ଅର୍ଗସ ବ୍ୟୁରୋ: ଆଜି ସାରା ଦେଶ ବିଜୟ ଦିବସ ପାଳନ କରୁଛି। ଏହି ଦିନ ୧୯୭୧ ଯୁଦ୍ଧରେ ଭାରତର ନିର୍ଣ୍ଣାୟକ ବିଜୟର ପ୍ରତୀକ। ଏହି ଯୁଦ୍ଧରେ ବୀରତ୍ବ ପ୍ରଦର୍ଶନ କରିଥିବା ତଥା ବଳିଦାନ ଦେଇଥିବା ଭାରତୀୟ ସଶସ୍ତ୍ରବାହିନୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଆଜିର ଦିନକୁ ବିଜୟ ଦିବସ ଭାବେ ପାଳନ କରାଯାଉଛି।
୧୯୭୦ରୁ ୧୯୭୧ ମଧ୍ୟରେ ପାକିସ୍ତାନୀ ଜେନେରାଲ ଟିକ୍କା ଖାନ ନିଜ ଦମନକାରୀ ନୀତି ବଳରେ ପୂର୍ବ ପାକିସ୍ତାନରେ ନରସଂହାର ଆରମ୍ଭ କରିଦେଇଥିଲା। ପ୍ରାୟ ୩ଲକ୍ଷ ବାଙ୍ଗଲାଦେଶୀଙ୍କୁ ହତ୍ୟା କରାଯାଇଥିଲା। ହଜାର ହଜାର ମହିଳାଙ୍କର ଇଜ୍ଜତ ଲୁଟିନିଆଯାଇଥିଲା। ଏହି ଜୁଲମ ବିରୋଧରେ ଲଢିବା ପାଇଁ ଶେଖ ମୁଜିବୁର ରେହମାନ ସାଧାରଣ ଜନତାଙ୍କୁ ପ୍ରେରିତ କରିଥିଲେ। ସେ ମୁକ୍ତି ବାହିନୀ ସେନା ଗଠନ କରିଥିଲେ। ଏଥିସହ ଭାରତଠୁ ସାହାଯ୍ୟ ମାଗିଥିଲେ। ପୂର୍ବ ପାକିସ୍ତାନ ଲୋକଙ୍କୁ ପାକିସ୍ତାନର କ୍ରୁରତାରୁ ବଞ୍ଚାଇବାକୁ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧି ଭାରତୀୟ ସେନାକୁ ଯୁଦ୍ଧ ପାଇଁ ଅନୁମତି ଦେଇଥିଲେ। ୪ ଡିସେମ୍ବର ୧୯୭୧ରେ ଅପରେସନ୍ ଟ୍ରାଇଡେଣ୍ଟ ଆରମ୍ଭ କରିଥିଲା ଭାରତୀୟ ସେନା। ପୂର୍ବ ପାକିସ୍ତାନର ବଙ୍ଗାଳୀ ରାଷ୍ଟ୍ରବାଦ ଗ୍ରୁପର ସମର୍ଥନରେ ପାକିସ୍ତାନ ବିରୋଧରେ ଯୁଦ୍ଧ ଲଢିଥିଲା ଭାରତ। ମାତ୍ର ୧୩ ଦିନରେ ହିଁ ପାକିସ୍ତାନୀ ସେନାକୁ ମୁହଁ ତୋଡ଼ ଜବାବ ଦେଇଥିଲା ଭାରତୀୟ ସେନା।
ଶେଷରେ ୧୬ ଡିସେମ୍ବର ୧୯୭୧ରେ ପାକିସ୍ତାନ୍ ସେନାର ଜେନାରାଲ କମାଣ୍ଡର ଆମୀର ଅବଦ୍ଦୁଲା ଖାନ୍ ସେନା ସହ ଆତ୍ମ ସମର୍ପଣ କରିବାକୁ ବାଧ୍ୟ ହୋଇଥିଲେ। ପ୍ରାୟ ୯୩ ହଜାର ପାକିସ୍ତାନୀ ସୈନିକ ନିଜ ଅସ୍ତ୍ର ସହ ଭାରତ ଆଗରେ ଆତ୍ମ ସମର୍ପଣ କରିଥିଲେ ଯାହା ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ସବୁଠୁ ବଡ଼ ସୈନ୍ୟ ଆତ୍ମସମର୍ପଣ ଥିଲା। ଏଥିସହ ଭାରତୀୟ ସେନାର ଦମ ଦେଖିଥିଲା ସାରା ବିଶ୍ବ। ଯାହାର ପରିଣାମ ସ୍ବରୂପ ଅସ୍ତିତ୍ବକୁ ଆସିଥିଲା ବାଙ୍ଗଲାଦେଶ। ବଙ୍ଗଲାଦେଶକୁ ସ୍ବାଧୀନ କରି କ୍ଷମତା ସେହି ବଙ୍ଗଳା ଭାଷୀଙ୍କ ହାତରେ ସମର୍ପଣ କରିଥିଲା ଭାରତ। ଗୋଟିଏ ଇଞ୍ଚ ଭୂମି ଉପରେ ବି ନିଜ ଅଧିକାର ସାବ୍ୟସ୍ତ କରିନଥିଲା। ହିନ୍ଦୁସ୍ତାନ ଚାହିଁଥିଲେ ପୂରା ବାଙ୍ଗାଦେଶକୁ ନିଜ ସୀମାରେ ସାମିଲ କରିପାରିଥାନ୍ତା। କିନ୍ତୁ ଭାରତ ବଡ଼ ପଣ ଦେଖଇଥିଲା। ସର୍ବପ୍ରଥମ ଏକ ଦେଶ ଭାବେ ବାଙ୍ଗଲାଦେଶକୁ ମାନ୍ୟତା ଦେଲା। ଡିସେମ୍ବର ୧୯୭୧ରୁ କୂଟନୈତିକ ସମ୍ପର୍କ ସ୍ଥାପନ କଲା। ବାଙ୍ଗଲାଦେଶର ବିକାଶରେ ବଡ଼ ଭୂମିକା ନିଭାଇଥିଲା ଭାରତ। ସେହି ସମୟରେ ୧ ଲକ୍ଷ ଟନ୍ କପା ଭେଟି ଦେଇଥିଲା ଭାରତ ଯାହାର ପରିଣାମ ସ୍ବରୂପ ବାଙ୍ଗଲାଦେଶ ବୟନ ଶିଳ୍ପ ଗଢିଉଠିଲା ଓ ତାର ଆର୍ଥିକ ବିକାଶ ଆରମ୍ଭ ହେଲା ତାସତ୍ତ୍ବେ ଭାରତ ଆଜିଯାଏ ନିଜ ଅବଦାନ କେବେ ସ୍ମରଣ କରାଇଛି ନା ବାଙ୍ଗଲାଦେଶକୁ କେବେ ନୀଚ୍ଚା ଦେଖାଇବାକୁ ଚେଷ୍ଟା କରିଛି। କିନ୍ତୁ ତାର ପ୍ରତିଦାନ କଣ ଏହା।
ଆଜି ପ୍ରତିଦିନ ବାଙ୍ଗଲାଦେଶରେ ହିନ୍ଦୁ ଝିଅ ବହୁଙ୍କର ଇଜ୍ଜତ ଲୁଟାଯାଉଛି। ହିନ୍ଦୁଙ୍କର ଗଣସଂହାର ଚାଲିଛି। ସେମାନଙ୍କ ଘର ବ୍ୟାବସାୟିକ ପ୍ରତିଷ୍ଠାନକୁ ଲୁଟ୍ କରାଯାଇ ନିଆଁ ଲାଗଇ ଦିଆଯାଉଛି। ଭାରତ ତଥାପି ନିଜ ଧର୍ମ ରକ୍ଷା କରିଛି ଆଉ ବାଙ୍ଗାଦେଶ ମାଟିରେ ହିନ୍ଦୁ ଉପରେ ହେଉଥିବା ଯାତନା ବନ୍ଦ ପାଇଁ କେବଳ ଅପିଲ କରିଛି।ଯେଉଁ ଭାରତ ଯୋଗୁଁ ଅସ୍ତିତ୍ବକୁ ଆସିଥିଲା ବାଙ୍ଗଲାଦେଶ ଭାରତର ସାହାଯ୍ୟ ପାଇ ବିକାଶର ରାସ୍ତାରେ ଦୌଡ଼ିବାରେ ଲାଗିଥିଲା ସେ ଆଜି ଭାରତ ସହ ଶତ୍ରୁତାକୁ ଆମନ୍ତ୍ରଣ କରୁଛି। ଏହା ପଛର କାରଣ କଣ। କାହିଁକି ହଠାତ୍ ବାଙ୍ଗଲାଦେଶ ଏତେ ଉଗ୍ର ହୋଇ ଉଠିଲା ଭାରତ ବିରୋଧରେ। ଖାଲି ଭାରତ ବିରୋଧରେ ନୁହେଁ ସେଠାରେ ଶେଖ ହସିନା ସରକାର ବିରୋଧରେ ହୋଇଥିବା ଛାତ୍ର ଆନ୍ଦୋଳନ କଣ ସ୍ବତଃ ପ୍ରବୃତ ଥିଲା ନା ଏହାକୁ ଉସକାଯାଇଥିଲା।
