|
logo
Live
Argus News App
GET APP

Argus News - ଜାରି ରହିଛି ମଧ୍ୟ ପ୍ରାଚ୍ୟ ସଂକଟ; ଆହୁରି ଆକାଶଛୁଆଁ ହୋଇପାରେ ତୈଳ ଦର

International

Global Oil Price Hike / ଜାରି ରହିଛି ମଧ୍ୟ ପ୍ରାଚ୍ୟ ସଂକଟ; ଆହୁରି ଆକାଶଛୁଆଁ ହୋଇପାରେ ତୈଳ ଦର

Subhramjit ray
Browse all articles by Subhramjit ray
·3 weeks ago·5 min read
ଜାରି ରହିଛି ମଧ୍ୟ ପ୍ରାଚ୍ୟ ସଂକଟ; ଆହୁରି ଆକାଶଛୁଆଁ ହୋଇପାରେ ତୈଳ ଦର
Global Oil Price Hike

Key Points

ମଧ୍ୟ ପ୍ରାଚ୍ୟ ସଂକଟକ କାରଣରୁ ବୈଶ୍ୱିକ ବଜରରେ ତୈଳ ଦର ଆକାଶଛୁଆଁ ହେବାରେ ଲାଗିଛି। 
middle east crisis will further increase oil price: ମଧ୍ୟ ପ୍ରାଚ୍ୟରେ ଜାରି ରହିଥିବା ସଂକଟ କାରଣରୁ ବୈଶ୍ୱିକ ତୈଳ ବଜାରରେ ଦର ଆକାଶଛୁଆଁ ହେବାରେ ଲାଗିଛି। କାରଣ ପ୍ରାୟ ୬ ଦିନ ପୂର୍ବେ ସାଉଦି ଆରବର ଆରାମକୋ (Aramco) ସ୍ଥିତ ରାସ୍ ତାସୁରା (Ras Tanura) ଏବଂ ବାହାରୀନ୍ ସ୍ଥିତ ବାପକୋ (BAPCO) ତୈଳ ବିଶୋଧନାଗାର ଉପରେ ଇରାନ୍ ପକ୍ଷରୁ ହୋଇଥିବା ଆକ୍ରମଣ ତୈଳ ଦରରେ ନିଆଁ ଲଗାଇ ଦେଇଛି। ଏହା ପୂର୍ବରୁ ନୈସେନା ଦ୍ୱାର ହର୍ମୁଜ ପ୍ରଣାଳୀ ବନ୍ଦ କରାଯିବା ପୂର୍ବରୁ ବୈଶ୍ୱିକ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା।

ତୈଳ ଦର ବୃଦ୍ଧି ପାଇବା ପଛରେ ଏକ ପ୍ରମୁଖ କାରଣ ହେଉଛି ଯୁଦ୍ଧ। ଯେତେବେଳେ ବିଶ୍ୱର କୌଣସି ସ୍ଥାନରେ ଯୁଦ୍ଧ ହୋଇଛି ତାହାର ସିଧାସଳଖ ପ୍ରଭାବ ଅଶୋଧିତ ତୈଳ ଦର ଉପରେ ପଡ଼ିଛି। ଯଦି ବିଗତ ୫୦ ବର୍ଷର ଇତିହାସକୁ ଦେଖାଯାଏ ତାହେଲେ ବିଶ୍ୱର କୋଣ ଅନୁକୋଣରେ ହୋଇଥିବା ଯୁଦ୍ଧ ଅଶୋଧିତ ତୈଳ ଦରରେ ନିଆଁ ଲଗାଇଛି। ଏବେ ପୁଣି ସମାନ ପରିସ୍ଥିତି ଉପୁଜିଛି। ଆମେରିକା-ଇସ୍ରାଏଲ ସହ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ କାରଣରୁ ସୋମବାର (୯ ମାର୍ଟ୍ଟ) କିଛି ଘଣ୍ଟା ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। କେବଳ ବିଗତ ଦୁଇ ସପ୍ତାହ ମଧ୍ୟରେ ଅଶୋଧିତ ତୈଳ ଦରରେ ପ୍ରାୟ ୫୦% ବୃଦ୍ଧି ହୋଇଛି।

