ ପାକିସ୍ତାନର ମନ ଭରିନଥିଲା । ବିଶ୍ବସ୍ତରରେ ଆହୁରି ବେଜ୍ଜିତ ହେବାକୁ ଚାହୁଁଥିଲା ପାକିସ୍ତାନ । ଆଉ ଏତେ ସବୁ ପରେ ପାକିସ୍ତାନ ଶେଷରେ କହିଥିଲା ବିଶ୍ବକପ୍ ଖେଳିବ କିନ୍ତୁ ଫେବ୍ରୁଆର ୧୫ରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଖେଳିବନି। ଏମିତିକି ପାକ୍‌ ପ୍ରଧାନମନ୍ତ୍ରୀ ମଧ୍ୟ ଏନେଇ ସୋସିଆଲ ମିଡିଆରେ କହିଥିଲେ । ବାଂଲାଦେଶ ସହ ଠିଆ ହୋଇ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ କହିଥିଲେ । ଆଉ ଏହା ପରେ ଆଇସିସି ପୁଣି ଥରେ ପାକିସ୍ତାନକୁ ଚେତବାନୀ ଦେଇଥିଲା । ଯଦି ଭାରତ ବିପକ୍ଷ ମ୍ୟାଚ୍‌ ନ ଖେଳେ ତେବେ ତାଙ୍କୁ ଆଇସିସି ତରଫରୁ ଦିଆଯାଉଥିବା ମୋଟା ଅଙ୍କର ଟଙ୍କା ଆଉ ମିଳିବନି । ଏଥିସହ ବ୍ରଡକାଷ୍ଟର ପିସିବି ବିରୋଧରେ କୋର୍ଟକୁ ଯିବାକୁ ମଧ୍ୟ କହିଥିଲେ । ଆଉ ଶେଷରେ ପାକିସ୍ତାନ ଆଇସିସି ସାମ୍ନାରେ ମୁଣ୍ଡ ନୁଆଁଇଥିଲା । ଆଉ ଭାରତ ସହ ଫେବ୍ରୁଆରୀ ୧୫ରେ କଲମ୍ବୋରେ ହେବାକୁ ଥିବା ମ୍ୟାଚ୍‌ ଖେଳିବାକୁ ରାଜି ହୋଇଥିଲା ।

ପଢ଼ନ୍ତୁ ଏହି ଖବର: ICCର ଅଲ୍ଟିମେଟମ୍ ପରେ ନଇଁଲା ପାକିସ୍ତାନ, ଭାରତ ସହ ଖେଳିବ ଟି-ଟ୍ଵେଣ୍ଟି ବିଶ୍ଵକପ୍

ବିଶ୍ବକପ୍ ବର୍ଜନ ଏବଂ ICC ଉପରେ ଚାପ ସୃଷ୍ଟି କରିବାରେ ବାଂଲାଦେଶ ସହିତ ରହିବ ବୋଲି ଆଶ୍ବାସନା ଦେଇଥିବା ପାକିସ୍ତାନ ଶେଷରେ ଅକଳରେ ପଡ଼ିଥିଲା । ଆଉ ଶେଷରେ ସେ ବାଂଲାଦେଶର ହାତ ଛାଡ଼ି ଦେଇଥିଲା । ଏହି ବିବାଦରେ ପାକିସ୍ତାନ ଭାରତର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ଏବଂ ନିଜର ଲାଭ ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲା । କିନ୍ତୁ ICC ଏହାକୁ ବିଫଳ କରିଥିଲା । ଶେଷରେ ପାକିସ୍ତାନର ପଦକ୍ଷେପ କେବଳ ବାଂଲାଦେଶକୁ କ୍ଷତି ପହଞ୍ଚାଇଥିଲା, ବାଂଲାଦେଶ ଖେଳାଳିଙ୍କ ବିଶ୍ବକପ୍‌ ଖେଳିବା ସ୍ବପ୍ନ ଭାଙ୍ଗି ଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pakistan’s Double Game Exposed in T20 World Cup Boycott Controversy | Argus News