ଯେଉଁ ମୁଜିବୁର ରେହମାନଙ୍କ ଯୋଗୁଁ ବାଙ୍ଗଲାଦେଶ ସ୍ବତନ୍ତ୍ର ରାଷ୍ଟ୍ରର ମର୍ଯ୍ୟାଦା ପାଇଲା ତାଙ୍କ ପ୍ରତିମୂର୍ତ୍ତିକୁ କାହିଁକି ସେଠାରେ ଭାଙ୍ଗିଦିଆଯାଉଛି। ମୁଜିବୁର ରେହେମାନଙ୍କ ଝିଅ ଶଏଖ ହସିନା କିଛି ମାସ ତଳେ ହୋଇଥିବା ନିର୍ବାଚନରେ ବହୁମତ ପାଇ ସରକାର ଗଠନ କରିଥିଲେ। ତା ସତ୍ତ୍ବେ ତାଙ୍କ ବିରୋଧରେ ଏତେ ବିଦ୍ରୋହ ହେଲା କାହିଁକି ଯେଉଁଥିପାଇଁ ୫ ଅଗଷ୍ଟ ୨୦୨୪ରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଭାରତରେ ଆସି ଶରଣ ନେବାକୁ ପଡ଼ିଲା। ହସିନାଙ୍କୁ ହଟାଇ ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାର ମୁଖ୍ୟ ଭାବେ ଦାୟିତ୍ବ ଦିଆଯାଇଥିଲା। ହେଲେ ତା ପରେ ହିନ୍ଦୁଙ୍କ ଉପରେ ଚାଲିଥିବା ନରସଂହାସ ଥମିବା ପରିବର୍ତ୍ତେ ଚରମ ସୀମାରେ ପହଞ୍ଚିଛି। ଯେମିତି ହିନ୍ଦୁଙ୍କ ଉପରେ କ୍ରୁରତା ଦେଖାଇବାକୁ ସେଠାକାର ଲୋକଙ୍କୁ ଲାଇସେନ୍ସ ଦିଆଯାଇଛି। ଦାୟିତ୍ବ ନେବାବେଳେ ୩ ମାସ ମଧ୍ୟରେ ନିର୍ବାଚନ କରାଇବା କଥା କହୁଥିବା ମହମ୍ମଦ ୟୁନୁସ ଏବେ କହିଲେଣି ୨୦୨୬ରେ ହେବ ନିର୍ବାଚନ। ବିଶ୍ଳେଷକଙ୍କ ମତରେ ଏହା ପଛରେ ରହିଛି ଏକ ବଡ଼ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର। ହସିନାଙ୍କ ବିରୋଧରେ ଆନ୍ଦୋଳନ, ୟୁନୁସଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ ଭାବରେ ଦାୟିତ୍ବ ଏପରିକି ୟୁନୁସଙ୍କୁ ନୋବେଲ ପୁରସ୍କାର ଏସବୁ ଏକ ସୁଚିନ୍ତିତ ଯୋଜନାର ଅଶଂବିଶେଷ ବୋଲି ହୋଇଛି ଅଭିଯୋଗ।
ଏବେ ପାକିସ୍ତାନ ରାସ୍ତାରେ ବାଂଲାଦେଶ। ସେଠାରେ ଯେପରି ଗଣତନ୍ତ୍ର ମୂଲ୍ୟହୀନ ଏବଂ ସେନା ଓ କଟ୍ଟରବାଦୀଙ୍କର ଚାଲିଛି ରାଜ ସେହିପରି ଅବସ୍ଥାଆଗଡୁ ଆଗଉଛି ବାଙ୍ଗାଲେଶ। ଅର୍ଥାତ ପାକସ୍ତାନ ପରି ଭାରତ ସହ ଶତ୍ରୁତା ରାସ୍ତାରେ ପଡୋ଼ଶୀ ବାଙ୍ଗଲାଦେଶ। ଯେଉଁ ଭାରତ ଯୋଗୁଁ ତାର ଅସ୍ତିତ୍ବ ସେହି ହିନ୍ଦୁିସ୍ତାନ ପ୍ରତି କୃତଘ୍ନ ବନିବା ପଛରେ ବଡ଼ ଷଡ଼ଯନ୍ତ୍ର। ଆଉ ଯେବେଠାରୁ ଏହି ରାସ୍ତାରେ ପାଦ ଦେଇଛି ବାଙ୍ଗଲା ଦେଶ ସେବେଠାରୁ ତାର ଅର୍ଥନୀତି ପାକିସ୍ତାନ ପରି ତଳକୁ ତଳକୁ ହୋଇଚାଲିଛି। ଏବେ ବାଙ୍ଗଲାଦେଶକୁ ଚିନ୍ତା କରିବାକୁ ପଡ଼ିବ ସେ ପାକିସ୍ତାନ ପରି କଟ୍ଟରବାଦର ରାସ୍ତାରେ ଯିବ ନା ଗଣତାନ୍ତ୍ରୀକ ରାସ୍ତାକୁ ବାଛି ବିକାଶ ପଥରେ ଆଗେଇବ।