ବିଗତ ୫୦ ବର୍ଷ ମଧ୍ୟରେ ବିଶ୍ୱରେ ଏପରି କିଛି ଯୁଦ୍ଧ ହୋଇଛି ଯାହାର ଫଳ ସ୍ୱରୂପ ତୈଳ ଦର ଆକାଶ ଛୁଆଁ ହୋଇଥିଲା। ଏବେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବ ପଛରେ ରହିଥିବା ଏକ ପ୍ରମୁଖ ମଧ୍ୟ ପ୍ରାଚ୍ୟ ସଂକଟ। ଏହା ପୂର୍ବରୁ ଗତ ୨୦୨୨ରେ ଆରମ୍ଭ ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ତୈଳ ଦର ବୃଦ୍ଧି ପାଇଥିଲା। ଅନ୍ୟପଟେ ବିଦାୟୀ ଭେନୁଜଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ କ୍ଷମତାରୁ ହଟାଇବା ଆମେରିକା ପକ୍ଷରୁ ହୋଇଥିବା ସାମରିକ ଅଭିଯାନ ତୈଳ ଦରକୁ ପ୍ରଭାବିତ କରିଥିଲା। ଏହି ଘଟଣା ପୂର୍ବରୁ ଏପରିକି କିଛି ଯୁଦ୍ଧ ହୋଇଛି ଯେବେ ତୈଳ ଦର ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲା।

ଏଥିସହ ପଢ଼ନ୍ତୁ: ଯୁଦ୍ଧର ପ୍ରଭାବ ଏବେ ରୋଷେଇ ଘରେ: ମହଙ୍ଗା ଖାଇବା ତେଲ, ଜାଣନ୍ତୁ କେତେ ବଢ଼ିଲା...

ୟମ୍ କିପୁର ଯୁଦ୍ଧ ୧୯୭୩ (Yom Kippur War 1973)
ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ବୈଶ୍ୱିକ ତୈଳ ଦର ସେତେବେଳେ ଆକାଶଛୁଆଁ ହୋଇଥିଲା ଯେତେବେଳେ ଇସ୍ରାଏଲ ଏବଂ ଆରବ ଦେଶଙ୍କ ମଧ୍ୟରେ ୟମ୍ କିପୁର ଯୁଦ୍ଧ ହୋଇଥିଲା। ୧୯୭୩ ମସିହାରେ ହୋଇଥିବା ଏହି ଯୁଦ୍ଧ କାରଣରୁ ତୈଳ ଦର ଅଚାନକ ବୃଦ୍ଧି ପାଇଥିଲା। ସେତେବେଳେ ଆରବ ଦେଶ ଇସ୍ରାଏଲକୁ ଯୁଦ୍ଧରେ ସାଥ୍ ଦେଇଥିବା ଦେଶଙ୍କୁ ତୈଳ ରପ୍ତାନୀ ବନ୍ଦ କରି ଦେଇଥିଲେ। ଯାହାର ଫଳ ସ୍ୱରୂପ ତୈଳ ଦର ୩ ଡଲାରରୁ ବୃଦ୍ଧି ପାଇ ୧୨ ଡଲାର ହୋଇଥିଲା। ସେତେବେଳେ ତୈଳ ଦର ଗୋଟିଏ ଥରରେ ୩୦୦% ବୃଦ୍ଧି ପାଇଥିଲା।

ଇରାନ କ୍ରାନ୍ତି ୧୯୭୮-୮୦ (Iran Revolution 1978-80)
ଗତ ୧୯୭୮-୮୦ ମସିହାରେ ଇରାନରେ ଦେଖିବାକୁ ମିଳିଥିବା ଏକ ଗୁରୁତର ରାଜନୈତିକ ସଂକଟ। ସେତେବେଳର ଇରାନର ଶାସକ ରାଜା ଶାହ ପହେଲଭିଙ୍କ ଶାସନ ବିରୋଧରେ ଦେଶର ସର୍ବୋଚ୍ଚ ଧର୍ମଗୁରୁ ଅୟୋତୁଲ୍ଲା ରୋହଲ୍ଲା ଖୋମେନେଇଙ୍କ ନେତୃତ୍ୱରେ ହୋଇଥିଲା ଆନ୍ଦୋଳନ। ଏହି ଆନ୍ଦୋଳନ କାରଣରୁ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ତୈଳ ଦରକୁ ଆକାଶଛୁଆଁ କରିଥିଲା। ସେତେବେଳେ ତେଲ ଦର ୧୪ ଡଲାରରୁ ବୃଦ୍ଧି ପାଇ ୩୯ ଡଲାର ହୋଇଥିଲା। ସେତବେଳର ସମୟରେ ଅର୍ଥାତ ୭୦ ଦଶକରେ ତୈଳ ଦରରେ ୧୭୯% ବୃଦ୍ଧି ହୋଇଥିଲା।

ଇରାକ-ଇରାନ ଯୁଦ୍ଧ ୧୯୮୦-୮୮ (Iraq-Iran War 1980-88)
୧୯୮୦ ମସିହାରେ ସିଆ ମୁସଲିମ୍ ବହୁଳ ଇରାନରେ ଦେଶର ସର୍ବୋଚ୍ଚ ଧର୍ମଗୁରୁ ଅୟୋତୁଲ୍ଲା ରୋହଲ୍ଲା ଖୋମେନେଇଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ଏକ ସରକାର। ଯାହାକୁ ପସନ୍ଦ କରୁନଥିଲେ ପଡୋଶୀ ସୁନ୍ନୀ ମୁସଲିମ୍ ବହୁଳ ଦେଶ। ସିଆ ଶାସକଙ୍କୁ ବିରୋଧ କରି ଇରାକର ତତ୍କାଳୀନ ଶାସକ ସଦ୍ଧାମ ହୁସେନଙ୍କ ନେତୃତ୍ୱରେ ଇରାନ ଉପରେ ହୋଇଥିଲା ଆକ୍ରମଣ। ୮୦ ଦଶକରେ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଇତିହାସରେ ଇରାକ-ଇରାନ୍ ଯୁଦ୍ଧରେ ପରିଚିଚ। ଯାହା ୧୯୮୮ ମସିହା ପର୍ଯ୍ୟନ୍ତ ପ୍ରାୟ ୮ ବର୍ଷ ଧରି ଚାଲିଥିଲା। ଏହି ଯୁଦ୍ଧରେ ଇରାନ୍ ଗୋଟିଏ ପକ୍ଷରେ ରହିଥିବା ବେଳେ ସାଉଦି ଆରବ, ଇରାକ, କୁଏତ, ଜୋର୍ଡାନ୍, ଇଜିପ୍ଟ, ୟୁଏଇ ଆଦି ଆରବ ଦେଶ ଗୋଟିଏ ପଟରେ ରହିଥିଲେ। ଏହି ଯୁଦ୍ଧ କାରଣରୁ ତୈଳ ଦର ୨୫% ବଢିବା ସହ ଏହାର ମୂଲ୍ୟ ୩୨ ଡଲାରରୁ ୪୦ ଡଲାରକୁ ବୃଦ୍ଧି ପାଇଥିଲା।

ପଢନ୍ତୁ ଏହି ଖବର: ୨୦୨୨ ପରେ ପ୍ରଥମଥର ୧୦୦ ଡଲାର ଡେଇଁଲା ଅଶୋଧିତ ତୈଳ; ପାକିସ୍ତାନ-ବାଂଲାଦେଶରେ ସ୍ଥିତି ସଙ୍ଗୀନ

୧୯୯୦ ଉପସାଗରୀୟ ଯୁଦ୍ଧ
ଇରାନ ବିରୋଧି ଯୁଦ୍ଧ ୧୯୮୮ ମସିହାରେ ଶେଷ ହେବା ପରେ ଇରାକ-କୁଏତ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ବିବାଦ। ଏହି ଘଟଣା ପଛରେ ରହିଥିବା ମୁଖ୍ୟ କାରଣ ହେଉଛି ଇରାନ ସହ ଚାଲିଥିବା ସଂଘର୍ଷ ବେଳେ ଇରାକକୁ କୁଏତ ପକ୍ଷରୁ ମିଳିଥିବା ଆର୍ଥିକ ସହାୟତା। ଯୁଦ୍ଧ ଶେଷ ପରେ ଦିଆଯାଇଥିବା ଆର୍ଥିକ ସହାୟତା ଫେରାଇବାକୁ ଇରାକକୁ କହିଥିଲା କୁଏତ। ଯେଉଁ କଥା ଶୁଣିବା ପରେ ଖପ୍ପା ହୋଇ ଉଠିଥିଲେ ତତ୍କାଳୀନ ଶାସକ ସଦ୍ଧାମ ହୁସେନ। ସାମରିକ ଦୃଷ୍ଟିକୋଣରୁ ଦୁର୍ବଳ ରହିଥିବା କୁଏତ ତୈଳ ସମ୍ପଦରେ ରହିଥିଲା ସମୃଦ୍ଧ। କୁଏତ ଦଖଲ କରି ଇରାନ ବିରୋଧି ଯୁଦ୍ଧରେ ହୋଇଥିବା ଆର୍ଥିକ କ୍ଷତିକୁ ଭରଣା କରିବାକୁ ଚାହୁଁଥିଲେ ତତ୍କାଳୀନ ଶାସକ ସଦ୍ଧାମ ହୁସେନ। ଯାହା ପରେ ୧୯୯୦ ମସିହାରେ କୁଏତ ଉପରେ ଆକ୍ରମଣ କରି ଏହାକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରି ନେଇଥିଲା ଇରାକୀ ସେନା। ୧୯୯୦ ମସିହାରେ ହୋଇଥିବା ଯୁଦ୍ଧ କାରଣରୁ ଆରବ ଦେଶରୁ ବିଶ୍ୱ ବଜାରକୁ ହେଉଥିବ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ସେତେବେଳେ ତୈଳ ଦର ବ୍ୟାରେଲ ପିଛା ୧୭ ଡଲାରରୁ ବୃଦ୍ଧି ପାଇ ୪୧ ଡଲାର ହୋଇଥିଲା। ଉପସାରଗୀୟ ଯୁଦ୍ଧ କାରଣରୁ ୯୦ ଦଶକରେ ତେଲ ଦରରେ ୧୪୧% ବୃଦ୍ଧି ହୋଇଥିଲା।

ଇରାକ ଯୁଦ୍ଧ ୨୦୦୩ (Iraq War 2003)
ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଆମେରିକା ନେତୃତ୍ୱାଧିନ ନାଟୋ ମେଣ୍ଟ ଇରାକ ଉପରେ କରିଥିଲା ଆକ୍ରମଣ। ହେଲେ ଏହି ଯୁଦ୍ଧର ମୂଳ ଲକ୍ଷ୍ୟ ଥିଲା ଇରାକର ଶାସକ ସଦ୍ଧାମ ହୁସେନଙ୍କୁ କ୍ଷମତାରୁ ହଟାଇବା। ୨୦୦୩ ମସିହାରେ ହୋଇଥିବା ଏହି ଯୁଦ୍ଧ କାରଣରୁ ତୈଳ ଦର ବ୍ୟାରେଲ ପିଛା ୨୫ ଡଲାରରୁ ବୃଦ୍ଧି ପାଇ ୩୫ ଡଲାର ହୋଇଥିଲା। ସେତେବେଳେ ତେଲ ଦରରେ ୪୦% ବୃଦ୍ଧି ହୋଇଥିଲା।

ଲିବ୍ୟା ସଂକଟ ୨୦୧୧ (Libyan Crisis 2011)

ଗତ ୨୦୧୦-୧୧ ବର୍ଷରୁ ଆରମ୍ଭ ହୋଇଥିବା ଆରବ ବିପ୍ଳବ ସମୟରେ ଟ୍ୟୁନିସିଆ, ଲିବ୍ୟା ଇଜିପ୍ଟ ଆଦି ଦେଶରେ ହୋଇଥିଲା କ୍ଷମତା ପରିବର୍ତ୍ତନ। ଗତ ୨୦୧୧ ରେ ହୋଇଥିବା ଆନ୍ଦୋଳନ କାରଣରୁ ଲିବ୍ୟାରେ ମୁଆମାପ ଗଦ୍ଦାଫି ଏବଂ ଇଜିପ୍ଟରେ ହୋସନି ମୁବାରକ, ଟ୍ୟୁନିସିଆରେ ଜିନ୍ ଅଲ୍ ଆବିଦନ୍ ବେନ୍ ଅଲ୍ଲୀଙ୍କ ସରକାର ଗାଦିଚ୍ୟୁତ ହୋଇଥିଲା।
ଯାହା ଫଳରେ ତୈଳ ଦର ବ୍ୟାରେଲ ପିଛା ୧୨୫ ଡଲାରରୁ ବୃଦ୍ଧି ପାଇଥିଲା। ସେତେବେଳେ ତେଲ ଦରରେ ୩୨% ବୃଦ୍ଧି ହୋଇଥିଲା।

ଋଷିଆ-ୟୁକ୍ରେନ ଯୁଦ୍ଧ (Russia-Ukraine War 2022)
ଗତ ୨୦୨୨ ଫେବୃଆରୀରୁ ଆରମ୍ଭ ହୋଇଥିବା ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଦୋହଲି ଯାଇଥିଲା ବୈଶ୍ୱିକ ତୈଳ ବଜାର। କାରଣ ଋଷିଆ ବିଶ୍ୱର ଏକ ପ୍ରମୁଖ ତୈଳ ଉତ୍ପାଦକ ଦେଶ ହୋଇଥିବାରୁ ଏପରି ସ୍ଥିତି ଉପୁଜିଥିଲା। ସେତବେଳେ ତୈଳ ଦର ବ୍ୟାରେଲ ପିଛା ୭୫ ଡଲାରରୁ ବୃଦ୍ଧି ପାଇ ସିଧା ୧୩୦ ଡଲାରରେ ପହଞ୍ଚିଥିଲା। ସେତେବେଳେ ତେଲ ଦରରେ ୭୩% ବୃଦ୍ଧି ହୋଇଥିଲା। ଯୁଦ୍ଧ ସମୟରେ ତୈଳ ମୂଲ୍ୟରେ ଏହି ବୃଦ୍ଧି ଦର୍ଶାଏ ଯେ ଯେତେବେଳେ ମଧ୍ୟପ୍ରାଚ୍ୟ କିମ୍ବା କୌଣସି ପ୍ରମୁଖ ତୈଳ ଉତ୍ପାଦନକାରୀ ଅଞ୍ଚଳରେ ସାମରିକ ଉତ୍ତେଜନା ବୃଦ୍ଧି ପାଏ, ସେତେବେଳେ ତେଲ ଦର ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ।
 
ଅଧିକ ପଢ଼ନ୍ତୁ ବିଦେଶ ଖବର: ଭାରତରେ ବଢ଼ିବନି ପେଟ୍ରୋଲ ଦର, ପୂର୍ବରୁ ଲାଭ କରିଥିଲେ...ଏବେ ଚାପ ସହିବେ ତୈଳ କମ୍ପାନି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Global Oil Price Hike: ଜାରି ରହିଛି ମଧ୍ୟ ପ୍ରାଚ୍ୟ ସଂକଟ; ଆହୁରି ଆକାଶଛୁଆଁ ହୋଇପାରେ ତୈଳ ଦର | Argus News